ନୂଆଦିଲ୍ଲୀ,୨୯।୧୧: କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ତୃତୀୟ ଦିନ ଶେଷ ହୋଇଛି । ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଦଳର ଦବଦବା ଜାରି ରହିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା କିୱି ଦଳ ୨୪୩ ରନ୍ରେ ଆଗୁଆ ରହିଛି । ଭାରତ ପାଇଁ ଦ୍ୱିତୀୟ ପାଳିରେ ଯଶପ୍ରୀତ ବୁମ୍ରା ଭଲ ବୋଲିଂ କରି ୨ଟି ୱିକେଟ୍ ନେଇଛନ୍ତି । ତେବେ ବୁମ୍ରାଙ୍କ ବୋଲିଂକୁ ନେଇ ପୂର୍ବତନ ଭାରତୀୟ ୱିକେଟ୍କିପର ବ୍ୟାଟର ଦିନେଶ କାର୍ତ୍ତିକ ପ୍ରଶ୍ନ ଉଠାଇଛନ୍ତି।
ତୃତୀୟ ଦିନର ଖେଳ ଶେଷ ପରେ କ୍ରିକ୍ବଜ୍ ସହ ଆଲୋଚନା ବେଳେ ଦିନେଶ କାର୍ତ୍ତିକ ବୁମ୍ରାଙ୍କ ବୋଲିଂରେ ସନ୍ତୁଷ୍ଟ ନଥିବା ଦେଖାଯାଇଥିଲା। ଏଥିସହ ଟିମ୍ ମ୍ୟାନେଜମେଣ୍ଟକୁ ବୁମ୍ରାଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାର୍ତ୍ତିକ କହିଛନ୍ତି, “ପ୍ରଥମ ଟେଷ୍ଟରେ ସେ ଭଲ ଫର୍ମରେ ଥିବା ଭଳି ଲାଗୁଥିଲେ । ଏହା ପରେ ତାଙ୍କ ପାଇଁ ପରିସ୍ଥିତି କିଛି କଷ୍ଟକର ହୋଇଛି । ଏବେ ଲାଗୁଛି, ସେ ଚାରିଜଣ ବୋଲରଙ୍କ ମଧ୍ୟରୁ ଜଣେ ମାତ୍ର । ପୂର୍ବଭଳି ବୋଲିଂ ଆକ୍ରମଣର ନେତା ଭାବେ ସେ ଦେଖାଯାଉନାହାନ୍ତି । ସାଧାରଣତଃ ସେ ଯେଉଁଭଳି ୱିକେଟ୍ ନେବା ଭଳି ବଲ୍ ପକାନ୍ତି, ସେଭଳି ବଲ୍ ଏଥର ପକାଇପାରିନାହାନ୍ତି। ତାଙ୍କ ବୋଲିଂର ଗତି ମଧ୍ୟ କମିଛି। ଟିମ୍ ଇଣ୍ଡିଆକୁ ଏହା ଉପରେ ଧ୍ୟାନ ଦେବା ଦରକାର।”
ଦିନେଶ କାର୍ତ୍ତିକଙ୍କ ମତରେ, ବୁମ୍ରା ନିଜ ଦକ୍ଷତାରେ ୱିକେଟ୍ ନେବା ପରିବର୍ତ୍ତେ ବ୍ୟାଟରଙ୍କ ଭୁଲ୍ ଯୋଗୁଁ ସଫଳ ହୋଇଛନ୍ତି। ସେ କହିଛନ୍ତି, “ମୋତେ ଲାଗୁଛି ଯଶପ୍ରୀତ ବୁମ୍ରା ଏହାଠାରୁ ଅଧିକ ଭଲ ବୋଲିଂ କରିପାରିବେ । ଆଜି ସେ ନିଜର ଶ୍ରେଷ୍ଠ ବୋଲିଂ କରୁଥିବା ଭଳି ଲାଗିଲା ନାହିଁ । ତଥାପି ସେ ୨ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଅଧିକାଂଶ ବଲ୍ ବ୍ୟାଟରଙ୍କୁ ଫସାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା, ଏବଂ ପରେ ବ୍ୟାଟର ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ । ଏଭଳି ସ୍ଥିତି ଆସିନଥିଲା ଯେ ବ୍ୟାଟର କିଛି କରିପାରୁନଥିଲେ। ଆଜି ବୁମ୍ରା ଯାହା କରିଛନ୍ତି, ସେଥିରେ ମୁଁ ଅଧିକ ସନ୍ତୁଷ୍ଟ ନୁହେଁ।”
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ବୁମ୍ରା ୨୬ ଓଭର ବୋଲିଂ କରି ୪୯ ରନ୍ ଦେଇଥିଲେ । ତାଙ୍କ ଇକୋନୋମି ରେଟ୍ ୧.୮୮ ଥିଲେ ମଧ୍ୟ ସେ କୌଣସି ୱିକେଟ୍ ନେଇପାରିନଥିଲେ।ଦ୍ୱିତୀୟ ପାଳିରେ ଏପର୍ଯ୍ୟନ୍ତ ସେ ୧୨ ଓଭର ବୋଲିଂ କରି ୩୪ ରନ୍ ଦେଇ ୨ଟି ୱିକେଟ୍ ନେଇଛନ୍ତି । ତାଙ୍କ ଇକୋନୋମି ରେଟ୍ ୨.୮୩ ରହିଛି । ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ୍ଙ୍କୁ ଆଉଟ୍ କରି ବୁମ୍ରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ପରେ ହେନ୍ରି ନିକୋଲ୍ସଙ୍କ ୱିକେଟ୍ ମଧ୍ୟ ନେଇଥିଲେ ।

