୫ ଅଙ୍ଗୁଳି ସମାନ

ଆଜି ୨୪ ନଭେମ୍ବର ମହାଯୋଗୀ ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ। ଏହି ଅବସରରେ ସେହି ମହାନ୍‌ ଆତ୍ମାଙ୍କୁୁ ସମ୍ମାନ ଜଣାଇ ଧରିତ୍ରୀ ତା’ର ୪୬ ବର୍ଷ ପୂର୍ଣ୍ଣ କରି ୪୭ତମ ବର୍ଷରେ ପଦାର୍ପଣ କରୁଛି। ଏହି ସମୟ ମଧ୍ୟରେ ଧରିତ୍ରୀ ଅନେକ ସଫଳତା ଦେଖିବା ସହ ଅନେକ ସଂଗ୍ରାମ ମଧ୍ୟ କରିବାର ସୁଯୋଗ ପାଇଛି। ଓଡ଼ିଆ ଭାଷାରେ ଛପା ହେଉଥିବା ହେତୁ ଏହି ଖବରକାଗଜ ଓଡ଼ିଶାର ସୀମା ମଧ୍ୟରେ ଆବଦ୍ଧ ରହିବାକୁ ବାଧ୍ୟ ହୋଇଛି। ଏହା ସତ୍ୟ ଯେ, ଓଡ଼ିଶା ବାହାରେ ଥିବା ଅନେକ ଓଡ଼ିଆ ଧରିତ୍ରୀର ଛପା କାଗଜ ସଂସ୍କରଣ ବିଳମ୍ବରେ ପାଇବା ସତ୍ତ୍ୱେ ଏହାକୁ କିଣୁଛନ୍ତି। ବିଳମ୍ବକୁ ଅପେକ୍ଷା କରିବାକୁ ଅନିଚ୍ଛୁକ ଅନେକ ଲକ୍ଷ ପାଠକ ଧରିତ୍ରୀର ଇଣ୍ଟରନେଟ୍‌ ଏଡିଶନକୁ ୧୯୯୭ ମସିହାଠାରୁ ପଢ଼ି ନିଜର ମତ ସୃଷ୍ଟି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ, ଅନେକ ସମୟରେ, କେତେକ ପାଠକ ଧରିତ୍ରୀର ଆଭିମୁଖ୍ୟଠାରୁ ଭିନ୍ନ ମତ ଜଣାଇଥାଆନ୍ତି। ଉଦାହରଣ ସ୍ବରୂପ ଦିଲ୍ଲୀର ରାମଲୀଳା ମଇଦାନରେ ଆନ୍ନା ହାଜାରେଙ୍କ କାର୍ଯ୍ୟକ୍ରମକୁ ଦେଶବ୍ୟାପୀ ଗଣମାଧ୍ୟମ ପ୍ରଶଂସା କରୁଥିବା ବେଳେ ଧରିତ୍ରୀ ତାହାକୁ ଏକ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇଲା ଭଳି ଆନ୍ଦୋଳନ ଭାବେ ଦର୍ଶାଇଥିଲା। ନିକଟ ଅତୀତରେ ସେହି କେତେକ ଅସନ୍ତୁଷ୍ଟ ପାଠିକାପାଠକ ଆନ୍ନା ହାଜାରେଙ୍କ କାର୍ଯ୍ୟକ୍ରମ ବାସ୍ତବରେ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିଦେଲା ବୋଲି ସ୍ବୀକାର କରିଛନ୍ତି। ଅନୁରୂପ ଭାବେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାରେ ଜଣେ ବାବାଙ୍କ ବିରୋଧରେ ଅନେକ ଗଣମାଧ୍ୟମ ଏକଜୁଟ ହୋଇଥିବା ବେଳେ ଧରିତ୍ରୀ ଏକ ଭିନ୍ନ ଦିଗ ସମ୍ପର୍କରେ ଲେଖିଥିଲା। ଅନ୍ୟମାନେ ସେହି ବାବାଙ୍କୁ କେତେକ କୁକର୍ମ ପାଇଁ ଦୋଷ ଦେଉଥିବା ବେଳେ ଧରିତ୍ରୀ ମତ ଦେଇଥିଲା ଯେ ବାବା ନୁହେଁ, ଚେଲାମାନଙ୍କ ଆଗ୍ରହ ଏହିଭଳି ଅନୈତିକ କାର୍ଯ୍ୟ ପାଇଁ ଦାୟୀ। ସେତେବେଳେ ମଧ୍ୟ ଯେଉଁ ପାଠକୀୟ ପ୍ରତିକ୍ରିୟା ହୋଇଥିଲା, ତାହାକୁ ସେହି ପାଠିକାପାଠକମାନେ ପରବର୍ତ୍ତୀ ସମୟରେ ମତ ସଂଶୋଧନ କଲେ ବୋଲି ଆମ ଧରିତ୍ରୀକୁ ପତ୍ର ମାଧ୍ୟମରେ ଜଣାଇଥିଲେ।
ସରକାର କିମ୍ବା କୌଣସି ବ୍ୟବସାୟିକ ସଂସ୍ଥାଠାରୁ ଲାଭ ଉଠାଇବା ପାଇଁ ଚେଷ୍ଟା କରୁ ନ ଥିବା ହେତୁ ଆଜି ଧରିତ୍ରୀ ବାସ୍ତବରେ ନିରପେକ୍ଷତା ରକ୍ଷା କରିପାରୁଛି। ଏହି ଶକ୍ତି ଦେବା ପାଇଁ ଗୋଟିଏପଟେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିବାବେଳେ ଅନ୍ୟପଟେ ଆମର ଅଗଣିତ ପାଠିକାପାଠକଙ୍କର ସ୍ନେହ ଓ ଶ୍ରଦ୍ଧା ଧରିତ୍ରୀକୁ ବଞ୍ଚାଇ ରଖିଛି। ଏହି ୧ ନମ୍ବର କିମ୍ବା ୫୦ ନମ୍ବର ଖେଳରେ ସାମିଲ ହେବା ପରିବର୍ତ୍ତେ ଧରିତ୍ରୀ ତା’ର ସତ୍ୟ ଓ ନିଷ୍ଠାକୁ ବଞ୍ଚାଇ ରଖିବା ପାଇଁ ଅଧିକ ଗୁରୁତ୍ୱ ଦେଇଛି। ଯେତେ ଆଚାର, ବାଲ୍‌ଟି, ଜଡ଼ାତେଲ ସ୍କିମ୍‌ କରି ପାଠକ ବୃଦ୍ଧି କରିବାର ଚେଷ୍ଟା କରାଯାଇଛି, ସେଥିରେ ଧରିତ୍ରୀର ଅଗ୍ରଣୀ ଓ ପ୍ରଗତିଶୀଳ ପାଠିକାପାଠକ ଦିଗହରା ହୋଇନାହାନ୍ତି ବୋଲି ଆଜି ଧରିତ୍ରୀ ବଞ୍ଚିଛି। କେବଳ ବଞ୍ଚିନି। ଅତି ହୃଷ୍ଟପୁଷ୍ଟ ଭାବେ ଆଗେଇ ଚାଲିଛି। ଏଥିପାଇଁ ଧରିତ୍ରୀ ତା’ର ପାଠିକାପାଠକଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଉଛି।
ପୃଥିବୀ ଆଜି ଏକ ଅଶାନ୍ତ ପରିସ୍ଥିତି ଦେଇ ଗତିକରୁଛି। ୨୦୨୦ ମସିହା ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜର ବର୍ଷ ଭାବେ ଆରମ୍ଭ ହୋଇଥିଲା। କୋଭିଡ୍‌-୧୯ ଏହି ବର୍ଷ ଯେ ଶେଷ ହୋଇଯିବ, ତାହା କେହି କହିପାରିବେ ନାହିଁ। ଟେଲିଫୋନ୍‌ କଲେ ସବୁବେଳେ ବାର୍ତ୍ତା ବାରମ୍ବାର ଶୁଣିବାକୁ ମିଳୁଛି ଯେ, କ୍ଷମତାସୀନ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରୋଗ ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରନ୍ତୁ। ବାସ୍ତବ କଥା ହେଉଛି, କୌଣସି ଜଣେ ବ୍ୟକ୍ତି ଏହି ଲଢ଼େଇର ନେତୃତ୍ୱ ନେଉଛି ବୋଲି କହିବା ଅନୁଚିତ। ଯାହା ବ୍ୟବସାୟିକ ଜଗତୀକରଣ, ଅର୍ଥନୈତିକ ଉଦାରୀକରଣ କିମ୍ବା ଟେକ୍‌ନୋଲୋଜି କରିବାରେ ଅସଫଳ ହୋଇଛି, ତାହାକୁ ଆଜି ଏହି କରୋନା ଭୂତାଣୁ କରି ଦେଖାଇଦେଲା। ଏହି ଭୂତାଣୁ ବିରୋଧରେ ହେଉଥିବା ଲଢ଼େଇ ଯୋଗୁ ଆମେ ସମସ୍ତେ ଆଜି ସମଗ୍ର ବିଶ୍ୱର ନାଗରିକ ହୋଇଯାଇଛୁ। ଏହାର ଅର୍ଥ ହେଲା କୌଣସି ରାଜନୈତିକ ବିଭାଜନରୁ ସୃଷ୍ଟି ହୋଇଥିବା ଦେଶ ବା ଧର୍ମକୁ ନେଇ ବିଖଣ୍ଡିତ ହେଉଥିବା ସମାଜ କିମ୍ବା ଅର୍ଥନୈତିକ ସମ୍ବଳକୁ ନେଇ ଧନୀ ଓ ଗରିବର ବିଭେଦକୁ ଏହି ରୋଗ ଭାଙ୍ଗିଦେଇଛି। କୋଭିଡ୍‌-୧୯ ସାମ୍ନାରେ କେହି ଧନୀ ବା ଶକ୍ତିଶାଳୀ କହିପାରିବେ ନାହିଁ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ହସ୍ପିଟାଲକୁ ଯାଇ ମୃତ୍ୟୁମୁଖରୁ ବଞ୍ଚିଆସିବା ପରି ଗଞ୍ଜାମର ସାଧାରଣ ଶ୍ରମିକଟିଏ ମଧ୍ୟ ସେହି ରୋଗରେ ଆକ୍ରାନ୍ତ ହୋଇ ବଞ୍ଚିଯାଇପାରିଛି। ସେହିଭଳି ପର୍ତ୍ତୁଗାଲର ସବୁଠାରୁ ବଡ଼ ବ୍ୟାଙ୍କର ମାଲିକଙ୍କ ମୃତ୍ୟୁ ଏହି ଭୂତାଣୁ ଦ୍ୱାରା ହୋଇଥିବା ବେଳେ ଓଡ଼ିଶାର ଜଣେ ଶକ୍ତିଶାଳୀ ମହିଳା ମଧ୍ୟ ନିକଟରେ ଉକ୍ତ ରୋଗ ଯୋଗୁ ମୃତ୍ୟୁବରଣ କରିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଏକବିଂଶ ଶତାବ୍ଦୀରେ ମଣିଷ ଜାତି ଅତ୍ୟନ୍ତ ଦୁର୍ବଳ ଓ ନିଜର ସୁରକ୍ଷା ପାଇଁ ଅସମର୍ଥ।
ପୂର୍ବରୁ ଶୁଣୁଥିଲୁ ସମାଜବାଦ ପ୍ରତିଷ୍ଠା ପାଇଁ ଅନେକେ ବିପ୍ଳବୀ ସଂଗ୍ରାମ କରି ଜୀବନ ହରାଇଛନ୍ତି। ବହୁ ତତ୍ତ୍ୱ ସେମାନଙ୍କଠାରୁ ଶିଖିବାକୁ ମିଳିଥିଲା। କିନ୍ତୁ ତା’ ବିପକ୍ଷରେ ଥିବା ‘ପାଞ୍ଚ ଅଙ୍ଗୁଳି ସମାନ ନୁହେଁ’ ଯୁକ୍ତି ମଧ୍ୟ ବିଶ୍ୱାସଯୋଗ୍ୟ ହେଉଥିଲା। କୋଭିଡ୍‌-୧୯ ଆଣିଦେଇଛି ବାସ୍ତବ ସମାଜବାଦ। ଏହାଫଳରେ ରାଜନେତା, ଶିଳ୍ପପତିଠାରୁ ଆରମ୍ଭ କରି ଦିନମଜୁରିଆ ପର୍ଯ୍ୟନ୍ତ ସମସ୍ତେ ମୃତ୍ୟୁକୁ ଭୟ କରିବସିଛନ୍ତି। ଯେଉଁମାନେ ରୋଗାକ୍ରାନ୍ତ ହୋଇ ବଞ୍ଚିଯାଉଛନ୍ତି, ସେମାନେ ପୁନର୍ବାର ସଂକ୍ରମିତ ହେବାକୁ ଅଧିକ ଭୟ କରୁଛନ୍ତି; କାରଣ ସେମାନଙ୍କ ଭିତରେ ସୃଷ୍ଟି ହୋଇଥିବା ଆଣ୍ଟିବଡିଜ୍‌ ଦେହର ଅନ୍ୟ ଅଙ୍ଗକୁ ଦୁର୍ବଳ କରିଦେଉଛି ବୋଲି ବିଶେଷଜ୍ଞମାନେ କହିଲେଣି। ଅର୍ଥାତ୍‌ ଆଜିର ୨୦୨୦ ପୃଥିବୀରେ ପାଞ୍ଚ ଅଙ୍ଗୁଳି ବାସ୍ତବରେ ସମାନ ହୋଇଗଲେଣି। ଧନୀ-ଗରିବ, ଉଚ୍ଚ-ନୀଚ, ହିନ୍ଦୁ-ମୁସଲମାନ-ଖ୍ରୀଷ୍ଟିଆନ, କ୍ଷମତାସୀନ ଏବଂ ଦୁର୍ବଳଶ୍ରେଣୀ ସମସ୍ତେ ଏକ ଭାବେ କୋଭିଡ୍‌ ସମ୍ମୁଖରେ ଛିଡ଼ା।
କେବଳ କୋଭିଡ୍‌ ନୁହେଁ, ତା’ଯୋଗୁ ସୃଷ୍ଟି ହୋଇଥିବା ଅଶାନ୍ତି ସମଗ୍ର ବିଶ୍ୱକୁ ବ୍ୟାପିଗଲାଣି। ଏସିଆର ଥାଇଲାଣ୍ଡ, ହଂକଂ, ୟୁରୋପରେ ଆର୍ମେନିଆ-ଆଜରବୈଜାନ, ଫ୍ରାନ୍ସ, ଆଫ୍ରିକାରେ ଇଥିଓପିଆ, ଦକ୍ଷିଣ ଆମେରିକାରେ ପେରୁ, ବ୍ରାଜିଲ, ଗୁଏଟ୍‌ମାଲା ଭଳି ସବୁ ମହାଦେଶରେ ଏବେ ଅଶାନ୍ତି ବୃଦ୍ଧି ପାଉଛି। ବର୍ତ୍ତମାନ ଚାଇନା ତା’ର ବିସ୍ତାରବାଦୀ ଚିନ୍ତାଧାରାକୁ ନେଇ ଭୁଟାନଠାରୁ ପାଙ୍ଗଙ୍ଗ ସୋ ହ୍ରଦ ପର୍ଯ୍ୟନ୍ତ ବିଭିନ୍ନ ସାମରିକ କାର୍ଯ୍ୟ ଆରମ୍ଭ କରିଦେଇଥିବାରୁ ଭାରତ ମଧ୍ୟ ନୟାନ୍ତ ହୋଇପଡ଼ିଛି।
ଏଭଳି ଏକ ଅଶାନ୍ତ ପୃଷ୍ଠଭୂମିରେ ସବୁ ଗଣମାଧ୍ୟମର ପରୀକ୍ଷା ହେଉଛି। ଅର୍ଥଲୋଭ, ମିଛ ଦେଶପ୍ରେମର ଦ୍ୱାହି କିମ୍ବା କୌଣସି ପ୍ରକାର ଭ୍ରାନ୍ତ ଧାରଣାରେ ପ୍ରଭାବିତ ନ ହୋଇ ଯେଉଁ ଗଣମାଧ୍ୟମ ସତ୍ୟ ସହିତ ରହିବ, ତାହାର ଭବିଷ୍ୟତରେ ବଞ୍ଚିବାର ରାହା ମିଳିବ। ସମସ୍ତେ ଯେହେତୁ ବିଶ୍ୱର ନାଗରିକ ହେବା ପାଇଁ ବାଧ୍ୟ ହୋଇଛନ୍ତି, ରାଜନୀତିର ଅସତ୍ୟ ଏବଂ ଅର୍ଥନୀତିର ବାଟବଣା ଉଦ୍ୟମର ଊର୍ଦ୍ଧ୍ୱକୁ ଯିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଲାଣି। କୋଭିଡ୍‌-୧୯ କେବେ ଯିବ କେହି କହିପାରିବେ ନାହିଁ। କାହାର ଆୟୁଷ କେବେ ସରିବ ତାହା ମହାପ୍ରଭୁ ଜଗନ୍ନାଥ ଜାଣିଛନ୍ତି। ଏହି ସ୍ଥିତିରେ ଧରିତ୍ରୀ ସମସ୍ତେ ନୀରୋଗ ରହନ୍ତୁ କାମନା କରିବା ସହିତ ନିଜେ କଠୋର ସତ୍ୟ ପଥରେ ଯାଉଛି ବୋଲି ପାଠିକାପାଠକଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri