ଶିକ୍ଷକଙ୍କ ପରିବର୍ତ୍ତିତ ଭୂମିକା

ଯୁଗେ ଯୁଗେ ଗୁରୁ ବା ଶିକ୍ଷକସମାଜ ହିଁ ସମାଜ ପରିବର୍ତ୍ତନର ଦଧୀଚି ଓ ବିଶ୍ୱକର୍ମା। ଶିକ୍ଷକସମାଜ ବିନା ଅନ୍ୟ କୌଣସି ସମାଜ ବୈଚାରିକ ପରିବର୍ତ୍ତନର ମଙ୍ଗ ଧରିବା କଷ୍ଟସାଧ୍ୟ, ଯଦିଓ ସହଯୋଗୀ ଭାବରେ କାମ କରିପାରନ୍ତି। ଅନ୍ୟମାନଙ୍କ ଅପେକ୍ଷା ଶିକ୍ଷକମାନେ ନିତ୍ୟ ଓ ନିୟମିତ ପରୀକ୍ଷିତ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପରୀକ୍ଷା ଦେବା ଓ ପ୍ରାମାଣିକତାର ସହ ଉତ୍ତୀର୍ଣ୍ଣ ହେବା ସେମାନଙ୍କ କାମ। ପରସମଣି ଭଳି ସମାଜରେ ନିଜକୁ ପ୍ରତିପାଦିତ କରିବା ପାଇଁ ସେମାନେ ସମାଜ ରୂପକ କଷଟି ପଥରରେ ଘଷି ମାଜି ହୋଇ ଚକ୍‌ଚକ୍‌ ହେବାକୁ ପଡ଼ିବ ନିଜ ଚରିତ୍ର, ବ୍ୟକ୍ତିତ୍ୱ ଓ କର୍ତ୍ତବ୍ୟ ମାଧ୍ୟମରେ। ସମସ୍ତ ପ୍ରକାରର ଭୁଲ୍‌, ବ୍ୟତିକ୍ରମ ଓ ବିଶୃଙ୍ଖଳା କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାରୁ ସର୍ବଦା ଭଲ ଆଚରଣ ଆଶା କରନ୍ତି। କାରଣ ସମାଜ ଆଖିରେ ଶିକ୍ଷକସମାଜ ହେଉଛି ଆଦର୍ଶ, ଯାହାଙ୍କ ପଦାଙ୍କ ଅନ୍ୟମାନେ ଅନୁସରଣ କରିଥାନ୍ତି। ଏକ ବାସ୍ତବ ଉଦାହରଣ। ବସ୍‌ଷ୍ଟାଣ୍ଡରେ ମଦ ପିଇ ମାତାଲ ହୋଇ ପଡ଼ିଥିବା ଜଣେ ଶିକ୍ଷକଙ୍କୁ ଦେଖି ପ୍ରତିଦିନ ମଦ୍ୟପାନରୁ ଦିନଚର୍ଯ୍ୟା ଆରମ୍ଭ କରୁଥିବା ଜଣେ ଘୋଡ଼ା ମଦୁଆ ତିରସ୍କାର କରୁଥିବାର ଦେଖି ଜଣେ ଦେଖଣାହାରି କହିଲେ, ତୁମେ ନିଜେ ମଦ ପିଇ ଅନ୍ୟକୁ ଉପଦେଶ ଦେବାର ମାନେ କ’ଣ? ବର୍ଷିଆନ୍‌ ମଦ୍ୟପ ଜଣକ କହିଲେ- ସମାଜ ଜାଣିଛି ମୁଁ ମଦୁଆ ଏବଂ ବୃତ୍ତିରେ ଜଣେ କୁଲି। ହାଡ଼ଭଙ୍ଗା ପରିଶ୍ରମ କରିବା ମୋର କାମ। ପୁଣି ଜଣେ ଅପାଠୁଆ ଓ ଅଶିକ୍ଷିତ ଲୋକଟି। କିନ୍ତୁ ସେ ଜଣେ ଶିକ୍ଷକ। ଶହ ଶହ ପିଲାଙ୍କ ଆଦର୍ଶ। ତାଙ୍କ ମୋ’ ଭିତରେ ଅନେକ ପାର୍ଥକ୍ୟ। ମୋ କାମକୁ କେହି ଦେଖିବେ ବା ଶିଖିବେ ନାହିଁ। କିନ୍ତୁ ସେ ମାଷ୍ଟରଙ୍କ ପ୍ରତିଟି କୃତି ଓ କୀର୍ତ୍ତିକୁ (ଭଲ ହେଉ ବା ମନ୍ଦ) ସମସ୍ତେ ଦେଖିବେ ଓ ଶିଖିବେ। ତାଙ୍କ ଭଲ କାମ ସମାଜର ଅଗଣିତ ଲୋକ ଅନୁକରଣ ଓ ଅନୁସରଣ କରନ୍ତି। ମଦୁଆଟିର ତା’ ଭାଷାରେ ଅନେକ କିଛି କହିଗଲା। ଅର୍ଥାତ୍‌ ସେ କହିବାକୁ ଚାହୁଁଥିଲେ ଯେ ସେ ମଦୁଆ, ତା’ର କାମ ଖରାପ ହୋଇପାରେ; କିନ୍ତୁ ଶିକ୍ଷକସମାଜର କୌଣସି ଆଚରଣ ଖରାପ ହେବା ଆଦୌ ସମୀଚୀନ ନୁହେଁ। ଏ ବିଚାର ସମାଜର ସବୁବର୍ଗର ଲୋକମାନଙ୍କର। ତେଣୁ ଶିକ୍ଷକମାନେ ସମାଜର କେତେ ଆଦର୍ଶ ଜାଣିବାକୁ ହେବ।
ଅପରପକ୍ଷରେ ସମାଜର ନକାରାତ୍ମକ ଗତିକୁ ସକାରାତ୍ମକ ମନୋବୃତ୍ତିରେ ପରିବର୍ତ୍ତନ କରିବାରେ ଶିକ୍ଷକମାନଙ୍କ ଭୂମିକା ସର୍ବଦା ପ୍ରଣିଧାନଯୋଗ୍ୟ। ଉଦାହରଣ ଭାବରେ ନିଆଯାଉ। ଯେତେବେଳେ ଭିତ୍ତିଭୂମିର ଅଭାବ ଥିଲା, ସମାଜ ମୂଲ୍ୟବୋଧଯୁକ୍ତ ଥିଲା, ମାତ୍ର ଶିକ୍ଷାର ଅଭାବ ଅନୁଭବ କରୁଥିଲା, ସେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଯୁକ୍ତ ଶିକ୍ଷା ମାଧ୍ୟମରେ ସମାଜକୁ ଠିଆ କରିଛନ୍ତି। ଆଜି ସାକ୍ଷରତା ହାର ବଢ଼ୁଛି। ଶିକ୍ଷିତଙ୍କ ସଂଖ୍ୟା ଉତ୍ସାହଜନକ ଭାବରେ ବୃଦ୍ଧି ପାଇଛି। ହେଲେ ଗୋଟିଏ ଅଭାବ ଦେଖାଦେଇଛି ମୂଲ୍ୟବୋଧର। ବିଦ୍ୟାଳୟ ଭିତ୍ତିଭୂମି ଏବେ ସୁଦୃଢ଼। ସମସ୍ତେ ଆହୁରି ଅଧିକ ଭୌତିକ ଭିତ୍ତିଭୂମିକୁ ମଜଭୁତ କରିବାରେ ଲାଗିଛନ୍ତି। ପିଲା ଦିନରାତି ପରିଶ୍ରମ କରି କିଭଳି ଭଲ ନମ୍ବର ରଖିବ, ସେଥିପାଇଁ ସମସ୍ତେ ଚିନ୍ତିତ ଓ ଚେଷ୍ଟିତ। କିନ୍ତୁ କାହାର ନିଘା ନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆ ଉପରେ ନାହିଁ। ସମସ୍ତେ ସ୍ବପ୍ନିଳ ଜଗତରେ ଉବୁଟୁବୁ। କିନ୍ତୁ ଏଭଳି ପରିସ୍ଥିତିରେ ଶିକ୍ଷକମାନେ ଆଜି ପାଠପଢ଼ା ଅପେକ୍ଷା ନୈତିକ ଦିଗକୁ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ଦିବ୍ୟଜ୍ଞାନ ପରିବର୍ତ୍ତେ କାଣ୍ଡ ଜ୍ଞାନର ବିକାଶ ଆଜିର ଆବଶ୍ୟକତା। ପାଠ ସମ୍ବନ୍ଧୀୟ ତଥ୍ୟ ଓ ଜ୍ଞାନ ପିଲେ ବିଭିନ୍ନ ଉତ୍ସରୁ ପାଇପାରିବେ ଆଜିର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ। କିନ୍ତୁ ମୂଲ୍ୟବୋଧ, ମଣିଷପଣିଆ ଆଦି ଦୁର୍ଲଭ ଗୁଣ ଶିଖିବାର ପରିସର ଯଥେଷ୍ଟ କମ। ତେଣୁ ପାଠପଢ଼ା ଅପେକ୍ଷା ଆଜିର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପିଲାଙ୍କୁ ବଡ଼ ମଣିଷ ଅପେକ୍ଷା ଭଲ ମଣିଷ ହେବା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ଦେବା ସମୟର ଆବଶ୍ୟକତା ମନେହୁଏ।
ଆମେ ସମସ୍ତେ ଜାଣିଛେ, ଦିନଥିଲା ଗ୍ରାମବାସୀଙ୍କର ସବୁ ସୁଖଦୁଃଖ ଓ ପରିବର୍ତ୍ତନର ଉତ୍ସ ଥିଲେ ସ୍କୁଲ ମାଷ୍ଟର ଏବଂ ପୋଷ୍ଟ ମାଷ୍ଟର। ଆଜି ମଧ୍ୟ ସେମାନଙ୍କ ଭୂମିକା ଗୌଣ ହୋଇ ନାହିଁ। ହୁଏତ ଆଜି ଶିକ୍ଷକଙ୍କୁ ବିଦେଶରେ ବା ରାଜ୍ୟ ବାହାରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଚିଠି ଲେଖିବା ବା ସେମାନଙ୍କଠାରୁ ନିଜ ସମ୍ପର୍କୀୟଙ୍କ ନିକଟକୁ ପ୍ରେରିତ ଚିଠି ପଢ଼ି ବୁଝେଇବାର ଆବଶ୍ୟକତା ନାହିଁ। କାରଣ ଗାଁଠାରୁ ସହର, କେଉଁଠି ମଧ୍ୟ ପାଠୁଆମାନଙ୍କ ଅଭାବ ନାହିଁ। ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ। ତେଣୁ ଆଜି ଚିଠି ଦିଆନିଆର ପ୍ରାସଙ୍ଗିକତା ନାହିଁ କି ପାଠୁଆଙ୍କ ଦ୍ରୁତ ଅଭିବୃଦ୍ଧି ହେତୁ ପଢ଼ି ଶୁଣେଇବାର ଆବଶ୍ୟକତା ନାହିଁ। ଅର୍ଥାତ୍‌ ସମାଜରେ ପାଠୁଆ ବା ଶିକ୍ଷିତମାନଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର ଲକ୍ଷ୍ୟ ପୂରଣ କରିଛନ୍ତି। କିନ୍ତୁ ଆଜି ସମାଜରେ ଘୋର ଅଭାବ ରହିଛି ଆପଣାପଣ, ନିଃସ୍ବାର୍ଥପର ସମ୍ବନ୍ଧ ଓ ମଣିଷପଣିଆ, ଭଲପାଇବା ଇତ୍ୟାଦି। ସବୁଆଡ଼େ ସ୍ବାର୍ଥ ଓ ଅର୍ଥ, ଲୋଭ ଓ ଲାଭର ହିସାବ। ହିଂସା, ଦ୍ୱେଷ, ଅସହିଷ୍ଣୁ ମନୋଭାବ, ପ୍ରତିଶୋଧ ପରାୟଣ ଆଦି ଅମାନବୀୟ ଓ ଅସାମାଜିକ କୁକୃତିର ଦୁର୍ଗନ୍ଧ। ଗ୍ରାମବାସୀଙ୍କଠାରୁ ନଗରବାସୀଯାଏ ସବୁଠି ସ୍ବାର୍ଥ ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ୱିତା। ସାମାଜିକ ମୂଲ୍ୟବୋଧ, ବ୍ୟକ୍ତିଗତ ନୈତିକତା ଓ ରାଷ୍ଟ୍ରମନସ୍କ ବିଚାରଧାରା ଧୀରେ ଅପସରି ଯାଇଛି। ଅପସଂସ୍କୃତିର ଅନ୍ଧାନୁକରଣ ସବୁଆଡ଼େ ଦ୍ରୁତ ଗତିରେ ସମାଜକୁ କବଳିତ କରିବାରେ ଲାଗିଛି। ମହୁମାଛି ବହୁ କଷ୍ଟ କରି ମଧୁ ସଂଗ୍ରହ ପରେ ସ୍ବାର୍ଥୀ ମଣିଷ ଯେପରି ନିମିଷକ ମଧ୍ୟରେ ତା’ର ବସା ଭାଙ୍ଗି, ନିଆଁହୁଳା ଦେଇ ତା’ର ସର୍ବସ୍ବ ଲୁଟି ନେଉଛି, ଠିକ୍‌ ସେହିପରି ସାଇବର ଠକମାନେ ଗୋଟିଏ ସଂଖ୍ୟା ଖେଳରେ ମଣିଷର ସମସ୍ତ ରୋଜଗାରକୁ କଳାକନା ବୁଲେଇ ଦେଉଛି। ଆଜି ପରିବାରରେ ସୁଖଶାନ୍ତି ନାହିଁ। ମା’ବାପାଙ୍କ ପ୍ରତି ପିଲାଙ୍କ ସେହି ସମ୍ମାନବୋଧ ନାହିଁ କି ମା’ବାପାମାନେ ମଧ୍ୟ ନିଜ ପିଲାଙ୍କୁ ଭଲ ମଣିଷଟିଏ ଗଢ଼ି ତୋଳିବାକୁ ପ୍ରଯତ୍ନ ନୁହନ୍ତି। ସମସ୍ତେ କେବଳ ଭୋଗବାଦର ପାହାଡ଼ ଉପରେ ଠିଆହୋଇ ଭୌତିକ ସୁଖ ଭୋଗର ନିଶାରେ ମତୁଆଲା। ତେଣୁ ଆଜି ସମାଜ ବିଶୃଙ୍ଖଳିତ ଓ ଅସନ୍ତୁଳିତ। ପରିବାରରେ ଅଶାନ୍ତି। ଗୋଟିଏ ପଟେ ଭୋଗବାଦର ବିଶାଳ ମିନାର, ଅନ୍ୟପଟେ ଭୋକର ଅସହ୍ୟ ଜ୍ବାଳା। ଗୋଟିଏ ପଟେ ଶିକ୍ଷିତମାନଙ୍କ ଦ୍ରୁତ ସଂଖ୍ୟାବୃଦ୍ଧି, ଅନ୍ୟପଟେ ଅସାମାଜିକ ତତ୍ତ୍ବମାନଙ୍କ ଅନ୍ୟାୟ, ଅତ୍ୟାଚାର ଓ ଅଭଦ୍ରୋଚିତ ଆଚରଣର ସୀମା ଉଲ୍ଲଂଘନ।
ଏଭଳି ସମୟରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ହିଁ ସମାଜ ସଂସ୍କାରକ ଭୂମିକାରେ ଅବତୀର୍ଣ୍ଣ ହୋଇ ସମାଜରେ ନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆର ମଞ୍ଜି ବୁଣିବାକୁ ପଡ଼ିବ। ଘରେ ଘରେ ଯେପରି ସହଯୋଗ, ସଦ୍‌ଭାବନା, ସଂହତି ଓ ସମ୍ବନ୍ଧ ସୃଷ୍ଟି ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଏ ମାନବସମାଜକୁ ମହାସଙ୍କଟ ଓ ମହାବିନାଶରୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ଘରେ ମାନବିକ ମୂଲ୍ୟବୋଧର ଜ୍ଞାନଦୀପ ପ୍ରଜ୍ୱଳିତ କରିବା ଦରକାର। ବ୍ୟକ୍ତିଗତ ଆବଶ୍ୟକତା ସହ ପିତୃ ମାତୃ ଋଣ, ସମାଜ ଋଣ, ଦେବ ଋଣ ଆଦି ପରିଶୋଧ କରିବା ଯେ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ, ଏକଥାକୁ ପିଲାଙ୍କ ମନ ଓ ହୃଦୟରେ ସ୍ଥାନିତ କରିବା ଗୁରୁକୁଳର କାମ। ନଚେତ୍‌ ବିନାଶ ଅବଶ୍ୟମ୍ଭାବୀ।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ,ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri