ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍ରୁ ୩ଟି ଦେଶୀ ବୋମା ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ଏହି ବୋମା ଠାବ ହୋଇଥିଲା। ପଚରାଉଚରା ବେଳେ ଛାତ୍ର ଜଣକ ନିଜେ ବୋମା ତିଆରି କରିଥିବା କହିଥିବା ଜଣାପଡ଼ିଛି । ଜଣେ ସହପାଠୀଙ୍କ ସହ ବିବାଦ ଯୋଗୁଁ ସେ ଏହାକୁ ସ୍କୁଲକୁ ଆଣିଥିବା ପୋଲିସ ସୂଚନା ଦେଇଛି। ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇଛି।
ନଭେମ୍ବର ୨୬ ତାରିଖ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ଏହି ଘଟଣା ଘଟିଥିଲା। ସ୍କୁଲରେ ନିୟମିତ ସୁରକ୍ଷା ଯାଞ୍ଚ ଚାଲିଥିବା ବେଳେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ବ୍ୟାଗ୍ ଯାଞ୍ଚ କରୁଥିଲେ । ଏହି ସମୟରେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ବ୍ୟାଗ୍ରୁ ୩ଟି ଦେଶୀ ବୋମା ମିଳିଥିଲା। ଏହା ଦେଖି ଶିକ୍ଷକମାନେ ତୁରନ୍ତ ସ୍କୁଲ ପ୍ରଶାସନକୁ ଜଣାଇଥିଲେ । ଫଳରେ ସ୍କୁଲ ପରିସରରେ ଆତଙ୍କ ଖେଳିଯାଇଥିଲା।
ଛାତ୍ରଙ୍କ ବୟାନ ଅନୁସାରେ, ଜଣେ ସହପାଠୀଙ୍କ ସହ ବିବାଦ ହେବା ପରେ ସେ ଏହି ବୋମା ତିଆରି କରିଥିଲେ । ଅନ୍ୟ ଛାତ୍ରଙ୍କୁ ଭୟଭୀତ କରିବା ତାଙ୍କ ଉଦ୍ଦେଶ୍ୟ ଥିବା ଆଶଙ୍କା କରାଯାଉଛି । ତେବେ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ପୁଲିସ ତଦନ୍ତ କରୁଛି । ସ୍କୁଲର ଉପ-ପ୍ରଧାନଶିକ୍ଷକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ପରେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଡିସିପି ସାଗର ଜୈନଙ୍କ ସୂଚନା ଅନୁସାରେ, ନାବାଳକ ଜଣକ ବିସ୍ଫୋରକ ସାମଗ୍ରୀ କେଉଁଠୁ ପାଇଲା ଏବଂ ବୋମା ତିଆରି କରିବା ଶିଖିଲା କିପରି, ତାହାର ତଦନ୍ତ ଚାଲିଛି । ଏହି ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ନାବାଳକ ଏକାକୀ ଏସବୁ କରିଥିଲା, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।
ସକ୍ଷମ ଅଧିକାରୀଙ୍କ ନିକଟରେ ହାଜର କରାଯିବା ପରେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଯାଇଛି । ନାବାଳକ ହୋଇଥିବାରୁ କିଶୋର ନ୍ୟାୟ ଆଇନ ଅନୁଯାୟୀ ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣା ସ୍କୁଲର ସୁରକ୍ଷା ବ୍ୟବସ୍ଥା ଏବଂ ନାବାଳକଙ୍କ ପାଖରେ ବିସ୍ଫୋରକ ସାମଗ୍ରୀ ପହଞ୍ଚିବାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ।

