ଏକ କ୍ରୀଡ଼ା ସଂସ୍କୃତି ଆବଶ୍ୟକ

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ

ଇଂ. ଶକ୍ତି ପ୍ରସାଦ ଦାସ

ରାଷ୍ଟ୍ର ନିର୍ମାଣ ପାଇଁ ଜାତୀୟତାର ଭାବନା ଅପରିହାର୍ଯ୍ୟ। ଧର୍ମ ବ୍ୟତିରେକେ କ୍ରୀଡ଼ା ହେଉଛି ଏକମାତ୍ର ସାଧାରଣ ସୂତ୍ର, ଯାହା ଲୋକଙ୍କୁ ଏକତ୍ର ବାନ୍ଧି ରଖିଥାଏ। ଦୀର୍ଘ ବର୍ଷର ହିଂସାତ୍ମକ ସଂଘର୍ଷ ପରେ ଅନେକ ଦକ୍ଷିଣ ଆଫ୍ରିକୀୟଙ୍କ ପାଇଁ ଧଳା ଲୋକଙ୍କୁ ସମର୍ଥନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଶେଷରେ କ୍ରୀଡ଼ା ହିଁ ଜାତିବାଦ ବଦଳରେ ଦେଶକୁ ଅଗ୍ରାଧିକାର ଦେବାକୁ ସେମାନଙ୍କୁ ପ୍ରବର୍ତ୍ତାଇଥିଲା। ତେଣୁ ବିଶ୍ୱସ୍ତରରେ ଦେଶର ସମ୍ମାନ ବୃଦ୍ଧି କରିବା ଏବଂ ଦେଶକୁ ଏକୀକୃତ କରିବାରେ କ୍ରୀଡ଼ାର ଅବଦାନକୁ ସ୍ବୀକାର କରିବାକୁ ହେବ।
ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ କ୍ରୀଡ଼ା କ୍ଷେତ୍ରରେ ଦେଶର ସାମ୍ପ୍ରତିକ ସ୍ଥିତିକୁ ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ, ଗତ ୭୪ ବର୍ଷ ମଧ୍ୟରେ ଏକ ସୃଜନଶୀଳ ରାଷ୍ଟ୍ର ହିସାବରେ ଦେଶର ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ଦାରିଦ୍ର୍ୟ ଦୂରୀକରଣ, ଖାଦ୍ୟ ସୁରକ୍ଷା ଓ ଗ୍ରାମ୍ୟ ବିକାଶ ଭଳି କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆମେ ଧ୍ୟାନ କେନ୍ଦ୍ରୀଭୂତ କରି ରଖିଛୁ। ଶିକ୍ଷା ଓ ସ୍ବାସ୍ଥ୍ୟ ସୁରକ୍ଷା ଆଦି ଭିତ୍ତିଭୂମି ଉପରେ ଅଧିକ ଧ୍ୟାନ ଦେଇପାରି ନାହୁଁ। ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପିର ୧ ପ୍ରତିଶତ ସ୍କୁଲ ଶିକ୍ଷା ଓ ୫ ପ୍ରତିଶତରୁ କମ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ବ୍ୟୟ ହୋଇଛି। କ୍ରୀଡ଼ା ବାବଦରେ ଏହି ଖର୍ଚ୍ଚ ୦.୦୧ ପ୍ରତିଶତ ରହିଛି। ସରକାରଙ୍କ ଆନୁଆଲ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ୍‌ ରିପୋର୍ଟ-୨୦୧୮ ଅନୁଯାୟୀ ସର୍ଭେ କରାଯାଇଥିବା ଦୁଇ-ତୃତୀୟାଂଶ ଗ୍ରାମ୍ୟ ବିଦ୍ୟାଳୟର ସମୟ ନିର୍ଘଣ୍ଟରେ ଗୋଟିଏ ଶାରୀରିକ ଶିକ୍ଷା ପିରିୟଡ଼ ରହିଛି। ଦଶଟିରୁ ଦୁଇଟି ବିଦ୍ୟାଳୟରେ ଉତ୍ସର୍ଗୀକୃତ ଶାରୀରିକ-ଶିକ୍ଷା ଶିକ୍ଷକ ଅଛନ୍ତି। ଏହି ଶିକ୍ଷକ ବିଦ୍ୟାଳୟରେ ସର୍ବନିମ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। କାରଣ, କ୍ରୀଡ଼ା କ୍ଷେତ୍ରରେ ସଫଳତା ଅଧିକାଂଶ ମାତାପିତାଙ୍କ ପାଇଁ ଆଦୌ ଚିନ୍ତାର ବିଷୟ ନୁହେଁ।
ସାଧାରଣ ଭାରତୀୟ ପରିବାର ଖେଳ ତୁଳନାରେ ତଥାକଥିତ ବିଧିବଦ୍ଧ ଶିକ୍ଷାକୁ ଅଧିକ ପ୍ରାଥମିକତା ଦେଇଥାଏ। ଶିକ୍ଷା ପ୍ରକୃତ ଜ୍ଞାନ ଓ କୌଶଳକୁ ଛାଡ଼ି କେବଳ ଗ୍ରେଡ୍‌ ବା ମାର୍କ ପଛରେ ଧାଇଁଛି। ବୃତ୍ତିଗତ ଓ ଶୈକ୍ଷିକ ଦୃଷ୍ଟିକୋଣରୁ ରୋଜଗାର ଓ ଡିଗ୍ରୀ ପାଇଁ ଅଧ୍ୟୟନ ବ୍ୟତୀତ ପିଲାମାନେ ଅନ୍ୟ କିଛି ସ୍ବପ୍ନ ଦେଖି ପାରନ୍ତିନାହିଁ। ତୃଣମୂଳ ସ୍ତରରେ ଏହି ମନୋଭାବର ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଆମେ କଦାପି ଗୋଟିଏ କ୍ରୀଡ଼ାପ୍ରେମୀ ରାଷ୍ଟ୍ର ହୋଇପାରିବା ନାହିଁ। ମନେରଖିବାକୁ ହେବ, କ୍ରୀଡ଼ା ପିଲାମାନଙ୍କୁ ଦଳବଦ୍ଧ ଭାବରେ କାର୍ଯ୍ୟ କରିବା, ନେତୃତ୍ୱ ନେବା, ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେବା ଓ ପରାଜୟକୁ ସମ୍ମୁଖୀନ ହେବା ଭଳି ଶିକ୍ଷା ପ୍ରଦାନ କରିଥାଏ, ଯାହା ବିଧିବଦ୍ଧ ପାଠ୍ୟକ୍ରମରୁ ମିଳେନାହିଁ।
କ୍ରୀଡ଼ାକୁ ଗୋଷ୍ଠୀଗତ ଜୀବନର ଏକ ସହଜାତ ଅଙ୍ଗ ଭାବରେ ଗଢ଼ି ତୋଳିବା ପାଇଁ ସରକାର ଓ ନାଗରିକଙ୍କ ଦ୍ୱାରା ସଚେତନ ପ୍ରୟାସ ଆବଶ୍ୟକ। ଏଥିପାଇଁ ମୌଳିକ ଢାଞ୍ଚାଗତ ପରିବର୍ତ୍ତନ ଜରୁରୀ ମଧ୍ୟ। ଅନ୍ୟ ଅର୍ଥରେ, ନାଗରିକଙ୍କ ମଧ୍ୟରେ ଏକ କ୍ରୀଡ଼ା ଚେତନାର ବିକାଶ କରିବାକୁ ହେବ, ଯାହାକୁ କ୍ରୀଡ଼ାପ୍ରେମୀ ରାଷ୍ଟ୍ର ବୋଲି କୁହାଯାଇପାରିବ।
ସମାଜ ଯେବେ କ୍ରୀଡ଼ା କୌଶଳକୁ ମହତ୍ତ୍ୱ ଦିଏ ଓ ପ୍ରଶଂସା କରେ, ସେତେବେଳେ ଏହା ସ୍ବତଃ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଅଧିସଂରଚନା ତିଆରି କରେ। ମୂର୍ତ୍ତିପୂଜା ଉପରେ ବିଶ୍ୱାସ ରଖୁଥିବା ସମାଜରେ ଛୋଟ ବଡ଼ ମନ୍ଦିର ଆପେ ଆପେ ଗଢ଼ି ଉଠିଥାଏ। ଏହାକୁ ନୀତିଗତ ପ୍ରୋତ୍ସାହନ ଆବଶ୍ୟକ ହୁଏନାହିଁ। ଗଁା ଗଁାରେ ଖେଳିବା ପାଇଁ କ୍ରିକେଟ-ପିଚ୍‌ସବୁ ଛତୁ ଫୁଟିବାଭଳି ବଢ଼ିଚାଲିଛି। ଜନଗଣରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ହେଲେ, ବିନା ବାହ୍ୟ ପ୍ରୋତ୍ସାହନରେ ମହାନ୍‌ କ୍ରୀଡ଼ା ପ୍ରତିଭା ସୃଷ୍ଟି ହୋଇପାରିବ।
୧୪୦ କୋଟି ଜନଶକ୍ତି ଏବଂ ଏକ ଶୀର୍ଷ ଅର୍ଥନୀତି ହିସାବରେ ଗର୍ବ କରୁଥିବାବେଳେ, ମାତ୍ର ୭ଟି ପଦକ ଜିତି ଭାରତ ଆତ୍ମସନ୍ତୋଷ ଲାଭ କରିବା ଠିକ୍‌ ହେବନାହିଁ। ଏଥିପାଇଁ ଦାରିଦ୍ର୍ୟକୁ ଦାୟୀ କରାଯାଇ ପାରିବ ନାହିଁ। କାରଣ, କେନିଆ ଓ ଜାମାଇକା ପରି ସ୍ବଳ୍ପ ମୁଣ୍ଡପିଛା ଆୟ କରୁଥିବା ଦେଶଗୁଡ଼ିକ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଭାରତୀୟ ଖେଳାଳିମାନେ ଯାହା କିଛି ଅନ୍ତର୍ଜାତୀୟ ସଫଳତା ହାସଲ କରୁଛନ୍ତି, ତାହା ଦେଶର କ୍ରୀଡ଼ା ବ୍ୟବସ୍ଥାର ସୁଫଳ ବୋଲି ଭାବିବା ପରିବର୍ତ୍ତେ ଏସବୁ ଗୋଟିଏ ଗୋଟିଏ ବ୍ୟକ୍ତିଗତ ସଫଳତା ବୋଲି ମାନିବାକୁ ହେବ। ଏହାର ଅର୍ଥ ନୁହେଁ ଯେ ନୀରଜ ଚୋପ୍ରା, ମୀରାବାଈ ବା ରବି କୁମାରଙ୍କ ଭଳି ବଡ଼ ବଡ଼ କ୍ରୀଡ଼ାବିତ୍‌ ସୃଷ୍ଟି ହେବା ପାଇଁ ଭାରତରେ ପ୍ରତିଭା କିମ୍ବା ସାମର୍ଥ୍ୟର ଅଭାବ ଅଛି। କଥା ହେଉଛି, ଆଜିକାଲି କ୍ରୀଡ଼ାବିତ୍‌ମାନଙ୍କୁ ଗଢ଼ିବା ପ୍ରକ୍ରିୟା ଅତ୍ୟନ୍ତ ବିଜ୍ଞାନସମ୍ମତ ହୋଇପଡିଛି। ସେଥିପାଇଁ ଦେଶର ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରୁ ପ୍ରକୃତ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ରୀଡ଼ା ତାଲିମ ଦେବାର ସାଧନ ଓ ସହାୟତା ଯୋଗାଇ ଦେବା ପାଇଁ ଦୃଢ଼ ଢାଞ୍ଚା ସୃଷ୍ଟି କରିବାର ଆବଶ୍ୟକତା ରହିଛି।
ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ଉଜାଗର କରିବାରେ କେନ୍ଦ୍ର ସରକାରଙ୍କ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଏକ ଉତ୍ତମ ଓ ସମୟୋଚିତ ଆରମ୍ଭ ମାତ୍ର। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ’ ଓ ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’ ଦେଶର ଦୂର-ଦୂରାନ୍ତ ଅଞ୍ଚଳର ଯୁବ ପ୍ରତିଭାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟର ତାଲିମ ପାଇଁ ଚୟନ କରିବାର ଏକ ଉତ୍ତମ ମଞ୍ଚ ଭାବରେ ଛିଡ଼ା ହୋଇପାରିବ। କ୍ରୀଡ଼ା କ୍ଷେତ୍ରରେ ଯୁବଶକ୍ତିଙ୍କ ବ୍ୟାପକ ଅଂଶ ଗ୍ରହଣକୁ ଉତ୍ସାହିତ କରିବାରେ ଏହି କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଟ ମାଧ୍ୟମ ହୋଇପାରିବ ବୋଲି ଆଶା କରାଯାଏ। ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ କ୍ରୀଡ଼ା-ଗୋଷ୍ଠୀମାନଙ୍କୁ ଏକତ୍ରିତ କରି ଉଦୀୟମାନ ଖେଳାଳିଙ୍କୁ ଉତ୍ସାହିତ କରିବ। କ୍ରୀଡ଼ାକୁ ଏକ ବୃତ୍ତିଗତ ପସନ୍ଦ ଭାବରେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିପାରିବ।
କ୍ରୀଡ଼ାବିତ୍‌ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ସରକାରୀ ପ୍ରୋତ୍ସାହନ ବ୍ୟତିରେକେ ବୃତ୍ତିଗତ କ୍ରୀଡ଼ା ଲିଗ୍‌ଗୁଡ଼ିକ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ସମଗ୍ର ବିଶ୍ୱରେ ଫୁଟବଲ୍‌, ଟେନିସ୍‌, କ୍ରିକେଟ୍‌, ବାସ୍କେଟବଲ୍‌, ବକ୍ସିଂ ଓ ଦୌଡ଼-କୁଦ ଭଳି କିଛି କ୍ରୀଡ଼ାର ମାନ ବୃଦ୍ଧିରେ ବୃତ୍ତିଗତ କ୍ରୀଡ଼ାର ଯଥେଷ୍ଟ ଅବଦାନ ରହିଛି। ବିଜ୍ଞାପନ ଅଧିକାର ଓ ଟେଲିଭିଜନ୍‌ ପ୍ରସାରଣ ମାଧ୍ୟମରେ ଆସୁଥିବା ପ୍ରଚୁର ଅର୍ଥରାଶି ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କୁ ଏହି ଲିଗ୍‌ଗୁଡ଼ିକ ପ୍ରତି ଆକର୍ଷିତ କରିଥାଏ। ବିଶ୍ୱସ୍ତରୀୟ କ୍ରୀଡ଼ା-ପ୍ରଶିକ୍ଷକ, ସର୍ବୋତ୍ତମ କ୍ରୀଡ଼ା ଉପକରଣ ଉପଲବ୍ଧ କରିବା ବ୍ୟତୀତ କ୍ରୀଡ଼ା ଶୃଙ୍ଖଳ ବିଷୟରେ ବୈଜ୍ଞାନିକ ଦୃଷ୍ଟିକୋଣ ଆପଣାଇବାରେ ଏହି ଲିଗ୍‌ଗୁଡ଼ିକ ସହାୟକ ହୋଇଥାଆନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଘରୋଇ ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଇ ନିଜର ଦକ୍ଷତାକୁ ଆକଳନ କରିବା ସହ ନୂଆ ନୂଆ କୌଶଳ ଶିଖିବାର ସୁଯୋଗ ପାଉଛନ୍ତି। କ୍ରିକେଟ୍‌ ଖେଳରେ ‘ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌’ ଲୋକାଦୃତ ହୋଇପାରିଛି। ୨୦୧୩ରେ ‘ହକି ଇଣ୍ଡିଆ ଲିଗ୍‌’ ଆରମ୍ଭ ହେବା ପରେ ଭାରତ ଏଫ୍‌ଆଇଏଚ୍‌ ମାନ୍ୟତାରେ ଦଶମରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇପାରିଛି। ଦୀର୍ଘ ୪୧ବର୍ଷ ପରେ ଭାରତ ହକିରେ ଅଲିମ୍ପିକ୍ସ ପଦକ ପାଇବାକୁ ସକ୍ଷମ ହୋଇପାରିଛି। ସେହିଭଳି ଫୁଟ୍‌ବଲ ଖେଳରେ ‘ଇଣ୍ଡିଆନ୍‌ ସୁପର ଲିଗ୍‌’ ମାଧ୍ୟମରେ ବିଶ୍ୱର କିଛି ନାମୀଦାମୀ ଖେଳାଳିଙ୍କ ସହିତ ଖେଳିବା ଦ୍ୱାରା ଭାରତ ଫିଫା ମାନ୍ୟତାରେ ୨୦୧୫ର ୧୭୩ତମ ସ୍ଥାନରୁ ଉନ୍ନୀତ ହୋଇ ୨୦୨୧ରେ ୧୦୫ତମ ସ୍ଥାନରେ ପହଞ୍ଚତ୍ଛି।
ଭାରତର ଅପାରଗ କ୍ରୀଡ଼ା-ପ୍ରଶାସନ ଏହି ଦିଗରେ ଆଉ ଏକ ସମସ୍ୟା। ଭାରତୀୟ କ୍ରୀଡା ଫେଡେରେଶନଗୁଡ଼ିକ ଦାୟିତ୍ୱ ବିନା କ୍ଷମତା ଉପଭୋଗ କରନ୍ତି। ପ୍ରଶାସନରେ ସ୍ବଚ୍ଛତାର ଅଭାବ ଏବଂ ଅଧିକାର ତଥା ଦାୟିତ୍ୱବୋଧ ଭିତରେ ଅସ୍ପଷ୍ଟ ସୀମାରେଖା ଏକ ଦ୍ୱନ୍ଦ୍ୱାତ୍ମକ ଓ ଦୁର୍ନୀତିର ପରିବେଶ ସୃଷ୍ଟି କରିଛି। ଫେଡେରେଶନଗୁଡ଼ିକରେ ପ୍ରିୟାପ୍ରୀତି ତୋଷଣ, କର୍ମକର୍ତ୍ତା ନିର୍ବାଚନରେ ଜାଗିରିଦାରି ପ୍ରଥାର ପ୍ରାଦୁର୍ଭାବ ଓ ଆର୍ଥିକ ଅନିୟମିତତା ଭାରତୀୟ କ୍ରୀଡ଼ାକୁ କବଳିତ କରି ରଖିଛି। ଲୋଧା କମିଟି ସୁପାରିସ ଆଧାରରେ ବିସିସିଆଇରୁ ଅଳିଆ ସଫା ହେଲା ଭଳି ଦେଶର ଅନ୍ୟାନ୍ୟ କ୍ରୀଡ଼ା-ଫେଡେରେଶନଗୁଡ଼ିକର ନବକଳେବର କରାଯାଇପାରିଲେ, ସେମାନଙ୍କର କାର୍ଯ୍ୟକଳାପକୁ ଶୃଙ୍ଖଳିତ ଓ ଦାୟିତ୍ୱପୂର୍ଣ୍ଣ କରାଯାଇପାରନ୍ତା।
ଭାରତକୁ କୁସ୍ତି, ଭାରୋତ୍ତୋଳନ, ବ୍ୟାଡ୍‌ମିଣ୍ଟନ ଓ ସେହିପରି ଅନ୍ୟାନ୍ୟ କ୍ରୀଡ଼ା ଏବଂ ଖେଳ ଚୟନ କରିବାର ଅଛି, ଯେଉଁଥିରେ ସ୍ବଳ୍ପ ଖର୍ଚ୍ଚରେ ହଜାର ହଜାର କ୍ରୀଡ଼ା ପରିସର ସୃଷ୍ଟି କରି ଲୋକଙ୍କ ନିକଟତର କରାଯାଇପାରିବ। ଅତ୍ୟଧିକ ସୁଇମିଂ ପୁଲ୍‌ କିମ୍ବା ଦାମୀ ସୁଟିଂ ରେଞ୍ଜ୍‌ ନିର୍ମାଣ କରି ପ୍ରଥମ-ବିଶ୍ୱର ଦେଶଗୁଡ଼ିକ ସହିତ ପ୍ରତିଯୋଗିତା କରିବା ଭାରତ ଭଳି ଏକ ବିକାଶଶୀଳ ଦେଶ ପକ୍ଷରେ ସମ୍ଭବ ନୁହେଁ।
ଯାହାହେଉ, ଭାରତରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ନିବେଶ ହେଉଛି। ସବୁ ଭିତ୍ତିଭୂମି ବ୍ୟବହୃତ ହେଉନାହିଁ। ସମସ୍ୟା ଭିତ୍ତିଭୂମି ନିର୍ମାଣରେ ନାହିଁ। କ୍ରୀଡ଼ା ପ୍ରଶିକ୍ଷଣ ଓ ଅଧ୍ୟୟନ ଦିଗରେ ଅଧିକ ନିବେଶ ହେବାର ଅଛି। ଦେଶର କିଛି ନାଗରିକ ସମାଜ ସଂଗଠନ ତୃଣମୂଳ ସ୍ତରରେ ପିଲାମାନଙ୍କୁ କ୍ରୀଡ଼ା ଶିକ୍ଷା ପାଇଁ ଉପଯୁକ୍ତ ମାଧ୍ୟମ ଯୋଗାଇ ଦେଇ ସେମାନଙ୍କୁ ବଡ଼ ସ୍ବପ୍ନ ଦେଖିବାର ଆଶା ସଞ୍ଚାର କରୁଛନ୍ତି। ପିଲାମାନଙ୍କର ଦୈନନ୍ଦିନ ଜୀବନରେ କ୍ରୀଡ଼ାକୁ ଅନ୍ତର୍ଭୁକ୍ତ କରି ସେମାନଙ୍କର ଆତ୍ମବିଶ୍ୱାସ, ଆତ୍ମୋନ୍ନତି ଓ ବ୍ୟକ୍ତିତ୍ୱ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। କ୍ରୀଡ଼ାରେ ସେମାନଙ୍କ ପାଇଁ ଏକ ସମ୍ଭାବ୍ୟ ବୃତ୍ତିର ଦ୍ୱାର ଖୋଲିବାର ପ୍ରଚେଷ୍ଟା ମଧ୍ୟ କରୁଛନ୍ତି। ତେଣୁ, ସରକାରୀ-ଘରୋଇ ସହଭାଗିତାରେ ଏ ଦିଗରେ ଅନେକ କାର୍ଯ୍ୟ କରାଯାଇପାରିବ। ଭାରତର କ୍ରୀଡ଼ା ପ୍ରଦର୍ଶନକୁ ଏହାର ଜନସଂଖ୍ୟା ଏବଂ କ୍ରମବର୍ଦ୍ଧମାନ ଅର୍ଥନୈତିକ ସ୍ତର ଅନୁରୂପ କରିବାକୁ ହେଲେ କ୍ରୀଡ଼ା ପରିବେଶ ତନ୍ତ୍ରକୁ ବ୍ୟବସ୍ଥିତ କରିବାକୁ ହେବ। ଏଥିପାଇଁ ଏକ ଦୀର୍ଘକାଳୀନ ରଣନୀତିର ଆବଶ୍ୟକତା ରହିଛି। ଆଉ ଏହି ରଣନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦେଶକୁ ଆବଶ୍ୟକ ଏକ ପ୍ରେରଣାଦାୟୀ କ୍ରୀଡ଼ା ସଂସ୍କୃତି।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri