ବିବାହ ବୟସ

ଘାସିରାମ ପଣ୍ଡା

ଗତ ବଜେଟ (୨୦୨୦-୨୧) ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ଏନେଇ ଏକ କମିଟି ଗଠନ କରାଯିବାକୁ ସେ ଘୋଷଣା କରିଥିଲେ। ତାଙ୍କ କହିବା କଥା ଥିଲା ଶାରଦା ଆଇନ ୧୯୨୯କୁ ୧୯୭୮ ମସିହାରେ ପରିବର୍ତ୍ତନ କରାଯାଇ ବିବାହ ବୟସକୁ ୧୫ରୁ ୧୮ କରାଯାଇଥିଲା। ଏହା ଭିତରେ ଆମେ ଅନେକ ପ୍ରଗତି କରିଛୁ। ମହିଳାଙ୍କ ପାଇଁ ଉଚ୍ଚଶିକ୍ଷା ଓ ବୃତ୍ତି ଚୟନର ସୁଯୋଗ ବ୍ୟାପକ ହୋଇଛି। ମାତୃ ମୃତ୍ୟୁ ହାର ଓ ପୋଷଣର ସ୍ଥିତିକୁ ନିୟନ୍ତ୍ରଣ କରିବା ମଧ୍ୟ ଆମ ପାଇଁ ଅନିବାର୍ଯ୍ୟ ହେଉଛି। ଝିଅଟିଏ ମା’ ହେବାର ବିଷୟକୁ ଏହି ହିସାବରେ ଆମକୁ ଦେଖିବାକୁ ହେବ। ଏଣୁ ଏକ ଟାସ୍କ ଫୋର୍ସ ଗଠନ ପାଇଁ ମୁଁ ପ୍ରସ୍ତାବ ଦେଉଛି (ବଜେଟ ଅଭିଭାଷଣ ପାରା ୬୭)। ସେହି ଅନୁଯାୟୀ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ ପୂର୍ବକ ଜୁନ ୪ ତାରିଖରେ ଏନେଇ ଭାରତ ସରକାର ରାଜପତ୍ରରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ମୁତାବକ ଏହି କମିଟି ମାତୃତ୍ୱ ଓ ବିବାହ ବୟସର ସମ୍ପର୍କକୁ ଅନୁଧ୍ୟାନ କରିବ। ଏଥିରେ ମାତୃ ଓ ଶିଶୁ ମୃତ୍ୟୁହାର, ଲିଙ୍ଗୀୟ ଅନୁପାତ, ଗର୍ଭାବସ୍ଥାରୁ ଶୈଶବର ବିଭିନ୍ନ ସ୍ତରରେ ମା’ ଓ ଶିଶୁର ସ୍ବାସ୍ଥ୍ୟ ଏବଂ ପୋଷଣର ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯିବ। ମହିଳାଙ୍କ ଭିତରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ପଦକ୍ଷେପ, ଆଇନରେ ସଂଶୋଧନ ଅବା ନୂତନ ଆଇନ ପ୍ରଣୟନ ପାଇଁ ଏହି ଟାସ୍କ ଫୋର୍ସ ପ୍ରସ୍ତାବ ଦେଇପାରିବେ। ଏ ସମସ୍ତ ପ୍ରକ୍ରିୟା ୩୧ ଜୁଲାଇ ସୁଦ୍ଧା ସରିବ ଓ ନୀତି ଆୟୋଗ ନିକଟରେ କମିଟି ମତାମତ ଦାଖଲ କରିବେ।
ଦେଶ କୋଭିଡ୍‌ ୧୯କୁ ନେଇ ଏକ ଘଡି ସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ଏମିତି ଏକ ଘୋଷଣା ଶିଶୁ ଅଧିକାର କର୍ମୀଙ୍କୁ ଚିନ୍ତାରେ ପକେଇଛି। ବିନା ବିମର୍ଶରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଗାମୀ ଦିନରେ ପୁଣି ଆଇନଗତ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ବର୍ତ୍ତମାନର ପରିସ୍ଥିତିରେ ବ୍ୟାପକ ବିମର୍ଶ ସମ୍ଭବ ନୁହେଁ। ଏଣୁ କମିଟି ପାଇଁ ଧାର୍ଯ୍ୟ ସମୟ ଅବଧିକୁ ବୃଦ୍ଧି କରାଯିବା ସହ ତୃଣମୂଳ ସ୍ତରରେ ଆଲୋଚନାର ଅବକାଶ ତିଆରି ହେଉ। ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଅନୁଯାୟୀ ୧୮ ବର୍ଷରୁ କମ ବୟସର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅଙ୍କ ବିବାହକୁ ବାରଣ କରାଯାଇଛି। ବିବାହ ପାଇଁ ଧାର୍ଯ୍ୟ ଏହି ବୟସକୁ ନେଇ ଆଗରୁ ଚର୍ଚ୍ଚା ହୋଇ ଆସୁଛି। ଯେପରି କି ଝିଅ ଓ ପୁଅର ବୟସରେ କାହିଁକି ପାର୍ଥକ୍ୟ ରହିଛି? ୧୮ ପୂରିଲା ମାତ୍ରେ ବାହା କରେଇଦେଲେ କ’ଣ ସବୁ ଅସୁବିଧା ଦୂର ହୋଇଯିବ? ଅନ୍ତର୍ଜାତୀୟ ସ୍ତରରେ ଓ ଆମ ଦେଶର ଅନ୍ୟାନ୍ୟ ସବୁ ଆଇନରେ ୧୮ବର୍ଷରୁ କମ ବୟସର ସମସ୍ତଙ୍କୁ ଶିଶୁ କୁହାଯାଉଥିବା ବେଳେ ଶିକ୍ଷା ଅଧିକାର ଆଇନ, ବାଲ୍ୟ ବିବାହ ନିଷେଧ ଆଇନ ଓ ସରିୟାତ ଆଇନରେ କାହିଁକି ବିସଙ୍ଗତି ଅଛି? ଏହି ସବୁ ପ୍ରଶ୍ନକୁ ନେଇ ନୀତି ନିର୍ଦ୍ଧାରକ ଅନୁଷ୍ଠାନଗୁଡ଼ିକ ନିଷ୍ପତ୍ତି ମଧ୍ୟ ଶୁଣେଇଛନ୍ତି। ଜାତୀୟ ଆଇନ କମିଶନ ଉଭୟ ପୁଅ ଓ ଝିଅଙ୍କ ବୟସ ୧୮ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏ ସମ୍ପର୍କରେ ଏକ ଯାଚିକାକୁ ଉଚ୍ଚତମ ନ୍ୟାୟାଳୟ ଖାରଜ ମଧ୍ୟ କରିଛନ୍ତି। ଅତୀତରେ ଝିଅର ବୟସକୁ ୨୧ କରିବାକୁ ଦାଏର ଏକ ଯାଚିକାକୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ନାପସନ୍ଦ କରିଥିଲେ। ଟାସ୍କ ଫୋର୍ସ ଗଠନ ପରେ ଏହି ସବୁ ପ୍ରଶ୍ନ ପୁନର୍ଜୀବିତ ହୋଇଛି।
ବଜଟେ ଅଭିଭାଷଣକୁ ଅନୁଧ୍ୟାନ କଲେ କମ୍‌ ବୟସରେ ମାତୃତ୍ୱକୁ ନେଇ ମନ୍ତ୍ରୀ ଚିନ୍ତିତ ଥିବା ସ୍ପଷ୍ଟ ହେଉଛି। ଏଣୁ ବିବାହ ବୟସକୁ ବଢେଇବା ପାଇଁ ସରକାରଙ୍କ ଇଚ୍ଛାକୁ କମିଟି ମାଧ୍ୟମରେ ପରୀକ୍ଷଣ, ପ୍ରସ୍ତାବନା ଓ ଅନୁମୋଦନର ଏହି ପ୍ରକ୍ରୟା ଆରମ୍ଭ ହୋଇଥିବା ଅନୁମେୟ। ହେଲେ ବିବାହର ଆଇନଗତ ବୟସ ବଢେଇ ଦେଲେ ବାଲ୍ୟ ବିବାହ ବନ୍ଦ ହୋଇଯିବ କି? ଏବେ ବି ୧୮ ବର୍ଷରୁ କମ୍‌ ବୟସର ଝିଅ ଓ ୨୧ରୁ କମ ବୟସର ପୁଅଙ୍କ ବିବାହ କିଛି କମ ସଂଖ୍ୟାରେ ହେଉ ନାହିଁ। ଅଥଚ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦାଏର ଅଭିଯୋଗର ମାତ୍ରା ହାତ ଗଣତି। ଏହା ପ୍ରମାଣିତ କରୁଛି ଯେ, ଆଇନଗତ ସଂଶୋଧନ ମାଧ୍ୟମରେ କେବଳ ବିବାହ ବୟସର ସୀମା ବଢେଇଲେ ବାଳିକାଙ୍କ ସ୍ଥିତି ପରିବର୍ତ୍ତିତ ହେବ ନାହିଁ। ବାଲ୍ୟ ବିବାହକୁ ଦୂର କରିବାକୁ ହେଲେ ଭିତ୍ତିଭୂମି ଓ ସହାୟତାର ହାତ ସବୁସ୍ତରରେ ବଢେଇବାକୁ ହେବ। ଯେତେ ଅଧିକ ସଂଖ୍ୟାରେ ସେମାନେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଦ ଦେବେ ସେତେ ଅଧିକ ମାତ୍ରାରେ ବାଲ୍ୟ ବିବାହ ପ୍ରତିହତ ହେବ। ପିତୃସତ୍ତାତ୍ମକ ଚଳଣି ପାଇଁ ସାମାଜିକ ସ୍ତରରେ ଝିଅ ପିଲାଙ୍କ ଅବମୂଲ୍ୟାୟନ ହେଉଛି। ବିବାହ ହିଁ ସେମାନଙ୍କ ପାଇଁ ଜୀବନ ଜିଇବାର ଏକମାତ୍ର ଓ ଶ୍ରେଷ୍ଠ ଉପାୟ ବୋଲି ଧରି ନିଆଯାଇଛି। ସାମାଜିକ ସ୍ତରରେ ବ୍ୟବହାରିକ ପରିବର୍ତ୍ତନ ପାଇଁ ବ୍ୟାପକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଗଲେ ଏହି ମାନସିକତାରେ ପରିବର୍ତ୍ତନ ଆସିବ।
ଟାସ୍କ ଫୋର୍ସର ଗଠନ ବାଲ୍ୟ ବିବାହ ନିଷେଧ ଆଇନର ପୁନଃ ଅବଲୋକନ ପାଇଁ ସୁଯୋଗ ସୃଷ୍ଟି କରିଛି। ଏଣୁ ଏହା କେବଳ ଝିଅଙ୍କ ବିବାହ ବୟସ ବୃଦ୍ଧି ପାଇଁ ଜନମତ ସୃଷ୍ଟି କରିବାରେ ସହଯୋଗୀ ନ ହୋଇ ପ୍ରତିଷେଧ ପାଇଁ ପଦକ୍ଷେପ ହେତୁ ରାଷ୍ଟ୍ରର ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆଶା କରାଯାଏ। ବୟସ ଆଧାରରେ ବିବାହକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟନ କରିବା ବଦଳରେ ଶିଶୁଙ୍କ ଅଧିକାରର ସୁରକ୍ଷା, ବିକାଶ ପାଇଁ ସୁଯୋଗ ସୃଷ୍ଟିର ଆଇନଗତ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ବୟସ ନିର୍ବିଶେଷରେ ଝିଅମାନଙ୍କ ଅନିଚ୍ଛାରେ ବିବାହକୁ ବଳପୂର୍ବକ ବିବାହ ବୋଲି ଧରିନିଆଯିବା କଥା। ଅପରପକ୍ଷରେ ଆଇନର ଦୃଢ କାର୍ଯ୍ୟାନ୍ବୟନ ହେତୁ ଯେଉଁ ଦିନ ନିଜ ଇଚ୍ଛାରେ ଝିଅଟିଏ ବିବାହ କରିବ, ସାଥି ବାଛିବାର ଯୋଗ୍ୟତା ହାସଲ କରିବ ଓ ସ୍ବାଧୀନତା ପାଇବ ସେଦିନ ଆଇନ ସଫଳ ହେବ।
ସୁବର୍ଣ୍ଣପୁର, ମୋ:୯୪୩୮୩୪୧୭୯୪
Email:ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?