
ସୁନ୍ଦରଗଡ଼,୨୨।୧ (ଜୟନାରାୟଣ ମେଣ୍ଡୁଳି):ତାଲିମ ନାଁରେ ତାମିଲନାଡୁ ପଠା ଯାଇଥିବା ସୁନ୍ଦରଗଡର ଝିଅମାନଙ୍କୁ ଫେରାଇ ଆଣିବାରେ ପ୍ରଶାସନର ବିଫଳତା ଓ ସୁନ୍ଦରଗଡ ଝିଅଙ୍କ ସୁରକ୍ଷା, ସ୍ବାଭିମାନ ରକ୍ଷା ଦାବିରେ ବୁଧବାର ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି। କୋଶଲ ସମାଜ ଓ ଲେଫ୍ରିପଡା ଅଭିଭାବକମାନଙ୍କ ପକ୍ଷରୁ ଏହି ବଦ ଡାକରା ଦିଆଯାଇଛି। ପତ୍ରାପାଲି ଛକରେ ପିକେଟିଂ କରାଯାଇଛି। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ଅଭିଭାବକମାନଙ୍କ ଅଭିଯୋଗରୁ ପ୍ରକାଶ, ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୯୦ଜଣ ତଥା ସୁନ୍ଦରଗଡ ଜିଲାରୁ ଶହଶହ ଝିଅମାନଙ୍କୁ ତାଲିମ ନାଆଁରେ କଟକର ଏକ ସଂସ୍ଥାକୁ ୪୫ଦିନ ପାଇଁ ପଠାଯାଇଥିଲା। ପରେ ଏହି ସଂସ୍ଥା ଏହି ଝିଅମାନଙ୍କୁ ତାମିଲନାଡୁକୁ ନେଇ ଏକ ସିଲେଇ ସଂସ୍ଥାରେ କାମ ଦେଇଛନ୍ତି। ଏହି ଝିଅମାନଙ୍କୁ ଫେରାଇ ଅଣାଯିବା ପାଇଁ ଅଭିଭାବକମାନେ ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ, ହେଲେ ଆଜି ସୁଦ୍ଧା ଏହି ଝିଅମାନଙ୍କୁ ଫେରାଇ ଅଣାଯାଇ ନାହିଁ। ଏନେଇ କୋଶଳ ସମାଜ ନେତୃତ୍ୱରେ ଝିଅମାନଙ୍କର ଅଭିଭାବକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୯ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ କୌଣସି ସୁଫନ ନ ମିଳିବାରୁ ୨୨ତାରିଖ ବୁଧବାର ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ ପାଳନ ପାଇଁ ଡାକରା ଦେଇଛନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ କୋଶଳ ସମାଜର ମହାସଚିବ ଦିଲୀପ କୁମାର ପଣ୍ଡା ଓ ତାମିଲନାଡୁ ପଠାଯାଇଥିବା ଝିଅମାନଙ୍କ ଅଭିଭାବକମାନଙ୍କ ପକ୍ଷରୁ ମଙ୍ଗଳବାର ସାରେ ଆହୁତ ଏକ ଖବରଦାତା ସମ୍ମିଳନୀରେ ନିବେଦନ କରାଯାଇଛି।