
ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ କେନାଲ ପାର୍ଶ୍ୱବର୍ତ୍ତୀ ଚାଷଜମି ପ୍ରଭାବିତ ହୋଇଥିଲା। ଏ ସମ୍ପର୍କରେ ବୁଧବାର କେବଳ ଧରିତ୍ରୀରେ ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ ଶୀର୍ଷକ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ କେନାଲରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ। ଗୁରୁବାର ପୁଣି ମରାମତି କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ଏହି କେନାଲ ଉପରେ ଖୁଣ୍ଟପାଲି, ସରସରା, କଣ୍ଟାଟିକ୍ରା, ପୁଢ଼ିଆଟିକ୍ରା, ଗଞ୍ଝିଆଟିିକ୍ରା, ଡୁଙ୍ଗୁରୀଟିକ୍ରା ଆଦି ଅଞ୍ଚଳର ଚାଷୀମାନେ ନିର୍ଭର କରିଥାନ୍ତି। ତେବେ ରବି ଚାଷକାର୍ଯ୍ୟ ଜୋର୍ ଧରିଥିବାବେଳେ ଅର୍ଥାତ୍ ଧାନପହ୍ଲା ରୁଆକାର୍ଯ୍ୟ ଚାଲିଥିବାବେଳେ କେନାଲରେ ଘାଇ ସୃଷ୍ଟି ହେବା ଘଟଣା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ସେହିପରି କେନାଲ ଉନ୍ନତିକରଣରେ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଥିବାବେଳେ ତା’ର ସଠିକ୍ ବିନିଯୋଗକୁ ନେଇ ମଧ୍ୟ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।