ସ୍ବଦେଶୀ ସ୍ୱାଭିମାନ ଓ ଜିଆଇ ଟ୍ୟାଗ୍‌

ସମରେନ୍ଦ୍ର ବଳିଆରସିଂହ

ଶୋଇଲା ପୁଅର ଭାଗ ନାହିଁ। ଆପଣ ପଚାରିବେ, କିଏ ଶୋଇଛି? ଏହାର ଉତ୍ତର ହେଲା, ଆମେ ଶୋଇଛୁ। ଅର୍ଥନୀତି ଭଳି ଏ ଓଡ଼ିଆ ଜାତି ମାନ୍ଦାବସ୍ଥାର ଶିକାର ହୋଇଯାଉଛି। ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ବହୁ ବିଳମ୍ବ ହେଲା। ନୀଳାଦ୍ରି ବିଜୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ଲକ୍ଷ୍ମୀଙ୍କ ପାଇଁ ରସଗୋଲା ଭୋଗ ଦେଇ ମାନଭଞ୍ଜନ କରନ୍ତି। ହେଲେ ରସଗୋଲାକୁ ନେଇ ଆଗ ପଶ୍ଚିମବଙ୍ଗ ଭୌଗୋଳିକ ସଙ୍କେତ ବା ଜିଆଇ ଟ୍ୟାଗ୍‌ ପାଇଗଲା। ଆମର ବିଳମ୍ବିତ ଉଦ୍ୟମ ପରେ ଆମେ ଓଡ଼ିଶା ରସଗୋଲା ଭାବେ ଜିଆଇ ଟ୍ୟାଗ୍‌ ପାଇଲୁ। ଏବେ ନଗଦାନଗଦି ଖବର ହେଲା, ଆସାମ ଗାମୋସା(ଗାମୁଛା)କୁ ଜିଆଇ ଟ୍ୟାଗ୍‌ ମିଳିଛି। ଆସାମର ସଂସ୍କୃତିକୁ ଦର୍ଶାଉଥିବା ଏହି ବସ୍ତ୍ରକୁ ମାନ୍ୟତା ମିଳିବା ନେଇ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟେଲ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ଆସାମର ଗାମୋସା ଏବେ ଦୁନିଆରେ ପ୍ରସିଦ୍ଧ ହେଉଛି। ଜିଆଇ ଟ୍ୟାଗ୍‌ ମିଳିବା ପରେ ବୁଣାକାରମାନଙ୍କର ଭରସା ବଢ଼ିବ। ଏହି ପରିପ୍ରେକ୍ଷୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଲୁଙ୍ଗି ଗାମୁଛା ସମ୍ପର୍କରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛୁ। ଏକଦା ଅରଟରେ ବୁଣା ହେଉଥିଲା ନାଲି ରଙ୍ଗର କରିଆ। ପରେ ତନ୍ତ ଆସିଲା ଓ ସେହି କରିଆ ପରିଚିତ ହେଲା ଗାମୁଛା ଭାବେ । ଲାଲମାଟି ଖୋର୍ଦ୍ଧା ବୀର ପାଇକମାନଙ୍କ ମାଟି। ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଥିଲା ଏଠିକାର ପାଇକମାନଙ୍କର ପରିଧାନ। ପାଇକ ପୁଅ ସେଇ ନାଲି ଗାମୁଛାକୁ ମୁଣ୍ଡରେ କି ଅଣ୍ଟାରେ ଭିଡ଼ି ଯୁଦ୍ଧକୁ ଯାଉଥିଲା। ଶତ୍ରୁ ବେକରେ ଗାମୁଛା ପକାଇ ତାକୁ କବଳିତ କରୁଥିଲା । ଗରିବଙ୍କଠାରୁ ଆରମ୍ଭ କରି ଧନୀ, ଗାଁରୁ ସହର ପର୍ଯ୍ୟନ୍ତ ଏହି ସ୍ବଦେଶୀ ପରିଧାନ ଥିଲା ସମସ୍ତଙ୍କର ପ୍ରିୟ। ଗାମୁଛା ଥିଲା ଲୋକଙ୍କର ‘ଷ୍ଟାଇଲ୍‌ ଷ୍ଟେଟମେଣ୍ଟ। ଜମିଦାର ହୁଅନ୍ତୁ କି ହଳିଆ, ବେକରେ ପଡ଼ିଥିବ ନାଲି ଗାମୁଛା ବା କରିଆ। ଗାମୁଛା ଅଛି ତ ସବୁ କିଛି ଅଛି। ଖୋର୍ଦ୍ଧା ସହର ସମେତ ଡାଳତୋଳା, ଧଳାପଥର, ସଁପୁର, ବାଜପୁର, ଦେଉଳି, ଆମ୍ବଝର ଆଦି ଗାଁଗୁଡ଼ିକ ଖୋର୍ଦ୍ଧା ଗାମୁଛା ପାଇଁ ପ୍ରସିଦ୍ଧ ଥିଲା। କୋଡ଼ିଆ ସୂତାରେ ଏହା ତିଆରି ହେଉଥିଲା, ରଙ୍ଗ ଛାଡ଼ୁ ନ ଥିଲା। ତେଣୁ ଏହାର ଚାହିଦା ଅଧିକ ରହିଥିଲା।
କେବଳ ଲୁଙ୍ଗି, ଗାମୁଛା ନୁହେଁ; ଶାଢ଼ି ପାଇଁ ମଧ୍ୟ ଖୋର୍ଦ୍ଧାର ପ୍ରସିଦ୍ଧି ରହିଛି। ବୀରାଙ୍ଗନା ପାଇକ ରମଣୀ ପିନ୍ଧୁଥିଲେ ଶାଢ଼ି। ଶାଢ଼ି ପିନ୍ଧି ଯୁଦ୍ଧ କରୁଥବାର ଇତିହାସ ସାକ୍ଷୀ। ପାଇକ ରମଣୀ କଳାବତୀ ହୁଅନ୍ତୁ କି ହାରାବତୀ, ଶାଢ଼ି ପିନ୍ଧି ବୀରଦର୍ପରେ ଇଂରେଜମାନଙ୍କ ମୁକାବିଲା କରୁଥିଲେ। ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ିର ଏକ ଅଲଗା ପରିଚୟ ଥିଲା, ବାଣିଜ୍ୟ ଭାଷାରେ ଯାହାକୁ ଆମେ କହୁଛୁ ‘ବ୍ରାଣ୍ଡ୍‌’। ଏସବୁ ପରିଧାନ ପିନ୍ଧିବା ପାଇଁ ଭାରି କୋମଳ, ହାଲୁକା ଏବଂ ଚର୍ମ ପାଇଁ ଭଲ। ତନ୍ତବୁଣା ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ିର ପ୍ରଚଳନ ପାଖାପାଖି ୧୦୦ ବର୍ଷର ପୁରୁଣା ବୋଲି ବୁଣାକାରମାନେ କୁହନ୍ତି। ଜଣେ ମାରୱାଡ଼ି ବ୍ୟବସାୟୀ ଗଣପତି ଲାଲଙ୍କ ଉଦ୍ୟମକ୍ରମେ ନୀଳ ଲୁଙ୍ଗି ଓ ଲାଲ ଗାମୁଛା ବୁଣା ଆରମ୍ଭ ହୋଇଥିଲା। ତାଙ୍କ ନାମରେ ଏହି ଗାମୁଛା ଗଣପତି ଗାମୁଛା ଭାବେ ପରିଚିତ ହେଲା। ପରେ ଶାଢ଼ି ମଧ୍ୟ ପ୍ରସ୍ତୁତ ହେଲା। ଦୀର୍ଘସ୍ଥାୟୀ ସୂତାରେ ଭଲ ରଙ୍ଗର ପ୍ରୟୋଗ କରାଯାଉଥିଲା, ତେଣୁ ଦିନକୁ ଦିନ ଏସବୁର ଚାହିଦା ଆକାଶଛୁଅଁା ହେଲା। ୧୯୭୫ ବେଳକୁ ଖୋର୍ଦ୍ଧା ବ୍ରାଣ୍ଡ୍‌ ସାରା ଓଡ଼ିଶାରେ ଛାଇଗଲା। କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଲୋକପ୍ରିୟ ହେଲା ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ି। ତଥ୍ୟ କୁହେ, ୧୯୮୫ରେ କୃଷ୍ଣ ମୁରାରୀ ଶାହା କଳତନ୍ତ ବସାଇ ଅଧିକ ଉପତ୍ାଦନ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ବ୍ରାଣ୍ଡ୍‌ ଜାତୀୟ ହସ୍ତଶିଳ୍ପ ମାନ୍ୟତା ପାଇଲା। ଏହି ବ୍ରାଣ୍ଡ୍‌ର ପାଇକପୁଅ ଛାପ ଲୁଙ୍ଗି ପ୍ରଥମ ସ୍ବାଧୀନତା ସଂଗ୍ରାମର ପ୍ରଚାର ପ୍ରସାର କରାଇବାରେ ସହାୟକ ହୋଇଥିଲା। କେବଳ ହିନ୍ଦୁ ନୁହନ୍ତି, ମୁସଲମାନମାନେ ମଧ୍ୟ ଖୋର୍ଦ୍ଧା ଲୁଙ୍ଗି, ଗାମୁଛାକୁ ପସନ୍ଦ କରୁଥିଲେ। ତେଣୁ ହିନ୍ଦୁ-ମୁସଲିମ ସଂପ୍ରୀତି ପାଇଁ ଏସବୁ ପରିଧାନର ବଡ଼ ଭୂମିକା ରହିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ‘କୁଟି ଖାଅ, କାଟି ପିନ୍ଧ’ର ସ୍ଲୋଗାନ୍‌ ଦେଉଥିଲେ। ଏଭଳି ସ୍ବଦେଶୀ ପରିଧାନ ସେଇ ସ୍ଲୋଗାନକୁ ପରିପୁଷ୍ଟ କରୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ’ର ସ୍ଲୋଗାନ୍‌ ଦେଉଛନ୍ତି। ହେଲେ ସେଇ ଆତ୍ମନିର୍ଭରଶୀଳତାର ପ୍ରତୀକ ଥିଲା ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓ ଶାଢ଼ି।
ଖୋର୍ଦ୍ଧା ସମେତ ବେଗୁନିଆ, ବୋଲଗଡ଼ ବ୍ଲକ୍‌ରେ ବହୁ ବୁଣାକାର ପରିବାର ଉତ୍କୃଷ୍ଟମାନର ପରିଧାନ ପ୍ରସ୍ତୁତ କରୁଥିଲେ। ରେଖା ଶାଢ଼ି ଓ ଟସର ଶାଢ଼ି ସେତେବେଳେ ଲୋକପ୍ରିୟ ହୋଇଥିଲା। ଖୋର୍ଦ୍ଧା ନିକଟସ୍ଥ ରାଉତପଡ଼ା ଗ୍ରାମର ବୁଣାକାରମାନେ ଗୀତଗୋବିନ୍ଦ ପାଟ ପ୍ରସ୍ତୁତ କରୁଥିଲେ। ଏହା ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ପାଟବସ୍ତ୍ରର ପରିଚୟ ଲାଭ କରିଥିଲା। ସେହିପରି ଧଳାପଥର ଗ୍ରାମର ବୁଣାକାରଙ୍କ ପରଦା ଶିଳ୍ପ ରାଜ୍ୟ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଥିଲା। କୁଶଳୀ ବୁଣାକାର ଉଦୟନାଥ ସାହୁଙ୍କ କୁଶଳୀ ହାତର କାରିଗରି ଯୋଗୁ ଏଠିକାର ପରଦା କଳା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଏହା ଅନସ୍ବୀକାର୍ଯ୍ୟ ଯେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଆଧ୍ୟାତ୍ମିକତା କ୍ଷେତ୍ରରେ ଧଳାପଥର ପର୍ଦ୍ଦାକଳାର ବଡ଼ ଭୂମିକା ଥିଲା। ଏହି ପର୍ଦ୍ଦାକଳା ଭାରତ ସରକାରଙ୍କ ଜିଆଇ ଟ୍ୟାଗ୍‌ରେ ମଧ୍ୟ ପଞ୍ଜୀକୃତ ହୋଇଥିଲା।
ସାମଗ୍ରିକ ଭାବେ ଦେଖିବାକୁ ଗଲେ ସ୍ବଦେଶୀ ବସ୍ତ୍ରର ପ୍ରଚାର, ପ୍ରସାର ପାଇଁ ଖୋର୍ଦ୍ଧା ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତେବେ ସମୟସ୍ରୋତରେ ଏସବୁ ହଜିଯିବାକୁ ବସିଛି। ସମ୍ପ୍ରତି ତନ୍ତୁବାୟ ସମବାୟ ସହଯୋଗ ସମିତିଗୁଡ଼ିକ ରୁଗ୍‌ଣ ହୋଇପଡ଼ିଛି। ନକଲି ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଆସି ଅସଲିକୁ ଅନେକ ପରିମାଣରେ ବଜାରରୁ ହଟେଇଦେଇଛି। କାରିଗରମାନଙ୍କୁ ଆଶାନୁରୂପକ ପାରିଶ୍ରମିକ ମିଳୁନାହିଁ। ଅପରପକ୍ଷେ ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସରକାର ନିଜ ରାଜ୍ୟର ହସ୍ତତନ୍ତ କାରିଗରମାନଙ୍କୁ ରିହାତି ମୂଲ୍ୟରେ ସୂତା, ରଙ୍ଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କଞ୍ଚାମାଲ ଯୋଗାଇଦେଉଥିବା ହେତୁ ସେଠାକାର ବୁଣାକାରମାନଙ୍କ ଉପତ୍ାଦ ଆମ ରାଜ୍ୟର ରପ୍ତାନି ମୂଲ୍ୟ ତୁଳନାରେ ଶସ୍ତା ହେଉଛି।
ଦିନେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିଲା ଲାଲମାଟି ଖୋର୍ଦ୍ଧା। ଲାଲମାଟିର ସ୍ବଦେଶୀ ବସ୍ତ୍ର ଉପତ୍ାଦନ ପ୍ରାଚୀନ ନୌବାଣିଜ୍ୟ ସହ ଜଡ଼ିତ ବୋଲି କେତେକ ମତ ଦିଅନ୍ତି। ସେତେବେଳେ ଆମର ଲୁଙ୍ଗି, ଗାମୁଛା ଓ ଶାଢ଼ି ସୁଦୂର ଜାଭା, ସୁମାତ୍ରା, ବୋର୍ନିଓକୁ ରପ୍ତାନି ହେଉଥିଲା। ଏଭଳି ସ୍ବର୍ଣ୍ଣିମ ଅତୀତର ସାକ୍ଷୀ ହେଉଛି ଲାଲମାଟିର ସ୍ବଦେଶୀ ବସ୍ତ୍ର। ବର୍ତ୍ତମାନ ଏହି ବସ୍ତ୍ର ଉପତ୍ାଦନ କ୍ଷେତ୍ରରେ ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି, ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ନ କରନ୍ତି, ତେବେ କାଳଗର୍ଭରେ ଏହି କଳା ଲୀନ ହୋଇଯିବ! ଆମ ସ୍ବଦେଶୀ ପରିଧାନକୁ ସ୍ବାବଲମ୍ବନର ନୂଆ ରାହା ଭାବେ ସାମ୍ନାକୁ ଆଣିବାକୁ ହେବ। ‘ସ୍ବଦେଶୀ ସ୍ବାଭିମାନ’କୁ ଉଜାଗର କରିବାକୁ ପଡ଼ିବ। ଖୋର୍ଦ୍ଧା ଲୁଙ୍ଗି, ଗାମୁଛାକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ସାମଗ୍ରିକ ଭାବେ ଉଦ୍ୟମ କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ ଆଗେଇ ଆସନ୍ତୁ।
ବିଶ୍ୱାତ୍ମା, ଏମ୍‌-୨୩, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧା, ମୋ: ୮୨୪୯୬୭୯୦୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?