ଆକ୍ରମଣାତ୍ମକ ରାଜନୀତି

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଡିସେମ୍ବର ୧୦ରେ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଗସ୍ତରେ ଯାଇଥିବା ବେଳେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରାଯାଇଥିଲା। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ ଭାବେ ପ୍ରଦର୍ଶିତ ହେଉଥିବା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ହେଉଛି ଡାଇମଣ୍ଡ ହାର୍ବର। ତୃଣମୂଳ କଂଗ୍ରେସର କର୍ମୀମାନେ ଏଭଳି କାଣ୍ଡ ଭିଆଇଥିଲେ ବୋଲି ଭାଜପା ଅଭିଯୋଗ କରିଥିଲା। ତେବେ ଏହି ଘଟଣା ପଛରେ କାହାର ହାତ ରହିଛି କହିବା କଷ୍ଟକର। ଢଗ ଅଛି-ପ୍ରେମରେ ଏବଂ ଯୁଦ୍ଧରେ ସବୁକିଛି ସମ୍ଭବ। ଆଧୁନିକ ଯୁଗରେ ଏହା ସହିତ କ୍ଷମତା ରାଜନୀତି ମଧ୍ୟ ମିଶିଯାଇଛି। ତାହାର ଜ୍ୱଳନ୍ତ ଉଦାହରଣ ନିକଟରେ ଶେଷ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଓ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବାଚାଳାମିରୁ ପରିଲକ୍ଷିତ ହୋଇଛି। ଗଣତନ୍ତ୍ରର ମୂଳ ବୋଲାଉଥିବା ଆମେରିକାରେ ନିର୍ବାଚନୀ ଠକାମି ହୋଇଛି ବୋଲି ଟ୍ରମ୍ପ୍‌ଙ୍କ ଯୁକ୍ତି ଅନେକଙ୍କୁ ବିଶ୍ୱାସ ଦିଆଇଛି। ସେହିଭଳି ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନ ଫଳାଫଳ ଦେଖିଲେ ଜଣାପଡ଼େ ଯେ ଭାଜପାର ଜିତାପଟ ପଛରେ ଅନେକ ସନ୍ଦେହ ସୃଷ୍ଟି କଲା ଭଳି ସ୍ଥିତି ଉପୁଜିଥିଲା। ଏଭଳି ନିର୍ବାଚନୀ ସନ୍ଦେହ ବିଶ୍ୱବ୍ୟାପୀ ଦେଖା ଦେଉଥିବାରୁ ସମଗ୍ର ପୃଥିବୀରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି। ପଶ୍ଚିମବଙ୍ଗ ବା କାହିଁକି ପଛରେ ରହିବ!
ପଶ୍ଚିମବଙ୍ଗରେ କେଉଁ ସ୍ଥିତିରେ ଓ କିଭଳି ଢଙ୍ଗରେ ଭାଜପାର ତୁଙ୍ଗ ନେତାଙ୍କ ଉପରେ ଆକ୍ରମଣ ହୋଇଛି, କେହି କହିବା ସମ୍ଭବ ନୁହେଁ। ତଥାପି ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ଦର୍ଶାଯାଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କରାଯାଇଥିଲା। ୩ ଦିନ ମଧ୍ୟରେ ଏହି ବରିଷ୍ଠ ଅଧିକାରୀମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା। ହେଲେ ଏଭଳି ସମନକୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏତିକିରୁ ବୁଝାପଡ଼ୁଛି ଯେ, ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାର ପରସ୍ପରକୁ ଟକ୍କର ଦେବାକୁ ଲାଗିପଡ଼ିଛନ୍ତି।
ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଥିରେ ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି। କାରଣ ବାମପନ୍ଥୀ ଏବଂ କଂଗ୍ରେସ ବହୁ ପଛକୁ ଚାଲିଗଲେଣି। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ସମୁଦାୟ ୪୨ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୮ ଅକ୍ତିଆର କରିବା ପରଠାରୁ ବଙ୍ଗ ଦଖଲ ସତେଯେପରି ହୋଇଯାଇଛି ତା’ର ନିଶା। ଏବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବାରୁ ସେଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଭାଜପା ସବୁ କୌଶଳ ଲଗାଇ ଦେଲାଣି। ଅନ୍ୟପକ୍ଷରେ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ବାମପନ୍ଥୀ ଶାସନକୁ ହଟାଇ ଶାସନଗାଦିରେ ବସିଥିବା ମମତା ବାନାର୍ଜୀ ଟାଣୁଆ ନେତ୍ରୀ ହୋଇଥିବାରୁ ଭାଜପାକୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଯଦି ତୃଣମୂଳ କଂଗ୍ରେସ ପ୍ରରୋଚନାରେ ନଡ୍ଡାଙ୍କ ଗାଡ଼ି ଉପରକୁ ମାଡ଼ ହୋଇଥାଏ, ତାହା ହେଲେ ବୁଝିବାକୁ ହେବ ଯେ ପଶ୍ଚିମବଙ୍ଗରେ ମମତା ଦୁର୍ବଳ ହେଉଛନ୍ତି। ପଶ୍ଚିମବଙ୍ଗର ଇତିହାସ ଦେଖିଲେ ଦୀର୍ଘ ବର୍ଷ ଧରି ସେଠାରେ ରାଜନୈତିକ ହିଂସା ଯୋଗୁ ଅନେକ ବିଶୃଙ୍ଖଳା ସୃଷ୍ଟି ହେବା ସହ ଧନଜୀବନ ନଷ୍ଟ ହୋଇଛି। ଏହାର ପୁନରୁତ୍ଥାନ ହେବା ଗଣତନ୍ତ୍ର ପ୍ରତି ବିପଦ ଆଣିବ। ଏଭଳି ଅପ୍ରୀତିକର ସ୍ଥିତି ଲାଗି ରହିଥିବା ବେଳେ ଭାଜପାର ବିବାଦୀୟ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପାଗଳୀ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ହିନ୍ଦୁ ରାଷ୍ଟ୍ର ହେବାକୁ ଯାଉଥିବା ବିଷୟରେ ଜାଣିବା ପରେ ମମତା ଏଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପ୍ରଜ୍ଞାଙ୍କ ଏପରି ମନ୍ତବ୍ୟ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଅଧିକ ତିକ୍ତ କରିପାରେ।
କୁହାଯାଉଛି ନଡ୍ଡାଙ୍କ ଗାଡ଼ି ବୁଲେଟ୍‌ପ୍ରୁଫ୍‌ ହୋଇଥିବାରୁ ତାଙ୍କର କୌଣସି କ୍ଷତି ଘଟି ନାହିଁ। ଜଣେ ଜାତୀୟ ସ୍ତରର ନେତାଙ୍କ ଗସ୍ତ ବେଳେ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିବା କଥା। ଆକ୍ରମଣ ତୃଣମୂଳ କଂଗ୍ରେସ ପକ୍ଷରୁ ହେଉ ବା ଜାଣିଶୁଣି ଭାଜପା କରିଥାଉ, ପୋଲିସ ସେଠାରେ କେଉଁ ଭୂମିକା ନିଭାଇଛି ବୋଲି ପ୍ରଶ୍ନ ହେବା ସ୍ବାଭାବିକ। ଆଜିର ଭାରତକୁ ଦେଖିଲେ ପୋଲିସ ସାଲିସ କରି ସବୁକିଛି ଓଲଟପାଲଟ କରିଦେଉଛି। ଏହି ଚିନ୍ତାଧାରା ପୋଲିସର ରହିଥିବାରୁ ଶାସକ ଦଳ ତାହାକୁ ହାତବାରିସ କରୁଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପୋଲିସ କେନ୍ଦ୍ର ହାତରେ ଥିବାରୁ ସମପରିମାଣରେ କ୍ଷମତାର ଦୁରୁପଯୋଗ କରାଯାଉଛି। ଅର୍ଥାତ୍‌ ଭାରତରେ ଆଇନ ଶୃଙ୍ଖଳା ରକ୍ଷାକାରୀ ଦୀର୍ଘ ସମୟ ଧରି ପକ୍ଷଭୁକ୍ତ ହୋଇ ଗୋଡ଼ାଣିଆ ପାଲଟିଗଲେଣି। ଅପରପକ୍ଷରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବଜାୟ ରଖିବାରେ ଉଭୟର ଗୁରୁଦାୟିତ୍ୱ ରହିଛି। ହେଲେ କେହି କାହାରିକୁ ମାନୁନାହାନ୍ତି। ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ ପରେ ପଶ୍ଚିମବଙ୍ଗର ୩ ଜଣ ବରିଷ୍ଠ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ଡେପୁଟେଶନ୍‌ରେ ନେବାକୁ କେନ୍ଦ୍ର କହିଛି। ରାଜ୍ୟ ସରକାରଙ୍କ ପରାମର୍ଶ ନିଆଯାଇ ନ ଥିବାରୁ ଅଚାନକ ଏପରି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି କୁହାଯାଇ କେନ୍ଦ୍ରକୁ ସମାଲୋଚନା କରାଯାଇଛି।
ଉପରଲିଖିତ ଘଟଣାରୁ ଲାଗୁଛି ଯେ ଆସନ୍ତା ଦିନଗୁଡ଼ିକରେ ପରିସ୍ଥିତି ଆହୁରି ଅପ୍ରୀତିିକର ହୋଇପାରେ। ଏଠାରେ ମନେରଖିବାକୁ ହେବ ଯେ, ପଶ୍ଚିମବଙ୍ଗର ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ଏହି ଗୁରୁତ୍ୱ ଏବେ ବୃଦ୍ଧି ପାଇବା ପଛରେ ମମତାଙ୍କ ଭାଜପା ବିରୋଧୀ ଆଭିମୁଖ୍ୟକୁ ଦାୟୀ କରାଯାଉଛି। କାରଣ ଭାରତବର୍ଷରେ ଥିବା ସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ମମତା ଏକମାତ୍ର, ଯିଏ ଖୋଲାଖୋଲି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରୁଛନ୍ତି। ବିମୁଦ୍ରୀକରଣଠାରୁ ଆରମ୍ଭ କରି କୃଷି ଆଇନ ପ୍ରଣୟନ ପର୍ଯ୍ୟନ୍ତ ମମତାଙ୍କ ଭିନ୍ନ ମତ ଯୋଗୁ ଭାଜପା ଅସ୍ତବ୍ୟସ୍ତ ହୋଇଯାଉଛି। ସୁସ୍ଥ ଗଣତନ୍ତ୍ର ପାଇଁ ବିଭିନ୍ନ ମତ ପ୍ରକାଶ ପାଇବା ଅତ୍ୟନ୍ତ ଆବଶ୍ୟକ। ଦୁଃଖର ବିଷୟ ଯେ, ସରକାରୀ ଅଫିସର କିମ୍ବା ବିଚାରପତିମାନଙ୍କ ଭଳି ଭାରତର ରାଜନେତାମାନେ ମଧ୍ୟ ଜନବିରୋଧୀ ସାଲିସ କରିବା ପାଇଁ ପଛାଉ ନାହାନ୍ତି। ଏଭଳିସ୍ଥଳେ ମମତା ଭିନ୍ନ ଚିତ୍ର ଆଙ୍କୁଛନ୍ତି। ତାଙ୍କୁ ଦାବିଦେଲେ ଭାଜପା ନେତୃବୃନ୍ଦଙ୍କ ପାଇଁ ଅଣକଂଗ୍ରେସ ବିରୋଧୀ ଭାବେ ଅନ୍ୟ କେହି ରହିବେ ନାହିଁ। ଭାଜପା ନେତୃତ୍ୱ ପାଇଁ କଂଗ୍ରେସ ଏକମାତ୍ର ବିରୋଧୀଦଳ ହୋଇ ରହିଲେ ସବୁ ପରିସ୍ଥିତି ସୁହାଇବ। କାରଣ କଂଗ୍ରେସ ଦୁର୍ବଳ ଓ ଗାନ୍ଧୀ ପରିବାର ବିରୋଧରେ ସବୁ ଐତିହାସିକ ଦୋଷାରୋପ ଟାଣିଆଣିବା ସହଜ ହେଉଛି। କଂଗ୍ରେସକୁ ଛାଡ଼ି ଅନ୍ୟ କୌଣସି ବିରୋଧୀ ସୃଷ୍ଟି ହେବା କିମ୍ବା ତିଷ୍ଠିବା ଭାଜପା ପାଇଁ ଅସୁବିଧାଜନକ ପରିସ୍ଥିତି ଆଣିଦେବ। ଆସନ୍ତା ବର୍ଷରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଦେଶରେ ଅନେକ ନୂଆ ରାଜନୈତିକ ମୋଡ଼ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?