ସମ୍ପାଦକୀୟ/ ବ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱିତା

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏକ ଖରାପ ସ୍ଥିତି ଦେଇ ଗତି କରୁଛି। ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଏପ୍ରିଲ-ଜୁନ୍‌ ତ୍ରୈମାସରେ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ୫ ପ୍ରତିଶତକୁ ଖସିଆସିଛି, ଯାହା ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏଭଳି ସ୍ଥଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବଞ୍ଚାଇବା ପାଇଁ ସରକାର ୭୦,୦୦୦ କୋଟି ଟଙ୍କା ଦେବା ବିଷୟ ଘୋଷଣା କରିଛନ୍ତି। ଯେତେବେଳେ ଅର୍ଥନୀତି ତଳକୁ ତଳକୁ ଯାଉଛି, ସେତେବେଳେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ବୃହତ୍‌ ପରିମାଣର ଆର୍ଥିକ ଉପହାର ଦିଆଯିବା ଆଦୌ ସ୍ପୃହଣୀୟ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଲେଣି। ତେବେ ଏହି ଅର୍ଥ ଭରଣା କରିବା ସହ ଅର୍ଥନୀତିକୁ ପୁନର୍ଜୀବିତ ଲକ୍ଷ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସରକାରକୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ଦେବାକୁ ପଦକ୍ଷେପ ନେଇଛି। ଏହିଭଳି ଅର୍ଥନୈତିକ ନିଷ୍ପତ୍ତି ନିଆଯାଉଥିବା ବେଳେ ନିକଟରେ ସବୁଠାରୁ ବୃହତ୍‌ ବ୍ୟାଙ୍କିଙ୍ଗ୍‌ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି, ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶ୍ରଣ କରାଯାଇ ୪ଟି ବୃହତ୍‌ ବ୍ୟାଙ୍କ ସୃଷ୍ଟିର ପରିକଳ୍ପନା କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ବ୍ୟାଙ୍କଗୁଡ଼ିକ ସଳଖି ଉଠିବେ ବୋଲି ଯାହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହୁଛନ୍ତି, ତାହାର ବାସ୍ତବ ଦିଗକୁ ଦେଖିଲେ ସେଭଳି ମନେ ହେଉନାହିଁ। କାରଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ସ୍ତର ବହୁ ଉଚ୍ଚରେ ରହିଛି। କେତେ ଜଣ ବ୍ୟାଙ୍କ ଅଧିକାରୀଙ୍କ ଖାମଖିଆଲ ନିଷ୍ପତ୍ତି ଏଥିପାଇଁ ଦାୟୀ ବୋଲି କୁହାଯାଇପାରେ। ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟବସାୟୀଙ୍କ ଆର୍ଥିକ ସ୍ବାସ୍ଥ୍ୟକୁ ଠିକ୍‌ ଭାବେ ଆକଳନ କରା ନ ଯାଇ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଋଣ ଦିଆଯିବା ଯୋଗୁ ଆଜି ବ୍ୟାଙ୍କିଙ୍ଗ କ୍ଷେତ୍ର ଅସୁବିଧାରେ ପଡ଼ିଛି। ଅବଶ୍ୟ ଏହି ବ୍ୟକ୍ତିଙ୍କ ନାମ ଆମେ ବାରମ୍ବାର ଶୁଣିଛେ। କିନ୍ତୁ ଏମାନଙ୍କ ବ୍ୟତୀତ ଆହୁରି ଅନେକ ବୃହତ୍‌ ଶିଳ୍ପ ମାଲିକ ଅଛନ୍ତି, ଯେଉଁମାନେ ଅନେକ ଲକ୍ଷ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି। ସେମାନଙ୍କ ସମ୍ପର୍କରେ କୌଣସି ଆଲୋଚନା ହେବାର ପରିଲକ୍ଷିତ ହେଉନାହିଁ। ଏଭଳି ସ୍ଥଳେ କ୍ଷତି କରୁଥିବା ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରିଦେଲେ ଯେ ସେଗୁଡ଼ିକର ଆର୍ଥିକ ସ୍ଥିତି ବଦଳିଯିବ ଭାବିବା ଯୁକ୍ତିଯୁକ୍ତ ହେଉନାହିଁ। କାରଣ ଖସିଯିବା ଗୋଡ଼ ତଳକୁ ତଳକୁ। ସେଥିପାଇଁ କଠୋର ଆର୍ଥିକ ନିୟମ ପ୍ରଣୟନ କରାଯିବା ଉଚିତ। ଦେଖାଯାଉଛି ଯେତେବେଳେ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆର୍ଥିକ ସଙ୍କଟରେ ପଡ଼ୁଛି, ସେତେବେଳେ ସରକାର ପ୍ୟାକେଜ ଦେଇ ସ୍ଥିତି ଟାଳିବାକୁ ଚେଷ୍ଟା କରୁଛନ୍ତି। ଏହା କେବଳ ବର୍ତ୍ତମାନର ଏନ୍‌ଡିଏ ଶାସିତ ସରକାର ନୁହେଁ, ପୂର୍ବ କଂଗ୍ରେସ ସରକାରଙ୍କ ଅମଳରେ ମଧ୍ୟ ବହୁବାର ଦେଖିବାକୁ ମିଳିଛି।
ବାସ୍ତବ କଥା ଦେଖିଲେ ସରକାର ଯେଉଁ ଆର୍ଥିକ ଉପହାର ବ୍ୟାଙ୍କଗୁଡ଼ିକୁ ଦେଉଛନ୍ତି, ତାହା କରଦାତାଙ୍କ ଅର୍ଥରୁ ଯାଉଛି। ଟିକସଦାତାଙ୍କ ଅର୍ଥ ଦେଶର ବିକାଶ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ହୋଇଥାଏ। ତାହା କେତେକଙ୍କ ଭୁଲ ପଦକ୍ଷେପ ଯୋଗୁ କ୍ଷତି ସହୁଥିବା ସଂସ୍ଥାକୁ ବଞ୍ଚାଇବା ପାଇଁ ଯେତେବେଳେ ବାରମ୍ବାର ବ୍ୟବହାର କରାଯିବ, ତାହାଦ୍ୱାରା ଦେଶର ବିକାଶ ବାଧାପ୍ରାପ୍ତ ହେବ। ସେହିଭଳି ଆର୍ଥିକ ଦୃଷ୍ଟିରୁ ସୁସ୍ଥ ବ୍ୟାଙ୍କ ସହ ଏକ ଦୁର୍ବଳ ବ୍ୟାଙ୍କ ମିଶିଗଲେ ତାହା ଏନ୍‌ପିଏକୁ କିଭଳି ମୁକାବିଲା କରିପାରିବ, ସେ ଦିଗରେ ବିଶେଷ କିଛି କୁହାଯାଉନାହିଁ। ଭାରତବର୍ଷରେ ଅଧିକାଂଶ ଲୋକ ଅର୍ଥନୀତିର କ୍ଳୀଷ୍ଟତା ବୁଝିପାରନ୍ତି ନାହିଁ। ସରକାରଙ୍କ ପକ୍ଷରୁ କେଉଁ ପ୍ରକାର ସୁବିଧା ମିଳିପାରିବ ତାହା ଜନସାଧାରଣଙ୍କ ପାଇଁ ସର୍ବଦା ଜାଣିବାର ବିଷୟ ଭାବେ ରହିଆସିଛି। ଏପରି କି ଏମିତି ଉଚ୍ଚଶିକ୍ଷିତ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଅର୍ଥନୀତିର ବାସ୍ତବ ସ୍ଥିତି ଜାଣିବା ସକାଶେ ମୁଣ୍ଡ ଖେଳାଇ ନ ଥାଆନ୍ତି। ମାତ୍ର ଯେତେବେଳେ ବ୍ୟକ୍ତିବିଶେଷର ଆର୍ଥିକ ସ୍ଥିତିକୁ କୌଣସି ଭାବେ ମାଡ଼ ପହଞ୍ଚେ, ସେତେବେଳେ ସେମାନଙ୍କୁ ଚେଙ୍କ ଲାଗେ। ବର୍ତ୍ତମାନ ଅର୍ଥନୀତିର ମାନ୍ଦାବସ୍ଥା ଯୋଗୁ ସବୁଠାରୁ ବେଶି କ୍ଷତିରେ ପଡ଼ିଛି ଅଟୋମୋବାଇଲ ଓ ନିର୍ମାଣ କ୍ଷେତ୍ର। ଗାଡ଼ି ବିକ୍ରି ହେଉ ନ ଥିବାରୁ ଗାଡ଼ି ନିର୍ମାତାମାନେ କେତେକ କାରଖାନା ବନ୍ଦ କରିଦେଲେଣି। ଫଳରେ ଅନେକେ ଚାକିରି ହରାଇ ବେକାର ହୋଇଗଲେଣି। ସେହିପରି ଅର୍ଥାଭାବ ଯୋଗୁ ନିର୍ମାଣ କ୍ଷେତ୍ର ମଧ୍ୟ ଦୁର୍ଦ୍ଦିନ ଦେଇ ଗତି କରୁଛି। କୁହାଗଲାଣି ୨୦୦୮ରେ ଆମେରିକାରେ ସବ୍‌-ପ୍ରାଇମ୍‌ ସଙ୍କଟ ଯୋଗୁ ଦେଖାଦେଇଥିବା ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ସେଭଳି ପଡ଼ି ନ ଥିଲା। ଏବେକାର ସ୍ଥିତି ଦେଖିଲେ ଖାଉଟି ସାମଗ୍ରୀ ବିକ୍ରି କମିବା ଆରମ୍ଭ କଲାଣି। ଟୁଥ୍‌ପେଷ୍ଟ ଓ ସାବୁନ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କମାଇ ଲୋକେ କମ୍‌ ବ୍ୟବହାର କରୁଛନ୍ତି। ଯେତେବେଳେ ଏକ ଅର୍ଥନୀତିରେ ମୁଦ୍ରା କାରବାର କମିଯିବ ଓ ଲୋକଙ୍କ ପାଖରେ ତା’ର ଅଭାବ ଦେଖାଦେବ, ସେତେବେଳେ ଏଭଳି ସ୍ଥିତି ଉପୁଜିବା ସ୍ବାଭାବିକ। ତେଣୁ ସରକାର ନିର୍ଦ୍ଦିଷ୍ଟ ଆର୍ଥିକ ସଂସ୍ଥାକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିବା ଅପେକ୍ଷା ସମଗ୍ର ଅର୍ଥନୀତିର ବିକାଶ କଥା ଭାବିବା ଦରକାର। ଘରୋଇ କ୍ଷେତ୍ରରେ ଆଭ୍ୟନ୍ତରୀଣ ପରିଚାଳନାଗତ ସଂସ୍କାର ରହିଆସିଥିବାରୁ ସେଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରିପାରୁଛନ୍ତି। ସେହିଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଛାଡ଼ି ଦିଆଯାଉ। କାରଣ ପରିସ୍ଥିତି ଏମିତି ହୋଇଛି, ‘ସର୍ଭାଇବାଲ୍‌ ଅଫ୍‌ ଦି ଫିଟେଷ୍ଟ’ ବା ‘ଯୋଗ୍ୟତମ ହିଁ ବଞ୍ଚତ୍ପାରିବ’ ନୀତି ଦୁର୍ବଳ ଅନୁଷ୍ଠାନଗୁଡ଼ିକୁ ସଳଖି ଛିଡ଼ା ହେବା ପାଇଁ କେବଳ ରାସ୍ତା ଦେଖାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?