ନାମୀ ମା’ବାପାଙ୍କ ଦାମୀ ପିଲା

ଡ. ସତ୍ୟନାରାୟଣ ମିଶ୍ର

 

ଶୃଙ୍ଖଳିତ ସମାଜରେ ଶୃଙ୍ଖଳିତ ଜୀବନ ନିର୍ବାହ କରିବା ହେଉଛି ଏକ ନିଷ୍ଠା। ଶୃଙ୍ଖଳା ହେଉଛି ଏକ ନୀତି, ଏହାକୁ ଆମେ ସମସ୍ତେ ମାନିଲେ ତାହା ହୁଏ ନିୟମ ଓ ନ ମାନିଲେ ହୁଏ ବିଶୃଙ୍ଖଳା, ଯାହାର ପରିଣତି ହୁଏ ଅନିଶ୍ଚିତତା ଓ ବିପର୍ଯ୍ୟୟ। ବିପଦଠାରୁ ଦୂରରେ ରହିବା ପାଇଁ ସମସ୍ତେ ଯଥାସମ୍ଭବ ସଚେତନ ଥାନ୍ତି, ମାତ୍ର ଭୁଲ୍‌ ବୁଝାମଣା, ଅବହେଳା ଓ ଅପରିପକ୍ୱ ସିଦ୍ଧାନ୍ତ ତଥା ନୀତି ବେଳେ ବେଳେ ଅହେତୁକ ବିପଦକୁ ଆମନ୍ତ୍ରଣ କରିଥାଏ। ସମାଜରେ ପ୍ରତ୍ୟେକ ମା’ବାପା ସେମାନଙ୍କର ପିଲାମାନଙ୍କର ଯଥେଷ୍ଟ ଉତ୍କର୍ଷକତାକୁ ଆଶା କରିଥାନ୍ତି ଓ ସେହି ଆଶାକୁ ପାଥେୟ କରି ପିଲାମାନଙ୍କର କୌଣସି ଅଭାବ ଅସୁବିଧାକୁ ମା’ବାପା ମାନେ ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତି ନାହିଁ କିମ୍ବା ସମାଜରେ ଅନ୍ୟମାନଙ୍କ ସମ୍ମୁଖରେ ମଧ୍ୟ ସେମାନଙ୍କର କୌଣସି ଅସୁବିଧାକୁ ପ୍ରକାଶ କରି ନ ଥାନ୍ତି। ମାତ୍ର ପିଲାମାନଙ୍କର ଆବଶ୍ୟକତାର ପରିପୂର୍ଣ୍ଣତା ମା’ବାପାମାନଙ୍କର ଆର୍ଥିକ ସ୍ବଚ୍ଛଳତା ଉପରେ ନିର୍ଭର କରିଥାଏ। ସମାଜରେ ସବୁ ମା’ ବାପାମାନେ ଆର୍ଥିକ ସ୍ବଚ୍ଛଳ ନୁହନ୍ତି ବା ସେମାନଙ୍କର ପିଲାମାନଙ୍କ ପାଇଁ ମଧ୍ୟ ସେମାନେ ଅହେତୁକ ଆଶାବାଦୀ ମଧ୍ୟ ହୋଇ ନ ଥାନ୍ତି। କିନ୍ତୁ ଗୋଟିଏ ଅର୍ଥରେ ବିଚାର କଲେ ଧନୀ ଗରିବ ନିର୍ବିଶେଷରେ ପ୍ରତ୍ୟେକ ପିଲାମାନଙ୍କର ପୃଷ୍ଠଭୂମି ଗଠନ ହୋଇଥାଏ ଶୈଶବର ଶିକ୍ଷାକ୍ଷେତ୍ରରୁ । ଆଗକାଳରେ ସମ୍ଭ୍ରାନ୍ତ ପରିବାର, ରାଜା, ବିତ୍ତଶାଳୀ ବ୍ୟକ୍ତିମାନଙ୍କର ପିଲାମାନେ ପ୍ରଥମେ ଗୁରୁକୁଳ ଆଶ୍ରମରେ ଶିକ୍ଷା ଅଧ୍ୟୟନ କରୁଥିଲେ ଓ ଆର୍ଥିକ ଦୃଷ୍ଟିକୋଣରୁ ନୂ୍ୟନ ଥିବା ମା’ ବାପା ମାନେ ସେମାନଙ୍କର ପିଲାମାନଙ୍କୁ ଗାଁ ଚାଟଶାଳୀରେ ଶିକ୍ଷା ଦେଉଥିଲେ। ଗୁରୁକୁଳ ଶିକ୍ଷା ଓ ଚାଟଶାଳୀ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷା ସହିତ ନୀତି ଓ ଦୀକ୍ଷାରେ ନିପୁଣ ଓ ଯତ୍ନଶୀଳ ହେବା ଅର୍ଥାତ ଶିକ୍ଷା ସହିତ ନୀତି ନିୟମ, ଆଚାର ବ୍ୟବହାର, କର୍ତ୍ତବ୍ୟ, ଆଦର୍ଶ ଓ ସମ୍ମାନ ଆଦିର ଦୈନନ୍ଦିନ ଜୀବନରେ ପ୍ରୟୋଗ; ଯେଉଁଥିରେ ମଣିଷ ପରିମାର୍ଜିତ ହୋଇଥାଏ।
ସଂସ୍କାର ହେଉଛି ଶିକ୍ଷାର ଆଦର୍ଶ। ଉତ୍ତମ ବ୍ୟବହାର, ଉତ୍ତମ ଚରିତ୍ର ଓ ସର୍ବୋପରି ଉତ୍ତମ ଶୃଙ୍ଖଳା ହେଉଛି ପୁରାତନ ଶିକ୍ଷାର ନିଷ୍କର୍ଷ। ସମୟର ପରିବର୍ତ୍ତନରେ ତଥା ସ୍ଥିତି ପରିସ୍ଥିତିର ବିବର୍ତ୍ତନରେ ଧୀରେ ଧୀରେ ଶିକ୍ଷା ଓ ଦୀକ୍ଷା ଅଧ୍ୟୟନର ସୋପାନଗୁଡିକ ପରିବର୍ତ୍ତନ ହେବାକୁ ଲାଗିଲା ଓ ସେଥିରେ ପିଲାମାନଙ୍କର ବାପା ମା’ମାନେ ପ୍ରଥମେ ନିମର୍ଜିତ ହେଲେ। ସମୟକ୍ରମେ ଶିକ୍ଷାର ଶୈଳୀ ପରିବର୍ତ୍ତନ ହୋଇ ଅର୍ଥସର୍ବସ୍ବ ଶିକ୍ଷାରେ ପରିଣତ ହୋଇଗଲା, ଯାହା ବର୍ତ୍ତମାନର ସମ୍ଭ୍ରାନ୍ତ ଓ ବିତ୍ତଶାଳୀ ମା’ବାପାମାନେ ସେମାନଙ୍କର ପିଲାମାନଙ୍କ ପାଇଁ ବ୍ୟଗ୍ର। ଏବେ ବସ୍ତୁତଃ ଦୁଇ ପ୍ରକାର ଶିକ୍ଷାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ, ତାହା ହେଲା ଦେୟଯୁକ୍ତ ଶିକ୍ଷା ଓ ଦେୟମୁକ୍ତ ଶିକ୍ଷା। ଦେୟମୁକ୍ତ ଶିକ୍ଷାକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ନିମ୍ନ ଆୟର ମା’ବାପାମାନେ ଆଦରି ନେଇଥିବା ବେଳେ ଦେୟଯୁକ୍ତ ଶିକ୍ଷାକୁ ସମାଜର ସମ୍ଭ୍ରାନ୍ତ ଓ ବିତ୍ତଶାଳୀ ମା’ବାପାମାନେ ଆଦରି ନେଇଥାନ୍ତି। ଦେୟମୁକ୍ତ ଶିକ୍ଷାରେ ପିଲାମାନଙ୍କର ନିଜସ୍ବ ଜ୍ଞାନର ଗଭୀରତା ବା ପରିପକ୍ୱତାକୁ ବିଶ୍ଳେଷଣ କରାଯାଇଥାଏ ଓ ସେହି ଜ୍ଞାନକୁ ପାଥେୟ କରି ଉକ୍ତ ପିଲାମାନେ ସମାଜରେ ସଂସ୍କାର, ନୀତି ନିୟମ ଓ ଆଦର୍ଶକୁ ଶିକ୍ଷାର ଏକ ଏକ ଅଙ୍ଗ ବୋଲି ମାନି ନେଇଥାନ୍ତି। ମାତ୍ର ଦେୟଯୁକ୍ତ ଶିକ୍ଷାରେ ପିଲାମାନଙ୍କର ଜ୍ଞାନର ଗଭୀରତାର ସ୍ଥିତିକୁ ପରୀକ୍ଷା ନିରୀକ୍ଷା କରିବା ପରିବର୍ତ୍ତେ ନାମୀ ମା’ବାପାମାନଙ୍କର ଧନର ଗଭୀରତା, ଆର୍ଥିକ ସ୍ବଚ୍ଛଳତା ଓ ରୋଜଗାରର ପନ୍ଥାକୁ ବିଚାର କରାଯାଇଥାଏ । ଉକ୍ତ ଶିକ୍ଷାରେ ପିଲାମାନେ କୌଣସି ଅଭାବ ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତି ବା ଅର୍ଥନୈତିକ ଚିନ୍ତାଧାରାର ବିକଳ୍ପ କ୍ଷେତ୍ର ଉପରେ ସେମାନଙ୍କର ଜ୍ଞାନ ଅଜ୍ଞ ବୋଲି ବିଶ୍ୱାସ କରାଯାଇଥାଏ। ପିଲାମାନଙ୍କର ଜନ୍ମର ପୂର୍ବରୁ ଓ ପରେ ଉଭୟ ମା’ବାପାମାନେ ଅର୍ଥ ରୋଜଗାରରେ ବ୍ୟସ୍ତ ଥାଆନ୍ତି ଓ ପିଲାମାନଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଆଭିଜାତ୍ୟର ଜୁଆରରେ ଉକ୍ତ ନାମୀ ମା’ବାପାମାନଙ୍କର ପିଲାମାନେ ଯେତେବେଳେ କୌଣସି ଉଚ୍ଚ ଶିକ୍ଷାଳୟରେ ଅଧ୍ୟୟନ କରିଥାନ୍ତି ସେତେବେଳେ ସେମାନଙ୍କର ସାମାଜିକ ଆଭିଜାତ୍ୟ ସାମ୍ୟତା ବହୁ ଗୁଣରେ ବୃଦ୍ଧି ହୋଇଥାଏ । ଅତଏବ ସେମାନେ ଶୃଙ୍ଖଳାର ପରିଧି ମଧ୍ୟରେ ରହିବାକୁ ଉଚିତ ମନେକରନ୍ତି ନାହିଁ। ପିଲାମାନେ ଦାମୀ ପିଲା ବୋଲି ରାଜରାସ୍ତାରେ ନିଜର ଅହମିକାକୁ ସାବ୍ୟସ୍ତ କରନ୍ତି। ବର୍ତ୍ତମାନ ସମାଜରେ ଶିକ୍ଷାର ଶୃଙ୍ଖଳା ଜ୍ଞାନ ପିନ୍ଧିଥିବା ଉକ୍ତ ନାମୀ ମା’ ବାପାମାନଙ୍କର ଦାମୀ ପିଲାମାନେ ପୋଷାକ, ଖାଦ୍ୟ, ମନୋରଞ୍ଜନ, ଗାଡିଚାଳନା ଇତ୍ୟାଦିରେ ସଂଯମତାର ଘୋର ଅଭାବ ପରିଲକ୍ଷିତ ହେଉଅଛି। ବିଦ୍ୟାର ଉତ୍କର୍ଷତାର ଆଳରେ, ଜଗତୀକରଣର ଅବକାଶରେ, ମାନସିକତାର ଉର୍ବର ଚିନ୍ତାଧାରାର ପରିପ୍ରକାଶ ନ ହୋଇ ପ୍ରକୃତ ବିଦ୍ୟାର ଅବମୂଲ୍ୟାୟନ କରାଯାଉଛି, ଯାହା ସମାଜରେ ଅନ୍ୟ ବର୍ଗର ପିଲା ତଥା ସମାଜ ଉପରେ ତାହାର ପ୍ରଭାବ ପଡୁଛି। ସମାଜର ପ୍ରଗତିର କ୍ଷେତ୍ର ବାଧାପ୍ରାପ୍ତ ହେଉଅଛି। ଉକ୍ତ ପିଲାମାନେ କ୍ରମେ କ୍ରମେ ନିଶାସେବନ ତଥା ଆଭିଜାତ୍ୟ ଜୀବନଶୈଳୀ ଦ୍ୱାରା ମାନସିକ ରୋଗାକ୍ରାନ୍ତ ଓ ବିକାରଗ୍ରସ୍ତ ହେଉଛନ୍ତି, ଯାହା ଏକ ସୁସ୍ଥ ସମାଜ ପାଇଁ ବିପଦ। ଏହାଦ୍ୱାରା ପାରିବାରିକ ବିଶୃଙ୍ଖଳା ଓ ସାମାଜିକ ଅସନ୍ତୁଳନ ସମାଜରେ ଏକ ମନୁଷ୍ୟକୃତ ସମସ୍ୟା ହୋଇ ଉଭା ହେଉଅଛି।
ଜୀବନାଦର୍ଶରେ ମଣିଷ ଯେତେବେଳେ ନିଜର ପରିଚୟ ଖୋଜୁଥାଏ, ସେତେବେଳେ ସେ ପ୍ରଥମେ ନିଜର ସ୍ଥିତିକୁ ପରିମାର୍ଜିତ କରିଥାଏ। ସୃଷ୍ଟିର କୌଣସି ମା’ ବାପା ସେମାନଙ୍କର ପିଲାମାନଙ୍କର ଅବନତି ଚାହିଁ ନ ଥାନ୍ତି। ମାତ୍ର ଅତ୍ୟଧିକ ଧନ ଓ ପ୍ରାଚୁର୍ଯ୍ୟର ପୃଷ୍ଠପୋଷକରେ ପିଲାମାନଙ୍କ ଜୀବନ ରାସ୍ତା ଏତେ କଣ୍ଟକିତ ହୋଇଯାଏ ଯେ କେହି କାହାର ପରିଚୟ ଖୋଜି ପାଇ ପାରନ୍ତି ନାହିଁ। ଜୀବନ ନିକିତିରେ ତଉଲିବାକୁ ହେଲେ ପ୍ରଥମେ ଯୁବ ସମାଜ ଶୃଙ୍ଖଳିତ ଓ ପରିଚୟ ଯୁକ୍ତ ଆଦର୍ଶରେ ନିଜକୁ ତଉଲିବା ଦରକାର, ନଚେତ ନିକିତି ଦଉଡିର ଅସମତୁଲ ଭାରସାମ୍ୟରେ କେତେବେଳେ କେଉଁ ରଜ୍ଜୁ ଗୋଟିଏ ଅନ୍ୟଠାରୁ ବିଚ୍ଛିନ୍ନ ହୋଇ ଧରାଶାୟୀ ହୋଇଯିବ ସେତେବେଳେ ଅସମତୁଲ ନାମୀ ମା’ ବାପାମାନେ ସେମାନଙ୍କର ଦାମୀ ପିଲା ମାନଙ୍କ ସହ ସମତୁଲ ହୋଇପାରିବେ ନାହିଁ। ଫଳତଃ ସମଗ୍ର ମଣିଷ ସମାଜ ହୋଇଯିବ ଏକ ଅସ୍ଥିର ଘୂର୍ଣ୍ଣିଝଡ ହେଉଥିବା ସାଗରରେ ଅସମତୁଲ ଭଙ୍ଗା ନୌକା। ପରିଣାମ ସ୍ବରୂପ ହଜିଯିବ ଦାମ୍ଭିକତାର ନାମୀଦାମୀ ନାଁ ଓ ନିଜର ଅସ୍ତିତ୍ୱ।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭୁବନେଶ୍ବର, ମୋ:୯୯୩୭୩୪୫୯୦୦
satyanarayan_mishra2003@ yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri