ବଦଳିଯାଉଥିବା ସମ୍ପର୍କ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ପ୍ରାଚୀନ କାଳଖଣ୍ଡର ପୌରାଣିକ ଉପାଖ୍ୟାନମାନ କାନ ପାଇଁ ଶୁଣିବାକୁ ମିଠା ଲାଗେ ସିନା, ଏଇ ଆଧୁନିକ ଯୁଗରେ ତାହାର ବାସ୍ତବ ଦୃଷ୍ଟାନ୍ତ ସ୍ବର୍ଗର ପାରିଜାତ ପରି ଅତ୍ୟନ୍ତ ଦୁର୍ଲଭ। ପିତୃସତ୍ୟ ପାଳନର ଶପଥ ନେଇ ଅଯୋଧ୍ୟା ରାଜ ସିଂହାସନକୁ ତୁଚ୍ଛ କରି ଅଭିଷେକର ପୂର୍ବଦିନ ନିର୍ବାସନରେ ଯାଇଥିଲେ ରାମାୟଣର ଶ୍ରୀରାମ। ପୁଣି ତାଙ୍କ ପ୍ରତିଷ୍ଠା ଓ ପ୍ରତିପତ୍ତିକୁ ପୁଞ୍ଜି କରି ନାନା ଅନୀତି ଅନାଚାରରେ ବ୍ୟାପୃତ ରହୁଥିବା ନିଜ ଉଦ୍ଦଣ୍ଡ ଆତ୍ମଜମାନଙ୍କୁ ପରୋକ୍ଷ ଭାବେ ସମୂଳେ ବିନାଶ କରିଥିଲେ ମହାଭାରତର ଶ୍ରୀକୃଷ୍ଣ। ସତ୍ୟସାଧନ ଓ ନ୍ୟାୟିକ ଏବଂ ନୈତିକ ବ୍ୟବସ୍ଥାର ପ୍ରତିଷ୍ଠା ପାଇଁ ରାମାୟଣ, ମହାଭାରତର ଏଇ ଉଚ୍ଚ ଉଦାହରଣ ସାମ୍ପ୍ରତିକ ସମୟ ପାଇଁ କେବଳ କାହାଣୀ ହୋଇ ରହିଯାଇଛି। ଯେମିତି ଅବାସ୍ତବ, ସେମିତି ଅବିଶ୍ୱସନୀୟ ନା ସେମିତି ପିତୃସତ୍ୟ ପାଳନ ପାଇଁ ବଚନବଦ୍ଧ ରାମଙ୍କ ପରି ପୁଅ ଅଛନ୍ତି ନା ନିଜ ଉଦ୍ଦଣ୍ଡ ସନ୍ତାନମାନଙ୍କୁ ଦଣ୍ଡିତ କରିବାର ସାହସ ଓ ସାମର୍ଥ୍ୟ ରଖିଥିବା କୃଷ୍ଣଙ୍କ ପରି ପିତା ଅଛନ୍ତି!
ବର୍ତ୍ତମାନ ବଦଳିଯାଇଛି ସମାଜ। ଏବେ ପତ୍ନୀ ମୋହରେ ପୀଡ଼ିତ କେହି ସତ୍ୟନିଷ୍ଠ ପିତା ଦଶରଥଙ୍କ ପରି ତାଙ୍କ ଗୋଟିଏ ପୁଅକୁ ତା’ର ଅଧିକାରରୁ ବଞ୍ଚତ୍ତ କରି ଅନ୍ୟ ପୁଅ ପ୍ରତି ମୋହାବିଷ୍ଟ ହେଲେ ପରିଣାମ ହେବ ଅତ୍ୟନ୍ତ ପ୍ରତ୍ୟାଶିତ। କେଉଁଠି ବଞ୍ଚତ୍ତ ପୁଅର ଠେଙ୍ଗାମାଡ଼ରେ ବାପାର ପ୍ରାଣ ଯିବ ବା ଅନ୍ୟ କେଉଁଠି ଭାଇର ଭୁଜାଲି ମାଡ଼ରେ ଅନ୍ୟ ଭାଇଟି ଅକାଳରେ ଜୀବନ ହାରିବ। ପୁଣି ନିଜ କିଶୋର ପୁଅର ଗଜୁରି ଉଠୁଥିବା ଅଶିଷ୍ଟତାକୁ ଆକଟ ନ କରି ଯେଉଁଠି ପୁତ୍ରମୋହରେ ଅନ୍ଧ ବାପା ଜଣେ ତାକୁ ନିରବ ସମର୍ଥନ ଜଣାଏ ଓ ପରବର୍ତ୍ତୀ କାଳରେ କୁଖ୍ୟାତ ଅସାମାଜିକ ପୁଅର ମୁଷ୍ଟିମାଡ଼ରେ ସେଇ ବାପାର ଦାନ୍ତ ଭାଙ୍ଗେ, ସେଠି କେଉଁଠୁ ବା ମିଳନ୍ତେ ରାମଙ୍କ ପରି ପୁଅଟିଏ ଅବା କୃଷ୍ଣଙ୍କ ପରି ବାପା ଜଣେ!
ରାମ ଓ କୃଷ୍ଣମାନେ ଆଉ ନ ମିଳନ୍ତୁ। ସମୟ ବଦଳିଚାଲୁ, ତା’ ସହିତ ସମ୍ପର୍କ ବି। ଆଧୁନିକ ଜୀବନର ଅତିଭୋଗବାଦ ମଧ୍ୟରେ ଅଲୋଡ଼ା ହୋଇ ରହିଯାଉ ଅତୀତର ଆଦର୍ଶ, ଉଜୁଡ଼ିଯାଉ ସମ୍ପର୍କର ପବିତ୍ରତା। ମା’ବାପାଙ୍କ ସକଳ ତ୍ୟାଗ ମଧ୍ୟରେ ପରିପୁଷ୍ଟ ହୋଇଥିବା ସନ୍ତାନର ଶକ୍ତି ଓ ସାମର୍ଥ୍ୟ ମାତ୍ରାଧିକ ଭୋଗବାଦ ମଧ୍ୟରେ ଦିଗହରା ହୋଇ ଅବାଟରେ ମାଡ଼ିଚାଲୁ। ନିଜ ପିଲାକୁ ଭଲ ମଣିଷ ଅପେକ୍ଷା ବଡ଼ମଣିଷ ଭାବେ ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥିବା ମା’ବାପା ଦୁହେଁ ନିଜ ଝିଅପୁଅଙ୍କୁ ଭୁବନେଶ୍ୱରରୁ ବାଙ୍ଗାଲୋର, ବାଙ୍ଗାଲୋରରୁ ପୁଣେ ଓ ପୁଣି ପୁଣେରୁ ଆମେରିକା ଉଡ଼ିଯାଉଥିବାର ଦେଖି ଉଲ୍ଲାସ ପ୍ରକଟ କରନ୍ତୁ। ଅଥଚ ଏ ଉଲ୍ଲାସ ଅଳ୍ପାୟୁ ହୋଇ ଅକାଳରେ ଅପସରି ଯାଇ ଯେତେବେଳେ ମାଡ଼ିବସେ ଉଦାସୀନ ପୁତ୍ରକନ୍ୟାଙ୍କ ଅସହ୍ୟ ଅବହେଳା, ସେତେବେଳେ ଯାଇ ଜଣାପଡ଼େ କେତେ ଭୟଙ୍କର ହୋଇପାରେ ସମ୍ପର୍କର ସଙ୍କଟ। ନିଜ ପିଲାମାନଙ୍କୁ ଝୁରି ଝୁରି ମାଆ ଆଖି ବୁଜିଦିଏ। ଏକପତ୍ନୀ ବିହୀନ ପୃଥିବୀରେ ଏକା ଏକା ବଞ୍ଚତ୍ବାରେ ନିଜକୁ ଅଭ୍ୟସ୍ତ କରୁଥିବା ବେଳେ ହତଭାଗ୍ୟ ବାପା ଜଣକ ନିଜକୁ ଆବିଷ୍କାର କରନ୍ତି ହସ୍ପିଟାଲ ବେଡ୍‌ ଉପରେ। ପୁଅ ଅତ୍ୟଧିକ କାର୍ଯ୍ୟଚାପରେ ବିଦେଶରୁ ଆସିପାରେନା। ପିଲାଙ୍କ ଆସିବା ବାଟକୁ ଚାହିଁ ଚାହିଁ ବାପା ଆଖି ବୁଜି ଦେଲା ପରେ ତାଙ୍କ ଶବକୁ ଶ୍ମଶାନକୁ ନେଇ ଦାହ ସଂସ୍କାର କରନ୍ତି କେଉଁଠି ଘରର ଭଡ଼ାଟିଆମାନେ ତ ଆଉ କେଉଁଠି ସାହିପଡ଼ିଶାର ଚିହ୍ନାଜଣାମାନେ।
ସମ୍ପର୍କର ଏଇ ସଙ୍କଟ କେବଳ ମାତାପିତା ଓ ସେମାନଙ୍କ ପିଲାମାନଙ୍କ ମଧ୍ୟରେ ସୀମିତ ଥିଲେ ଆଉ କଥା ନ ଥାନ୍ତା। ମାତ୍ର ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅଗ୍ନିକୁ ସାକ୍ଷୀ ରଖି ସୃଷ୍ଟି ହୋଇଥିବା ସ୍ବାମୀ-ସ୍ତ୍ରୀ ସମ୍ପର୍କ ହେଉ କି ବିନା କୌଣସି ବୈଦିକ ବନ୍ଧନରେ କେବଳ ପାରସ୍ପରିକ ଚୁକ୍ତି ଉପରେ ଆଧାରିତ ସହବାସୀ ବା ଲିଭ୍‌-ଇନ୍‌ ସମ୍ପର୍କ ହେଉ, ଦୁଇ ବିପରୀତ ଲିଙ୍ଗୀ ସମ୍ପର୍କ ବି ଏଠି ସମ ପରିମାଣରେ ରୋଗାକ୍ରାନ୍ତ, ବିନା ନୈତିକତାରେ ସଙ୍କଟଗ୍ରସ୍ତ। ପତ୍ନୀପତି ସମ୍ପର୍କର ମୂଳ ଆଧାର ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ଆଜି ଗୁରୁତର ଭାବେ ପ୍ରଭାବିତ। ତାହା ଯାହା ବି ଥିଲା, ଏବେ ଏବେ ମୁକ୍ତ ଚେତନା ଭଳି ଏକ ଅନ୍ଧ ଆଧୁନିକତାର ଆହ୍ବାନରେ ପରକୀୟା ପ୍ରୀତି ଆଉ ଏକ ଅପରାଧ ଭାବେ ଗଣାଯାଉ ନ ଥିବାରୁ ସମସ୍ତ ମାନବୀୟ ସଂସ୍କାର, ସଂସ୍କୃତି ଓ ନୈତିକ ମୂଲ୍ୟବୋଧକୁ ପାଦରେ ଆଡ଼େଇ ଉଭୟ ପତ୍ନୀପତି କମ୍‌ ମଣିଷ, ବେଶୀ ପଶୁ ହୋଇ ଆଗେଇ ଚାଲୁଛନ୍ତି।
ପୁଣି ବିବାହ ଭଳି ଏକ ବୈଦିକ ବନ୍ଧନକୁ ଅସ୍ବୀକାର କରି ଦୁଇ ପ୍ରାପ୍ତ ବୟସ୍କ ଯୁବକ ଯୁବତୀଙ୍କ ସହବାସୀ ସମ୍ପର୍କ ଯେଉଁ ଦିନରୁ ଉଚ୍ଚତମ ନ୍ୟାୟାଳୟର ସ୍ବୀକୃତି ଲାଭ କଲାଣି ସେହିଦିନରୁ ପରିଲକ୍ଷିତ ହେଲାଣି ଉଚ୍ଛୃଙ୍ଖଳ ଯୁବବର୍ଗଙ୍କ ବ୍ୟକ୍ତିଜୀବନର ବିକାର ଓ ଗୋଷ୍ଠୀ ଜୀବନର ବିକୃତି। ମଣିଷତ୍ୱର ମରୁଡ଼ି ପଡ଼ିଲାଣି। ସଂସାର ସଡ଼କରେ ନିଜ ନିଜର ଜୀବନଯାତ୍ରାକୁ ସୁଖମୟ ଓ ଜଞ୍ଜାଳମୁକ୍ତ କରିବା ପାଇଁ ଜୀବନସାଥୀର ପରିଭାଷାକୁ ଜୋରଜବରଦସ୍ତ ବଦଳାଇ ଦିଆଗଲାଣି। ଅବଶ୍ୟ ଏ କଥା ଅସ୍ବୀକାର୍ଯ୍ୟ ନୁହେଁ ଯେ ଏଭଳି ସଂସ୍କାରଚ୍ୟୁତ, ନୈତିକତା ଓ ବୈଦିକତାବିହୀନ ସମ୍ପର୍କ ପ୍ରତିଷ୍ଠା ପାଇଁ ବେଶ୍‌ କିଛି ଲୋକଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି। ଏଇ ଯେମିତି ଏବେ ନିଜ ଦୁର୍ଭାଗ୍ୟ ଉପରେ ମୁଣ୍ଡକୋଡ଼ି କାନ୍ଦୁଥିବା ଅଜୟର କଥା।
ଅଜୟ ଏକ ଅଶୁଭ ପୁତ୍ରର ନାମ। ଅକାଳରେ ଉଜୁଡ଼ି ଯାଇଥିବା ଏକ ଯୌବନ, ଅଧାରୁ ହଜି ଯାଇଥିବା ଏକ ସ୍ବପ୍ନର ନାମ ଅଜୟ। ସ୍ବଚ୍ଛଳ ପରିବାରରେ ଜନ୍ମ ନେଇପାରି ନ ଥିବା ଅଜୟ ବହୁ ବାଧାବିଘ୍ନଠୁ ବାଟ ଭାଙ୍ଗି, ବାପା ମା’ଙ୍କ ଉପରେ ବୋଝ ନ ହୋଇ ଏକ ଘରୋଇ ବ୍ୟାଙ୍କରେ କିରାଣି ଭଳି ଏକ ଅନୁଜ୍ଜ୍ୱଳ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲା। ଅନ୍ୟ ବହୁ ନିମ୍ନ ମଧ୍ୟବିତ୍ତ ପରିବାରର ଯୁବକଙ୍କ ପରି ନିଜ ଇଚ୍ଛା ମୁତାବକ ଜୀବନଟିଏ ଜିଇବାର ସମ୍ବଳ ସାମର୍ଥ୍ୟ ନ ଥିଲେ ବି ଆପଣାର ସୁନ୍ଦର ଚେହେରା ପାଇଁ ଜଣେ ରୂପବତୀ ତଥା ସ୍ବଚ୍ଛଳ ଆଧୁନିକ ପରିବାରର କନ୍ୟାଙ୍କ ପ୍ରେମାସ୍ପନ୍ଦ ହେବାର ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟ ପ୍ରେମୀଯୁଗଳଙ୍କ ପରି ବିବାହଯାଏ କଥା ଗଲା। ବାପା ମା’ଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ପରିଣତ ବୟସର ପିତାମାତାଙ୍କ ପାଇଁ ଆବଶ୍ୟକ ଥିଲା ଏକ ବୋହୂ। ମାତ୍ର ବିବାହ କଥା ଉଠୁ ଉଠୁ ସ୍ପଷ୍ଟ ମନା କରିଦେଲେ ଧନୀ ଲଳନା। କେହି କାହା ପିତାମାତାଙ୍କୁ ନ ଜଣାଇ ଦୁହେଁ ରହିଲେ ଲିଭ-ଇନ୍‌ ରିଲେଶନ ବା ସହବାସୀ ସମ୍ପର୍କରେ। ଝିଅର ବାପା ମା’ ଜାଣିଥିଲେ କି ନାହିଁ ଜଣାନାହିଁ। ମାତ୍ର କୌଣସି ସୂତ୍ରରୁ ଅଜୟର ବାପାମା’ ଜାଣି ଦୁଃଖିତ ହୋଇପଡ଼ିଲେ। ପୁଅକୁ ବହୁ ଭାବେ ବୁଝାଇଲେ ବି ସେ ବୁଝିଲା ନାହିଁ। ସେହି ଧକ୍କା ସହି ନ ପାରି ବିକଳ ଭାବେ ବୋହୂଟିକୁ ଅପେକ୍ଷା କରୁଥିବା ମାଆ ଆଖି ବୁଜିଦେଲା। ଏକା ହୋଇ ଯାଇଥିବା ଅସହାୟ ବାପା ଓ ବିବାହ ନ କରି ସହବାସୀ ସମ୍ପର୍କରେ ରହିବାକୁ ଜିଦ୍‌ କରୁଥିବା ପ୍ରେମିକା ମଧ୍ୟରୁ ଜଣଙ୍କୁ ବାଛିବାର ଉପକ୍ରମ କରୁଥିବା ବେଳେ ସେଇ ଘଟଣାଟି ଘଟିଲା।
ଦିନେ ମୋଟର ସାଇକେଲ ଆକ୍‌ସିଡେଣ୍ଟରେ ଗୁରୁତର ଆହତ ହୋଇ ଅଜୟ ହସ୍ପିଟାଲରେ ପଡ଼ିଲା ଓ ପ୍ରାୟ ଦୁଇ ମାସ ପରେ ଘରକୁ ଫେରିଲା ଗୋଟିଏ ଗୋଡ଼ ହରାଇ। ଗଭୀର ଆମତ୍ବିଶ୍ୱାସ ଓ ଦୃଢ଼ ମନୋବଳ ନେଇ ଅବଶିଷ୍ଟ ଗୋଟିଏ ଗୋଡ଼ରେ ସାରା ସଂସାର ପରିକ୍ରମା କରିବାକୁ ନିଜ ଭିତରେ ସାମର୍ଥ୍ୟ ସୃଷ୍ଟି କଲା ବେଳକୁ ଅନ୍ୟ ଗୋଡ଼ଟି ଚାଲିବା ପାଇଁ ମନା କରିଦେଲା। ପରୀକ୍ଷାରୁ ଜଣାପଡ଼ିଲା, ମେରୁଦଣ୍ଡରେ ଆଘାତ ଯୋଗୁ ପକ୍ଷାଘାତରେ ଆକ୍ରାନ୍ତ ହୋଇଛି ସେଇ ଗୋଡ଼ଟି। ବାସ୍‌ ତାହା ହିଁ ଥିଲା ଶରୀର ସର୍ବସ୍ବ ସହବାସୀ ସମ୍ପର୍କର ଶେଷ ଅଙ୍କର ଶେଷ ଦୃଶ୍ୟ। ନିମ୍ନତମ ମାନବିକତା ହରାଇ ବସିଥିବା ସେଇ ଝିଅଟି ଅଜୟକୁ ପରିତ୍ୟାଗ କରି ତା’ ବାପାମା’ଙ୍କ ପାଖକୁ ଫେରିଗଲା ଓ କିଛି ଦିନ ପରେ ଆଉ ଜଣଙ୍କୁ ବାହା ହୋଇଗଲା। ପଛରେ ପଡ଼ିରହିଲା ହୁଇଲ୍‌ଚେୟାର ଉପରେ ବସି ଅବଶିଷ୍ଟ ଜୀବନ ଜିଇବାକୁ ନିଜକୁ ପ୍ରସ୍ତୁତ କରୁଥିବା ଅଜୟ। ଭାବୁଥିଲା, ବଦଳି ଯାଇଥିବା ସମ୍ପର୍କରୁ ପରିଭାଷା କେଡ଼େ ଭୟଙ୍କର ସତେ! ପୁରୁଣା ଦିନର ଆଦର୍ଶବାଦ ଉପରେ ପ୍ରତିଷ୍ଠିତ ପତିପତ୍ନୀ ସମ୍ପର୍କ କ’ଣ ଏମିତି ହୋଇଥାନ୍ତା! ନିଜ ଅଥର୍ବ ସ୍ବାମୀକୁ ଅସହାୟ ଭାବେ ଛାଡ଼ି ସ୍ତ୍ରୀଟି ଏମିତି ଅନ୍ୟ କାହାକୁ ବାହା ହୋଇ ଚାଲିଯାଇଥାନ୍ତା! କେଜାଣି!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri