ଯକ୍ଷ୍ମା ଦୂରୀକରଣରେ ଏଆଇ

ଏବେ ଟେକ୍‌ନୋଲୋଜି କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଘଟୁଛି। ଗୋଟିଏ ପରେ ଗୋଟିଏ ଅଧିକ ସଂଖ୍ୟାରେ ନୂଆ ଟେକ୍‌ନୋଲୋଜି ସାମ୍ନାକୁ ଆସୁଛି। ଏହି କ୍ରମରେ ନଭେମ୍ବର ୨୦୨୨ରେ ଶୁଭାରମ୍ଭ ହୋଇଥିବା ଓପନ୍‌ ଏଆଇ ର ଜେନେରେଟିଭ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା ଚାଟ୍‌ବୋଟ, ଚାଟ୍‌ଜିପିଟି ପ୍ରତି ବିଶ୍ୱସ୍ତରରେ ଅଧିକ ଆଗ୍ରହ ପ୍ରକାଶ ପାଇଛି। ୧୦୦ ମିଲିୟନରୁ ଅଧିକ ଉପଭୋକ୍ତାଙ୍କୁ ଏହା ଆକର୍ଷିତ କରିଛି ଏବଂ ଅନେକ ଅନୁକରଣକାରୀଙ୍କ ପାଇଁ ଏହା ପ୍ରେରଣା ପାଲଟିଛି। ଦୁବାଇରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮) ଏବଂ ଡାଭୋସ୍‌ରେ ୱାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ବାର୍ଷିକ ବୈଠକରେ ଏ ବିଷୟରେ ଅଧିକ ଆଲୋଚନା କରାଯାଇଛି। ଏହା ସହ ସେହି ସମ୍ମିଳନୀଗୁଡ଼ିକରେ ଟେକ୍‌ନୋଲୋଜିର ଦ୍ରୁତ ବିକାଶକୈନ୍ଦ୍ରିକ କ୍ଷମତା ବିଶ୍ୱ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା କାହିଁକି କରାଯାଇଛି ତାହାର କାରଣ ବୁଝିବା କଷ୍ଟକର ନୁହେଁ। ଓପନ୍‌ ଏଆଇ ପରି ବେସରକାରୀ କମ୍ପାନୀ ଦ୍ୱାରା ବିକଶିତ ଏଆଇ ଉପକରଣକୁ ବ୍ୟବହାର କରି ସରକାର ଏବଂ ନାଗରିକ ସମାଜ ସଙ୍ଗଠନଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥନୈତିକ ଅସମାନତା ଭଳି ବିଶ୍ୱସ୍ତରୀୟ ଆହ୍ବାନର ମୁକାବିଲା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି। ସେହିଭଳି ଆମେ କିପରି ସଂକ୍ରାମକ ରୋଗ ସହିତ ଲଢ଼ିବା ଏବଂ ଯେଉଁମାନେ ଜୀବନରକ୍ଷାକାରୀ ସେବା ଆବଶ୍ୟକ କରୁଛନ୍ତି, ସେମାନଙ୍କ ନିକଟରେ କିପରି ପହଞ୍ଚତ୍ ସେବା ନିଶ୍ଚିତ କରିବା, ସେ ଦିଗରେ ସେମାନେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ। ଟ୍ୟୁବରକ୍ୟୁଲୋସିସ୍‌(ଟିବି) ବା ଯକ୍ଷ୍ମା ହେଉଛି ଏକ ପ୍ରମୁଖ ଉଦାହରଣ। ଯକ୍ଷ୍ମାକୁ ରୋକି ହେବ ଓ ଏଥିରୁ ଆରୋଗ୍ୟ ଲାଭ ବି କରାଯାଇପାରିବ। ବିଶ୍ୱରେ ଯକ୍ଷ୍ମା ଯୋଗୁ ଦୈନିକ ହାରାହାରି ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଯଦିଓ ଯକ୍ଷ୍ମା ସଂକ୍ରମଣକୁ ଭଲ ଭାବରେ ବୁଝିହେଉଛି ଏବଂ ବିଶ୍ୱସ୍ତରରେ ବହୁ ପ୍ରଭାବଶାଳୀ ଚିକିତ୍ସା ବ୍ୟବସ୍ଥା ସହ ନୂତନ ତଥା ଉନ୍ନତ ଓଷଧ ଉପଲବ୍ଧ ହେଉଛି, ତଥାପି ୨୦୨୨ରେ ବିଶ୍ୱରେ ଯକ୍ଷ୍ମାରେ ୧.୩ ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଛି।
ଟିବିକୁ ସମୂଳେ ଧ୍ୱଂସ କରିବା ଲାଗି ବିଶ୍ୱସ୍ତରରେ ନିଆଯାଉଥିବା ପଦକ୍ଷେପରେ ଏଆଇ ଉପକରଣ ଏକ ପ୍ରମୁଖ ଭୂମିକା ନେଇପାରେ। ଏଥିପାଇଁ ଏଡ୍‌ସ, ଯକ୍ଷ୍ମା ଏବଂ ମ୍ୟାଲେରିଆ ବିରୋଧରେ ଲଢ଼େଇ କରିବାକୁ ଗଠିତ ଗ୍ଲୋବାଲ ଫଣ୍ଡ୍‌ ନୂତନ ତଥା ଅଭିନବ ଡିଜିଟାଲ ସ୍ବାସ୍ଥ୍ୟ ସାଧନଗୁଡ଼ିକର ବିନିଯୋଗ ତଥା ବିକାଶ ଲକ୍ଷ୍ୟରେ ସରକାରୀ ଓ ଘରୋଇ ଭାଗୀଦାରକୁ ଅନୁସରଣ କରୁଛି। ଉଦାହରଣ ସ୍ବରୂପ, ବାଂଲାଦେଶ ଗସ୍ତ ସମୟରେ ମୁଁ ସରକାରୀ ତଥା ବେସରକାରୀ କ୍ଷେତ୍ରର ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ଏକ ଦଳ ସହିତ ସ୍ଥାନୀୟ ସମ୍ପ୍ରଦାୟର ଅଂଶୀଦାରମାନଙ୍କ ସହ ଆଲୋଚନା କରିଥିଲି। ସେମାନେ ସହଜରେ ଶୀଘ୍ର ଟିବି ସ୍କ୍ରିନିଂ ପାଇଁ ଡିଜିଟାଲ ଏକ୍ସ-ରେ, ଏଆଇ ଏବଂ ଟେଲିମେଡିସିନ ବ୍ୟବହାର କରୁଥିବା ଜାଣିବାକୁ ପାଇଲି। ଯେଉଁ ରୋଗୀମାନଙ୍କର ଏକ୍ସ-ରେ ଯକ୍ଷ୍ମା ଲକ୍ଷଣ ଦେଖାଯାଏ, ତୁରନ୍ତ ବିଶ୍ଳେଷଣ ପାଇଁ କଫ ବା ଲାଳ ନମୁନା ଦାଖଲ କରି ଗୋଷ୍ଠୀ ସ୍ତରରେ ମାଗଣାରେ ଚିକିତ୍ସା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି।
ସମଗ୍ର ବିଶ୍ୱରେ ସମାନ ପ୍ରକାର ପଦକ୍ଷେପ ଆରମ୍ଭ କରାଯାଉଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମାନବୀୟ ସହାୟତା ସଂଗଠନ ମର୍ସି କର୍ପସସ ଯକ୍ଷ୍ମା ଚିହ୍ନଟ ହୋଇପାରୁନଥିବା ଦୁର୍ଗମ କିମ୍ବା ଗ୍ରାମାଞ୍ଚଳରେ ହଟ ସ୍ପଟ ଠାବ କରିବାରେ ଏଆଇ ଉପକରଣ କାର୍ଯ୍ୟ କରୁଛି। ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ଡାଇଗ୍ନୋଷ୍ଟିକ ଓ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏହା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛି। ପାରାଗୁଏର ପ୍ୟାଡ୍ରେ ଦେ ଲା ଭେଗା ଜେଲରେ ସ୍ବାସ୍ଥ୍ୟସେବା କର୍ମଚାରୀମାନେ ଦ୍ରୁତ ଏବଂ ସଠିକ ଟିବି ସ୍କ୍ରିନିଂ ଯୋଗାଇବା ପାଇଁ ଫୁଜିଫିଲ୍ମ ଅଲ୍‌ଟ୍ରାଲାଇଟ ପୋର୍ଟେବଲ ଏକ୍ସ-ରେ ମେଶିନ ଏବଂ ଏଆଇ ଟେକ୍‌ନୋଲୋଜି ବ୍ୟବହାର କରନ୍ତି।
ସେହିଭଳି କାମ୍ବୋଡିଆର ରାଜଧାନୀ ଫନମ ଫେନ୍‌ହରେ ଥିବା ନ୍ୟାଶନାଲ ସେଣ୍ଟର ଫର୍‌ ଟ୍ୟୁବରକ୍ୟୁଲୋସିସ ଆଣ୍ଡ୍‌ ଲେପର୍ସି କଣ୍ଟ୍ରୋଲର ଡାକ୍ତରମାନେ ପାଖାପାଖି ପ୍ରଦେଶଗୁଡ଼ିକରେ ମୁଖ୍ୟତଃ ରାଜଧାନୀକୁ ଚିକିତ୍ସା ଲାଗି ଆସିବାକୁ ଅସମର୍ଥ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପୋର୍ଟେବଲ ଡେଲଫ୍ଟ ଏକ୍ସ-ରେ ମେଶିନ ଆଣିଛନ୍ତି। ଏହା ବ୍ୟତୀତ ଇଣ୍ଡୋନେସିଆରେ ଗ୍ଲୋବାଲ ଫଣ୍ଡ୍‌ ସିମେନ୍ସ ହେଲଥାଇନର୍ସ ଏବଂ ଦେଶର ଜାତୀୟ ଯକ୍ଷ୍ମା କାର୍ଯ୍ୟକ୍ରମ ମଧ୍ୟରେ ନୂତନ ସହଭାଗିତା ଦ୍ୱାରା ପ୍ରାରମ୍ଭିକ ଟିବି ଚିହ୍ନଟର ଲକ୍ଷ୍ୟ ରଖାଯାଇଛି। ଗଭୀର ଏଆଇ ଟେକ୍‌ନୋଲୋଜି ଏବଂ ଏକ୍ସ-ରେ ବିଶ୍ଳେଷଣକୁ ଏକାଠି କରି ରେଡିଓଲୋଜିଷ୍ଟମାନେ ଦୂରରେ କରାଯାଉଥିବା ସ୍କାନକୁ ଜାଣିବାରେ ସକ୍ଷମ ହେଉଛନ୍ତି। ବାସ୍ତବରେ ଲକ୍ଷ୍ୟଭିତ୍ତିକ ତଥା ଅଭିନବ ପ୍ରକଳ୍ପଗୁଡ଼ିକ ଲାଗି ରହିଥିବା ଅସମାନତା ଦୂର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଦାରିଦ୍ର୍ୟ, ସଂଘର୍ଷ ଏବଂ ପାଣିପାଗ ସମ୍ବନ୍ଧୀୟ ବିସ୍ଥାପନ, ଅତ୍ୟଧିକ ଗହଳି ଏବଂ ସୀମିତ ସ୍ବାସ୍ଥ୍ୟ ସୁବିଧା ସଂକ୍ରାମକ ରୋଗ ବିସ୍ତାରକୁ ଶକ୍ତି ଯୋଗାଉଥିବାରୁ ଏହାକୁ ନିୟନ୍ତ୍ରଣ କରାଯିବା ଦରକାର। ତେବେ ପ୍ରକଳ୍ପଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ସ୍ଥାୟୀ ତଥା ଭରସାଯୋଗ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି। ଦୃଷ୍ଟାନ୍ତ ସ୍ବରୂପ, ଯକ୍ଷ୍ମା ସ୍କ୍ରିନିଂ ସହିତ ପାକିସ୍ତାନର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିର ମହିଳା ଏବଂ ଛୋଟ ପିଲାମାନଙ୍କ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେଉଛି।
ଏହିସବୁ ଦୃଷ୍ଟାନ୍ତ କମ୍ପାନୀ, ଶିଳ୍ପପତି, ସରକାର ଏବଂ ସ୍ଥାନୀୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ଯକ୍ଷ୍ମା ସମସ୍ୟାର ସମାଧାନ ପାଇଁ ଅଭିନବ ଉପାୟ ଅବଲମ୍ବନ କରିବାର ଗୁରୁତ୍ୱକୁ ସୂଚିତ କରେ। ସେଥିପାଇଁ ଗ୍ଲୋବାଲ ଫଣ୍ଡ ଟିବି ବିଲୋପ ପାଇଁ ଅନ୍ତର୍ଜାତୀୟ ସ୍ତରର ପାଣ୍ଠି ଯୋଗାଣରେ ୭୬% ଯୋଗଦାନ ରଖୁଛି। ଏହା ମଧ୍ୟ ସମାନତାକୁ ଉତ୍ସାହିତ କରିବା ଏବଂ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟସେବାରେ ସହଯୋଗ କରିବାକୁ ଡିଜିଟାଲ ଉପକରଣ ବିକାଶ ସକାଶେ ବାର୍ଷିକ ୧୫୦ ମିଲିୟନ ଡଲାରରୁ ଅଧିକ ଦେଉଛି। କିନ୍ତୁ ବିଶ୍ୱ ପାଇଁ ଏହାଠାରୁ ବହୁତ ଅଧିକ ଆବଶ୍ୟକ। ସ୍ଥାନୀୟ ବାସିନ୍ଦାଙ୍କ ସହିତ ସକ୍ରିୟ ଭାବେ ଜଡ଼ିତ ରହି ଲକ୍ଷ୍ୟକୈନ୍ଦ୍ରିକ, ପ୍ରଭାବଶାଳୀ ଏବଂ ସ୍ଥାୟୀ ସମାଧାନର ଉପାୟ ପ୍ରସ୍ତୁତ କରାଯିବା ଦରକାର। ଟିବି ବ୍ୟତୀତ ଅନ୍ୟସବୁ ବ୍ୟାପକ ସାର୍ବଜନୀନ ସ୍ବାସ୍ଥ୍ୟ ବିପଦ ଯଥା ବିଭିନ୍ନ ମହାମାରୀ ଓ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନ୍ସ ହ୍ରାସ କରିବା ପାଇଁ ଏଭଳି ସକ୍ରିୟ ଭାଗୀଦାରି ଦରକାର। ଏହି କାରଣରୁ ପ୍ରତିବଦ୍ଧ ଭାଗୀଦାରରେ ପ୍ରତିବଦ୍ଧତା ରହିବା ଅତ୍ୟନ୍ତ ଜରୁରୀ, ଯେଉଁମାନେ ଅତ୍ୟାଧୁନିକ ଡିଜିଟାଲ ଉପକରଣଗୁଡ଼ିକର କଳ୍ପନା ଏବଂ ବିକାଶ କରିପାରିବେ।
ସ୍ଥାନୀୟ ଚିକିତ୍ସା ଜ୍ଞାନକୌଶଳ ବୃଦ୍ଧି ପାଇଁ ଏଆଇକୁ ବ୍ୟବହାର କରି ଯକ୍ଷ୍ମାକୁ ସବୁଦିନ ପାଇଁ ଶେଷ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି। ଅଭିନବ ଚିନ୍ତାଧାରା ଏବଂ ବିକାଶଶୀଳ ପ୍ରଯୁକ୍ତିପୂର୍ଣ୍ଣ ଏଡି ବିଶ୍ୱର ସ୍ଥିତି ବଦଳି ଯାଇଛି, ଯାହା ଆମ କଳ୍ପନା ବାହାରେ ଥିଲା, ଏବେ ବି ରହିଛି। ଶେଷରେ ଟିବି ଭଳି ଅନ୍ୟସବୁ ବିଶ୍ୱସ୍ତରୀୟ ବିପଦକୁ ମଧ୍ୟ ଆମେ ଶେଷ କରିବା ସମ୍ଭବ ହେବ।

– ମହମ୍ମଦ ୟାଶିନ
ବରିଷ୍ଠ ଯକ୍ଷ୍ମା ପରାମର୍ଶଦାତା (ଗ୍ଲୋବାଲ ଫଣ୍ଡ୍‌ ଟୁ ଏଡ୍‌ସ, ଟ୍ୟୁବର୍‌କ୍ୟୁଲୋସିସ୍‌ ଆଣ୍ଡ୍‌ ମ୍ୟାଲେରିଆ)


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri