ଶ୍ରମଜୀବୀ ଓ ସେମାନଙ୍କ ପିଲା

ମିନତୀ ପ୍ରଧାନ

ନିର୍ମାଣାଧୀନ ମେଟ୍ରୋ ରେଲୱେ ଲାଇନ ପାଇଁ ରାସ୍ତାରେ ଯାନ ବାହନର ନାହିଁ ନ ଥିବା ଭିଡ଼, ବିଶେଷ କରି ଦିନର ଅଧିକାଂଶ ସମୟ, କେବଳ ଅତି ସକାଳୁ ବା ଡେରି ରାତିକୁ ଛାଡ଼ି ଦେଲେ। ସିଗ୍‌ନାଲ ପାଖରେ ଖେଳୁଥିବା କୁନି ଝିଅଟିକୁ ଦେଖି କାରରେ ସ୍କୁଲ ଯାଉଥିବା ସମବୟସ୍କ କୁନି ଝିଅଟିଏ ତା’ର ମା’କୁ ପ୍ରଶ୍ନ କରୁଥିଲା ଯେ ସେ ପିଲାଟି କ’ଣ ପାଇଁ ସ୍କୁଲ ଯାଉନି? ପାଖରେ ଥାଇ ମୁଁ ଶୁଣି ପାରୁଥିଲି। ପରେ ସିଗ୍‌ନାଲ ସବୁଜ ହେଲା ପରେ ସେମାନଙ୍କ କାର ଆଗକୁ ଚାଲିଯିବାରୁ ସେମାନଙ୍କ ବାର୍ତ୍ତାଳାପ ମୁଁ ଶୁଣି ପାରି ନ ଥିଲି। କିନ୍ତୁ କୁନି ଝିଅ ପଚାରି ଥିବା ପ୍ରଶ୍ନ ମୋ ମନରେ ଗୁଡ଼େଇ-ତୁଡ଼େଇ ହୋଇ ଉତ୍ତର ଖୋଜୁଥିଲା। ଅନେକ ସମୟରେ ଆମେ ଅବହେଳା କରିଦେଉଥିବା ଏହି ପ୍ରକାରଦୃଶ୍ୟ, ତାହା ‘ତାଙ୍କ ସମସ୍ୟା’ କହି ଆମର ମାନବିକତାକୁ ଛୋଟ କରି ଦେଇ ନିଜ ପରିଧି ଭିତରେ ବୁଡ଼ି ଯିବାର ଅଭ୍ୟାସ ପ୍ରାୟ ଆମ ସମସ୍ତଙ୍କ ଭିତରେ ଅଛି।
ସତରେ ଆମେ କେବେ ଭାବିଛୁ ଏଇ ପିଲାମାନଙ୍କ ଭବିଷ୍ୟତ ବିଷୟରେ? ନିର୍ମାଣକାରୀ ଶ୍ରମିକମାନଙ୍କ ବିନା ଆମ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଅସମ୍ଭବ। ଘର, କୋଠାବାଡି, ଡାକ୍ତରଖାନା, ସରକାରୀ, ବେସରକାରୀ ଅଫିସବିଲ୍ଡିଂ, ବାସଗୃହ ରାସ୍ତା ଏବଂ ରେଲୱେ ଲାଇନ ଯେଉଁଠି ବି ଚାହିଁଲେ ଜଣେ ଭାବିପାରିବ ନିର୍ମାଣକାରୀ ଶ୍ରମିକଙ୍କ ବିନା ଆମେ ଟିକିଏ ବି ଆଗେଇ ପାରିବୁ ନାହିଁ। ଏମାନଙ୍କ ପ୍ରଛଦରେ ଥିବା ତାଙ୍କ ପରିବାରର ତ୍ୟାଗ ଓ ଦୁଃଖ ଦୁର୍ଦ୍ଦଶା ବିଷୟରେ ଆସନ୍ତୁ ବିଚାର କରିବା।
ଗ୍ରାମ ଓ ଛୋଟ ସହରଗୁଡ଼ିକରେ ନିଯୁକ୍ତି ଓ କର୍ମ ସଂସ୍ଥାନର ଅଭାବ ହେତୁ ପ୍ରାୟ ଅଧିକାଂଶ ଶ୍ରମିକ ବା ଦାଦନ ମଜୁରିଆ ହିସାବରେ ଠିକାଦାରମାନଙ୍କ ଦ୍ୱାରା ବଡ଼ ସହର ବା ନଗର ମାନଙ୍କରେ ନିଯୁକ୍ତି ପାଇଥାନ୍ତି। ଅଧିକାଂଶ ପ୍ରାୟ ନିର୍ମାଣ କାମରେ ହିଁ ଲାଗିଥାନ୍ତି। ଅନେକ ଦିନ ଘରୁ ବାହାରେ ରହିବା ଫଳରେ ଏମାନେ ନିଜ ପରିବାର ବିଶେଷ କରି ସ୍ତ୍ରୀ ଓ ଛୋଟ ପିଲାମାନଙ୍କୁ ସାଙ୍ଗରେ ନେଇ ଆସିଥାନ୍ତି। କେହି କେହି ଏକୁଟିଆ ରହି କାମ କରିଥାନ୍ତି ଓ ନିଜ ସ୍ତ୍ରୀ, ପିଲାଙ୍କୁ ନିଜ ଗ୍ରାମ ବା ଛୋଟ ସହରରେ ରଖିଥାନ୍ତି। ବେଳେ ବେଳେ ଉଭୟ ମାତାପିତା ନିର୍ମାଣ କାମ କରୁଥିବା କାରଣରୁ ପିଲାଙ୍କୁ ଗାଁରେ ପରିବାରର ଅନ୍ୟ ସଦସ୍ୟଙ୍କ ପାଖରେ ଛାଡି ଦେଇଥାନ୍ତି। ଯେଉଁ ପିଲାମାନେ ଗାଁରେ ଏକୁଟିଆ ଥାନ୍ତି, ସେମାନେ ନିଜ ପିତା (ବା ମାତା-ପିତା)ଙ୍କର ସ୍ନେହ ବା ଯତ୍ନ ପାଇବାରୁ ବଞ୍ଚିତ ହୋଇଥାନ୍ତି। ମାତା- ପିତା ମଧ୍ୟ ପିଲାଙ୍କ ଠାରୁ ଅଲଗା ରହୁଥିବାରୁ ତାଙ୍କ ମାନସିକ ସ୍ଥିତି ଭଲ ନ ଥାଏ।
ଯେତେବେଳେ ଶ୍ରମିକମାନେ ନିଜ ପିଲାମାନଙ୍କୁ ସାଙ୍ଗରେ ନେଇ ଆସନ୍ତି, ସେମାନେ ନିଜ ପରିବାର ସହ ସିନା ରହିପାରନ୍ତି, ମାତ୍ର ଏଥିରେ ବାଧକ ସୃଷ୍ଟି କରେ ଅର୍ଥ। ରହିବା ପାଇଁ ଘରର ଆବଶ୍ୟକତା ଥାଏ, ସ୍ବଳ୍ପ ରୋଜଗାରରେ ଏମାନେ ଭଲ ଘର ନେଇପାରନ୍ତି ନାହିଁ-ସୁତରାଂ ନିର୍ମାଣ ଚାଲୁଥିବା ଜାଗାପାଖରେ ଆଜ୍‌ବେଷ୍ଟସ ଘେରା ଅସ୍ଥାୟୀ ଘରେ ସେମାନଙ୍କୁ ରହିବାକୁ ପଡ଼େ। ଏହା ସାଧାରଣତଃ ସନ୍ତସନ୍ତିଆ ଓ ନିର୍ମାଣ ଚାଲୁଥିବା ହେତୁ ସବୁ ବେଳେ ଧୂଳି ଉଡି ଧୂଳିମୟ ହୋଇଥାଏ। ଏହି ପରିବାରମାନଙ୍କୁ ଗୋଟିଏ ଅସ୍ଥାୟୀ ବା ଜନ-ସାଧାରଣ ଶୌଚାଳୟ ବ୍ୟବହାର କରିବାକୁ ପଡ଼ିଥାଏ। ଅନେକ ଲୋକ ଗୋଟିଏ ଶୌଚାଳୟ ବ୍ୟବହାର କରିଥାନ୍ତି, ଫଳରେ ତାହା ଠିକ୍‌ରେ ସଫା ସୁତରା ରହିପାରେ ନାହିଁ। ଏ ପ୍ରକାର ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ ରହିବାକୁ ପଡ଼ିଥାଏ।
ଗବେଷଣାରୁ ଜଣାପଡ଼ିଛି ଯେ, ଏହି ଶ୍ରମିକଙ୍କ ପିଲାମାନେ ଅତ୍ୟଧିକ ଓଜନର ହୋଇଥାନ୍ତି, ଯଦିଓ ପୋଷଣର ଅଭାବ ଅଧିକାଂଶ କ୍ଷେତ୍ରରେ ଦେଖାଯାଏ। ଏହା ଏକ ବିଡମ୍ବନା । ପ୍ରକୃତ କାରଣଟି ହେଲା ମାତା ପିତା ଉଭୟ ଶ୍ରମ କରୁଥିବାରୁ ଏବଂ ବେଳେ ବେଳେ ପୋଷଣଯୁକ୍ତ ଖାଦ୍ୟ ବିଷୟରେ ଠିକ୍‌ ଜ୍ଞାନ ନ ଥିବାରୁ ସେମାନେ ପିଲାମାନଙ୍କୁ ପ୍ୟାକ ହୋଇଥବା ଖାଦ୍ୟ ଯଥା- ବିସ୍କୁଟ, ଚିପ୍ସ, ଚକୋଲେଟ ଓ ଜୁସ, ଅନ୍ୟାନ୍ୟ ଖାଦ୍ୟ କେବଳ ପେଟ ପୂରାଇବା ପାଇଁ ଦେଇ ଥାଆନ୍ତି। ଏ ପ୍ରକାର ଖାଦ୍ୟ ଭୋକ ତ ସାମୟିକ ଭାବେ ମେଣ୍ଟାଇଥାଏ, କିନ୍ତୁ ଜରୁରୀ ପୋଷଣ ଯାହା ବୃଦ୍ଧି ଓ ବିକାଶ ପାଇଁ ଜରୁରୀ, ତାହା ମିଳେନାହିଁ। ଏଭଳି କ୍ଷେତ୍ରରେ ଏନ୍‌ଜିଓ ଓ ସ୍ବାସ୍ଥ୍ୟ କର୍ମୀମାନେ ଏମାନଙ୍କୁ ଏହି ବିପଦ ବିଷୟରେ ସଚେତନ କରିବା ଦରକାର।
ପିଲାମାନେ ନିଜ ରାଜ୍ୟ ବାହାରେ କିମ୍ବା ନିଜ ରାଜ୍ୟ ଭିତରେ ସ୍ଥାନାନ୍ତରିତ ହୋଇଥାନ୍ତି। କିଛି କ୍ଷେତ୍ରରେ ବାରମ୍ବାର ସେମାନଙ୍କୁ ସ୍ଥାନ ବଦଳାଇବା ପାଇଁ ପଡେ; ଫଳରେ ସାମାଜିକ ଓ ପରିବେଶର ସ୍ଥିରତା ସେମାନଙ୍କୁ ବେଶି ମିଳେ ନାହିଁ। ଗୋଟେ ଜାଗାର ସାଙ୍ଗଙ୍କୁ ସେମାନଙ୍କୁ ଛାଡ଼ିବାକୁ ପଡେ, ନୂଆ ଜାଗାରେ ସାଙ୍ଗ ସୃଷ୍ଟି କରିବା ପାଇଁ ସେମାନଙ୍କୁ ସମୟ ଲାଗିଥାଏ। ଏହା ସେମାନଙ୍କ ଭିତରେ ମାନସିକ ଚାପ ସୃଷ୍ଟି କରିଥାଏ। ନିଜ ରାଜ୍ୟ ବାହାରେ ରହୁଥିବା ପିଲାମାନଙ୍କ ପାଇଁ ଶିକ୍ଷା ଏକ ବଡ଼ ସମସ୍ୟା ହୋଇଥାଏ- ଯେହେତୁ ଭାଷା ପ୍ରାୟତଃ ଅଲଗା ହୁଏ। କିଛି କ୍ଷେତ୍ରରେ ମାତା ପିତାମାନେ ସେ ରାଜ୍ୟର ଭାଷାରେ କଥୋପକଥନ କରି ପାରୁଥିଲେ ମଧ୍ୟ ଲେଖା-ପଢ଼ା କରିପାରନ୍ତି ନାହିଁ। ଆଉ ସେଇଥି ପାଇଁ ପିଲାମାନଙ୍କୁ ପଢ଼ାପଢ଼ିରେ ସାହାଯ୍ୟ କରିପାରନ୍ତି ନାହିଁ। ଟିଉସନରେ ପଢାଇବା ଅଧିକ ଖର୍ଚ୍ଚ, ଯାହାକୁ ବହନ କରିବା ତାଙ୍କ ପାଇଁ କାଠିକର ହୋଇଥାଏ।
ଖେଳ କୁଦ ପିଲାମାନଙ୍କର ବଢ଼ିବା ବୟସରେ ବହୁତ ଜରୁରୀ। ହେଲେ, ଜାଗା ଅଭାବରୁ ଏମାନେ ସ୍ବଚ୍ଛନ୍ଦରେ ଖେଳିପାରନ୍ତି ନାହିଁ ଏବଂ ବ୍ୟୟବହୁଳ ଖେଳରେ ସେମାନଙ୍କୁ ପଞ୍ଜୀକରଣ କରାଇବାର ସାଧନ ତାଙ୍କ ପାଖରେ ନ ଥାଏ। ନିର୍ମାଣ ଚାଲୁଥିବା ସମୟରେ ପାଖ ଜାଗାରେ ଏମାନେ ବିପଦ ସଙ୍କୁଳ ଅବସ୍ଥାରେ ଖେଳୁଥାନ୍ତି। ଆଜିକାଲି କେତେକ ସହୃଦୟ ବ୍ୟକ୍ତି ଏମାନଙ୍କର ପ୍ରତିଭାକୁ ଚିହ୍ନି ଏମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରୁଛନ୍ତି । ଏହା ଏମାନଙ୍କୁ କୁପଥରୁ ଦୂରରେ ରଖିବାକୁ ବହୁତ ସାହାଯ୍ୟ କରୁଛି। କିନ୍ତୁ, ଆହୁରି ବେଶିମାତ୍ରାରେ ସଂସ୍ଥା ଓ ସହୃଦୟ ଲୋକ ଆଗକୁ ଆସିଲେ ଏହି ଦିଗରେ ଅନେକ କାର୍ଯ୍ୟ କରାଯାଇପାରିବ ଓ ଅନେକ ଲୁକ୍କାୟିତ ପ୍ରତିଭା ଆଗକୁ ଆସିପାରିବେ। ଯେଉଁ ପିଲାମାନେ ସ୍କୁଲ ଯାଇପାରନ୍ତି ନାହିଁ କି ଖେଳିବାକୁ ଜାଗା ପାଆନ୍ତି ନାହିଁ, ସେମାନେ ଧୀରେ ଧୀରେ ବାଲ୍ୟକାଳରୁ ନିଶାସକ୍ତ ହୋଇଯାଆନ୍ତି। ଆଉ କିଛି ପିଲା ବିଭିନ୍ନ ଅସାମାଜିକ ବା ଅନୈତିକ କାର୍ଯ୍ୟରେ ଲିପ୍ତ ହେବାର ଉଦାହରଣ ଅଛି। କଥାରେ ଅଛି,‘ଶୂନ୍ୟ ମସ୍ତିସ୍କ ଶଇତାନର କାରଖାନା’। ଯଦି ସେହି ପିଲାମାନଙ୍କୁ ଆମେ ପାଠ ଓ ଖେଳକୁଦରେ ବ୍ୟସ୍ତ ରଖିପାରିବା, ତା’ହେଲେ ସେଭଳି ଭୟଙ୍କର କାର୍ଯ୍ୟକାଳପରୁ ଏମାନଙ୍କୁ ନିବୃତ୍ତ କରାଯାଇପାରିବ।
ଏହି ଶ୍ରମିକ ଓ ତାଙ୍କ ପରିବାର କାମ ସମାପ୍ତ ହେଲା ପରେ ବା ବେଳେ ବେଳେ କାମ ଅଧାରୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଚାଲିଯାଇଥାନ୍ତି, ସେମାନଙ୍କର ମୋବାଇଲ ନମ୍ବର ବଦଳି ଯାଇଥାଏ। ଅନେକଙ୍କର ରାଶନ କାର୍ଡ ନ ଥାଏ; ଯାହା ଫଳରେ ସେମାନେ କେତେକ ସରକାରୀ ଯୋଜନା ଓ କେତେକ କ୍ଷେତ୍ରରେ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ଦିଆଯାଉଥିବା ସୁଯୋଗର ଲାଭ ଉଠାଇପାରନ୍ତି ନାହିଁ। ଏକ ରିପୋର୍ଟ ଅନୁସାରେ କେବଳ ବାଙ୍ଗାଲୋରରେ ପାଖାପାଖି ପନ୍ଦର ଲକ୍ଷ ଶ୍ରମିକ ନିର୍ମାଣସେକ୍ଟରରେ କାମ କରନ୍ତି, ତେଣୁ ସେହି ହିସାବରେ ଦେଶର ଅନ୍ୟ ସହର, ନଗରିରେ କେତେ ଅପଞ୍ଜୀକୃତ ଶ୍ରମିକ ଅଛନ୍ତି, ତା’ର ଅନୁମାନ କରି ହେବ। କର୍ନାଟକରେ ଏହି ଶ୍ରମିକ ପିଲାମାନଙ୍କ ପାଇଁ ଦଶମ ଓ ଯୁକ୍ତ୨ ପାସ୍‌ କରିଲା ପରେ ମେଧାବୀ ଛାତ୍ର ବୃତ୍ତିର ବ୍ୟବସ୍ଥା ଅଛି।
କାମ କରୁଥିବା ଅବସ୍ଥାରେ କେଉଁ ଶ୍ରମିକର ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ହେଲେ ବା ଦୁର୍ଘଟଣାରେ ଅଙ୍ଗହାନି ହେଲେ, ତାଙ୍କ ପରିବାର ଓ ପିଲାମାନଙ୍କର ଅବସ୍ଥା ସହଜରେ ଅନୁମେୟ। ଏପରି କ୍ଷେତ୍ରରେ ଯଦି କାମ କରୁଥିବା କମ୍ପାନୀ ଏକ ବଡ କମ୍ପାନୀ ହୋଇଥାଏ, ତା’ ହେଲେ କିଛି ବା କ୍ଷତି ପୂରଣ ମିଳେ। ଛୋଟ ଠିକାଦାରମାନେ କିଛି ବି ଦିଅନ୍ତି ନାହିଁ ।
ଏଥିି ପାଇଁ ସରକାରୀ ବୀମା ବା କ୍ଷତି ପୂରଣର ବ୍ୟବସ୍ଥା ରହିଲେ ସେମାନଙ୍କ ପିଲାମାନେ ଉପକୃତ ହୋଇପାରନ୍ତେ। ଏକ ବାଙ୍ଗାଲୋରର ଏକ ବେସରକାରୀ ସଂସ୍ଥା ଦିୟା ଘର। ଏହି ସଂସ୍ଥା ଶ୍ରମଜୀବୀ ପିଲାମାନଙ୍କ ଶାରୀରିକ, ମାନସିକ, ବୌଧିକ ବିକାଶ ଦିଗରେ ଧ୍ୟାନ ଦେଉଛି। ସେମାନଙ୍କ ସାମାଜିକ ସୁରକ୍ଷା ଓ ସୁସ୍ଥ ମିଶ୍ରଣ ମୁଖ୍ୟ ସ୍ରୋତରେ କିପରି ହୋଇପାରିବ ସେ ଦିଗରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦିୟା ଘର ଭଳି ଆହୁରି ଅନେକ ଘର ଆମେ ସୃଷ୍ଟି କରିପାରିଲେ ଅବହେଳିତ ଶୈଶବକୁ ଯଥାର୍ଥ ଦିଗ୍‌ଦର୍ଶନ ମିଳିବ ଓ ଆମ ଦେଶକୁ ଏକ ଉନ୍ନତ ରାଷ୍ଟ୍ର ହେବାରୁ କେହି ଅଟକାଇ ପାରିବେ ନାହିଁ।
ମୋ:୮୩୧୦୭୮୧୫୨୪


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?