ସେକାଳ ଚିଠି

ଡା. ବାସୁଦେବ ପ୍ରଧାନ
ଆଜି ବାକ୍ସ ଭିତରୁ ପୁରୁଣା ଚିଠିଟିଏ ପାଇ ଚିଠି ବିଷୟରେ ଦୁଇପଦ ଲେଖିବାକୁ ଇଚ୍ଛା ହେଲା। ଚିଠି ବହୁ ପୁରୁଣା କଥା ମନେ ପକେଇଦିଏ। ଯୁବସୁଲଭ ଗୁଣ ମନକୁ ରୋମାଞ୍ଚଭରା କରିଦେଲା। ପ୍ରେମର ବାହକ ଥିଲା ଚିଠି। ଉତ୍କଣ୍ଠା, ଆବେଗ, ବିରହ ମିଳନର ବାସ୍ନାରେ ବାସ୍ନାୟିତ ଚିଠିର ଦେହ। ଆଖିରେ ଆଖି ମିଶିବା ପରେ ଅଧିକ କିଛି କୁହାଯାଏ ଚିଠିରେ। ଭାରି ଭାରି ଶବ୍ଦରେ ଓଜନିଆ ହୋଇଉଠେ ଦେହ ତା’ର। କେତେବେଳେ ଦୁଇ ପଦରେ ସରୁଥିଲା ତ କେତେବେଳେ ବଢ଼ୁଥିଲା ତା’ର କଳେବର। ପୋଷ୍ଟକାର୍ଡ, ଅନ୍ତର୍ଦେଶୀୟପତ୍ର, ଲଫାପା ମାଧ୍ୟମରେ ଲେଖା ହେଉଥିଲା ଚିଠି। ସମୟ ବାହାର କରି ମନକଥା ଲେଖାହେଉଥିଲା। ଚିଠି ଲେଖୁଥିବା ଲୋକ ଉତ୍ତର ପାଇବା ଆଶାରେ ଚାହିଁ ବସୁଥିଲା। ଉତ୍ତର ପ୍ରାପ୍ତିରେ ବିଳମ୍ବ ହେଲେ ମନରେ ଦୁଃଖ ଭରିଯାଉଥିଲା। ଆଉ ଉତ୍ତର ପାଇଲେ ଆନନ୍ଦର ସୀମା ରହୁ ନ ଥିଲା। ଚିଠି କେବଳ ଡାକବାଲା ନେଉ ନ ଥିଲା। ଚିଠିକୁ ମଧ୍ୟ ଜହ୍ନ, କେତେବେଳେ ମେଘ ହାତରେ ବି ପଠାଯାଉଥିଲା ମନର କଳ୍ପନାରେ। ସେଥିପାଇଁ ଅନେକ ଓଡ଼ିଶୀ, ଛାନ୍ଦ, ଢଗଢମାଳି ରଚନା କରାଯାଇଛି। ଯେମିତି ମେଘକୁ ଡାକବାଲା ସଜାଇ ବୋଲା ଯାଉଥିଲା- କହିବୁ ମେଘରେ କାନ୍ତଙ୍କୁ ଯାଇ…। ଆଉ କେବେ ନିଜସ୍ବ କବିତାରେ ଜହ୍ନକୁ ଡାକବାଲା ସଜାଇ ଲେଖିଚି- ଜହ୍ନରେ ଜହ୍ନ ଯିବୁ ଗାଁକୁ ଦେଖିଆସିବୁ ମୋ ପ୍ରିୟାକୁ।
ପିଲାବେଳ କଥା ମନେପଡେ। ସ୍କୁଲ ଯିବାକୁ ତର ତର। ସ୍କୁଲରୁ ଆସି ବସ୍ତାନି ଫିଙ୍ଗି ଖେଳିବାକୁ ଯିବାକୁ ତରତର। ସେତିକିବେଳେ ବିଦେଶରେ ରହୁଥିବା ସ୍ବାମୀ, ପୁଅମାନଙ୍କର ସ୍ତ୍ରୀ ଓ ମା’ମାନେ ଚିଠିଟିଏ ଲେଖିବା ପାଇଁ ଅନୁରୋଧ କରୁଥିଲେ। ନ ଲେଖିଲେ ମନ ଦୁଃଖ କରୁଥିଲେ। ଚିଠି ଲେଖିଦେବା ପାଇଁ ପାଚିଲା କଦଳୀ, ପିଜୁଳି, ସିତାଫଳ କେତେ କ’ଣ ଲାଞ୍ଚ ମିଳୁଥିଲା। ପାଲା ଗାଇବା ପୂର୍ବରୁ ମଙ୍ଗଳାଚରଣ ଗାଇବା ପରି ଶ୍ରୀଶ୍ରୀଗ୍ରାମଦେବତୀଙ୍କ ଚରଣେ ଶରଣ, ବୃନ୍ଦାବନଚନ୍ଦ୍ରଙ୍କ ଚରଣେ ଶରଣ, ଶ୍ରୀଶ୍ରୀବାଲୁଙ୍କେଶ୍ୱରଙ୍କ ଚରଣେ ଶରଣ। ଏମିତି ଲେଖୁ ଲେଖୁ ଚିଠି ଅଧା ହୋଇଯାଏ। (ଜଣେ କବିଙ୍କ ଭାଷାରେ କଲିକତାରୁ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀ ପାଖକୁ ଚିଠି ଲେଖିଛନ୍ତି: ଶିରୀ ଶିରୀ ଗଙ୍ଗାକାଳୀ ଚରଣେ ଶରଣ, ଲଇକ୍ଷଣ ବୋଉ ଶୁଣ ଲେଖିବା କାରଣ…।) ଆଉ ଅଧାରୁ ଦାଦାଙ୍କର ଆଶୀର୍ବାଦ, ଖୁଡୀଙ୍କର ଆଶୀର୍ବାଦ, ଜେଜେମା, ଜେଜେବାପାଙ୍କର ଆଶୀର୍ବାଦ, ଭାଇ ଭାଉଜଙ୍କର ଆଶୀର୍ବାଦ ଲେଖାରେ ବାକି ଅଧକରୁ ଅଧା ସରିଯାଏ। ଅବଶିଷ୍ଟ ଚାରଣା ଜାଗାରେ ମୂଳ ପ୍ରସଙ୍ଗ ରହୁଥିଲା। ଏଇ ଯେମିତି ଏବର୍ଷ ଫସଲ ଭଲ ହୋଇନି। ଧୋଇ ମରୁଡିରେ ସବୁତକ ଗଲା। ଝିଅ ପାଇଁ କଂସାବାସନ କିଣା, ସ୍ନୋପାଉଡର, କଜ୍ଜଳ, ସିନ୍ଦୂର, ପାଟରା ଜିନିଷର ବିବରଣୀ। ଶେଷରେ ଧାରକରଜର ତାଲିକା। ଟଙ୍କା ପଠେଇବାକୁ ଅନୁରୋଧ। ଶେଷ କେଇ ଧାଡିରେ ନିଜ ଦେହପାକୁ ଜଗିରଖିବାକୁ ପରାମର୍ଶ। ଏମିତି କେତେକଥା। ସବୁଠାରୁ ମନଛୁଆଁ ଧାଡିଟି ହେଲା ଇତି ତମର ସୀତା କି ଲକ୍ଷ୍ମୀର ବୋଉ। ନିଜର ନାଁ ଲେଖିବାକୁ ଲାଜ ଲାଗୁଥିଲା। ସେତେବେଳେ ଚିଠିକୁ ଇତି କଲା ବେଳେ ସେମାନେ ତମର ଗୀତା, ମିତା, କବିତା ଲେଖିବାରେ ଅସୁବିଧା କେଉଁଠି ଜାଣିପାରୁ ନ ଥିଲି। ବେଳେ ବେଳେ ଭାଉଜମାନଙ୍କର ଭାଇଙ୍କ ପାଇଁ ଚିଠି ଇତି କଲାବେଳେ ଲେଖିଦିଏ ଇତି ତମର ପ୍ରେମପାଗଳିନୀ ଅଭାଗିନୀ ପ୍ରମିଳା କି ହେମ ବୋଲି। ଚିଠି ଲେଖା ସରିବା ପରେ ସେମାନଙ୍କୁ ଶୁଣେଇବାକୁ ପଡୁଥିଲା। କିଛି ରହିଗଲେ ସେମାନଙ୍କର ଅନୁରୋଧ ଆଉ କିଛି ଯୋଡିବାକୁ। ଆରଥରକୁ ଲେଖିବି କହି ଚିଠିଲେଖା ବନ୍ଦ କରୁଥିଲି। ଖାଲି ଲେଖିଦେଲେ ହବନି। ଚିଠି ଡାକବାକ୍ସରେ ପକେଇବା ଦାୟିତ୍ୱ ମଧ୍ୟ ଥିଲା ମୋର। ସତରେ ଚିଠି କଥା ମନେପଡିଲେ ମନେପଡେ ଆମ ଅତୀତ। ଡାକସେବା ପ୍ରଚଳନ ହେଲା ପରେ ଚିଠିର ଆଦାନ ପ୍ରଦାନ ସହଜ ହେଲା। ଚିଠି ସମ୍ପର୍କ ଯୋଡିବାର ମାଧ୍ୟମ। ପୋଷ୍ଟମ୍ୟାନ, ପୋଷ୍ଟବକ୍ସ, ଡାକଘର ଦିନେ ଅତି ଚଳଚଞ୍ଚଳ ଥିଲା। ପୋଷ୍ଟବକ୍ସଟିଏ ଦେଖିଲେ ମନରେ ଆନନ୍ଦ ଆସୁଥିଲା, ମନ ଉଲ୍ଲସିତ ହେଉଥିଲା। ଏସବୁ ପ୍ରତି ଏବେ ଅଣଦେଖା, ଅନାଦର। ଏବେ ଡାକଘର ଅଛି। ହେଲେ ସେବାର ତରିକା ବଦଳିଗଲାଣି। କେତେବେଳେ ଡାକଘର ସଞ୍ଚୟର ମାଧ୍ୟମ ହେଲାଣି ତ ଆଉ କେବେ ଆଗାମୀ ଦିନରେ କିଛି ନୂଆ କରିବାର ପ୍ରଚେଷ୍ଟା ଆରମ୍ଭ ହେଲାଣି। ଏବେ ମୋବାଇଲ ଫୋନ୍‌, ନେଟ୍‌ ସେବା ଯୋଗାଯୋଗ ଶ୍ରେଷ୍ଠ ମାଧ୍ୟମ ହେଲାଣି। ଶୀଘ୍ର ବାର୍ତ୍ତା ପହଞ୍ଚତ୍ୟାଉଛି। ଏଗୁଡିକ ଏବେ ଡାକଘର ପରି କାମ କରୁଛନ୍ତି। ହେଲେ ସେକାଳ ଚିଠିରେ ଥିବା ସେ ଆନ୍ତରିକତା ନାହିଁ। ତଥାପି ଚିଠି, ଡାକବାଲା ଓ ଡାକଘର ରହିଛି ଓ ରହିବ। ପୁରୁଣା ସ୍ମୃତି ବଖାଣୁଥିବ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା’ ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri