ଆଶ୍‌ଫୋର୍ଡ ମେଡାଲ ବିଜେତା

ଗୋଟେ ଦେଶକୁ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ପୁରସ୍କାର ଆଣିପାରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ସମ୍ମାନାସ୍ପଦ ହୋଇଥାଆନ୍ତି। ଏଥିସହିତ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଭାବେ ଉଭା ହୋଇ ଆଗାମୀ ପିଢ଼ିକୁ ସେଭଳି ସମ୍ମାନ ପାଇବା ଦିଗରେ ପ୍ରେରଣାଦାୟୀ ପାଲଟି ଯାଇଥାଆନ୍ତି। ନିକଟରେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ତଥା ଡାକ୍ତର ସୁବାସ ବାବୁ ମର୍ଯ୍ୟାଦାଜନକ ‘ବେଲେ କେ. ଆଶ୍‌ଫୋର୍ଡ ମେଡାଲ ୨୦୨୨’ ପାଇଛନ୍ତି। ଏହି ପୁରସ୍କାର ପ୍ରତିଷ୍ଠା ହେବାର ୮୨ ବର୍ଷ ଇତିହାସ ମଧ୍ୟରେ ପୂର୍ବରୁ କୌଣସି ଭାରତୀୟ କିମ୍ବା ଭାରତର ଅନୁଷ୍ଠାନ ଏଭଳି ସମ୍ମାନରେ ସମ୍ମାନିତ ହୋଇ ନ ଥିଲେ। ଟ୍ରପିକାଲ ମେଡିସିନ୍‌ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ସୁବାସ ଏହି ପୁରସ୍କାର ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଗବେଷଣା ଛାତ୍ର ଓ ବିଶେଷଜ୍ଞଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ତେବେ ପ୍ରଥମେ ଟ୍ରପିକାଲ ମେଡିସିନ୍‌ ଓ ପୁରସ୍କାର ଦେଉଥିବା ସଂସ୍ଥା ବିଷୟରେ ଆଲୋକପାତ କରିବାର ଆବଶ୍ୟକତା ରହିଛି।
ବ୍ୟାପକ ଭାବେ ଗ୍ରୀଷ୍ମମଣ୍ଡଳୀୟ ଓ ଉପଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଅନିୟନ୍ତ୍ରିତ ଭାବେ ବ୍ୟାପୁଥିବା ରୋଗକୁ ଆୟତ୍ତ କରିବା ଦିଗରେ ବ୍ୟବହୃତ ଔଷଧ ହିଁ ଟ୍ରପିକାଲ ମେଡିସିନ ଭାବେ ଅଭିହିତ। ଏହାର ଇତିହାସକୁ ଦେଖିଲେ ଆଶ୍‌ଫୋର୍ଡଙ୍କ ଉଦ୍ୟମକୁ ମନେ ପକାଇବାକୁ ପଡ଼ିବ। ୨୮ ସେପ୍ଟେମ୍ବର ୧୮୭୩ରେ ଆମେରିକାର ଓ୍ବାଶିଂଟନ ଡିସିରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଡାକ୍ତର ଫ୍ରାନ୍ସିସ୍‌ ଆଶ୍‌ଫୋର୍ଡ ଜର୍ଜଟାଉନ୍‌ ସ୍କୁଲ ଅଫ୍‌ ମେଡିସିନ୍‌ର ଡିନ୍‌ ଥିଲେ। ତେବେ କେ. ଆଶ୍‌ଫୋଡ ଜର୍ଜଟାଉନ୍‌ରୁ ଏମ୍‌ଡି ଡିଗ୍ରୀ ଅର୍ଜନ କରି ୧୮୯୭ରେ ଆର୍ମି ମେଡିକାଲ କର୍‌ରେ ଯୋଗ ଦେଇଥିଲେ। ସ୍ପାନିଶ୍‌ ଆମେରିକାନ୍‌ ଓ୍ବାର୍‌ ପରେ ତାଙ୍କୁ ପୁର୍ଟୋ ରିକୋକୁ ପଠାଯାଇଥିଲା। ସେଠାରେ ସେ ଡାକ୍ତରୀ ସେବା ଯୋଗାଉଥିବା ବେଳେ ଯେତେବେଳେ ତାଙ୍କୁ ୨୬ ବର୍ଷ ବୟସ ସେ ଗ୍ରାମାଞ୍ଚଳରେ ଅଙ୍କୁଶକୃମି ଯୋଗୁ ରକ୍ତହୀନତା ରୋଗ ହେଉଥିବା ଜାଣିବାକୁ ପାଇଥିଲେ। ୧୯୦୪ରେ ସେ ଏହି ରୋଗ ନିୟନ୍ତ୍ରଣ ପାଇଁ ପୁର୍ଟୋ ରିକୋ ଆନେମିଆ କମିଶନ ଗଠନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଓ୍ବାଶିଂଟନ ଓ ଫ୍ରାନ୍ସରେ ସେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କ ବୃତ୍ତିଗତ ଜୀବନର ଅଧିକାଂଶ ସମୟ ପୁର୍ଟୋ ରିକୋରେ ଗବେଷଣା କ୍ଷେତ୍ରରେ କଟିଥିଲା। ୧୯୩୪ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ସେହିଠାରେ ସେ ପ୍ରତିଷ୍ଠା କରିଥିବା ସ୍କୁଲ ଅଫ୍‌ ଟ୍ରପିକାଲ ମେଡିସିନ୍‌ ପରବର୍ତ୍ତୀ ସମୟରେ ସ୍କୁଲ ଅଫ୍‌ ମେଡିସିନ୍‌ ଭାବେ ପରିଚିତି ହାସଲ କରି ଗବେଷଣା ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି। ଏଭଳି ଜଣେ ଗବେଷକଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ୧୯୪୧ରେ ବେଲେ କେ. ଆଶ୍‌ଫୋର୍ଡ ମେଡାଲ ପ୍ରତିଷ୍ଠା କରାଯାଇଥିଲା। ଡାକ୍ତର ସୁବାସ ବାବୁ ସେହିଭଳି ବ୍ୟକ୍ତିଙ୍କ ନାମ ଆଧାରରେ ପ୍ରତିଷ୍ଠିତ ସମ୍ମାନ ପାଇବା ନିଶ୍ଚିତ ଭାବେ ଉତ୍ସାହଜନକ।
ସୁବାସ ବାବୁ ତାମିଲନାଡୁର କିଲ୍‌ପାଉକ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ଆମେରିକାର କନେକ୍ଟିକଟ୍‌ ବିଶ୍ୱବିଦ୍ୟାଳୟରୁ ସେ ଇମ୍ୟୁନୋଲୋଜିରେ ପିଏଚ୍‌.ଡି. ସମ୍ମାନ ଅର୍ଜନ କରିଥିଲେ। ଆମେରିକାର ବେଥେସ୍‌ଡାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ (ଏନ୍‌ଆଇଏଚ୍‌)ରୁ ପୋଷ୍ଟ୍‌ ଡକ୍ଟରାଲ ଫେଲୋଶିପ୍‌ ପାଇବା ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୦୬ରେ ସେ ଚେନ୍ନାଇରେ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଏକ୍ସଲେନ୍ସ ଇନ୍‌ ରିସର୍ଚ୍ଚ (ଆଇସିଇଆର୍‌) ସ୍ଥାପନ କରିଥିଲେ। ଭାରତରେ ଏନ୍‌ଡେମିକ୍‌ ଇନ୍‌ଫେକ୍ସନ ଉପରେ ଗବେଷଣା କରୁଥିବା ଏହି କେନ୍ଦ୍ର ଏନ୍‌ଆଇଏଚ୍‌ରୁ ପାଣ୍ଠି ପାଇଆସୁଛି। ସର୍ବାଧିକ କ୍ଷେତ୍ରସ୍ତରୀୟ ଅଧ୍ୟୟନ, ବିଶ୍ୱର ବିଭିନ୍ନ ସଙ୍ଗଠନ ସହ ସମନ୍ବୟ ରଖି କରାଯାଉଥିବା ଗବେଷଣା ଓ କ୍ଲିନିକାଲ ଟ୍ରାଏଲ୍‌ କ୍ଷେତ୍ରରେ ସୁବାସ ବାବୁଙ୍କ ମାର୍ଗଦର୍ଶନ ତାଙ୍କ ସଂସ୍ଥାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଆଣିଦେଇଛି। ୩୧ ରିସର୍ଚ୍ଚ ପ୍ରୋଟୋକଲର ପ୍ରିନ୍ସିପାଲ ବା କେ-ଇନ୍‌ଭେଷ୍ଟିଗେଟର ରହିବା ସହ ସେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ଶିକ୍ଷା ଗ୍ରହଣ କରୁଥିବା ୩୦ ଇଣ୍ଡିଆନ୍‌ ଏକାଡେମିକ୍‌ ଇନ୍‌ଷ୍ଟିଚ୍ୟୁଶନର ମେଣ୍ଟର ରହିଆସିଛନ୍ତି। ଇଣ୍ଟରନ୍ୟାଶନାଲ ଜର୍ନାଲରେ ତାଙ୍କର ୨୪୦ ପବ୍ଲିକେଶନ ସହ ସେ ବିଶ୍ୱର ବିଭିନ୍ନ ମେଡିକାଲ ସ୍କୁଲ ଓ ଗ୍ରାଜୁଏଟ୍‌ ପ୍ରୋଗ୍ରାମ୍‌ ପାଇଁ ଉଦ୍ଦିଷ୍ଟ ପୁସ୍ତକ ରଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ମାଇକ୍ରୋବାୟୋଲୋଜି ଓ ମାଇକ୍ରୋବିୟାଲ୍‌ ଇନ୍‌ଫେକ୍ସନ ଓ କ୍ଲିନିକାଲ ଇମ୍ୟୁନୋଲୋଜି ପୁସ୍ତକ ବହୁଳ ପ୍ରଚଳିତ ହେଉଛି। ଫାଇଲେରିଆ ଏବଂ ଯକ୍ଷ୍ମାରେ ଟାଇପ୍‌-୨ ଡାଇବେଟିସ୍‌ର ପ୍ରଭାବକୁ କାଟିବା ଲାଗି ଆଣ୍ଟାଇ-ଟିବି ଥେରାପି ବାହାର କରିବା ତାଙ୍କୁ ଏବେ ବିଶ୍ୱ ସ୍ବାସ୍ଥ୍ୟ ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ଦେଇଛି।
ବେଲେ କେ. ଆଶ୍‌ଫୋର୍ଡ ମେଡାଲ ୨୦୨୨ ପୁରସ୍କାର ପାଇବା ପରେ ସୁବାସ ଅତ୍ୟନ୍ତ ଆନନ୍ଦିତ ଥିବା କହିଛନ୍ତି। ଗବେଷଣାରେ ଉତ୍କର୍ଷ ଆଣିବା ଦିଗରେ ତାଙ୍କ ଟିମ୍‌ ଓ ସହଯୋଗୀଙ୍କ ଅବଦାନକୁ ସେ ପ୍ରଶଂସା କରିବାକୁ ଭୁଲିନାହାନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?