ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ
ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ ଏହି ଦିବସକୁ ମନେ ପକାଇଥାଆନ୍ତି। ବିବେକାନନ୍ଦଙ୍କ ନାମ ପୂର୍ବରୁ ଯୋଗଜନ୍ମା, ଯୋଗୀ, ପ୍ରଜ୍ଞାପୁରୁଷ, ଯୁବ ସନ୍ନ୍ୟାସୀ ଆଦି ଅନେକ ବିଶେଷଣ ଲଗାଯାଇଥାଏ। ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଜୀବନରେ ଗ୍ରହଣ କରି ସେ ଏପରି ହୋଇପାରିଥିଲେ। କିନ୍ତୁ ଆଜିର ଯୁବପିଢ଼ି ବିନା ଆଦର୍ଶରେ ସଫଳତା ପାଇବାକୁ ପ୍ରୟାସ କରୁଛି, ଯାହାଫଳରେ ସେ ବିଶୃଙ୍ଖଳିତ ଓ ଉଦ୍‌ଭ୍ରାନ୍ତ ହୋଇପଡ଼ୁଛି। ଏଭଳି ସନ୍ଧିକ୍ଷଣରେ ବିବେକାନୁସରଣର ପ୍ରାସଙ୍ଗିକତା ରହିଛି।
ଯୁବାବସ୍ଥା ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମୟ। ଏହାକୁ ଯିଏ ଭଲ ଭାବେ ଉପଯୋଗ କରିପାରିଛି ସେ ତାହାର ମହାର୍ଘ ଉପଲବ୍‌ଧି ପାଇଛି। ସ୍ବାମିଜୀଙ୍କ ଶରୀର ଗଠନ, ପ୍ରଜ୍ଞା, ଧୀଶକ୍ତି ଓ ଦୃଢ଼ମନା ବ୍ୟକ୍ତିତ୍ୱ ପ୍ରତ୍ୟେକ ଯୁବପ୍ରାଣକୁ ପ୍ରଭାବିତ କରିଥାଏ। ହେଲେ ଆଜିର ପିଢ଼ି ପଢ଼ାବହି ବ୍ୟତୀତ ଶିକ୍ଷଣୀୟ ସାହିତ୍ୟ କିମ୍ବା ପ୍ରେରଣାଦାୟୀ ପୁସ୍ତକ ପଢ଼ିବାକୁ ଅମଙ୍ଗ ହୋଇପଡ଼ିଛି। ଆଣ୍ଡ୍ରଏଡ୍‌ ଫୋନ୍‌କୁ ସବୁକିଛିର ବିକଳ୍ପଭାବେ ଧରିନେଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଯୋଗାଯୋଗ ଓ ସମୃଦ୍ଧିର ଏହା ଉନ୍ନତ ମାଧ୍ୟମ ପାଲଟିଥିବାରୁ ଏହାର ଆବଶ୍ୟକତାକୁ ଖୁଣି ହେଉ ନାହିଁ। ଅବଶ୍ୟ ଏହା ଅନେକେ ସ୍ବୀକାର କରିବେ ଯେ ସେହି ଯନ୍ତ୍ରଟି ଭିତରୁ ଯେତେ ମାତ୍ରାରେ ଜ୍ଞାନ ଆହରଣ କରାଯାଇପାରନ୍ତା, ଆଜିର ପିଢ଼ି ତାହାକୁ ସାଉଁଟିପାରୁ ନାହିଁ। ଦିନର ଜୀବନଚର୍ଯ୍ୟା ସେହି ଯନ୍ତ୍ରରୁ ଆରମ୍ଭ ହୋଇ ରାତିରେ ଶଯ୍ୟାକୁ ଗଲା ଯାଏ ଏହା ସାଥୀ ପାଲଟୁଛି। ସେଥିରେ ବ୍ୟାୟାମ ସମ୍ପର୍କିତ ତଥ୍ୟ ମିଳିପାରୁଛି। କିନ୍ତୁ ଫୋନ୍‌ଧାରୀ ତାହାର ସଦୁପଯୋଗ କରୁନାହିଁ। ସ୍ପୀଡ୍‌ ଗେମ୍ସ ଖେଳାଯିବାଠାରୁ ଆରମ୍ଭ କରି ମନୋରଞ୍ଜନର ସମସ୍ତ ମାଧ୍ୟମକୁ ଅତି ନିଖୁଣ ଭାବେ ବ୍ୟବହାର କରାଯାଉଛି। ହେଲେ ଭବିଷ୍ୟତ ପିଢ଼ି ଦେହରେ ଯେ କେତେ ବଡ଼ କ୍ଷତ ସୃଷ୍ଟି ହୋଇଯାଉଛି ତାହାକୁ ଅନେକେ ନିରୀକ୍ଷଣ କରିପାରୁ ନାହାନ୍ତି। କାରଣ ବିବେକାନନ୍ଦ ଯେଉଁ ଆଦର୍ଶ, ବିଚାର, ଦର୍ଶନ, ଶିକ୍ଷା, ଶାରୀରିକ କସରତ ଓ ଖେଳ ଉପରେ ଗୁରୁତ୍ୱ ଦେଇ ‘ମୋ ଭାରତ’ର କଥା କହି ପାଶ୍ଚାତ୍ୟରେ ଚର୍ଚ୍ଚିତ ହୋଇଥିଲେ, ସେସବୁ ଆଉ ଯୁବପିଢ଼ିଙ୍କ ଭିତରେ ପ୍ରତିଫଳିତ ହେଉନାହିଁ। କେବଳ ଏକ ମାନସିକ ବା ଭର୍ଚୁଆଲ ଦୌଡ଼ ଚାଲିଛି। ‘ପ୍ରତିଦ୍ୱନ୍ଦ୍ୱିତାସର୍ବସ୍ବ’ ଏ ଦୌଡ଼ର ଲକ୍ଷ୍ୟ ସବୁ କିଛି କମ୍‌ ସମୟ ଭିତରେ ନିଜକୁ ମିଳିଯାଉ। ଅନ୍ୟକୁ ଯେନତେନ ପ୍ରକାରେଣ ଟପିଯିବାର ଏ ଯେଉଁ ନିଶା ଯୁବତୀଯୁବକଙ୍କୁ ଘାରିଛି ତା’ର ମୂଳରେ ରହିଛି ଉଚ୍ଚାକାଂକ୍ଷା। କିନ୍ତୁ କେହି ମନେରଖୁ ନାହାନ୍ତି ଯେ, ନିଜ କଳ୍ପନାଠାରୁ ବହୁଉଚ୍ଚକୁ ଲମ୍ବିଥିବା ଏକ ଶୂନ୍ୟତାର ଅନ୍ୟନାମ ଦୁଃଖ। ଯେତେବେଳେ ଈପ୍ସିତ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ସେତେବେଳେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଏଠାରେ ଭାରତବର୍ଷର ସବୁଠାରୁ ସମ୍ମାନଜନକ ଆଇଆଇଟି ଓ ଆଇଆଇଏମ୍‌ରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କ ଉଦାହରଣ ନିଆଯାଇପାରେ। କୁହାଯାଉଛି ଏମାନେ ସବୁଠୁ ଉଚ୍ଚଶିକ୍ଷିତ, ବୁଦ୍ଧିଆ, ବ୍ୟାବହାରିକ ଜ୍ଞାନରେ ଗରୀୟାନ୍‌ ଏବଂ ଦେଶ ନିର୍ମାଣ ଓ ପରିଚାଳନା କରିବାରେ ସର୍ବାଧିକ ଦକ୍ଷତା ରଖିଛନ୍ତି। ଏଥିରେ ଥିବା ପାଠ୍ୟକ୍ରମ ଯୁବତୀଯୁବକଙ୍କୁ ନୂଆ ଦିଗ୍‌ଦର୍ଶନ ଦେଇଥାଏ। ଅନେକେ ମୋଟିଭେଶନାଲ ସ୍ପିକର ବା ପ୍ରେରଣାଦାୟୀ ବକ୍ତା ଓ ଦୁନିଆରେ ବିଭିନ୍ନ କ୍ଷେତ୍ରରେ ନାମ ଓ ସମ୍ମାନ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ସେମାନଙ୍କ ଶ୍ରେଣୀକକ୍ଷ ମଣ୍ଡନ କରିଥାଆନ୍ତି। ତଥାପି ସେମାନଙ୍କ ମଧ୍ୟରୁ କତିପୟ ଦୁର୍ବଳମନା ଜୀବନକୁ ବୁଝିବାରେ ଅସଫଳ ହେବା ହେତୁ ପ୍ରାଣ ହରାଇ ଦେଉଛନ୍ତି। ୪ ଡିସେମ୍ବର ୨୦୧୯ରେ ପାର୍ଲାମେଣ୍ଟରେ ଏହି ମେଧାବୀ ଛାତ୍ରଙ୍କ ଆତ୍ମହତ୍ୟା ନେଇ ଏକ ପ୍ରଶ୍ନ ଉଠାଯାଇଥିଲା। ମାନବସମ୍ବଳ ବିକାଶ ମନ୍ତ୍ରୀ ଉତ୍ତର ରଖିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ୬୦ ଜଣ ଆଇଆଇଟି ଓ ଆଇଆଇଏମ୍‌ ଛାତ୍ର ଆତ୍ମହତ୍ୟା କରି ଜୀବନ ହାରିଦେଇଛନ୍ତି। ଅଭାବୀ ବିକ୍ରି ଆଦି ଯୋଗୁ କରଜ ଶୁଝି ନ ପାରି କୃଷକଙ୍କ ଆତ୍ମହତ୍ୟା ସାମାଜିକ ବ୍ୟବସ୍ଥାରେ ଦେହସୁହା ହୋଇଯାଇଛି। ସାଧାରଣତଃ ଏମାନଙ୍କ ମଧ୍ୟରୁ ଅନେକେ ଅପାଠୁଆ ଥିବେ। ତେବେ ଉଚ୍ଚଶିକ୍ଷିତ ଯୁବତୀଯୁବକଙ୍କ ମୃତ୍ୟୁ ପଛର ଅଧିକାଂଶ କାହାଣୀ ଖୋଜିଲେ ମୋଟା ଅଙ୍କର ଦରମା ନ ମିଳିବା ଓ ଅନ୍ୟ ସହ ତୁଳନା କରି ପଛରେ ପଡ଼ିଯିବା ଦୁଃଖରେ ଅନେକେ ମ୍ରିୟମାଣ। ପ୍ରେମରେ ଅସଫଳତା ମଧ୍ୟ ଜୀବନ ହାରିବାର ଅନ୍ୟ ଏକ କାରଣ। ସମ୍ଭବତଃ ମୂଲ୍ୟବୋଧ ଓ ଉତ୍ତମ ଚରିତ୍ରର ଅଭାବ ଯୋଗୁ ଯୁବପିଢ଼ି ପଥହରା ହୋଇପଡ଼ିଛି।
ଏକଦା ବିବେକାନନ୍ଦଙ୍କୁ ଦେଖି ଓ ଦର୍ଶନ ପଢ଼ି ପାଶ୍ଚାତ୍ୟ ଜଗତ ଆଚମ୍ବିତ ହୋଇଥିଲା। ସେଠାକାର ଅନେକ ବିଶ୍ୱବିଦ୍ୟାଳୟରେ ସ୍ବାମିଜୀଙ୍କ ଉପରେ ଗବେଷଣା କରାଯାଉଛି। ହେଲେ ଏଠି ଭାରତୀୟ ଯୁବତୀଯୁବକ ଭଗ୍ନମନ ନେଇ ଘୂରି ବୁଲୁଛନ୍ତି। ଅବଶ୍ୟ ଏଥିଲାଗି ସବୁ ଦୋଷ ଯୁବପିଢ଼ି ଉପରେ ଅଜାଡ଼ି ଦେଲେ ଅନ୍ୟାୟ ହେବ। କାରଣ ଅଧିକାଂଶ ଗୁରୁଜନ ସେମାନଙ୍କୁ ପିଲାଟି ବେଳୁ ଠିକ୍‌ଭାବେ ଦିଗ୍‌ଦର୍ଶନ ଦେଇପାରୁ ନାହାନ୍ତି। ଭାରତୀୟ ମାନସିକତା ପାଠ ପଢ଼ି ଚାକିରି କରିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ୩୦ ବର୍ଷ ତଳେ ଖେଳକୁଦ କରିବାକୁ ଆଗ୍ରହ ରଖୁଥିବା ପିଲାକୁ ଭଲଭାବେ ନ ବୁଝି ମାତାପିତା ଜୋରଜବରଦସ୍ତ ବହିରେ ତା’ ମୁହଁକୁ ମାଡ଼ି ଦେଉଥିଲେ। ଆଜି କେତେକ ଅଭିଭାବକଙ୍କ ଚିନ୍ତାରେ ପରିବର୍ତ୍ତନ ଆସି ପିଲାଙ୍କୁ ଖେଳପଡ଼ିଆକୁ ଛାଡ଼ୁଥିଲେ ହେଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ସୃଜନଶୀଳତା ବର୍ଗରେ ଚାକିରିର ସିଧାସଳଖ ସୁଯୋଗ ନ ଥିବାରୁ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଔଦ୍ୟୋଗିକ ଚିନ୍ତା ଓ ରାଜନୀତି ଭଳି କ୍ୟାରିୟରକୁ ‘କେଉଁଥିରେ କିଛି ନ ହେଲେ ପିଲାମାନେ ଏଥିରେ ଯାଆନ୍ତି’ ବୋଲି ଧରି ନିଆଯାଇଥିବାରୁ ତାହାର ଆଦର ବଢ଼ୁ ନାହିଁ। ଏପରି ସ୍ଥଳେ ସାମାଜିକ ନେତୃତ୍ୱ କିମ୍ବା ଥିଙ୍କ୍‌ଟ୍ୟାଙ୍କ ଗଢ଼ି ରାଷ୍ଟ୍ରର ମଙ୍ଗଳ ଦିଗରେ ଚିନ୍ତା ଓ ଯୁକ୍ତିନିଷ୍ଠ ସମାଧାନର ବାଟ ଦେଖାଇବାର ଦକ୍ଷତା ରଖିଥିବା ଯୁବତୀଯୁବକଙ୍କୁ କେଉଁଆଡ଼ୁ ସହଯୋଗ ମିଳିବ! ଅନ୍ୟପକ୍ଷରେ ପାଶ୍ଚାତ୍ୟରେ ଅଭିନବତ୍ୱ ଓ ନୂଆ କିଛି କରିବାରେ ଯିଏ କ୍ୟାରିୟର କରି ସଫଳତାକୁ ଧରି ରଖିପାରୁଛନ୍ତି ସେମାନେ ସେଲିବ୍ରିଟି ପାଲଟି ଯାଉଛନ୍ତି। ଅର୍ଥାତ୍‌ ଗୋଟିଏ ଆଇଡିଆ ବା ବିଚାରଧାରା ସେମାନଙ୍କୁ ଆଇକନ୍‌ ବା ଆଦର୍ଶସ୍ଥାନରେ ନେଇ ବସାଇ ଦେଉଛି। ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ଶ୍ରୀଅରବିନ୍ଦଙ୍କ ଭଳି ପ୍ରଜ୍ଞାବାନ୍‌ ବ୍ୟକ୍ତିଙ୍କ ସମୟକୁ କିଏ ଦେଖିଛି ବୋଲି ପ୍ରଶ୍ନ ବାଢ଼ୁଥିବା ଯୁବପିଢ଼ିଙ୍କୁ ପାଶ୍ଚାତ୍ୟର ଏବର ମାର୍କ ଜୁକରବର୍ଗମାନେ ମଧ୍ୟ ଅନୁକରଣୀୟ ମନେ ହେଉନାହାନ୍ତି। ‘ଫେସ୍‌ବୁକ୍‌’ରେ ଘଣ୍ଟାଘଣ୍ଟା ସମୟ ବିତାଉଥିବା ଭାରତୀୟ ଯୁବବର୍ଗଙ୍କ ମଧ୍ୟରୁ କେହି ଜଣେ ବାହାରି ସେହି ପାଶ୍ଚାତ୍ୟର ଯୁବତୀଯୁବକଙ୍କ ମନରେ ବସାବାନ୍ଧିଲା ଭଳି ବ୍ୟକ୍ତିତ୍ୱଟିଏ କାହିଁକି ହୋଇପାରୁ ନାହିଁ। ଏହାର କାରଣ ଭାରତରେ ବାସ୍ତବଧର୍ମୀ ଓ ପ୍ରୟୋଗାତ୍ମକ ଦିଗକୁ ସେଭଳି ଗୁରୁତ୍ୱ ଦିଆଯାଉ ନାହିଁ।
ବିବେକାନନ୍ଦଙ୍କ ସର୍ବୋତ୍କୃଷ୍ଟ ସନ୍ଦେଶ ଥିଲା- ”ଗୋଟିଏ ଆଇଡିଆ ବା ଆଦର୍ଶ ବା ବିଚାରଧାରାକୁ ଧରି ରଖ। ତାହାକୁ ହିଁ ତୁମେ ଜୀବନର ପାଥେୟ କର। ଚିନ୍ତା କର, ସ୍ବପ୍ନ ଦେଖ। ମସ୍ତିଷ୍କ, ମାଂସପେଶୀ, ସ୍ନାୟୁସତ୍ତା ଓ ଶରୀରର ସମସ୍ତ ଅବୟବ ସେହି ଧାରଣାର ବଶବର୍ତ୍ତୀ ହେଉ। ତା’ ବ୍ୟତୀତ ଅନ୍ୟସବୁକୁ ତୁଚ୍ଛ କରିଦିଅ। ଏହା ହେଉଛି ସଫଳତାର ଚାବିକାଠି।“ ସମ୍ଭବତଃ ଏହାକୁ ପାଶ୍ଚାତ୍ୟ ଯୁବତୀଯୁବକ ଅନୁସରଣ କରି କାମରେ ଲଗାଇଲେଣି। ଅଥଚ ଭାରତୀୟ ଯୁବପିଢ଼ି ମଧ୍ୟରୁ ଅନେକେ ସେହି ଚିନ୍ତାଧାରାରୁ ନିଜକୁ ପୃଥକ୍‌ କରିନେଲେଣି। ବୁଢ଼ା ହେବା ପାଇଁ ସର୍ବଦା ୬୦ ବର୍ଷ ବୟସ ଲୋଡ଼ା ନ ଥାଏ। ଆଜି ଭାରତୀୟ ଯୁବପିଢ଼ିକୁ ଯେଉଁ ପ୍ରକାର ଅବାସ୍ତବ ଚିନ୍ତା ଘାରିଛି, ଘରୁ ଓ ବାହାରୁ ଯେଭଳି ଚାପ ପଡ଼ୁଛି ସେଥିରେ ପରିବର୍ତ୍ତନ ଆସିବ ବୋଲି ଭାବିହେଉ ନାହିଁ। ବାତାବରଣ ଓ ଯୁଗୋପଯୋଗୀ ଚିନ୍ତାଧାରାରେ ଭିନ୍ନତା ପରିଲକ୍ଷିତ ହୋଇପାରେ। କିନ୍ତୁ ଲକ୍ଷ୍ୟ ହାସଲ କରିବା ଲାଗି ଯେଉଁ ଦୁର୍ବାର ପ୍ରୟାସଟି ଅନାଦି କାଳରୁ ରହି ଆସିଛି, ସମୟ ଗଡ଼ି ଚାଲିଲେ ମଧ୍ୟ ସେଥିରେ କଦାପି କସ୍‌ମେଟିକ୍‌ ବୋଳା ଯାଇପାରିବ ନାହିଁ। ତାହା ହିଁ ନିଷ୍ଠୁର ସତ୍ୟ। କାରଣ ସେହି ସମୟରେ ବି ବିବେକାନନ୍ଦଙ୍କୁ କେତେକ ଗ୍ରହଣ କରି ନ ଥିବେ। ଏବର ଯୁବପିଢ଼ି ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତି, ଉତ୍କର୍ଷ ଲଭିବାକୁ ଚେଷ୍ଟା କରିବା ଉଚିତ। କାହାର ବିଚାର ବା ଆଦର୍ଶକୁ ଭଲଭାବେ ଜୀବନରେ ପରୀକ୍ଷାନିରୀକ୍ଷା ନ କରି ଗ୍ରହଣ କରିବା ଠିକ୍‌ ନୁହେଁ। ରାମକୃଷ୍ଣ ପରମହଂସଙ୍କୁ ବୁଝିବା ସକାଶେ ବିବେକାନନ୍ଦଙ୍କୁ କମ୍‌ ଶ୍ରମ ସ୍ବୀକାର କରିବାକୁ ପଡ଼ି ନାହିଁ। କେବଳ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଏମାନଙ୍କୁ ଗ୍ରହଣ କରିବାକୁ ଭାରତୀୟ ଯୁବପିଢ଼ିକୁ ଅନେକେ ଉପଦେଶ ଦେଇଥାଆନ୍ତି। ମାତ୍ର ଏଭଳି ମହାପୁରୁଷଙ୍କୁ ବାସ୍ତବ ଜୀବନରେ ଅନୁସରଣ କରିଚାଲିଲେ ଜୀବନର ସର୍ବତୋମୁଖୀ ଉନ୍ନତି ହୋଇଥାଏ।
ମୋ-୯୪୩୭୨୨୯୨୫୯


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?