ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର ପାଇଁ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ଏଥିସହିତ ଇଂଲଣ୍ଡର ଦୀର୍ଘ ୪୪ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ ଶେଷରେ ଟାଇରେ ଶେଷ ହୋଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ଠିକ ୫୦ ଓଭରରେ ସମାନ ୨୪୧ ରନ କରି ଅଲଆଉଟ ହୋଇଥିଲା। ଅନ୍ତିମ ଓଭରରେ ବିଜୟ ପାଇଁ ୧୫ ରନ ଆବଶ୍ୟକ ହେଉଥିବା ବେଳେ ଇଂଲଣ୍ଡ ୧୪ ରନ ସଂଗ୍ରହ କରିପାରିଥିଲା। ୯୮ ବଲରୁ ୫ ଚୌକା ଓ ୨ ଛକା ସହ ବେନ୍‌ ଷ୍ଟୋକ୍ସ ଦ୍ରୁତ ୮୪ ରନ କରି ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିଥିଲେ। ମ୍ୟାଚ ଟାଇ ହେବାଫଳରେ ସୁପର ଓଭର ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବିନାକ୍ଷତିରେ ୧୫ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଗୋଟିଏ ଉଇକେଟ ହରାଇ ସମାନ ୧୫ ରନ କରିଥିଲା। ଶେଷ ବଲରେ ୨ ରନ ନେବାକୁ ଯାଇ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରନଆଉଟ ହୋଇଥିଲେ। ସୁପର ଓଭର ମଧ୍ୟ ଟାଇରେ ଶେଷ ହୋଇଥିଲା। ତେବେ ଅପେକ୍ଷାକୃତ ଅଧିକ ସଂଖ୍ୟକ ବାଉଣ୍ଡାରି ମାରିଥିବାରୁ ଇଂଲଣ୍ଡ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଇଂଲଣ୍ଡର ସ୍ବପ୍ନ ସାକାର ହେଲା। ଶେଷ ୩ଟି ବିଶ୍ୱକପ୍‌ରେ ଆୟୋଜକ ଦେଶମାନେ ବାଜି ମାରିଛନ୍ତି। ପୂର୍ବରୁ ବିଶ୍ୱକପ୍‌ର କୌଣସି ଫାଇନାଲ ମ୍ୟାଚ୍‌ ଟାଇ ହୋଇ ନ ଥିଲା। ଲଢୁଆ ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବେନ୍‌ ଷ୍ଟୋକ୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ସାରା ଟୁର୍ନାମେଣ୍ଟରେ ସ୍ଥିର ପ୍ରତର୍ଶନ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ଭାବେ ପୁରସ୍କୃତ ହୋଇଛନ୍ତି।
୨୪୨ ରନ ଆଭରେଜ ଟାର୍ଗେଟର ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିପାରି ନ ଥିଲା। ଦଳ ମାତ୍ର ୭୧ ରନରେ ଟପ୍‌ ଅର୍ଡର ଇନ୍‌ଫର୍ମ ୩ ମୂଲ୍ୟବାନ ଉଇକେଟ ହରାଇଥିଲା। ସାରା ଟୁର୍ନାମେଣ୍ଟରେ ଧୂଆଁଧାର ପ୍ରଦର୍ଶନ କରିଥିବା ଦୁଇ ଓପନର ଜାସନ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ସହ ଜୋ ରୁଟ୍‌ ପ୍ୟାଭିଲିୟନ ଫେରିଥିଲେ। ୩ ଚୌକା ସହ ୨୦ ବଲରୁ ୧୭ ରନ କରିଥିବା ବେଳେ ରୟ ମ୍ୟାଟ୍‌ ହେନରିଙ୍କ ଅଫ୍‌ ଷ୍ଟମ୍ପ ବାହାରର ବଲ୍‌କୁ ଖେଳିବାକୁ ଯାଇ ଉଇକେଟକିପର ଟମ୍‌ ଲଥାମଙ୍କ ହାତରେ ଧରାପଡି ପ୍ରଥମେ ଆଉଟ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିବା ରୁଟ୍‌ ମାତ୍ର ୭ ରନକରି ଆଉଟ ହେବା ସହ ଘରୋଇ ଦର୍ଶକଙ୍କୁ ନିରାଶ କରିଥିଲେ। ସେ କଲିନ ଡି ଗ୍ରାଣ୍ଡହୋମଙ୍କ ଅଫ୍‌ ଷ୍ଟମ୍ପ ବାହାରର ଗୁଡ ଲେନ୍ଥ ବଲ୍‌କୁ ଖେଳିବାକୁ ପ୍ରୟାସ କରିଥିଲେ। ବଲ୍‌ ବ୍ୟାଟ୍‌ର ଇନ୍‌ସାଇଡ୍‌ ଏଜ୍‌ ନେଇଥିଲା ଓ ଲଥାମ ଏକ ସହଜ କ୍ୟାଚ ନେଇ ରୁଟ୍‌ଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଏହାପରେ ବେୟାରଷ୍ଟୋ ୩୬ ରନ (୫୫ ବଲ, ୭ ଚୌକା) କରିଥିବା ବେଳେ ଲୋକି ଫର୍ଗୁସନଙ୍କ ଅଫ୍‌ ଷ୍ଟମ୍ପ ବାହାର ବାଉନ୍ସ ବଲ୍‌କୁ ଜମ୍ପ ଖେଳିବାକୁ ଯାଇଥିଲେ। ତେବେ ବଲ୍‌ ବ୍ୟାଟ୍‌ ଭିତର ପଟର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ଫଳରେ ରୁଟ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଇଅନ ମୋର୍ଗାନଙ୍କ ପାଳି ପଡିଥିଲା। ଭଲ ଫର୍ମରେ ନ ଥିବା ମୋର୍ଗାନ ଜେମ୍ସ ନିଶାମଙ୍କ ଓ୍ବାଇଡ୍‌ ଲେନ୍ଥ ବଲ୍‌କୁ ଜୋର୍‌ଦାର ଶଟ୍‌ ଖେଳିବାକୁ ଯାଇ ପଏଣ୍ଟ ବାଉଣ୍ଡରିରେ ଫର୍ଗୁସନଙ୍କୁ କ୍ୟାଚ୍‌ ଦେଇଥିଲେ। ଫର୍ଗୁସନ ଏକ ସୁନ୍ଦର କ୍ୟାଚ୍‌ ନେଇଥିଲେ। ମୋର୍ଗାନ ମନ୍ଥର ବ୍ୟାଟିଂ କରି ୨୨ଟି ବଲର ସମ୍ମୁଖୀନ ହୋଇ ମାତ୍ର ୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଇଂଲଣ୍ଡ ୮୪ ରନରେ ଟପ୍‌ ଅର୍ଡର ୪ ଉଇକେଟ ହରାଇ ବିପଦରେ ପଡିଥିଲା। ଏହାପରେ ପଞ୍ଚମ ଉଇକେଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ଲଢୁଆ ପ୍ରଦର୍ଶନ କରି ୧୨୯ଟି ବଲ୍‌ରୁ ୧୧୦ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ସ୍ଥିତି ସମ୍ଭାଳିବା ସହ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ବଟଲର ୬୦ ବଲରୁ ୬ ଚୌକା ସହ ଦ୍ରୁତ ୫୯ ରନ କରି ଫର୍ଗୁସନଙ୍କ ବଲ୍‌ରେ ଏକ୍ସଟ୍ରା କଭର ଉପରେ ଦେଇ ଛକା ମାରିବାକୁ ଯାଇ ବଦଳ ଖେଳାଳି ଟିମ ସାଉଦିଙ୍କ ହାତରେ ଧରା ପଡିଥିଲେ। ଏହାପରେ ୨ ରନକରି ଥିବା ବେଳେ କ୍ରିସ୍‌ ଓ୍ବକ୍ସ ଫର୍ଗୁସନଙ୍କ ବାଉନ୍ସ ବଲ୍‌କୁ ଲମ୍ବା ଶଟ ଖେଳିବାକୁ ଯାଇଥିଲେ। ତେବେ ବଲ ବ୍ୟାଟ୍‌ରେ ଠିକ୍‌ ରୂପେ ସଂଯୋଗ ନ ହେବା କାରଣରୁ ସେ ଲଥାମଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ। ସେହିପରି ଲିୟମ ପ୍ଲଙ୍କେଟ ୧୦ ରନ କରି ଆଉଟ ହୋଇଥିଲେ। ଏହାର ଦୁଇଟି ବଲ ପରେ ଜୋଫ୍ରା ଆର୍ଚର ଖାତା ଖୋଲିବା ପୂର୍ବରୁ ନିଶାମ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ୨ ରନ ନେବାକୁ ଯାଇ ଆଡିଲ ରସିଦ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଇନିଂସର ଶେଷ ବଲ୍‌ରେ ଅନୁରୂପ ଭାବେ ୨ ରନ ନେବାକୁ ଯାଇ ମାର୍କ ଉଡ୍‌ ବୋଲ୍ଟଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ଫଳରେ ମ୍ୟାଚ୍‌ ଟାଇ ହୋଇ ଯାଇଥିଲା। ଦଳ ଅଲ୍‌ଆଉଟ ହୋଇଥିଲେ ମଧ୍ୟ ବେନ୍‌ ଷ୍ଟୋକ୍ସ ୮୪ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଫର୍ଗୁସନ ଓ ନିଶାମ ୩ଟି ଲେଖାଏ, ଆର୍ଚର ଓ ଉଡ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ମେଘୁଆ ପାଗରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ତରଫରୁ ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ନିକୋଲ୍ସ ଦେଖିଚାହିଁ ଆରମ୍ଭ କରିଥିଲେ। ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ମାର୍ଟିନ ଗୁପ୍ଟିଲ ପ୍ରଥମେ ଆଉଟ ହୋଇଥିଲେ। ୧୮ ବଲରୁ ୨ ଚୌକା ଓ ୧ ଛକା ସହ ୧୯ ରନ କରିଥିବା ଗୁପ୍ଟିଲ କ୍ରିସ୍‌ ଓ୍ବକ୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ବ୍ୟାଟ୍‌ରେ ଏଜ୍‌ ନେଇଥିବା ଭାବି ସେ ରିଭ୍ୟୁ ନେଇଥିଲେ ମଧ୍ୟ କିଛି ଫଳ ହୋଇ ନ ଥିଲା। ା ଇନ୍‌ଫର୍ମ ଅଧିନାୟକ କେନ୍‌ ଓ୍ବିଲିୟମସନ ଅବଶ୍ୟ ଏହି ହାଇଭୋଲ୍‌ଟେଜ ନିର୍ଣ୍ଣାୟକ ମ୍ୟାଚ୍‌ରେ ଚମକ ଦେଖାଇବାରେ ବିଫଳ ହୋଇଥିଲେ। ଧିମା ଆରମ୍ଭ କରି ୫୩ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ସହ ୩୦ ରନ କରିଥିବା ବେଳେ ସେ ଲିଅମ୍‌ ପ୍ଲଙ୍କେଟଙ୍କ ବଲ୍‌ରେ ଉଇକେଟକିପର ଜୋସ ବଟଲରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଓ୍ବିଲିୟମସନ ଓ ନିକୋଲ୍ସ ୭୪ ରନ ସଂଗ୍ରହ କରିଥିଲେ। ଏହାପରେ ୭୭ ବଲରୁ ୪ ଚୌକା ସହ ୫୫ରନର ଅର୍ଦ୍ଧଶତକୀୟ ପାଳି ଖେଳି ନିକୋଲ୍ସ ଆଉଟ ହୋଇଥିଲେ। ଲାଇନ୍‌ମିସ୍‌ କରି ନିକୋଲ୍ସ ପ୍ଲଙ୍କେଟଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ଫାଇନାଲରେ କିନ୍ତୁ ବିଫଳ ହୋଇଥିଲେ। ୩୧ଟି ବଲ୍‌ ଖେଳି ମାତ୍ର ୧୫ ରନ କରିଥିବା ବେଳେ ସେ ମାର୍କ ଉଡ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଜେମ୍ସ ନିଶାମ ୨୫ଟି ବଲ ଖେଳି ୩ ଚୌକା ସହ ୧୯ ରନ କରିଥିବା ବେଳେ ମିଡ୍‌ଅନ୍‌ ଉପରେ ବଡ଼ ଶଟ୍‌ ଖେଳିବାକୁ ପ୍ରୟାସ କରି ଜୋ ରୁଟ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ଲଙ୍କେଟଙ୍କ ତୃତୀୟ ଶିକାର ହୋଇଥିଲେ। କଲିନ୍‌ ଡି ଗ୍ରାଣ୍ଡହୋମ ମନ୍ଥର ବ୍ୟାଟିଂ କରି ୨୮ ବଲରୁ ୧୬ ରନ କରିଥିବା ବେଳେ ଓ୍ବକ୍ସଙ୍କ ବଲ୍‌ରେ ମିଡ୍‌ଅନ୍‌କୁ ଜୋରଦାର ଶଟ୍‌ ଖେଳିଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇ ମିଡ୍‌ ଅଫ୍‌ ଅଞ୍ଚଳକୁ ଯାଇଥିଲା ଓ ବଦଳ ଖେଳାଳି ଜେମ୍ସ ଭିନ୍ସ ସହଜ କ୍ୟାଚ ନେଇ ତାଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୨ ଚୌକା ଓ ୧ ଛକା ସହ ୫୬ ବଲରୁ ୪୭ ରନ କରିଥିବା ବେଳେ ଓ୍ବକ୍ସଙ୍କ ଏକ ଅଫ୍‌ ଷ୍ଟମ୍ପ ବାହାରର ସ୍ଲୋ ଫୁଲ ଲେନ୍ଥ ବଲ୍‌କୁ ମିଡ ଅଫ୍‌ ଉପର ଦେଇ ମାରିବାକୁ ଚେଷ୍ଟା କରିଥିଲେ। ବଲ୍‌ କିନ୍ତୁ ବ୍ୟାଟ୍‌ର ନିମ୍ନରେ ବାଜିଥିଲା ଓ ଭିନ୍ସ ତାଙ୍କ କ୍ୟାଚ ନେଇଥିଲେ। ଷଷ୍ଠ ଉଇକେଟରେ ଲଥାମ ଓ ଗ୍ରାଣ୍ଡହୋମ୍‌ ଗୁରୁତ୍ୱପୂର୍ଣ୍ଣ ୪୬ ରନ ସଂଗ୍ରହ କରିଥିଲେ। ଏକଦା ଗୋଟିଏ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ୧୦୩ ରନ ସଂଗ୍ରହ କରି ଦୃଢ ସ୍ଥିତିରେ ରହିଥିଲା। ତେବେ ନିୟମିତ ଉଇକେଟ ହରାଇ ଦଳ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଇଂଲଣ୍ଡ ବୋଲରମାନେ ଭଲ ବୋଲିଂ କରିଥିଲେ ମଧ୍ୟ ଫାଇନାଲ ଭଳି ନିର୍ଣ୍ଣାୟକ ମ୍ୟାଚ୍‌ରେ ଅତିରିକ୍ତ ୩୦ ରନ ବ୍ୟୟ କରିଥିଲେ। ବୋଲିଂରେ ଓ୍ବକ୍ସ ଓ ପ୍ଲଙ୍କେଟ ୩ଟି ଲେଖାଏ, ଆର୍ଚର ଓ ଉଡ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri