ନୂଆଦିଲ୍ଲୀ,୧୪ା୩ (ପି.ଟି.): ଦେଶରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଏହାକୁ ରୋକିବା ଏବଂ ଛାତ୍ରୀଛାତ୍ରଙ୍କ ମାନସିକ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଆଇଆଇଟି-ଗୁଆହାଟୀ ଏକ ଯୋଜନା ପ୍ରସ୍ତୁତ କରିଛି। ଉକ୍ତ ଯୋଜନା ଅନୁଯାୟୀ, ନୂତନ ଭାବେ ନାମ ଲେଖାଇଥିବା ଶିକ୍ଷାର୍ଥୀମାନଙ୍କ ପାଇଁ କ୍ୟାମ୍ପସ୍ ପରିସରରେ ପ୍ରଥମ ସପ୍ତାହରେ ଏକ ଅଧିବେଶନର ଆୟୋଜନ ହେବ, ଯାହା ସେମାନଙ୍କୁ ପରସ୍ପରକୁ ଭଲ ଭାବେ ଜାଣିବାରେ ସହାୟକ ହେବା ସହ ଗ୍ରୁପ୍ ଭିତରେ ଅଧିକ ସହଜ ଅନୁଭବ କରିପାରିବେ। ଏଥିପାଇଁ ଶିକ୍ଷକମାନଙ୍କ ସହ ପିଲାମାନେ ପ୍ରାତଃଭ୍ରମଣରେ ଯିବେ। ସେମାନଙ୍କ ପାଇଁ ବାଧ୍ୟତାମୂଳକ କାଉନ୍ସେଲିଂ ସେସନ୍ ସହ ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯିବ। ଆଇଆଇଟି ନିର୍ଦ୍ଦେଶକ ଦେବେନ୍ଦ୍ର ଜଲିହାଲଙ୍କ କହିବା ଅନୁଯାୟୀ, ପିଲାମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ବ୍ୟାପକ ଯୋଜନା ହୋଇଛି। ସେଣ୍ଟର ଫର୍ ହୋଲିଷ୍ଟିକ୍ ଓ୍ବେଲ୍ବିଙ୍ଗ୍ ନାମରେ ମାନସିକ ସ୍ବାସ୍ଥ୍ୟ ଓ କାଉନ୍ସେଲିଂ ସିଷ୍ଟମ୍ ସ୍ଥାପନ କରାଯିବ। ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ ନେଇ ଗଠିତ ସାଥୀ କାଉନ୍ସେଲିଂ କ୍ଲବ୍ ପେସାଦାରି ପରାମର୍ଶଦାତାଙ୍କ ସହାୟତାରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ମାନସିକ ଓ ସାମଗ୍ରିକ ସୁସ୍ଥତା ପ୍ରଦାନ କରିବ। ହଷ୍ଟେଲର ସ୍ବତନ୍ତ୍ର ପରିଚାରକ ଭାବେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ, ଯେପରି ସେମାନେ ଛାତ୍ରୀଛାତ୍ରଙ୍କ ସହ ନିୟମିତ ଆଲୋଚନା କରିବେ। ଏହାଦ୍ୱାରା ସେମାନେ ସହଜ ଅନୁଭବ କରିବା ସହ ନିଜ ଅନୁଭବ ଆଦାନପ୍ରଦାନ କରିପାରିବେ। ସବୁକିଛି ଏକ ଗୋପନୀୟ ଢଙ୍ଗରେ କରାଯିବ ଯେପରି ପିଲାମାନେ ଧମକର ସମ୍ମୁଖୀନ ହେଉଛନ୍ତି କିମ୍ବା ସେମାନଙ୍କ ପ୍ରିଭେସିର ଉଲ୍ଲଂଘନ ହେଉଛି ବୋଲି ଅନୁଭବ କରୁ ନ ଥିବା ସୁନିଶ୍ଚିତ କରିବେ ବୋଲି ଜଲିହାନ କହିଛନ୍ତି।


