ଭିନ୍ନ ଜଣେ ସନ୍ନ୍ୟାସୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମୋ ପୁଅ ଚବିଶ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲା- ଏ କଥା ତାଙ୍କ ଜୀବନର ସାୟାହ୍ନରେ ଗର୍ବର ସହ କହିଥିଲେ ସ୍ବାମୀ ବିବେକାନନ୍ଦଙ୍କ ମାତା ଭୁବନେଶ୍ୱରୀ ଦେବୀ। ଏହି ଦେଶରେ ମୁକ୍ତିସନ୍ଧାନୀ ମଣିଷ ପାରିବାରିକ ମାୟାବନ୍ଧନକୁ ଛିନ୍ନ କରି ସନ୍ନ୍ୟାସବ୍ରତ ଗ୍ରହଣ କରିଛନ୍ତି। ତା’ପରେ ସେମାନେ ଆଉ ପାରିବାରିକ ମୋହରେ ଛନ୍ଦି ହୋଇନାହାନ୍ତି। ମାତ୍ର ବିବେକାନନ୍ଦ ଥିଲେ ଜଣେ ଭିନ୍ନ ସନ୍ନ୍ୟାସୀ। ତାଙ୍କର ସନ୍ନ୍ୟାସ ନିଜର ମୁକ୍ତି ପାଇଁ ଅଭିପ୍ରେତ ନ ଥିଲା। ତାହାଥିଲା ଜଗତର ମୁକ୍ତି ପାଇଁ। ତାଙ୍କ ନିଜ ଭାଷାରେ, ”ସନ୍ନ୍ୟାସର ଅର୍ଥ ହେଲା ମୃତ୍ୟୁକୁ ଭଲପାଇବା, ଆମତ୍ହତ୍ୟା ନୁହେଁ- ମରଣ ଅବଶ୍ୟମ୍ଭାବୀ ବୋଲି ଜାଣି ମଧ୍ୟ ନିଜକୁ ସର୍ବତୋଭାବେ ତିଳ ତିଳ କରି ଅନ୍ୟମାନଙ୍କ ନିମନ୍ତେ ଉତ୍ସର୍ଗ କରିବା।“ ତଦନୁଯାୟୀ ସେ ‘ବହୁଜନହିତାୟ ବହୁଜନସୁଖାୟ’କୁ ନିଜର ବ୍ରତ ଭାବରେ ଗ୍ରହଣ କରିନେଲେ। ମାତ୍ର ଯାହାଙ୍କ ଜଠରରୁ ସେ ଭୂମିଷ୍ଠ ହୋଇଛନ୍ତି, ଯାହାଙ୍କ ସ୍ତନ୍ୟପାନ କରି ସେ ନିଜର ଜୀବନରକ୍ଷା କରିଛନ୍ତି, ତାଙ୍କୁ ସେ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିପାରି ନାହାନ୍ତି। ସନ୍ନ୍ୟାସୀର କର୍ତ୍ତବ୍ୟ ଓ ସନ୍ତାନର କର୍ତ୍ତବ୍ୟ ମଧ୍ୟରେ ସେ ଏକ ଅପୂର୍ବ ସମନ୍ବୟ ସ୍ଥାପନ କରି ହୋଇଛନ୍ତି ଜଣେ ଅନନ୍ୟ ସନ୍ନ୍ୟାସୀ।
ସ୍ବାମିଜୀଙ୍କ ବିବେକରେ ସହାବସ୍ଥାନ କରିଥିଲା ଉଭୟ ବୈରାଗ୍ୟ ଓ ପ୍ରେମ। ତାଙ୍କ ଗୃହୀଭକ୍ତ ବଳରାମ ବୋଷଙ୍କ ଦେହାନ୍ତ ଖବର ଶୁଣି ସେ କାନ୍ଦି ପକାଇବାରୁ ଜଣେ ଶିଷ୍ୟ ତାଙ୍କୁ କହିଲେ ସନ୍ନ୍ୟାସୀଙ୍କ ପକ୍ଷେ ଶୋକ ପ୍ରକାଶ କରିବା ଉଚିତ ନୁହେଁ। ବିବେକାନନ୍ଦ ଉତ୍ତର ଦେଲେ, ”ସନ୍ନ୍ୟାସୀ ହୋଇଛି ବୋଲି କ’ଣ ହୃଦୟଟାକୁ ବିସର୍ଜନ କରିଦେବି? ପ୍ରକୃତ ସନ୍ନ୍ୟାସୀର ହୃଦୟ ସାଧାରଣ ଲୋକର ହୃଦୟ ଅପେକ୍ଷା ଅଧିକ କୋମଳ ହେବା ଉଚିତ। ଯେଉଁ ସନ୍ନ୍ୟାସୀ ହୃଦୟକୁ ପାଷାଣ କରିବା ନିମନ୍ତେ ଉପଦେଶ ଦିଏ, ମୁଁ ସେପରି ସନ୍ନ୍ୟାସକୁ ଗ୍ରାହ୍ୟ କରେନା।“ ଯିଏ ଜଣେ ଗୃହୀଭକ୍ତଙ୍କ ମୃତ୍ୟୁରେ ଲୁହ ଗଡ଼ାଇପାରନ୍ତି, ସେ ଗର୍ଭଧାରିଣୀ ଜନନୀଙ୍କ ପ୍ରତି ଆନୁଗତ୍ୟରୁ ମୁକ୍ତ ହୋଇଥାନ୍ତେ କିପରି? ସନ୍ନ୍ୟାସ ଗ୍ରହଣ କରିବା ପରେ ସେ ଥରେ ତାଙ୍କ ଗୁରୁଭାଇଙ୍କୁ ଚିଠିରେ ଲେଖିଥିଲେ, ”ମୁଁ ବଡ଼ ଅଯୋଗ୍ୟ ସନ୍ତାନ। ମାଆଙ୍କର କିଛି କରିପାରିଲି ନାହିଁ, କେଉଁଠି ତାଙ୍କୁ ଭସାଇ ଦେଇ ଚାଲିଆସିଲି। ଯେତେବେଳେ ସଂସାର ତ୍ୟାଗ କଲି, ସେତେବେଳେ ମୋର ଗୋଟିଏ ଚକ୍ଷୁରେ ଶୋକାଶ୍ରୁ; ମାଆ, ଆଈ ଓ ଭାଇଭଉଣୀମାନଙ୍କୁ ଛାଡ଼ି ଚାଲିଯିବା ପାଇଁ ଭୀଷଣ ଖରାପ ଲାଗିଥିଲା। କିନ୍ତୁ ଦ୍ୱିତୀୟ ଚକ୍ଷୁରେ ମୋ ଆଦର୍ଶର କଥା ଭାବି ପ୍ରକାଶ ପାଇଥିଲା ଆନନ୍ଦାଶ୍ରୁ।“
ଜମିବାଡ଼ିକୁ ନେଇ ଦୀର୍ଘଦିନ ଧରି ମାତା ଭୁବନେଶ୍ୱରୀ ମକଦ୍ଦମାରେ ଛନ୍ଦି ହୋଇ ଅର୍ଥାଭାବରେ ପଡ଼ିଥିଲେ। ପିତା ବିଶ୍ୱନାଥ ଦତ୍ତଙ୍କ ମୃତ୍ୟୁପରେ ସଂପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ କାକାପୁଅ ଭାଇଙ୍କ ସ୍ତ୍ରୀ ଅଦାଲତରେ ଅଭିଯୋଗ କଲେ ଯେ, ଭୁବନେଶ୍ୱରୀଙ୍କ ସମସ୍ତ ଭୂସମ୍ପତ୍ତି ତାଙ୍କ ସ୍ବାମୀ ତାରକାନାଥଙ୍କ ଦ୍ୱାରା ଉପାର୍ଜିତ ଅର୍ଥରେ କିଣା ହୋଇଥିଲା। ଏହାର ଆଇନଗତ ମୁକାବିଲା କରିବା ପାଇଁ ସନ୍ନ୍ୟାସୀ ବିବେକାନନ୍ଦଙ୍କୁ ଅଦାଲତ ଦଉଡ଼ି ଦଉଡ଼ି ନୟାନ୍ତ ହେବାକୁ ପଡ଼ିଥିଲା। ଅକଥନୀୟ ଦାରିଦ୍ର୍ୟ ମଧ୍ୟରେ ତାଙ୍କୁ ଗତି କରିବାକୁ ହେଲା। ବରାନଗରରେ ସାଧନା କରୁଥିବା ବେଳେ ତାଙ୍କୁ ମକଦ୍ଦମା କଥା ମଧ୍ୟ ବୁଝିବାକୁ ପଡ଼ୁଥିଲା। ଧାରସୂତ୍ରରେ ଅର୍ଥ ଆଣିବାକୁ ହେଉଥିଲା। ସନ୍ନ୍ୟାସ ଗ୍ରହଣ କଲା ପରେ ମଧ୍ୟ ବିବେକାନନ୍ଦ ମା’ଙ୍କ ବିଷୟରେ ସର୍ବଦା ଚିନ୍ତିତ ଥିଲେ। ଥରେ ସ୍ବାମୀ ବ୍ରହ୍ମାନନ୍ଦଙ୍କ ନିକଟକୁ ଚିଠିରେ ଲେଖିଥିଲେ, ”ମୁଁ ଶୀଘ୍ର ଦେହ ତ୍ୟାଗ କରିବି। ତୁ ହିଁ ମୋ ମା’ଙ୍କର ଓ ଘରବାଡ଼ିର ସମସ୍ତ ବନ୍ଦୋବସ୍ତ କରିବୁ। ତାଙ୍କୁ ତୀର୍ଥ ଦର୍ଶନ କରାଇବୁ। ତୋ ଉପରେ ଏହି ଦାୟିତ୍ୱ ରହିଲା।“ ମକଦ୍ଦମା ଲମ୍ବି ଚାଲିଥିଲା। କଲିକତା ରହଣି ସମୟରେ ସେ ମଝିରେ ମଝିରେ ମା’ଙ୍କୁ ସାକ୍ଷାତ୍‌ କରୁଥିଲେ। ପରିବ୍ରାଜକ ଜୀବନରେ ମଧ୍ୟ ସେ ମା’ଙ୍କ ଚିନ୍ତାରୁ ମୁକ୍ତ ହୋଇପାରୁ ନ ଥିଲେ। ଦେୱାନ ହରିଦାସ ଦେଶାଇଙ୍କୁ ସେ ଲେଖିଥିଲେ, ”ଏହି ବିପୁଳ ସଂସାରରେ ମୋର ଭଲପାଇବାର ପାତ୍ର ଯଦି କେହିଥାଏ, ତେବେ ସେ ମୋର ମାଆ। ଗୋଟିଏ ଦିଗରେ ଭାରତବର୍ଷ- ଲକ୍ଷ ଲକ୍ଷ ନରନାରୀଙ୍କ ଦୁଃଖ ଓ ଅନ୍ୟ ଦିଗରେ ମୋର ଯେତେ ସବୁ ନିକଟ ଆମତ୍ୀୟସ୍ବଜନ ଅଛନ୍ତି, ସେମାନଙ୍କ ଦୁଃଖ ଦୁର୍ଦ୍ଦଶାର କାରଣ ହେବା- ଏହି ଦୁଇଟି ମଧ୍ୟରୁ ପ୍ରଥମଟି ମୁଁ ବ୍ରତ ଭାବରେ ଗ୍ରହଣ କରିଛି। ବାକି ଯାହା କିଛି ଈଶ୍ୱର ହି ଁ ସଂପନ୍ନ କରିବେ।“
ସ୍ବାମିଜୀ ୧୮୯୪ ମସିହାରେ ବୋଷ୍ଟନ୍‌ରେ ଥିବାବେଳେ ‘ମାଇଁ ମଦର’ ଶୀର୍ଷକରେ ଏକ ବକ୍ତୃତା ଦେଇଥିଲେ। ବକ୍ତବ୍ୟ ଶୁଣି ଶ୍ରୋତାମାନେ ଏତେ ମୋହିତ ହୋଇଥିଲେ ଯେ ବଡ଼ଦିନ ଉତ୍ସବ ପାଳନ ଅବସରରେ ସେମାନେ ସ୍ବାମିଜୀଙ୍କ ଅଜ୍ଞାତରେ ମେରୀ ଅଙ୍କ ସୁଶୋଭିତ ବାଳକ ଖ୍ରୀଷ୍ଟଙ୍କ ଏକ ସୁନ୍ଦର ଚିତ୍ର ଖଣ୍ଡିଏ ପତ୍ର ସହ ତାଙ୍କ ମାଆଙ୍କ ନିକଟକୁ ପଠାଇଥିଲେ। ସ୍ବାମିଜୀ ଭଗବାନ ଯିଶୁ ସଦୃଶ, ଏହି ଭାବଟି ଚିଠିରେ ପ୍ରକାଶ ପାଇଥିଲା। ୧୮୯୮ ମସିହା ନଭେମ୍ବର ୨୨ ତାରିଖରେ ସ୍ବାମିଜୀ ବେଲୁଡ଼ ମଠରୁ ଖେତଡ଼ି ରାଜାଙ୍କୁ ଏକ ଗୋପନ ଚିଠି ପଠାଇଥିଲେ। ସେଥିରେ ଲେଖାଥିଲା, ”ମୋ ଛାତି ଭିତରେ ଗୋଟିଏ ପାପ ମୋତେ ସଦାସର୍ବଦା ପୀଡ଼ା ଦେଇ ଚାଲିଛି- ମୋ ମାଆଙ୍କ ପ୍ରତି ମୁଁ ଅବିଚାର କରିଛି। ମୋର ମଧ୍ୟମ ଭ୍ରାତା ବାହାରକୁ ଚାଲିଯିବାରୁ ମାଆ ଦୁଃଖରେ ମୁହ୍ୟମାନ। ଏବେ ମୋର ଇଚ୍ଛା, ଅନ୍ତତଃ କିଛିଦିନ ପାଇଁ ମାଆଙ୍କ ପାଖରେ ରହିବାକୁ ଚାହେଁ। ଆମ୍ଭମାନଙ୍କ ବଂଶଟି ଯେପରି ଲୋପ ପାଇ ନ ଯାଏ, ସେଥିପାଇଁ ସାନଭାଇକୁ ବାହା କରାଇବାକୁ ଚାହେଁ। ଏହା ଫଳରେ ମୋ ମାଆଙ୍କ ଶେଷ କେଇଟା ଦିନ ଶାନ୍ତିରେ କଟିପାରିବ। ମାଆ ଏବେ ରହୁଛନ୍ତି ଏକ ଜଘନ୍ୟ ବସାରେ। ତାଙ୍କ ପାଇଁ ଘରଟିଏ କରିଦେବାକୁ ଇଚ୍ଛା।“ ଏଥିପାଇଁ ସାହାଯ୍ୟ କରିବା ପାଇଁ ସେ ଖେତଡ଼ି ମହାରାଜାଙ୍କୁ ଅନୁରୋଧ କରିଥିଲେ। ସେ ୧୮୯୯ ମସିହାରେ ନ୍ୟୁୟର୍କରେ ଥିବାବେଳେ ମଧ୍ୟ ମକଦ୍ଦମା ଚିନ୍ତାରୁ ମୁକ୍ତ ନ ଥିଲେ। ସେଠାରୁ ମକଦ୍ଦମା ଖର୍ଚ୍ଚ ପାଇଁ ୧୩୦୦ ଟଙ୍କା ପଠାଇଥିଲେ। ପୁନଶ୍ଚ ଶ୍ରୀମତୀ ସାରା ବୁଲ୍‌ଙ୍କୁ ସେ ଲେଖିଥିଲେ, ”ମିଷ୍ଟର ଲେଗେଟ୍‌ଙ୍କ ପାଖରେ ମୋର ଗଚ୍ଛିତ ପାଣ୍ଠି ୧ ହଜାର ପାଉଣ୍ଡ ଅଛି। ମୁଁ ଯଦି ମରିଯାଏ, ତା’ହେଲେ ଦୟାକରି ଏହି ଟଙ୍କା ମୋ ମା’ଙ୍କ ପାଖକୁ ପଠାଇଦେବ।“
ସ୍ବାମିଜୀ ପ୍ରବାସରେ ଥାଇ ମଧ୍ୟ ମାଆଙ୍କ ପାଇଁ ଚିନ୍ତିତ ଥିଲେ। ୧୭ ଜାନୁୟାରୀ ୧୯୦୦ ଦିନ ଲସ୍‌ ଏଞ୍ଜେଲ୍‌ସରୁ ସେ ମିସେସ୍‌ ବୁଲ୍‌ଙ୍କୁ ଜଣାଇଥିଲେ ଯେ, ସେ କିଛି ସମୟ ପାଇଁ ମାଆଙ୍କ ପାଖକୁ ଫେରିବା ପାଇଁ ଚାହାନ୍ତି ଓ ତାଙ୍କର ଶେଷଦିନଗୁଡ଼ିକ ସମସ୍ୟାମୁକ୍ତ ରଖିବାକୁ ଚାହାନ୍ତି। ପୁନଶ୍ଚ ଶଙ୍କରାଚାର୍ଯ୍ୟଙ୍କ ପଥ ଗ୍ରହଣ କରିବା ପାଇଁ ସେ ଇଚ୍ଛା କରିଥିଲେ। ଶଙ୍କର ୧୬ ବର୍ଷ ବୟସରେ ସଂସାରତ୍ୟାଗୀ ହୋଇଥିଲେ। ଯେତେବେଳେ ସେ ସନ୍ନ୍ୟାସ ଗ୍ରହଣ କରିବା ପାଇଁ ମାଆଙ୍କ ଅନୁମତି ଚାହିଁଲେ ମାଆ କହିଲେ, ”ତୁମେ ଚାଲିଗଲେ ମୋର ସେବା ଓ ସକତ୍ାର କରିବ କିଏ?“ ଶଙ୍କର କହିଲେ, ”ମାଆ, ମୁଁ ଯେଉଁଠି ଥିଲେ ବି ଯଥା ସମୟରେ ଉପସ୍ଥିତ ହୋଇ ତୁମର ସକତ୍ାର କରିବି। ସନ୍ନ୍ୟାସୀ ପକ୍ଷରେ ଏହା ନିଷିଦ୍ଧ ହୋଇଥିଲେ ମଧ୍ୟ ମୁଁ ଏହା ଅବଶ୍ୟ କରିବି।“ ଶଙ୍କର ଶୃଙ୍ଗେରୀରେ ଥିବାବେଳେ ମାଆଙ୍କ ଅନ୍ତିମ ସମୟ ଉପସ୍ଥିତ ଜାଣି ଫେରିଆସିଲେ ନିଜ ଜନ୍ମସ୍ଥାନ କାଲାଡ଼ି ଗ୍ରାମକୁ। ମା’ଙ୍କ ଦେହାବସାନ ପରେ ମୁଖାଗ୍ନି ଦେଲେ ଓ ନିଜ ପ୍ରତିଜ୍ଞାକୁ ପୂରଣ କରିବା ପାଇଁ ସନ୍ନ୍ୟାସ ଧର୍ମକୁ ଲଂଘନ କଲେ। ଶଙ୍କରଙ୍କ ପଥକୁ ଅନୁସରଣ କରିଥିଲେ ସ୍ବାମୀ ବିବେକାନନ୍ଦ। ବିଶ୍ୱ ବିଜୟ କରି ସାରିବା ପରେ କଲିକତା ଫେରି ସେ ମାଆଙ୍କୁ ଦେଖାକରିବାକୁ ଯାଇଥିଲେ ଓ ତାଙ୍କ କୋଳରେ ମଥା ରଖି ଅସହାୟ ଶିଶୁଟିଏ ଭଳି କାନ୍ଦିଥିଲେ। ତାଙ୍କ ଇଚ୍ଛା ଥିଲା ଗଙ୍ଗାକୂଳରେ ଏକ ଛୋଟ ଘର ନିର୍ମାଣ କରି ତାଙ୍କ ମାଆ ଓ ବୃଦ୍ଧା ଆଈମା’ଙ୍କ ସେବା କରିବା, ମାତ୍ର ଅର୍ଥାଭାବ କାରଣରୁ ତାହା ସମ୍ଭବ ହୋଇପାରି ନ ଥିଲା। ୧୯୦୧ ଜାନୁୟାରୀ ୨୬ ତାରିଖରେ ସେ ଶ୍ରୀମତୀ ଓଲେ ବୁଲ୍‌ଙ୍କୁ ଲେଖିଥିଲେ, ”ମା’ଙ୍କ ସହ ମୁଁ ତୀର୍ଥଭ୍ରମଣ କରିବାକୁ ମନସ୍ଥ କରିଛି। ଜଣେ ହିନ୍ଦୁ ବିଧବାର ଏହା ଆନ୍ତରିକ କାମନା। ଜୀବନସାରା ମୁଁ ପରିବାରକୁ ଦୁଃଖ ଦେଇଛି। ମାଆଙ୍କ ଏହି ଇଚ୍ଛାକୁ ମୁଁ ପୂରଣ କରିବାକୁ ଚାହେଁ।“ ସେ ତାଙ୍କ ମାଆ ଓ କିଛି ସମ୍ପର୍କୀୟଙ୍କ ସହ ଢାକା, ପୂର୍ବବଙ୍ଗର ଚନ୍ଦ୍ରନାଥ ଓ ଆସାମର କାମାକ୍ଷା ତୀର୍ଥକୁ ଯାଇଥିଲେ। ତା’ପରେ ତାଙ୍କର ଶାରୀରିକ ଅସୁସ୍ଥତା ଅନ୍ୟ ତୀର୍ଥ ଭ୍ରମଣରେ ବାଧା ସୃଷ୍ଟି କରିଥିଲା। ତାଙ୍କର ଦେହାନ୍ତ ହେଲା ୪ ଜୁଲାଇ ୧୯୦୨ ଶୁକ୍ରବାର ରାତିରେ। ପରେ ସ୍ବାମୀ ବ୍ରହ୍ମାନନ୍ଦ ଓ ଜଣେ ସନ୍ନ୍ୟାସୀ ଭୁବନେଶ୍ୱରୀଙ୍କୁ ଅନ୍ୟାନ୍ୟ ତୀର୍ଥ ଦର୍ଶନ କରାଇ ତାଙ୍କ ଇଚ୍ଛାକୁ ପୂରଣ କରିଥିଲେ। ସନ୍ନ୍ୟାସୀ ଶଙ୍କର ମାଆଙ୍କ ଜୀବନର କେବଳ ଶେଷ ମୁହୂର୍ତ୍ତରେ ପହଞ୍ଚତ୍ ମୁଖାଗ୍ନି ଦେଇଥିଲେ। ମାତ୍ର ବିବେକାନନ୍ଦ ସନ୍ନ୍ୟାସ ଗ୍ରହଣ କରିଥିଲେ ମଧ୍ୟ ଜୀବନସାରା ପରିବାରର ମକଦ୍ଦମା ଓ ମାଆ ତଥା ଭାଇମାନଙ୍କ ବିଷୟରେ ଚିନ୍ତା କରୁଥିଲେ। ତାଙ୍କ ତରଫରୁ ମାଆଙ୍କ ଚଳିବା ପାଇଁ ଖେତଡ଼ି ରାଜା ଅଜିତ ସିଂହ ପ୍ରତିମାସ ଶହେ ଟଙ୍କା ପଠାଉଥିଲେ। ସନ୍ନ୍ୟାସର ଧର୍ମ ଓ ପାରିବାରିକ ଦାୟିତ୍ୱର ଏକ ଅପୂର୍ବ ସମନ୍ବୟ ସମ୍ପାଦନ କରି ସେ ହେଲେ ଜଣେ ଭିନ୍ନ ସନ୍ନ୍ୟାସୀ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?