୫ ଅଙ୍ଗୁଳି ସମାନ

ଆଜି ୨୪ ନଭେମ୍ବର ମହାଯୋଗୀ ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ। ଏହି ଅବସରରେ ସେହି ମହାନ୍‌ ଆତ୍ମାଙ୍କୁୁ ସମ୍ମାନ ଜଣାଇ ଧରିତ୍ରୀ ତା’ର ୪୬ ବର୍ଷ ପୂର୍ଣ୍ଣ କରି ୪୭ତମ ବର୍ଷରେ ପଦାର୍ପଣ କରୁଛି। ଏହି ସମୟ ମଧ୍ୟରେ ଧରିତ୍ରୀ ଅନେକ ସଫଳତା ଦେଖିବା ସହ ଅନେକ ସଂଗ୍ରାମ ମଧ୍ୟ କରିବାର ସୁଯୋଗ ପାଇଛି। ଓଡ଼ିଆ ଭାଷାରେ ଛପା ହେଉଥିବା ହେତୁ ଏହି ଖବରକାଗଜ ଓଡ଼ିଶାର ସୀମା ମଧ୍ୟରେ ଆବଦ୍ଧ ରହିବାକୁ ବାଧ୍ୟ ହୋଇଛି। ଏହା ସତ୍ୟ ଯେ, ଓଡ଼ିଶା ବାହାରେ ଥିବା ଅନେକ ଓଡ଼ିଆ ଧରିତ୍ରୀର ଛପା କାଗଜ ସଂସ୍କରଣ ବିଳମ୍ବରେ ପାଇବା ସତ୍ତ୍ୱେ ଏହାକୁ କିଣୁଛନ୍ତି। ବିଳମ୍ବକୁ ଅପେକ୍ଷା କରିବାକୁ ଅନିଚ୍ଛୁକ ଅନେକ ଲକ୍ଷ ପାଠକ ଧରିତ୍ରୀର ଇଣ୍ଟରନେଟ୍‌ ଏଡିଶନକୁ ୧୯୯୭ ମସିହାଠାରୁ ପଢ଼ି ନିଜର ମତ ସୃଷ୍ଟି କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ, ଅନେକ ସମୟରେ, କେତେକ ପାଠକ ଧରିତ୍ରୀର ଆଭିମୁଖ୍ୟଠାରୁ ଭିନ୍ନ ମତ ଜଣାଇଥାଆନ୍ତି। ଉଦାହରଣ ସ୍ବରୂପ ଦିଲ୍ଲୀର ରାମଲୀଳା ମଇଦାନରେ ଆନ୍ନା ହାଜାରେଙ୍କ କାର୍ଯ୍ୟକ୍ରମକୁ ଦେଶବ୍ୟାପୀ ଗଣମାଧ୍ୟମ ପ୍ରଶଂସା କରୁଥିବା ବେଳେ ଧରିତ୍ରୀ ତାହାକୁ ଏକ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇଲା ଭଳି ଆନ୍ଦୋଳନ ଭାବେ ଦର୍ଶାଇଥିଲା। ନିକଟ ଅତୀତରେ ସେହି କେତେକ ଅସନ୍ତୁଷ୍ଟ ପାଠିକାପାଠକ ଆନ୍ନା ହାଜାରେଙ୍କ କାର୍ଯ୍ୟକ୍ରମ ବାସ୍ତବରେ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିଦେଲା ବୋଲି ସ୍ବୀକାର କରିଛନ୍ତି। ଅନୁରୂପ ଭାବେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାରେ ଜଣେ ବାବାଙ୍କ ବିରୋଧରେ ଅନେକ ଗଣମାଧ୍ୟମ ଏକଜୁଟ ହୋଇଥିବା ବେଳେ ଧରିତ୍ରୀ ଏକ ଭିନ୍ନ ଦିଗ ସମ୍ପର୍କରେ ଲେଖିଥିଲା। ଅନ୍ୟମାନେ ସେହି ବାବାଙ୍କୁ କେତେକ କୁକର୍ମ ପାଇଁ ଦୋଷ ଦେଉଥିବା ବେଳେ ଧରିତ୍ରୀ ମତ ଦେଇଥିଲା ଯେ ବାବା ନୁହେଁ, ଚେଲାମାନଙ୍କ ଆଗ୍ରହ ଏହିଭଳି ଅନୈତିକ କାର୍ଯ୍ୟ ପାଇଁ ଦାୟୀ। ସେତେବେଳେ ମଧ୍ୟ ଯେଉଁ ପାଠକୀୟ ପ୍ରତିକ୍ରିୟା ହୋଇଥିଲା, ତାହାକୁ ସେହି ପାଠିକାପାଠକମାନେ ପରବର୍ତ୍ତୀ ସମୟରେ ମତ ସଂଶୋଧନ କଲେ ବୋଲି ଆମ ଧରିତ୍ରୀକୁ ପତ୍ର ମାଧ୍ୟମରେ ଜଣାଇଥିଲେ।
ସରକାର କିମ୍ବା କୌଣସି ବ୍ୟବସାୟିକ ସଂସ୍ଥାଠାରୁ ଲାଭ ଉଠାଇବା ପାଇଁ ଚେଷ୍ଟା କରୁ ନ ଥିବା ହେତୁ ଆଜି ଧରିତ୍ରୀ ବାସ୍ତବରେ ନିରପେକ୍ଷତା ରକ୍ଷା କରିପାରୁଛି। ଏହି ଶକ୍ତି ଦେବା ପାଇଁ ଗୋଟିଏପଟେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିବାବେଳେ ଅନ୍ୟପଟେ ଆମର ଅଗଣିତ ପାଠିକାପାଠକଙ୍କର ସ୍ନେହ ଓ ଶ୍ରଦ୍ଧା ଧରିତ୍ରୀକୁ ବଞ୍ଚାଇ ରଖିଛି। ଏହି ୧ ନମ୍ବର କିମ୍ବା ୫୦ ନମ୍ବର ଖେଳରେ ସାମିଲ ହେବା ପରିବର୍ତ୍ତେ ଧରିତ୍ରୀ ତା’ର ସତ୍ୟ ଓ ନିଷ୍ଠାକୁ ବଞ୍ଚାଇ ରଖିବା ପାଇଁ ଅଧିକ ଗୁରୁତ୍ୱ ଦେଇଛି। ଯେତେ ଆଚାର, ବାଲ୍‌ଟି, ଜଡ଼ାତେଲ ସ୍କିମ୍‌ କରି ପାଠକ ବୃଦ୍ଧି କରିବାର ଚେଷ୍ଟା କରାଯାଇଛି, ସେଥିରେ ଧରିତ୍ରୀର ଅଗ୍ରଣୀ ଓ ପ୍ରଗତିଶୀଳ ପାଠିକାପାଠକ ଦିଗହରା ହୋଇନାହାନ୍ତି ବୋଲି ଆଜି ଧରିତ୍ରୀ ବଞ୍ଚିଛି। କେବଳ ବଞ୍ଚିନି। ଅତି ହୃଷ୍ଟପୁଷ୍ଟ ଭାବେ ଆଗେଇ ଚାଲିଛି। ଏଥିପାଇଁ ଧରିତ୍ରୀ ତା’ର ପାଠିକାପାଠକଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଉଛି।
ପୃଥିବୀ ଆଜି ଏକ ଅଶାନ୍ତ ପରିସ୍ଥିତି ଦେଇ ଗତିକରୁଛି। ୨୦୨୦ ମସିହା ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜର ବର୍ଷ ଭାବେ ଆରମ୍ଭ ହୋଇଥିଲା। କୋଭିଡ୍‌-୧୯ ଏହି ବର୍ଷ ଯେ ଶେଷ ହୋଇଯିବ, ତାହା କେହି କହିପାରିବେ ନାହିଁ। ଟେଲିଫୋନ୍‌ କଲେ ସବୁବେଳେ ବାର୍ତ୍ତା ବାରମ୍ବାର ଶୁଣିବାକୁ ମିଳୁଛି ଯେ, କ୍ଷମତାସୀନ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରୋଗ ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରନ୍ତୁ। ବାସ୍ତବ କଥା ହେଉଛି, କୌଣସି ଜଣେ ବ୍ୟକ୍ତି ଏହି ଲଢ଼େଇର ନେତୃତ୍ୱ ନେଉଛି ବୋଲି କହିବା ଅନୁଚିତ। ଯାହା ବ୍ୟବସାୟିକ ଜଗତୀକରଣ, ଅର୍ଥନୈତିକ ଉଦାରୀକରଣ କିମ୍ବା ଟେକ୍‌ନୋଲୋଜି କରିବାରେ ଅସଫଳ ହୋଇଛି, ତାହାକୁ ଆଜି ଏହି କରୋନା ଭୂତାଣୁ କରି ଦେଖାଇଦେଲା। ଏହି ଭୂତାଣୁ ବିରୋଧରେ ହେଉଥିବା ଲଢ଼େଇ ଯୋଗୁ ଆମେ ସମସ୍ତେ ଆଜି ସମଗ୍ର ବିଶ୍ୱର ନାଗରିକ ହୋଇଯାଇଛୁ। ଏହାର ଅର୍ଥ ହେଲା କୌଣସି ରାଜନୈତିକ ବିଭାଜନରୁ ସୃଷ୍ଟି ହୋଇଥିବା ଦେଶ ବା ଧର୍ମକୁ ନେଇ ବିଖଣ୍ଡିତ ହେଉଥିବା ସମାଜ କିମ୍ବା ଅର୍ଥନୈତିକ ସମ୍ବଳକୁ ନେଇ ଧନୀ ଓ ଗରିବର ବିଭେଦକୁ ଏହି ରୋଗ ଭାଙ୍ଗିଦେଇଛି। କୋଭିଡ୍‌-୧୯ ସାମ୍ନାରେ କେହି ଧନୀ ବା ଶକ୍ତିଶାଳୀ କହିପାରିବେ ନାହିଁ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ହସ୍ପିଟାଲକୁ ଯାଇ ମୃତ୍ୟୁମୁଖରୁ ବଞ୍ଚିଆସିବା ପରି ଗଞ୍ଜାମର ସାଧାରଣ ଶ୍ରମିକଟିଏ ମଧ୍ୟ ସେହି ରୋଗରେ ଆକ୍ରାନ୍ତ ହୋଇ ବଞ୍ଚିଯାଇପାରିଛି। ସେହିଭଳି ପର୍ତ୍ତୁଗାଲର ସବୁଠାରୁ ବଡ଼ ବ୍ୟାଙ୍କର ମାଲିକଙ୍କ ମୃତ୍ୟୁ ଏହି ଭୂତାଣୁ ଦ୍ୱାରା ହୋଇଥିବା ବେଳେ ଓଡ଼ିଶାର ଜଣେ ଶକ୍ତିଶାଳୀ ମହିଳା ମଧ୍ୟ ନିକଟରେ ଉକ୍ତ ରୋଗ ଯୋଗୁ ମୃତ୍ୟୁବରଣ କରିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଏକବିଂଶ ଶତାବ୍ଦୀରେ ମଣିଷ ଜାତି ଅତ୍ୟନ୍ତ ଦୁର୍ବଳ ଓ ନିଜର ସୁରକ୍ଷା ପାଇଁ ଅସମର୍ଥ।
ପୂର୍ବରୁ ଶୁଣୁଥିଲୁ ସମାଜବାଦ ପ୍ରତିଷ୍ଠା ପାଇଁ ଅନେକେ ବିପ୍ଳବୀ ସଂଗ୍ରାମ କରି ଜୀବନ ହରାଇଛନ୍ତି। ବହୁ ତତ୍ତ୍ୱ ସେମାନଙ୍କଠାରୁ ଶିଖିବାକୁ ମିଳିଥିଲା। କିନ୍ତୁ ତା’ ବିପକ୍ଷରେ ଥିବା ‘ପାଞ୍ଚ ଅଙ୍ଗୁଳି ସମାନ ନୁହେଁ’ ଯୁକ୍ତି ମଧ୍ୟ ବିଶ୍ୱାସଯୋଗ୍ୟ ହେଉଥିଲା। କୋଭିଡ୍‌-୧୯ ଆଣିଦେଇଛି ବାସ୍ତବ ସମାଜବାଦ। ଏହାଫଳରେ ରାଜନେତା, ଶିଳ୍ପପତିଠାରୁ ଆରମ୍ଭ କରି ଦିନମଜୁରିଆ ପର୍ଯ୍ୟନ୍ତ ସମସ୍ତେ ମୃତ୍ୟୁକୁ ଭୟ କରିବସିଛନ୍ତି। ଯେଉଁମାନେ ରୋଗାକ୍ରାନ୍ତ ହୋଇ ବଞ୍ଚିଯାଉଛନ୍ତି, ସେମାନେ ପୁନର୍ବାର ସଂକ୍ରମିତ ହେବାକୁ ଅଧିକ ଭୟ କରୁଛନ୍ତି; କାରଣ ସେମାନଙ୍କ ଭିତରେ ସୃଷ୍ଟି ହୋଇଥିବା ଆଣ୍ଟିବଡିଜ୍‌ ଦେହର ଅନ୍ୟ ଅଙ୍ଗକୁ ଦୁର୍ବଳ କରିଦେଉଛି ବୋଲି ବିଶେଷଜ୍ଞମାନେ କହିଲେଣି। ଅର୍ଥାତ୍‌ ଆଜିର ୨୦୨୦ ପୃଥିବୀରେ ପାଞ୍ଚ ଅଙ୍ଗୁଳି ବାସ୍ତବରେ ସମାନ ହୋଇଗଲେଣି। ଧନୀ-ଗରିବ, ଉଚ୍ଚ-ନୀଚ, ହିନ୍ଦୁ-ମୁସଲମାନ-ଖ୍ରୀଷ୍ଟିଆନ, କ୍ଷମତାସୀନ ଏବଂ ଦୁର୍ବଳଶ୍ରେଣୀ ସମସ୍ତେ ଏକ ଭାବେ କୋଭିଡ୍‌ ସମ୍ମୁଖରେ ଛିଡ଼ା।
କେବଳ କୋଭିଡ୍‌ ନୁହେଁ, ତା’ଯୋଗୁ ସୃଷ୍ଟି ହୋଇଥିବା ଅଶାନ୍ତି ସମଗ୍ର ବିଶ୍ୱକୁ ବ୍ୟାପିଗଲାଣି। ଏସିଆର ଥାଇଲାଣ୍ଡ, ହଂକଂ, ୟୁରୋପରେ ଆର୍ମେନିଆ-ଆଜରବୈଜାନ, ଫ୍ରାନ୍ସ, ଆଫ୍ରିକାରେ ଇଥିଓପିଆ, ଦକ୍ଷିଣ ଆମେରିକାରେ ପେରୁ, ବ୍ରାଜିଲ, ଗୁଏଟ୍‌ମାଲା ଭଳି ସବୁ ମହାଦେଶରେ ଏବେ ଅଶାନ୍ତି ବୃଦ୍ଧି ପାଉଛି। ବର୍ତ୍ତମାନ ଚାଇନା ତା’ର ବିସ୍ତାରବାଦୀ ଚିନ୍ତାଧାରାକୁ ନେଇ ଭୁଟାନଠାରୁ ପାଙ୍ଗଙ୍ଗ ସୋ ହ୍ରଦ ପର୍ଯ୍ୟନ୍ତ ବିଭିନ୍ନ ସାମରିକ କାର୍ଯ୍ୟ ଆରମ୍ଭ କରିଦେଇଥିବାରୁ ଭାରତ ମଧ୍ୟ ନୟାନ୍ତ ହୋଇପଡ଼ିଛି।
ଏଭଳି ଏକ ଅଶାନ୍ତ ପୃଷ୍ଠଭୂମିରେ ସବୁ ଗଣମାଧ୍ୟମର ପରୀକ୍ଷା ହେଉଛି। ଅର୍ଥଲୋଭ, ମିଛ ଦେଶପ୍ରେମର ଦ୍ୱାହି କିମ୍ବା କୌଣସି ପ୍ରକାର ଭ୍ରାନ୍ତ ଧାରଣାରେ ପ୍ରଭାବିତ ନ ହୋଇ ଯେଉଁ ଗଣମାଧ୍ୟମ ସତ୍ୟ ସହିତ ରହିବ, ତାହାର ଭବିଷ୍ୟତରେ ବଞ୍ଚିବାର ରାହା ମିଳିବ। ସମସ୍ତେ ଯେହେତୁ ବିଶ୍ୱର ନାଗରିକ ହେବା ପାଇଁ ବାଧ୍ୟ ହୋଇଛନ୍ତି, ରାଜନୀତିର ଅସତ୍ୟ ଏବଂ ଅର୍ଥନୀତିର ବାଟବଣା ଉଦ୍ୟମର ଊର୍ଦ୍ଧ୍ୱକୁ ଯିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଲାଣି। କୋଭିଡ୍‌-୧୯ କେବେ ଯିବ କେହି କହିପାରିବେ ନାହିଁ। କାହାର ଆୟୁଷ କେବେ ସରିବ ତାହା ମହାପ୍ରଭୁ ଜଗନ୍ନାଥ ଜାଣିଛନ୍ତି। ଏହି ସ୍ଥିତିରେ ଧରିତ୍ରୀ ସମସ୍ତେ ନୀରୋଗ ରହନ୍ତୁ କାମନା କରିବା ସହିତ ନିଜେ କଠୋର ସତ୍ୟ ପଥରେ ଯାଉଛି ବୋଲି ପାଠିକାପାଠକଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri