୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ ଡାକ୍ତରଖାନାର ନର୍ସମାନଙ୍କ ପ୍ରତିନିଧିତ୍ୱ କରୁଥିବା ସଂଗଠନ ନର୍ସେସ ୱେଲଫେୟାର ଆସୋସିଏସନ (NWA) ଶୁକ୍ରବାର, ସେପ୍ଟେମ୍ୱର ୧୮ ତାରିଖରେ ଚଣ୍ଡୀଗଡ଼ରେ ୮ମ ବେତନ ଆୟୋଗର ଅଧିକାରୀମାନଙ୍କୁ ଭେଟିଛି। ଡାକ୍ତରଖାନାରେ ଦିନରାତି ରୋଗୀଙ୍କ ସେବାରେ ନିୟୋଜିତ ଥିବା ନର୍ସମାନେ ନିଜର ଦରମା, ଭତ୍ତା ଏବଂ ସୁରକ୍ଷାକୁ ନେଇ ଆୟୋଗ ସମ୍ମୁଖରେ ୮ଟି ପ୍ରମୁଖ ଦାବି ରଖିଛନ୍ତି। ଆସନ୍ତୁ ଜାଣିବା ନର୍ସମାନଙ୍କର ଏହି ୮ଟି ଦାବି କ’ଣ ଏବଂ ଏହା ସେମାନଙ୍କ ଜୀବନ ଉପରେ କି ପ୍ରଭାବ ପକାଇବ।
ମିଲିଟାରୀ ନର୍ସିଂ ସର୍ଭିସ (MNS) ଢାଞ୍ଚାରେ ନର୍ସିଂ ଅଫିସରମାନଙ୍କ ପାଇଁ ପ୍ରାରମ୍ଭିକ ବେତନ ଲେଭେଲ-୧୦ (Level 10 Entry Pay) କରିବାକୁ ଦାବି କରାଯାଇଛି। ନର୍ସେସ ଆସୋସିଏସନ ଯୁକ୍ତି ବାଢ଼ିଛି ଯେ, ବର୍ତ୍ତମାନ ନର୍ସିଂରେ ଶିକ୍ଷାଗତ ଯୋଗ୍ୟତା GNM ରୁ ବୃଦ୍ଧି ପାଇ B.Sc Nursing ହୋଇସାରିଛି ଏବଂ ସେହି ଅନୁସାରେ ଦାୟିତ୍ୱ ମଧ୍ୟ ବହୁ ଗୁଣ ବଢ଼ିଯାଇଛି।
ରାତିସାରା ଅନିଦ୍ରା ରହି ରୋଗୀଙ୍କ ସେବାଶୁଶ୍ରୂଷା କରିବା ଅତ୍ୟନ୍ତ କ୍ଳାନ୍ତିକର ହୋଇଥାଏ। ଏହାର ପ୍ରତିବଦଳରେ ଆସୋସିଏସନ ସମସ୍ତ ନର୍ସିଂ କର୍ମଚାରୀଙ୍କ ପାଇଁ ଏକ ସୱତନ୍ତ୍ର ନାଇଟ ଡ୍ୟୁଟି ଭତ୍ତା (Night Duty Allowance) ଧାର୍ଯ୍ୟ କରିବାକୁ ଦାବି କରିଛି।
ନର୍ସମାନଙ୍କୁ ଡାକ୍ତରଖାନାର ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ କଠିନ ପରିବେଶ ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ତେଣୁ ସେମାନଙ୍କୁ R1H1 ମ୍ୟାଟ୍ରିକ୍ସ ଅଧୀନରେ ସର୍ୱୋଚ୍ଚ ସ୍ତରର ରିସ୍କ ଆଣ୍ଡ ହାର୍ଡସିପ ଭତ୍ତା (Risk and Hardship Allowance) ପ୍ରଦାନ କରିବାକୁ ଦାବି କରାଯାଇଛି।
ପ୍ରତିଦିନ ରୋଗୀ ଓ ସଂକ୍ରମଣର ସିଧାସଳଖ ସଂସ୍ପର୍ଶରେ ଆସୁଥିବାରୁ, କୋଭିଡ-୧୯ ମହାମାରୀ ସମୟରେ ମିଳିଥିବା ସୱାସ୍ଥ୍ୟ ଏବଂ ଟର୍ମ ଇନସ୍ୟୁରାନ୍ସ ଭଳି ସ୍ଥାୟୀ ବୀମା ସୁରକ୍ଷା ଯୋଗାଇବା ପାଇଁ ନର୍ସମାନେ ଦାବି ଉଠାଇଛନ୍ତି।
ଚଣ୍ଡୀଗଡ଼, ମୋହାଲି ଏବଂ ପଞ୍ଚକୁଲାକୁ ମିଶାଇ ଏକ ‘ଟ୍ରାଇସିଟି’ (Tricity) ଜୋନ ଘୋଷଣା କରିବା ଏବଂ ଚଣ୍ଡୀଗଡ଼କୁ A1 (Tier 1) ସହରର ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ସ୍ଥାନୀୟ ନର୍ସମାନଙ୍କର ଘରଭଡ଼ା ଭତ୍ତା (HRA) ଏବଂ ଯାତାୟାତ ଭତ୍ତା (TA) ବୃଦ୍ଧି ପାଇବ।

