ଗୋଲାମୁଣ୍ଡା,୯।୧୧(ବଟକୃଷ୍ଣ ପଣ୍ଡା): ପେଟ ପାଟଣା ପାଇଁ ସୁଦୂର କର୍ଣ୍ଣାଟକର ବାଙ୍ଗାଲୋର ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ସଞ୍ଜୁ ମଙ୍ଗରାଜ(୩୨)। ରୋଜଗାରିଆ ପୁଅର ମୃତଦେହ ଗାଁକୁ ଫେରିବା ଘଟଣା ଗାଁରେ ଶୋକର ଛାୟା ଖେଳି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପରିବାର ପ୍ରତିପୋଷଣ ପାଇଁ ସଞ୍ଜୁ ବାଙ୍ଗାଲୋର ଯାଇ ଶ୍ରମିକ ଭାବେ କାମ କରୁଥିଲେ। ମାତ୍ର କିଛି ଦିନ ତଳେ ସେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ସହକର୍ମୀମାନେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ ତାରିଖ ରାତିରେ ସଞ୍ଜୁଙ୍କ ମୃତ୍ୟୁ ଘଟିଥିଲା।
ସଞ୍ଜୁଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ତ୍ରୀ, ୧୨ ବର୍ଷର ନାବାଳିକା ଝିଅ ଏବଂ ୭ ବର୍ଷର ପୁଅକୁ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନ୍ୟପକ୍ଷେ ସଞ୍ଜୁଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ଗରିବ ପରିବାର ପାଖରେ କୌଣସି ସମ୍ବଳ ନ ଥିଲା। ପ୍ରଶାସନ ବା ନେତାଙ୍କ ସହ ଯୋଗାଯୋଗ କରିବାକୁ ଅସମର୍ଥ ଏହି ନିରୁପାୟ ପରିବାର ଶେଷରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସ୍ଥାନୀୟ ବିଧାୟକ, ସାଂସଦ ଓ ଜିଲା ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ।
ଏହି ଭିଡିଓ ବାର୍ତ୍ତା ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ସଭାପତି ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦୃଷ୍ଟିକୁ ଆସିଥିଲା। ପରିବାରର ଏହି ଦୁର୍ଦ୍ଦଶା ଦେଖି ସେ ତୁରନ୍ତ ବାଙ୍ଗାଲୋର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସଙ୍ଗଠନ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ଫାଉଣ୍ଡେସନର ଏହି ମହତ ପ୍ରୟାସ ଯୋଗୁ ସୋମବାର ସଞ୍ଜୁଙ୍କ ମୃତଦେହ ସମ୍ମାନର ସହ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

