ସାଙ୍ଘାତିକ ସ୍ଥିତି: ସଲିଳସମାଧି

ଉପେନ୍ଦ୍ର ବିଶ୍ୱାଳ

ପିଲାଟି କେତେ ଆଶା ନେଇ ବ୍ରହ୍ମପୁରରୁ ଆସି ପହଁଚିଥିଲା ନାଚୁଣିସ୍ଥ (ଖୋର୍ଦ୍ଧା) ମାମୁଘରେ, ରଜରେ ଟିକେ ମଉଜ ପାଇଁ। ଏକମାତ୍ର ଭଣଜାକୁ ପାଇ ଖୁସିରେ ବି ଫାଟି ପଡୁଥିଲା ମାମୁଘର। କେତେ ହସଖୁସି, ଦୋଳି, ନାଚଗୀତରେ ଫାଟି ପଡୁଥିଲା ମାମୁଘର ଗାଁ। କିନ୍ତୁ କାଳ ସହିଲା ନାହିଁ ସେ ଖୁସି ଟିକକ। ଗତ ୧୫ ତାରିଖ ମଧ୍ୟାହ୍ନରେ ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ୧୫ ବର୍ଷର ପିଲାଟି। ଦଶମ ଶ୍ରେଣୀରେ ପଢ଼ୁଥିବା ଏକମାତ୍ର ପୁଅଟିକୁ ହରାଇ ପାଗଳପ୍ରାୟ ଅବସ୍ଥା ତା’ ମାଆବାପାଙ୍କର। ଅତ୍ୟନ୍ତ ମେଧାବୀ ପିଲାଟିର ଆକସ୍ମିକ ବିୟୋଗରେ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଆଖିରେ ବି ଲୁହ। ସେହିଭଳି ଅନ୍ୟ ଏକ ଦୁଃଖଦ ଘଟଣାକ୍ରମରେ କୋଳାହଳପୂର୍ଣ୍ଣ କାଲିର ସେ ଆନନ୍ଦମୟ ପରିବେଶକୁ ଆଚ୍ଛାଦିତ କଲା କାଳର କରାଳଛାୟା। ସ୍ତବ୍ଧ ହୋଇଉଠିଲା ସାରା ଅଞ୍ଚଳ। ଅତ୍ୟନ୍ତ ମେଧାବୀ ପୁଅଟିର ସଫଳତାରେ ଉଲ୍ଲସିତ ମାଆବାପା ମିଠା ବାଣ୍ଟୁଥିଲେ କାଲି। ମାତ୍ର ଆଜି? ମା’କୋଳ ଖାଲିକରି ଅସମୟରେ ଚାଲିଗଲା ପିଲାଟି। ଭଦ୍ରକ ଜିଲାର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ପିଲାଟି ସଲିଳସମାଧି ନେଲା ସାଙ୍ଗମେଳରେ ଗାଧୋଉଥିଲା ବେଳେ। ଏହା ଥିଲା ଗତ ମାଟ୍ରିକ ପରୀକ୍ଷାଫଳ ବାହାରିବା ପରଦିନର ଘଟଣା। ଏକମାତ୍ର ପୁଅଟିକୁ ହରାଇ ବାହୁନୁଥିଲେ ମାଆବାପା। କାନ୍ଦୁଥିଲା ଗଁା, କାନ୍ଦୁଥିଲା ସ୍କୁଲ। ବନ୍ଧୁପରିଜନ, ସାଇପଡ଼ିଶା ସଭିଙ୍କ ମୁହଁରେ ବିଷାଦର ଘନ କଳାବାଦଲ। ସେମିତି ବି ବାହୁନି ବାହୁନି ଅଥୟ ଆଜି ଭଦ୍ରକର ଆହୁରି ତିନିଜଣ ମାଆ। ପୁତ୍ରହରା ଜନନୀଙ୍କର ଲୁହରେ ଭାସୁଛି ସେ ଅଞ୍ଚଳ। ଗତ ଅପ୍ରେଲ ୪ରେ ଗାଧୋଉଥିବାବେଳେ ବୁଡ଼ିଗଲେ ୩ଜଣ କଲେଜ ପିଲା। ସୌଭାଗ୍ୟବଶତଃ ବର୍ତ୍ତିଗଲେ ଆଉ ଦୁଇଜଣ, ଗାଁ ଲୋକଙ୍କ ଯୋଗୁ। ଏହାର ଠିକ୍‌ ୭ଦିନ ପୂର୍ବରୁ ଜଗତ୍‌ସିଂହପୁରର ଦେବୀ ନଦୀରେ ବୁଡ଼ିଯାଇ ଅକାଳରେ ଚାଲିଗଲେ ୩ଜଣ ସ୍କୁଲଛାତ୍ର। ଗତ ମାର୍ଚ୍ଚ ୧୯ରେ ହୋଲିର ମଜା ନେଇ ଗାଧୋଉଥିବାବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୯ଜଣ ପିଲା ବୁଡ଼ି ମରିଗଲେ। କୋଭିଡ୍‌ ଯୋଗୁ ଦୁଇବର୍ଷ ପରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ହୋଲିପର୍ବ ପାଳନ ପରେ ପରେ ୨୦୨୨ରେ ବି ୧୭ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା ନଦୀ ପୋଖରୀରେ ସ୍ନାନ କରୁକରୁ। ଏହିଭଳି କେବେ ସ୍କୁଲ ପିଲା ତ ଆଉ କେବେ କଲେଜ ପିଲାଙ୍କ ସଲିଳସମାଧି। ପୁଣି ଅତ୍ୟନ୍ତ ମେଧାବୀ ଛାତ୍ରୀଛାତ୍ର, ଆଇଆଇଟି ଏବଂ ଡାକ୍ତରୀ ପଢ଼ୁଥିବା ପିଲାଙ୍କ ଅକାଳ ବିୟୋଗ। କେଇବର୍ଷ ତଳେ ଗୋଟେ ସପ୍ତାହରେ ଘାଟିକିଆସ୍ଥ ସିଇଟି (ଭୁବନେଶ୍ୱର)ର ୨ଜଣଙ୍କ ସମେତ ରେଭେନ୍ସାର ୪ଜଣ ଅତି ମେଧାବୀ ଛାତ୍ରଙ୍କ ଜୀବନ ଚାଲିଗଲା ନଦୀସୁଅରେ। ସେମିତି ବି ହାଇଦ୍ରାବାଦସ୍ଥ ଏକ ଇଂଜିନିୟରିଂ କଲେଜର ୨୪ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଲା ନଦୀଧାରରେ ଫଟୋ ଉଠାଉଥିଲାବେଳେ। ଜୀବନ ଆରମ୍ଭରୁ ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହେଲା ପରି ଆଲୋକବର୍ତ୍ତିକା ସଦୃଶ ଅନେକ ମେଧାବୀ ଛାତ୍ରୀଛାତ୍ରଙ୍କ ଜୀବନଦୀପ ନିର୍ବାପିତ ହୋଇଯିବା, ଦେଶ ଓ ଦୁନିଆ ପାଇଁ ଅପୂରଣୀୟ କ୍ଷତି ନୁହେଁ କି?
ଆମ ଦେଶରେ ସଡ଼କ ଦୁର୍ଘଟଣା ପରେ ସଲିଳସମାଧି ହେଉଛି ଦ୍ୱିତୀୟ ସର୍ବାଧିକ ମୃତ୍ୟୁଫାଶ। ଏପରିକି ମ୍ୟାଲେରିଆ ମୃତ୍ୟୁଯନ୍ତାଠାରୁ ଅଧିକ ଭୟାବହ। ଭାରତରେ କେବଳ ୩୦ ହଜାର ପିଲା ୨୦୨୧ରେ ସଲିଳ ସମାଧି ନେଇଥିବାର ଜଣାଯାଏ। ଓଡ଼ିଶାରେ ୨୦୧୬ରୁ ୨୦୨୧ ମଧ୍ୟରେ ୮୫୦୬ ଜଣ ପିଲାଙ୍କ ମୃତ୍ୟୁ ହୋଇଛି ପାଣିରେ ବୁଡ଼ିଯିବା କାରଣରୁ। କେବଳ ୨୦୨୨ରେ ୧୪୭୬ ଜଣ ପିଲାଙ୍କ ଯାଇଛି ଜୀବନ। ସରକାରଙ୍କ ଏହି ତଥ୍ୟଠାରୁ ବାସ୍ତବ ସଂଖ୍ୟା ଆହୁରି ଢେର ବେଶି। ମ୍ୟାଲେରିଆଜନିତ ମୃତ୍ୟୁ ଘଟଣା ତୁଳନାରେ ସଲିଳସମାଧି ଆହୁରି ସାଙ୍ଘାତିକ। ସ୍କୁଲ କଲେଜରେ ପଢ଼ୁଥିବାବେଳେ କଅଁଳ ବୟସରେ ଦେଶରୁ ହଜିଯାଆନ୍ତି ଦିନକୁ ହାରାହାରି ୮୦ଜଣ, ଓଡ଼ିଶାରୁ ୪ଜଣ। ବେଖାତିର ଓ ବେପରବାୟ ମନୋଭାବ ଅନେକାଂଶରେ ଡାକିଆଣେ ବିପର୍ଯ୍ୟୟକୁ। ଦୈବୀଦୁର୍ବିପାକ ବ୍ୟତୀତ ଦୁନିଆରେ ଯେତେସବୁ ଦୁର୍ଘଟଣା ଘଟେ, ତାହା ପ୍ରାୟତଃ ଘଟିଥାଏ ଅସାବଧାନତା ଓ ସତର୍କପଣିଆ ଅଭାବରୁ।
ଅନ୍ୟପକ୍ଷରେ ପିଲାଙ୍କୁ ଟିକେ ସନ୍ତରଣ ବି ଶିଖାଇଲୁ ନାହିଁ। ଖାଲି ପାଠ ପଢ଼, କ୍ୟାରିଅର ଗଢ଼। ଛୋଟ ପିଲାଟିଏ (ଲାଲ ବାହାଦୂର ଶାସ୍ତ୍ରୀ) ତ ସେଦିନ ମଥାରେ ବସ୍ତାନି ବାନ୍ଧି ପହଁରି ପହଁରି ସ୍କୁଲ ଯିବାଆସିବା କରୁଥିଲେ। ଜୀବନ ଜିଣିବାକୁ ପିଲାଙ୍କୁ ଯେଉଁମାତ୍ରାରେ ପ୍ରେରିତ କରୁଛୁ, ସେହି ମାତ୍ରାରେ ଜୋର ଦେଲୁନାହିଁ ଜୀବନ ଜିଇବା ଉପରେ। ଜୀବନ ଜିଇବା ଆଗ ନା ଜୀବନରେ ଜିତାପଟ ଆଗ? ପୁନଶ୍ଚ ସ୍କୁଲ କଲେଜରେ ସନ୍ତରଣ ଶିକ୍ଷାର ବ୍ୟବସ୍ଥା ନାହିଁ। ସ୍କୁଲଗୁଡ଼ିକ ଆଜି ରୂପାନ୍ତରିତ ୫-ଟି ଯୋଜନାରେ। ପ୍ରାୟ ସବୁ ସ୍କୁଲରେ ଆଜି ପାଇପ୍‌ ପାଣିର ବ୍ୟବସ୍ଥା ରହିଛି। ଏପରିସ୍ଥଳେ ସ୍କୁଲମାନଙ୍କରେ ‘ସୁଇମିଂ ପୁଲ’ ତିଆରି କରି ୬ଷ୍ଠ, ୭ମ, ୮ମ ଛାତ୍ରୀଛାତ୍ରଙ୍କୁ ବାଧ୍ୟତାମୂଳକ ଭାବେ ସନ୍ତରଣ ଶିକ୍ଷା ଦେବାରେ ଅସୁବିଧା କେଉଁଠି? ଆତ୍ମହତ୍ୟା ପ୍ରବଣତାରୁ ପିଲାଙ୍କୁ ଦୂରେଇ ରଖିବାକୁ ଗଣଶିକ୍ଷା ବିଭାଗ ଯେମିତି ସ୍ବତନ୍ତ୍ର ଶିକ୍ଷାର ବ୍ୟବସ୍ଥା କରିଛି, ଠିକ୍‌ ସେହିଭଳି ଓଡ଼ିଶା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅତ୍ୟନ୍ତ ଗମ୍ଭୀରତା ସହକାରେ ଏ ବିଷୟ ବିଚାରକୁ ନେବା ଉଚିତ। ଏଭଳି ସ୍ପର୍ଶକାତର, ସମ୍ବେଦନଶୀଳ ପ୍ରସଙ୍ଗକୁ ଅଣଦେଖା କରିବା ଅର୍ଥ ପିଲାଙ୍କୁ ମରଣମୁହଁକୁ ଠେଲିଦେବ।
ବିଶେଷଜ୍ଞମାନଙ୍କ ମତରେ ସନ୍ତରଣ ଏକ ଉତ୍କୃଷ୍ଟ କ୍ରୀଡ଼ା। ଏହାଦ୍ବାରା ମନ ଓ ଶରୀର ଖୁବ୍‌ ଫୂର୍ତ୍ତି ରହେ। ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ଜନିତ ରୋଗରୁ ରକ୍ଷା ମିଳେ। ଶରୀରରେ ଶର୍କରା ସ୍ତର ସନ୍ତୁଳିତ ଓ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ମେଦବହୁଳତା, ହୃଦ୍‌ଘାତ ଓ ବହୁମୂତ୍ର ରୋଗ ଆଦିର ଆଶଙ୍କା ହ୍ରାସ ପାଏ। ପୁନଶ୍ଚ ଏହାଦ୍ବାରା ମାଂଶପେଶୀ ଦୃଢ଼ ହୁଏ, ଶରୀର ବେଶ୍‌ ହୃଷ୍ଟପୁଷ୍ଟ ଓ ସୁଠାମ ହୋଇଥାଏ। ଅନ୍ୟପକ୍ଷରେ ସନ୍ତରଣ ମଧ୍ୟ କଷ୍ଟକର ନୁହେଁ। ବରଂ ଏକ ସହଜ ଓ ସରଳ ବ୍ୟାୟାମ। ଅତଏବ, ପିଲାମାନେ ଯଦି ସନ୍ତରଣ ଶିଖନ୍ତି, ତେବେ ହଜାର ହଜାର ପିଲାଙ୍କ ଜୀବନ ରକ୍ଷା ସହିତ ସୁସ୍ଥ, ନୀରୋଗ ଜୀବନଯାପନ କରିପାରନ୍ତେ। କୋଳଶୂନ୍ୟ ବା ବଂଶଶୂନ୍ୟର ବିପତ୍ତିରୁ ବି ବର୍ତ୍ତିଯାଆନ୍ତେ ଅନେକ ମାଆବାପାମାନେ।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?