ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି । ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା ନିଯୁକ୍ତି ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ CEO ପଦରେ ରହିବେ । ସେ ଚଳିତ ବର୍ଷ ଏପ୍ରିଲ୍ରେ ଭାରତୀୟ ବାୟୁସେନାରୁ ଅବସର ନେଇଥିଲେ । ଜିତେନ୍ଦ୍ର ମିଶ୍ରା ପ୍ରାୟ ୩୮ ବର୍ଷ ଧରି ଭାରତୀୟ ବାୟୁସେନାରେ ସେବା ଦେଇଛନ୍ତି । ସେ ଫାଇଟର୍ ପାଇଲଟ୍, କମ୍ବାଟ୍ ଇନ୍ଷ୍ଟ୍ରକ୍ଟର୍ ଏବଂ ଟେଷ୍ଟ ପାଇଲଟ୍ ଭାବେ ମଧ୍ୟ କାମ କରିଛନ୍ତି।
ଗତ ବର୍ଷର ଅପରେସନ୍ ସିନ୍ଦୂର ଏବଂ ୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧରେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଛି । ତାଙ୍କର ୩ ହଜାର ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି । ଉତ୍ତରପ୍ରଦେଶର ଦେଓରିଆ ଜିଲାର ବାସିନ୍ଦା ଜିତେନ୍ଦ୍ର ମିଶ୍ର NDA ଖଡ଼କବାସଲାର ପୂର୍ବତନ ଛାତ୍ର । ତାଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ମେଡାଲ୍ରେ ସମ୍ମାନିତ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟର CEO ପଦ ପାଇଁ ୫,୫୦୦ରୁ ଅଧିକ ଆବେଦନ ଆସିଥିଲା। ଏଥିରୁ ୧୮ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଥିଲା। ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ଖାଦ୍ୟପେୟ, ଜୀବନଶୈଳୀ ଏବଂ ହିନ୍ଦୁ ଧର୍ମ ସମ୍ପର୍କିତ ବିଭିନ୍ନ ମାନ୍ୟତା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା।
ରାମ ମନ୍ଦିରର CEOଙ୍କ ମୁଖ୍ୟ ଦାୟିତ୍ୱ ହେବ ମନ୍ଦିରର ପ୍ରଶାସନିକ, ଆର୍ଥିକ ଏବଂ ଆଇନଗତ ପରିଚାଳନା ଦେଖିବା। ଏହା ସହ ମନ୍ଦିର ସହ ଜଡ଼ିତ ବିଭିନ୍ନ ପ୍ରଶାସନିକ କାର୍ଯ୍ୟର ସମନ୍ୱୟ ମଧ୍ୟ CEOଙ୍କ ଦାୟିତ୍ୱରେ ରହିବ। CEO ଚୟନ ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରମୋଦ କୋହଲି, ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱଡେ ସାମିଲ ଥିଲେ।

