ବାରିପଦା, ,୨୯।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ରବିବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ବାରିପଦା ଟାଉନ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ସ୍ଥାନୀୟ ସେନକୋ ଜୁଏଲାରୀ ଦୋକାନରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ପଶି ବନ୍ଧୁକ ମୁନରେ ସୁନାଗହଣା ଲୁଟ୍ କରୁଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ତତ୍ପରତାରୁ ୪ ଜଣ ଡକାୟତ ଧରାପଡ଼ିଛନ୍ତି। ତେବେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧ଟା ସମୟରେ ୬ ଜଣ ଡକାୟତ ବନ୍ଧୁକ ଧରି ସେନକୋ ଜୁଏଲାରୀ ଶୋ’ରୁମ ଭିତରକୁ ପଶିଥିଲେ। ସେମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଦୋକାନର କର୍ମଚାରୀମାନଙ୍କୁ ଭୟଭୀତ କରାଇ ସୁନାଗହଣା ଲୁଟ୍ କରିବା ଆରମ୍ଭ କରିଥିଲେ। ଏହି ସମୟରେ ବାହାରେ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରି ଘଟଣା ସମ୍ପର୍କରେ ଜାଣିପାରିଥିଲେ ଏବଂ ତୁରନ୍ତ ଦୋକାନ ମାଲିକଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ। ଦୋକାନ ମାଲିକ ବିଳମ୍ବ ନକରି ବାରିପଦା ଟାଉନ ଥାନାକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଲୁଟ୍ କରି ଡକାୟତମାନେ ଦୋକାନରୁ ବାହାରି ବାଇକ୍ ଯୋଗେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନ ମାଲିକ ସାହସିକତା ଦେଖାଇ ନିଜ କାର୍ରେ ବାଇକ୍ରେ ବସିଥିବା ଦୁଇ ଡକାୟତଙ୍କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ତଳେ ପଡ଼ିଯାଇଥିଲେ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରିନେଇଥିଲେ। ସେହିପରି ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଅନ୍ୟ ଦୁଇ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଭିଡ଼ର ସୁଯୋଗ ନେଇ ଅବଶିଷ୍ଟ ଦୁଇ ଡକାୟତ ଫେରାର ହୋଇଯାଇଛନ୍ତି।
ପୋଲିସ ଅଟକ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିବା ସହ ସେମାନଙ୍କ ନିକଟରୁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଲୁଟ୍ ସାମଗ୍ରୀ ଜବତ ପ୍ରକ୍ରିୟା ଆରମ୍ଭ କରିଛି। ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପକ୍ଷରେ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦିନ ଦ୍ୱିପ୍ରହରରେ ଏଭଳି ବନ୍ଧୁକ ମୁନରେ ଡକାୟତି ଉଦ୍ୟମ ଘଟଣା ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରରେ ଦିନବେଳା ଲୁଟ୍, ଛିନ୍ତାଇ ଓ ଚୋରି ବଢ଼ୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ତୀବ୍ର ଅସନ୍ତୋଷ ଦେଖାଦେଇଛି।

