ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର ହେବାରେ ଲାଗିଛି। ନିଜ ସପକ୍ଷରେ ଭୋଟ ହାତେଇବା ସକାଶେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ବିଭିନ୍ନ ପ୍ରକାର ଦୋଷାରୋପ ଓ ଅକଥନୀୟ ଭାଷା ପ୍ରୟୋଗ କରୁଛନ୍ତି। ନିକଟରେ ଉତ୍ତରପ୍ରଦେଶର ରାମପୁର ଲୋକ ସଭା ଆସନ ଲାଗି ପ୍ରାର୍ଥୀ ହୋଇଥିବା ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ଭାଜପା)ର ଜୟାପ୍ରଦାଙ୍କ ଉପରେ ଯେଭଳି ନୀଚ ଧରଣର ଟୀପ୍ପଣି ଦେଇଛନ୍ତି, ତାହା ସାଧାରଣରେ ଆଦୌ ଗ୍ରହଣୀୟ ହୋଇନାହିଁ। ଏ ନେଇ ଆଜମ୍‌ଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏପରି କି ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଆଜମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନ (ଇସି)ଙ୍କୁ ଚିଠି ଲେଖିଛନ୍ତି। ଲୋକ ସଭା ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଯଦି ଅଭଦ୍ର ଶବ୍ଦ ବ୍ୟବହାର କରିବେ, ତେବେ ଗଣତାନ୍ତ୍ରିକ ମୂଲ୍ୟବୋଧ ବଡ଼ଧରଣର ବିପଦରେ ପଡ଼ିଛି ବୋଲି କୁହାଯାଇପାରେ। ସେମିତି କୁହାଯାଉଛି, ଯାହାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ଯେ, ହିମାଚଳ ପ୍ରଦେଶର ରାଜ୍ୟ ଭାଜପା ସଭାପତି ସତ୍‌ପାଲସିଂ ସତି ଏକ ସାଧାରଣ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଅତ୍ୟନ୍ତ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ଏହାର ଅନ୍ତର୍ଜାତୀୟ ଉଦାହରଣ ଦେଖିଲେ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କର ନିର୍ବାଚନୀ ବିରୋଧୀମାନଙ୍କୁ ଅତି ଅଶାଳୀନ ଭାଷାରେ ଶୋଧୁଥିବାର ଦେଖାଯାଇଥିଲା। ଏବେ ପ୍ରଚାର ସମୟରେ ଭାରତରେ ଯେଉଁ ପ୍ରକାରର ଭାଷା ବ୍ୟବହାର କରାଯାଉଛି, ତାହା ପୂର୍ବରୁ ଶୁଣିବାକୁ ମିଳୁ ନ ଥିଲା। ତେଣୁ ନିର୍ବାଚନ କମିଶନ ଏଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବ୍ୟକ୍ତି, ଯେକୌଣସି ଦଳର ହୋଇଥାଆନ୍ତୁ ନା କାହିଁକି, ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବା ସକାଶେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଲାଣି।
ଅନ୍ୟ ଏକ ଘଟଣାରେ ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତ୍ରୀ ମାୟାବତୀଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଥିବାରୁ ଉଭୟଙ୍କୁ ଦଣ୍ଡିତ କରିଛନ୍ତି। ଯୋଗୀଙ୍କୁ ଆଗାମୀ ୩ ଦିନ ଓ ମାୟାବତୀଙ୍କୁ ୨ ଦିନ ପ୍ରଚାରର ପ୍ରତ୍ୟେକ ମଞ୍ଚରୁ ଦୂରେଇ ଦେଇଛନ୍ତି। ଅର୍ଥାତ୍‌ ଉଭୟେ ଏହି ସମୟ ମଧ୍ୟରେ କୌଣସି ରାଜନୈତିକ ସଭା, ଶୋଭାଯାତ୍ରା କରିପାରିବେ ନାହିଁ। ସେହିପରି ଗଣମାଧ୍ୟମରେ ସାକ୍ଷାତ୍‌କାର ଉପରେ ନିଷେଧାଜ୍ଞା ଲଗାଯାଇଛି। ଏପରି କି ସୋସିଆଲ ମିଡିଆରେ ପ୍ରଚାର ଉପରେ ମଧ୍ୟ ଇସି ରୋକୋ ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଦେଓବନ୍ଦଠାରେ ମାୟାବତୀ ମୁସଲମାନମାନଙ୍କୁ ନିବେଦନ କରିଥିଲେ ଯେ, ସେମାନେ ଭୋଟକୁ ଭାଗ ନ କରି ତାଙ୍କ ମେଣ୍ଟକୁ ସମର୍ଥନ ଦିଅନ୍ତୁ। ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥ ଏହାକୁ ତାଚ୍ଛଲ୍ୟ କରି ‘ଅଲି ବଜରଙ୍ଗବାଲୀ’ ମନ୍ତବ୍ୟ ଦେଇଥିଲେ। ଏଭଳି କହିବାର ଉଦ୍ଦେଶ୍ୟ ଥିଲା ଯଦି ମୁସଲମାନମାନେ ମାୟାବତୀଙ୍କୁ ସମର୍ଥନ କରିବେ, ତାହାହେଲେ ତାଙ୍କ ପାଇଁ ବଜରଙ୍ଗବାଲୀ ଅଛନ୍ତି। ଦେଖିବାକୁ ଗଲେ ଧର୍ମ ଓ ଜାତି ନାମରେ ରାଜନୈତିକ ନେତାମାନେ ଯେଭଳି ଭୋଟ ନେବାକୁ ପ୍ରୟାସ କରୁଛନ୍ତି, ତଦ୍ଦ୍ବାରା ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ସେହି ଅପ୍ରୀତିକର ପରିସ୍ଥିତି ଯଦି ସାମାଜିକ ବିଭେଦକୁ ବୃଦ୍ଧି କରିବାରେ ପ୍ରୟୋଗ କରାଯାଉଛି, ତେବେ ତାହା ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ୁଛି। ଏମିତି ଦେଖିଲେ ଅଯୋଧ୍ୟାରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ଓ ପରବର୍ତ୍ତୀ ସମୟରେ ସେଠାରେ ରାମ ମନ୍ଦିର ନିର୍ମାଣ ନେଇ ଉଠିଥିବା ବିବାଦ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସମାଧାନ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ଏକତ୍ର କରିବା ପରିବର୍ତ୍ତେ ନେତାମାନେ ଧର୍ମ ଓ ଜାତି ନାମରେ ଲୋକଙ୍କୁ ଉତ୍ତ୍ୟକ୍ତ କରାଇଲେ ଦେଶ ଭାଗ ଭାଗ କଲା ଭଳି ଉଦ୍ୟମ କରୁଥିବାର ମନେହେଉଛି।
ଦେଖାଯାଉଛି, ବିଗତ କିଛି ବର୍ଷ ହେବ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଲୋକ ପ୍ରତିନିଧିମାନେ ପ୍ରସଙ୍ଗଭିତ୍ତିକ ଯୁକ୍ତିରୁ ଦୂରେଇ ଯାଇ ହୋହଲ୍ଲା କରିବାରେ ବ୍ୟସ୍ତ ରହୁଛନ୍ତି। କରଦାତାଙ୍କ ଅର୍ଥରେ ପରିଚାଳିତ ହେଉଥିବା ପାର୍ଲାମେଣ୍ଟ ଓ ବିଧାନସଭାର ମୂଲ୍ୟବାନ୍‌ ସମୟ ନଷ୍ଟ କରୁଛନ୍ତି। ଗଣତନ୍ତ୍ରର ମୁଖ୍ୟସ୍ଥଳକୁ ଯାଉଥିବା ନେତାମାନେ ଯଦି ବିପଥଗାମୀ ହେବେ, ତେବେ ଦେଶର ଗଣତନ୍ତ୍ର ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହେବା ସହିତ ଗୁଣ୍ଡାରାଜ୍‌ ପ୍ରତିଷ୍ଠିତ ହେବାର ଲକ୍ଷଣ ମୁଣ୍ଡ ଟେକୁଛି। ବାସ୍ତବରେ ସାଧାରଣ ଜୀବନରେ ରାଜନେତାମାନେ ରହୁଥିବାରୁ ସେମାନେ ପ୍ରତ୍ୟେକ ସ୍ତରରେ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବା କଥା। ଏହା ମଧ୍ୟ ସ୍ବୀକାରଯୋଗ୍ୟ ଯେ, ସାଧାରଣ ନାଗରିକଙ୍କ ଚରିତ୍ର ଯେଉଁଭଳି କ୍ରମଶଃ ଉଗ୍ରରୂପ ଧାରଣ କରୁଛି, ନେତାମାନେ ମଧ୍ୟ ତାହାର ଆଇନା ସାଜୁଛନ୍ତି। ଗଣତାନ୍ତ୍ରିକ ଦେଶରେ ବିଶ୍ୱାସ କରାଯାଉଛି ଯେ, ରାଜନୈତିକ ବ୍ୟକ୍ତିମାନେ ସବୁ ସମସ୍ୟାର ସମାଧାନ ଆଣିପାରିବେ। ଆମେରିକାର ରାଜନେତା ବେନ୍‌ କାର୍‌ସନ୍‌ଙ୍କ କହିବା ଅନୁଯାୟୀ, ଆମେ ସମସ୍ତେ ଆଶା କରି ବସିଥାଉ ଯେ ରାଜନୈତିକ ବ୍ୟକ୍ତିମାନେ ଆମ ସମସ୍ୟାର ସମାଧାନ କରିବେ। କିନ୍ତୁ ଅଧିକାଂଶ ସମସ୍ୟାର ସୃଷ୍ଟି ସେହି ରାଜନେତାବୃନ୍ଦ ବୋଲି କାର୍‌ସନ୍‌ଙ୍କ ମନ୍ତବ୍ୟ ଆଜି ଭାରତ ପାଇଁ ପ୍ରଯୁଜ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri