ଗର୍ଭପାତ ଅବୈଧ

ଆମେରିକାର ମହିଳାମାନେ ଏବେ ଗର୍ଭପାତ ଅଧିକାର ହରାଇବାକୁ ବସିଲେଣି। ଅର୍ଦ୍ଧଶତାବ୍ଦୀ ତଳର ପୁରୁଣା ‘ରୋ ବାନାମ ଓ୍ବେଡ୍‌’ ନିଷ୍ପତ୍ତିକୁ ଓଲଟାଇ ଆମେରିକା ସୁପ୍ରିମକୋର୍ଟ ୨୪ ଜୁନ୍‌ରେ ଗର୍ଭପାତ ସଂକ୍ରାନ୍ତ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜେନ୍‌ ରୋ ନାମରେ ପରିଚିତ ମହିଳା ଦୁଇ ସନ୍ତାନର ଜନନୀ ହୋଇଥିବାବେଳେ ୧୯୬୯ରେ ଧାରଣ କରିଥିବା ତୃତୀୟ ଭ୍ରୂଣକୁ ଗର୍ଭପାତ କରାଇବାକୁ ଚାହୁଁଥିଲେ। ହେଲେ ତାଙ୍କ ସ୍ବାମୀ ହେନେରି ଓ୍ବେଡ୍‌ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେତେବେଳେ ମା’ଙ୍କ ଜୀବନ ରକ୍ଷା ପାଇଁ ଜରୁରୀ ହେଲେ ଗର୍ଭପାତକୁ ଆଇନତଃ ସ୍ବୀକୃତି ମିଳୁଥିଲା। ରୋ’ଙ୍କ ଓକିଲ କୋର୍ଟରେ ସ୍ବାମୀ ହେନେରି ଓ୍ବେଡ୍‌ଙ୍କ ବିରୋଧରେ ପିଟିଶନ ଦାଖଲ କରିଥିଲେ। ପରେ ଏହି ମାମଲା ସୁପ୍ରିମକୋର୍ଟ ଯାଇଥିଲା। ୧୯୭୩ରେ ସୁପ୍ରିମକୋର୍ଟ ରୋ’ଙ୍କ ସପକ୍ଷରେ ରାୟ ଦେଇଥିଲେ। ଫଳରେ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ସହାୟତା ନିଆଯାଇଥିଲା, ଯେଉଁଥିରେ ଜଣେ ମହିଳାଙ୍କୁ ଗର୍ଭଧାରଣ ବା ଗର୍ଭପାତର ସ୍ବାଧୀନତା ମିଳିଥିଲା। ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ସେହି ରାୟ ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଏବେ ତାହାକୁ ଓଲଟାଇ ଦିଆଯିବା ପ୍ରତ୍ୟେକ ସ୍ବାଧୀନଚେତା ବ୍ୟକ୍ତଙ୍କୁ ବିଚଳିତ କରିଦେବା ସ୍ବାଭାବିକ।
ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଶରୀର ଉପରେ ଅଧିକାର ରହିବା କଥା। ଗର୍ଭପାତର ନିଷ୍ପତ୍ତି ବିଭିନ୍ନ କାରଣ ପାଇଁ ନିଆଯାଇଥାଏ। କେବେ ମହିଳାଙ୍କ ଜୀବନ ପ୍ରତି ସଙ୍କଟ ଥିଲେ କିମ୍ବା ଭ୍ରୂଣ ବିକଳାଙ୍ଗ ଥିଲେ ଏହିଭଳି ନିଷ୍ପତ୍ତି ନିଆଯାଇଥାଏ। ବଳାତ୍କାର ଯୋଗୁ ଗର୍ଭଧାରଣା କିମ୍ବା ଘନିଷ୍ଠ ସମ୍ପର୍କୀୟଙ୍କ ଦ୍ୱାରା ଅବୈଧ ସନ୍ତାନ ଜନ୍ମ ନେଇଯିବା ଭୟରେ ଭ୍ରୂଣ ନଷ୍ଟ କରିଦିଆଯାଇଥାଏ। ଏପରିକି ପରିବାରର ଆର୍ଥିକ ସ୍ଥିତି ଓ ସଦସ୍ୟଙ୍କ ସଂଖ୍ୟା ଦେଖି ଅନେକ ସମୟରେ ଗର୍ଭପାତ ନିଷ୍ପତ୍ତି ନିଆଯାଇଥାଏ। ଏହା ଜଣେ ମହିଳା ଓ ତାଙ୍କ ପରିବାରର ବ୍ୟକ୍ତିଗତ ନିଷ୍ପତ୍ତି ହେବା କଥା। ଏଥିରେ ସରକାରଙ୍କ ହସ୍ତକ୍ଷେପ ସମ୍ପୂର୍ଣ୍ଣ ଭାବେ ଅଲୋଡ଼ା।
ଆମେରିକା ସୁପ୍ରିମକୋର୍ଟ ଗର୍ଭପାତ ବିପକ୍ଷରେ ଦେଇଥିବା ମତ ଏବଂ ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକ ନିଜସ୍ବ ନିଷ୍ପତ୍ତି ନେଇପାରିବେ ବୋଲି କହିବା ପରେ ମାନବ ଅଧିକାର କର୍ମୀମାନେ ଅଦାଲତଙ୍କ ରାୟକୁ ଅଯୁକ୍ତିକର ବୋଲି ଅଭିହିତ କରିଛନ୍ତି। ଏପରି କି ରାଷ୍ଟ୍ରପତି ଜୋ ବାଇଡେନ୍‌ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିବା ସହ ଏଭଳି ରାୟ ମହିଳାମାନଙ୍କ ଜୀବନକୁ ବିପଦରେ ପକାଇବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ପ୍ରମୁଖଙ୍କ ଭଳି ବିଶ୍ୱନେତା ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ଚିନ୍ତାଜନକ ବୋଲି କହିଛନ୍ତି। ବାସ୍ତବରେ ଆମେରିକା ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଲିଙ୍ଗଗତ ବିଭେଦତାକୁ ବଢ଼ାଇବା ସହ ମହିଳାଙ୍କ ସ୍ଥିତିକୁ ନୂ୍ୟନ କରିଦେବ।
ସମଗ୍ର ବିଶ୍ୱକୁ ମାନବ ଅଧିକାର ବିଷୟରେ ଶିକ୍ଷା ଦେଉଥିବା ଆମେରିକା ନିଜ ଦେଶର ମହିଳାଙ୍କ ସମସ୍ୟା ବୁଝିବାରେ ନ୍ୟାୟିକ ଅସ୍ବାଭାବିକତାର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି ଏହା ବହୁପୂର୍ବରୁ ହେବାର ଥିଲା ବୋଲି କହିଛନ୍ତି। ତାଙ୍କ ପ୍ରଶାସନ ଅମଳରେ ସେ ଯେଉଁ ରକ୍ଷଣଶୀଳ ଚିନ୍ତାଧାରା ପୋଷଣ କରୁଥିବା ବିଚାରପତିମାନଙ୍କୁ ନିଯୁକ୍ତ କରିଥିଲେ ଏହି ନିଷ୍ପତ୍ତି ତାହାର ପ୍ରତିଫଳନ ବୋଲି କୁହାଯାଉଛି। ଆମେରିକା ସୁପ୍ରିମକୋର୍ଟରେ କଞ୍ଜରଭେଟିଭ୍‌ ଜଜ୍‌ଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଆହୁରି ଏହିଭଳି ରିଗ୍ରେସିଭ୍‌ ବା ପଶ୍ଚାତ୍‌ପଦ ନିଷ୍ପତ୍ତି ଆସିବାର ଆଶଙ୍କା ରହିଛି। ଏଠାରେ ୯ ଜଣ ବିଚାରପତିଙ୍କ ମଧ୍ୟରୁ ୬ ଜଣ ରକ୍ଷଣଶୀଳ ବୋଲି କୁହାଯାଉଛି। ଏବେ ଗର୍ଭପାତ ଅଧିକାର ସମ୍ପର୍କରେ ଦିଆଯାଇଥିବା ରାୟ ଏକ ରାଜନୈତିକ ତିକ୍ତତା ସୃଷ୍ଟି କଲାଣି। ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ, ପ୍ରତ୍ୟେକ ରାଜ୍ୟ ତାହାର ନିଜସ୍ବ ନିଷ୍ପତ୍ତି ନେଇପାରିବ, ସେଥିପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ଦଳ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକ ଏହି ରାୟକୁ ତତ୍‌କ୍ଷଣାତ୍‌ କାର୍ଯ୍ୟକାରୀ କରିଦେଲେଣି। ଯେଉଁସବୁ ରାଜ୍ୟରେ ଏବକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଡେମୋକ୍ରାଟିକ୍‌ ଦଳ ଶାସନ କରୁଛି, ସେଠାରେ ଆଇନର ପରିବର୍ତ୍ତନ ଘଟି ନାହିଁ। ଅର୍ଥାତ୍‌ ମହିଳାମାନେ ସେଠାରେ ଗର୍ଭପାତ କରିବାର ସୁଯୋଗ ପାଇବେ। ବିଡ଼ମ୍ବନାର ବିଷୟ ଗର୍ଭପାତ ନିୟମକୁ ନେଇ ରାଜନୀତି ଚାଲିଥିବା ବେଳେ ମହିଳାଙ୍କ ବ୍ୟକ୍ତିଗତ ସ୍ବାଧୀନତା ଓ ସେମାନଙ୍କ ଭବିଷ୍ୟତ ଘୋର ପ୍ରଭାବିତ ହେବାକୁ ଯାଉଛି। ନାବାଳିକା ତଥା ବଳାତ୍କାର ପୀଡ଼ିତାଙ୍କ ଘଟଣାରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଭଳି କ୍ଷେତ୍ରରେ ସନ୍ତାନ ଜନ୍ମ ହେବା ପରେ ତାହାର କିଭଳି ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ନାହିଁ। ଅନ୍ୟପକ୍ଷରେ ଯେଉଁଠାରେ ଗର୍ଭପାତ ବେଆଇନ ବୋଲି ବିଚାର କରାଯିବ ସେଠାରେ ଲୁଚାଛପାରେ ଅଧିକ ଗର୍ଭପାତ କରାଯିବାର ବାଟ ଫିଟିଯିବ। ଲୁଚାଛପାରେ ଯେଉଁ କାର୍ଯ୍ୟ ହୁଏ, ସେଥିରେ ମହିଳାଙ୍କ ପ୍ରତି ବିପଦ ବଢ଼ିଯିବା ସୁନିଶ୍ଚିତ।
ଆମେରିକା ସୁପ୍ରିମକୋର୍ଟ ଦକ୍ଷିଣପନ୍ଥୀ ବା ରକ୍ଷଣଶୀଳ ମାନସିକତାରେ ସର୍ବୋଚ୍ଚକୁ ଚାଲିଯାଇଛି। ପୃଥିବୀବ୍ୟାପୀ ବିଭିନ୍ନ ଗଣତାନ୍ତ୍ରିକ ଦେଶରେ ଏହିଭଳି ଆଭିମୁଖ୍ୟ ରଖିଥିବା ନେତାମାନେ କ୍ଷମତା ଦଖଲ କରିବସିଛନ୍ତି। ଭାରତରେ ମଧ୍ୟ ୨୦୧୭ରେ ଚାଲିଥିବା ଆଧାର କାର୍ଡ ସଂକ୍ରାନ୍ତୀୟ ବିବାଦରେ ଭାରତ ସରକାରଙ୍କ ଆଟର୍ନି ଜେନେରାଲ ମୁକୁଲ ରୋହତୋଗୀ ଅଦାଲତରେ ଘୋଷଣା କରିଥିଲେ ଯେ, ଭାରତୀୟ ନାଗରିକଙ୍କର ନିଜ ଶରୀର ଉପରେ ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ନାହିଁ। ଏହା ଏକ ବିଚିତ୍ର ଓ ବିପଜ୍ଜନକ ମନୋଭାବ। ଆମେରିକାରେ ଗର୍ଭପାତ ରାୟଠାରୁ ଆରମ୍ଭକରି ଅନେକ ରକ୍ଷଣଶୀଳ ଆଇନକୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ଅତ୍ୟନ୍ତ ଆବଶ୍ୟକ। ତାହା କରା ନ ଗଲେ ସମଗ୍ର ପୃଥିବୀରେ ମାନବ ଅଧିକାରକୁ ଅତୁଳନୀୟ କ୍ଷତି ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?