ଭୁବନେଶ୍ୱର, ୨୧ା୧୧ (ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଦୁର୍ବଳ ଅବସ୍ଥାରେ ଶୁକ୍ରବାର ସ୍ଥଳଭାଗ ଛୁଇଁଛି। ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ଏହା ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କି.ମି. ଏବଂ ଝଟକା ପବନର ସର୍ବାଧିକ ବେଗ ୯୦ କି.ମି. ପର୍ଯ୍ୟନ୍ତ ରହିଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସ୍ଥଳଭାଗ ଛୁଇଁବା ପରେ ସନ୍ଧ୍ୟା ସୁଦ୍ଧା ଏହା ଗୋପାଳପୁରଠାରୁ ୮୦ କି.ମି. ଉତ୍ତର, ଅନୁଗୋଳଠାରୁ ୯୦ କି.ମି. ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପୁରୀଠାରୁ ୧୦୦ କି.ମି. ଉତ୍ତର ପଶ୍ଚିମ ଦିଗରେ ରହି ଆଗକୁ ବଢ଼ିଥିଲା। ରାତିରେ ବାତ୍ୟା ଆହୁରି ଦୁର୍ବଳ ହୋଇ ଅବପାତ ସ୍ଥିତିକୁ ଫେରିଥିବାବେଳେ ଧୀରେ ଧୀରେ ଉତ୍ତର ଦିଗକୁ ଗତିକରି ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ବାତ୍ୟାଜନିତ କ୍ଷୟକ୍ଷତି ନେଇ ଯେପରି ଆକଳନ କରାଯାଉଥିଲା, ସେହିପରି ଘଟି ନ ଥିଲା। ପବନ କମ୍ ରହିଥିଲେ ମଧ୍ୟ ଦିନ ସାରା ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଯୋଗୁ ତାରାତାରିଣୀ ପାହାଡ଼ରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ୩୦ ସୁଦ୍ଧା ଗଞ୍ଜାମ ଜିଲାର ପାତ୍ରପୁରଠାରେ ସର୍ବାଧିକ ୨୦୯ ମି.ମି. ବର୍ଷା ରେକର୍ଡ ହୋଇଛି। ସେହିପରି ହିଞ୍ଜିଳିଠାରେ ୨୦୬.୫ ମି.ମି., ବ୍ରହ୍ମପୁର ୨୦୦.୬ ମି.ମି., ଚିକିଟି ୧୯୮.୮ ମି.ମି., ଗୋପାଳପୁର ୧୮୯.୬ ମି.ମି., କୁକୁଡାଖଣ୍ଡି ୧୬୩.୭ ମି.ମି., ପୁରୁଷୋତ୍ତମପୁର ୧୫୧.୪ ମି.ମି., ଛତ୍ରପୁର ୧୩୯.୨ ମି.ମି., ଆସ୍କା ୧୩୬ ମି.ମି., ଦିଗପହଣ୍ଡି ୧୩୨.୫ ମି.ମି., ପୋଲସରା ୧୨୧.୫ ମି.ମି., ଚାନ୍ଦବାଲ ୧୧୯.୨ ମି.ମି., ଗଞ୍ଜାମ ଜିଲା କୋଦଳାରେ ୧୧୨.୪ ମି.ମି., ରଙ୍ଗେଇଲୁଣ୍ଡା ୧୦୭.୪ ମି.ମି., ପୁରୀ ଜିଲା ଅସ୍ତରଙ୍ଗରେ ୧୦୧.୬ ମି.ମି., ଭଦ୍ରକ ଜିଲା ତିହିଡିରେ ୧୦୦ ମି.ମି., ଗଞ୍ଜାମ ଜିଲା ସାନଖେମୁଣ୍ଡିରେ ୧୦୦ ମି.ମି., ଶେରଗଡ଼ ୯୯.୬ ମି.ମି., ଜଗତ୍ସିଂହପୁର କୁଜଙ୍ଗରେ ୯୭ ମି.ମି. ବର୍ଷା ରେକର୍ଡ ହୋଇଛି। ଶନିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ବାତ୍ୟା ସ୍ଥିତିର ସମୀକ୍ଷାକରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହରାଞ୍ଚଳ ରାସ୍ତା ଉପରେ ଅଧିକ ବର୍ଷା ଜଳ ଜମି ରହିବାରୁ ସେଠାରେ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୧୦ ହଜାର ୧୦ଜଣଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୧ଲକ୍ଷ ୫୪ହଜାର ୨୯୦ ଜଣ, କେନ୍ଦ୍ରାପଡ଼ା ୫୧ହଜାର ୯୫୬ ଜଣ, ପୁରୀ ୪୦ହଜାର ୨୯୫ ଜଣ, ଗଜପତି୨୮ ହଜାର ୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩ ହଜାର ୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଚିହ୍ନଟ ହୋଇଥିବା ୧୨ହଜାର ୨୯୪ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪ ହଜାର ୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅଦ୍ୟାବଧି ୧ହଜାର ୪୫୦ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ରହିଥିବା ସେ ସୂଚନା ଦେଇଛନ୍ତି।

