ଗ୍ୟାରେଣ୍ଟିର ଗ୍ୟାରେଣ୍ଟି

ଗଣେଶ୍ୱର ନାୟକ

ଆମେ ଯେକୌଣସି ପଣ୍ୟ ବଜାରରୁ କିଣିଥାଉ, ତାହା ଯଦି ଗୁଣବତ୍ତାରେ କିଛି ନୂ୍ୟନ ହୁଏ, ତେବେ ଆମେ ଅଭିଯୋଗ କରିବାକୁ ବହୁ ବ୍ୟବସ୍ଥା ଅଛି। କୌଣସି ଚୁକ୍ତି ମଧ୍ୟ ଖିଲାପ ହେଲେ, ତାହା ଦ୍ୱାରା କ୍ଷତି ଭରଣା ପାଇଁ ଅନେକ ବିଧି ବ୍ୟବସ୍ଥା ଅଛି। ଯାହାଦ୍ୱାରା ଦାତା ଓ ଗ୍ରହୀତା, ବିକ୍ରେତା ଓ କ୍ରେତା ସଭିଁଙ୍କ ଉତ୍ତରଦାୟିତ୍ୱ ରହିଥାଏ।
କିନ୍ତୁ ଗଣତନ୍ତ୍ରରେ ଅଂଶ ହେଉଥିବା ରାଜନୈତିକ ଦଳଗୁଡ଼ିକ ଦେଉଥିବା ପ୍ରତିଶ୍ରୁତି, ଯାହା ନିର୍ବାଚନୀ ଇସ୍ତାହାର ଭାବେ ଆମେ ଜାଣୁ, ଯାହା ଲିଖିତ ଭାବେ ପ୍ରକାଶ ହୋଇଥାଏ, ତାହା ପ୍ରଣୟନରେ ରକ୍ଷା ହୋଇନପାରିଲେ, ତାହା ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଧି ବ୍ୟବସ୍ଥା ନାହିଁ। ରାଜତନ୍ତ୍ର ପରେ ଆସିଛି ଗଣତନ୍ତ୍ର। ଗୋଟିଏ ବ୍ୟବସ୍ଥା ଆଉ ଗୋଟେ ବ୍ୟବସ୍ଥାଠାରୁ ଅପେକ୍ଷାକୃତ ଭଲ ନ ହେଲେ ସମାଜ ତାହାକୁ ଗ୍ରହଣ କରେ ନାହିଁ। ଅପେକ୍ଷାକୃତ ଭଲ ବ୍ୟବସ୍ଥା ମଧ୍ୟ ଏତେ ସହଜରେ ସମାଜରେ ପ୍ରଣୟନ ହୁଏ ନାହିଁ। ତାହା ପାଇଁ ସମାଜର ଅନେକ ବ୍ୟକ୍ତିଙ୍କୁ ଅନେକ ନିର୍ଯାତନା ସହିବାକୁ ହୁଏ, ଆଉ ଅନେକ ଯନ୍ତ୍ରଣା ମଧ୍ୟ। ଆମେ ତାହାକୁ ଯେଉଁଭଳି ଭାବେ ଗ୍ରହଣ କରିବା, ତାହା ସେହିଭଳି ଫଳ ଦେବ ନିଶ୍ଚୟ।
ରାଜନୈତିକ ଦଳଗୁଡ଼ିକର ନିର୍ବାଚନୀ ଇସ୍ତାହାର, ସେମାନଙ୍କର ମୌଳିକ ଅଧିକାର। ସେମାନେ ଏହାକୁ ପ୍ରକାଶ କରି, ଦେଶ ଓ ରାଜ୍ୟର ଉନ୍ନତି ପାଇଁ, ସେମାନଙ୍କର ଆଭିମୁଖ୍ୟର ପରିପ୍ରକାଶ କରିଥାଆନ୍ତି। ସେ ଆଭିମୁଖ୍ୟ କେତେବେଳେ ପ୍ରଣୟନ ହୋଇଥାଏ ବା କେତେବେଳେ ତାହାକୁ ପ୍ରଣୟନ କରିବାରେ ବିଫଳ ମଧ୍ୟ ହୋଇଥାନ୍ତି।
ଏବେ କେବଳ ନୁହେଁ, ଆଗରୁ ମଧ୍ୟ ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଅନେକ ମିଛ ପ୍ରତିଶ୍ରୁତି ଜନତାଙ୍କୁ ଦେଇଛନ୍ତି। ଅନେକ ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ କରିବାରେ, ଅନେକ ରାଜନୈତିକ ଦଳ ଇଚ୍ଛା ପ୍ରକାଶ କରିନଥିବା ମଧ୍ୟ ଆମେ ଦେଖିବାକୁ ପାଇଛେ। ଏହାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି ସାଧାରଣ ଜନତାଙ୍କ ମଧ୍ୟରେ। ଅନେକ ରାଜନୈତିକ ଦଳର ପଟ ମଧ୍ୟ ପରିବର୍ତ୍ତନ କରିଛନ୍ତି ସାଧାରଣ ଭୋଟର। ଆଉ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ନିର୍ବାଚନୀ ଇସ୍ତାହାର ଯେହେତୁ ରାଜନୈତିକ ଦଳଗୁଡ଼ିକର ମୌଳିକ ଅଧିକାର, ନିର୍ବାଚନ କମିଶନ ଏହା ଉପରେ ସେତେଟା ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇନାହାନ୍ତି। ତଥାପି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ, ନିର୍ବାଚନୀ ଇସ୍ତାହାର ପାଇଁ ନିର୍ବାଚନ କମିଶନ କିଛି ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି; ଯେଉଁଥିରେ ଭୋଟ୍‌ ପାଇଁ କୌଣସି ପ୍ରଲୋଭନକୁ ପ୍ରଶ୍ରୟ ନ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଅଛି। କିନ୍ତୁ ସବୁ ରାଜନୈତିକ ଦଳ କିଛିନାକିଛି ମାଗଣା ଯୋଜନା ଇସ୍ତାହାରରେ ରଖୁଥିବା ଦେଖାଯାଉଛି। ସେତେବେଳେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନ ଥିଲା, କେଉଁ ଆଧାରରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି। ଯେଉଁଥିରେ ଦେଖାଯାଉଛି, ଅନେକ ମାଗଣା ବାଣ୍ଟିବାର ଯୋଜନାର ପ୍ରତିଶ୍ରୁତି। ଏହି ମାଗଣା ବାଣ୍ଟିବା ପ୍ରତିଶ୍ରୁତି, ଯାହା ଦେଶର ଅର୍ଥନୀତିକୁ ଦୁର୍ବଳ କରେ ଆଉ ସାଧାରଣ ଜନତାର ଜୀବନଚର୍ଯ୍ୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କିନ୍ତୁ ରାଜନୈତିକ ଦଳଗୁଡ଼ିକର ଯୁକ୍ତି, ତୃଣମୂଳ ସ୍ତରର ମଣିଷର ଉତ୍‌ଥାନ ପାଇଁ ଏଗୁଡ଼ିକ ଜରୁରୀ। କିନ୍ତୁ ଖଟି ଖାଇବାର ବ୍ୟବସ୍ଥା ହିଁ ସମାଜକୁ ଉନ୍ନତିର ଶୀର୍ଷକୁ ନେବ ସିନା, ମାଗଣା ଦେଇ କୌଣସି ମଣିଷକୁ ଧନବାନ୍‌ କରିପାରିବା ନାହିଁ।
ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚନୀ ଇସ୍ତାହାରକୁ ନେଇ ଏକ ନୂଆ ପରିକଳ୍ପନା ଦେଖିବାକୁ ମିଳିଲା, ଅଂଶଗ୍ରହଣକାରୀ ସବୁ ରାଜନୈତି ଦଳ ସେମାନଙ୍କର ଇସ୍ତାହାରର ଗ୍ୟାରେଣ୍ଟି କଥାକୁ ବାରମ୍ବାର ଦୋହରାଉଥିଲେ। ଗ୍ୟାରେଣ୍ଟି ଶବ୍ଦ ବ୍ୟବହାର କରିବାକୁ ବାଧ୍ୟ ହେଲେ। ରାଜନୈତିକ ଦଳଗୁଡ଼ିକ ବୋଧେ ବୁଝି ଯାଇଥିଲେ, ଭୋଟରଙ୍କୁ ଆଉ ଭୁଅଁା ବୁଲାଇବା ସମ୍ଭବ ନୁହେଁ। ପ୍ରତ୍ୟେକ ଭୋଟର ପ୍ରଶ୍ନ କରିବାକୁ ସକ୍ଷମ ହୋଇଗଲେଣି। ଆଗରୁ ସେମାନଙ୍କର ପ୍ରତିଶ୍ରୁତିର ଆଲୋଚନା ସାଧାରଣ ଗଣମାଧ୍ୟମରେ ପ୍ରକାଶ ପାଉଥିଲା, ଯାହା ସେତେଟା ଉତ୍ତରଦାୟିତ୍ୱ ଲଦି ପାରୁନଥିଲା। ସାମାଜିକ ଗଣମାଧ୍ୟମ ଯୋଗୁ ବୋଧେ ଏହି ଗ୍ୟାରେଣ୍ଟିର ଗ୍ୟାରେଣ୍ଟି କଥା ଆଲୋଚନା କରିବାକୁ ସମସ୍ତ ରାଜନୈତିକ ଦଳକୁ ବାଧ୍ୟ କଲା। ଜଣେ ସାଧାରଣ ଭୋଟରର ମନର କଥା କୌଣସି ମାଧ୍ୟମ ଦେଇ, ସାମାଜିକ ଗଣମାଧ୍ୟମରେ ପରିପ୍ରକାଶ ହେଉଥିଲା। ଶିକ୍ଷିତ ଲୋକ ନିର୍ବାଚନୀ ଆଚରଣ ବିଧି ଯୋଗୁଁ କୌଣସି ରାଜନୈତିକ ଦଳର ଆଭିମୁଖ୍ୟ ଉପରେ କିଛି ଆଲୋଚନା କରି ପାରିନଥାନ୍ତି କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରିପାରନ୍ତି ନାହିଁ। କିନ୍ତୁ ସେ ଶିକ୍ଷିତ ହେଉ କି ଅଶିକ୍ଷିତ ହେଉ, ତାହାର ମତ ସିଧାସଳଖ ନହେଲେ ମଧ୍ୟ ବୁଲେଇ, ବଙ୍କେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାରେ ସମର୍ଥ ହେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ୧୧୯.୭୩୫ କୋଟି ମୋବାଇଲ ବ୍ୟବହାରକାରୀ। ସହରାଞ୍ଚଳରେ ୬୬ କୋଟିରୁ ଅଧିକ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୫୩ କୋଟିରୁ ଅଧିକ। ଏହାକୁ ଲକ୍ଷ୍ୟ କରି ସବୁ ରାଜନୈତିକ ଦଳର ସାମାଜିକ ଗଣମାଧ୍ୟମ ବିଭାଗ ଅଛି। ସାମାଜିକ ଗଣମାଧ୍ୟମ ବୋଧେ ବାଧ୍ୟ କରିଛି, ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ଦେବାକୁ। ଯାହା ପାଖରେ ମୋବାଇଲଟିଏ ଅଛି, ସେ ବି ଜଣେ ସାକ୍ଷୀ, ପ୍ରମାଣକୁ ସାଥିରେ ରଖି, ଯାହାକୁ କେହି ବି ପରବର୍ତ୍ତୀ ସମୟରେ ଫାଙ୍କିବାକୁ ସକ୍ଷମ ନୁହେଁ। ଏହା ଗଣତନ୍ତ୍ର ପାଇଁ ଶୁଭସଂକେତ। ଭାରତର ବୃହତ୍‌ ଗଣତନ୍ତ୍ର ସାରା ବିଶ୍ୱକୁ ନୂଆ ଦିଶା ଦେଖାଏ।
୨୦୨୪ ନିର୍ବାଚନର ଭୋଟର, ରାଜନୈତିକ ଦଳଗୁଡ଼ିକୁ ଶାସନରେ ରହିବାକୁ ଯେତିକି ଶକ୍ତି ଯୋଗାଇଛି, ସମାନ୍ତରାଳ ଭାବେ ବିରୋଧୀରେ ରହି ନିଜର କର୍ତ୍ତବ୍ୟ କରିବାକୁ ମଧ୍ୟ ସେତିକି ଶକ୍ତି ଦେଇଛି। ପୂର୍ବ ଅପେକ୍ଷା ସାଧାରଣ ଭୋଟର ମଧ୍ୟରେ ଗଣତାନ୍ତ୍ରିକ ସାକ୍ଷରତା ବଢ଼ିଛି ନିଶ୍ଚିତ।
ସମସ୍ତେ ନିଜ ନିଜର ଦାୟିତ୍ୱ ପ୍ରତି ପ୍ରତିବଦ୍ଧତା ରହିଲେ, ତାହା ସମୃଦ୍ଧ ରାଷ୍ଟ୍ର ଗଠନରେ ସହାୟକ ହେବ। ନିର୍ବାଚନ ସରିଯାଇଛି, ନୂଆ ସରକାର ଗଠନ ହୋଇସାରିଛି ମଧ୍ୟ। ନିର୍ବାଚନ ଇସ୍ତାହାର ଫଳବତୀର ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ହାର କେତେ ହେବ ତାହା ସମୟ କହିବ ନିଶ୍ଚିତ।
ଗୋଗଳ, କାଏମା, ଧର୍ମଶାଳା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri