ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ
ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ ମିଶନ ସୋୟୁଜ ଏମ୍‌ଏସ୍‌-୧୨ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ପରେ ସାଥୀ ମହିଳା ମହାକାଶଚାରୀଙ୍କ ସହ ମହାକାଶରେ ଚାଲି ଇତିହାସ ସୃଷ୍ଟି କରିଥିବା କ୍ରିଷ୍ଟିନା ଥରକରେ ସବୁଠାରୁ ବେଶି ୨୮୯ ଦିନ ରହିବାରେ ବିଶ୍ୱର ପ୍ରଥମ ମହିଳା ଭାବେ ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିପାଇଁ କେବଳ ଆମେରିକାରେ ନୁହେଁ, ସାରା ବିଶ୍ୱରେ ସେ ପାଲଟିଛନ୍ତି ଜଣେ ଚର୍ଚ୍ଚିତ ଓ ବଳିଷ୍ଠ ବ୍ୟକ୍ତିତ୍ୱ। ମହାକାଶ ଦୌଡ଼ରେ ସାମିଲ ସବୁ ଦେଶର ମହିଳାମାନଙ୍କ ପାଇଁ କ୍ରିଷ୍ଟିନାଙ୍କ ଏହି ସାହସ ପ୍ରେରଣାର ଉତ୍ସ ପାଲଟିଛି।
କ୍ରିଷ୍ଟିନା ମିଶିଗାନର ଗ୍ରାଣ୍ଡ୍‌ ରେପିଡ୍‌ରେ ୨୯ ଜାନୁୟାରୀ, ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ମାତା ବାର୍‌ବରା ଜନ୍‌ଶନ ଓ ପିତା ଡ. ରୋନାଲ୍ଡ ହାମୋକଙ୍କ କନ୍ୟା କ୍ରିଷ୍ଟିନା ଏବେ ପାଲଟିଯାଇଛନ୍ତି ମହାକାଶ କନ୍ୟା। ତାଙ୍କ ପିଲାଦିନ କଟିଥିଲା ନର୍ଥ କାରୋଲିନାର ଜ୍ୟାକ୍‌ଶନ ଭିଲିରେ। ଡରହାମ୍‌ର ନର୍ଥ କାରୋଲିନା ସ୍କୁଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ମାଥମେଟିକ୍ସରୁ ୧୯୯୭ରେ ଶିକ୍ଷା ଶେଷ କରିବା ପରେ ରେଲିଘସ୍ଥ ନର୍ଥ କାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିରୁ ୨୦୦୧ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରି ଆଣ୍ଡ୍‌ ପିଜିକ୍ସରେ ଡିଗ୍ରୀ କରିବା ପରେ ଏହି ୟୁନିଭର୍ସିଟିରୁ ୨୦୦୨ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ମେଧାର ପରିଚୟ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ଗୋଡାର୍ଡ ସ୍ପେଶ୍‌ ଫ୍ଲାଇଟ ସେଣ୍ଟର (ଜିଏସ୍‌ଏଫ୍‌ସି)ରେ ନାସା ଏକାଡେମୀ ପ୍ରୋଗ୍ରାମରୁ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ। ପରେ ୨୦୦୨ରୁ ୨୦୦୪ ଯାଏ ନାସା ଜିଏସ୍‌ଏଫ୍‌ସିର ଲାବୋରେଟୋରି ଫର୍‌ ହାଇ ଏନର୍ଜି ଆଷ୍ଟ୍ରୋଫିଜିକ୍ସରେ ଇଲେକ୍ଟିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ସମୟରେ ନାସାର ବିଭିନ୍ନ ମିଶନ ଲାଗି ପ୍ରସ୍ତୁତ କରାଯାଇଥିବା ଯନ୍ତ୍ରାଂଶ ବିକାଶ କରିବାରେ ତାଙ୍କର ଯୋଗଦାନ ତାଙ୍କୁ ମହାକାଶ ରହସ୍ୟ ଭେଦ କରିବାକୁ ଆହୁରି ଉତ୍ସାହିତ କରିଥିଲା। ଏଠାରୁ ବି ସେ ଆଷ୍ଟ୍ରୋଫିଜିକ୍ସ ଓ କସ୍‌ମୋଲୋଜି ବିଷୟରେ ଶିକ୍ଷା ଲାଭ କରିଥିଲେ।
୪୦ ବର୍ଷୀୟା କ୍ରିଷ୍ଟିନା ତାଙ୍କ ଜୀବନର ଲକ୍ଷ୍ୟରେ ପହଞ୍ଚିବା ଲାଗି ପ୍ରତ୍ୟେକ ମୁହୂର୍ତ୍ତକୁ ଉପଯୋଗ କରିଛନ୍ତି। ସେ ଆମେରିକାର ଆଣ୍ଟାର୍କଟିକା ପ୍ରୋଗ୍ରାମରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ ୨୦୦୪ରୁ ୨୦୦୭ ଯାଏ କାର୍ଯ୍ୟ କରି ସାଢେ ତିନି ବର୍ଷ ମେରୁ ଓ ଆଣ୍ଟାର୍କଟିକା ଅଞ୍ଚଳରେ ଯାତ୍ରା କରିଛନ୍ତି। ଏହି ସମୟରେ ମାଇନସ୍‌ ୧୧୧ଡିଗ୍ରୀ ତାପମାତ୍ରାରେ ରହିବା ଓ ମାସ ମାସ ଧରି ସୂର୍ଯ୍ୟଙ୍କୁ ନ ଦେଖିବା ପରିବେଶ ତାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଅଧିକ ମଜଭୁତ କରିପାରିଥିଲା। ଏତିକିରେ ତାଙ୍କ ପ୍ରସ୍ତୁତି ଶେଷ ହୋଇନଥିଲା। ସେ ୨୦୦୭ରୁ ୨୦୦୯ ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟିର ସ୍ପେଶ୍‌ ଡିପାର୍ଟମେଣ୍ଟ ଅଫ୍‌ ଆପ୍ଲାଏଡ ଫିଜିକ୍ସ ଲାବୋରେଟୋରିରେ ମହାକାଶ ବିଜ୍ଞାନ ଉପକରଣ ବିକାଶ ଲାଗି କାର୍ଯ୍ୟ କରି ନାସାର ଜୁନୋ ଓ ଭାନ ଆଲେନ ପ୍ରୋବ୍‌ସର ଯନ୍ତ୍ରାଂଶ ଲାଗି କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୧୨ରେ ଆମେରିକାର ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ (ଏନ୍‌ଓଏଏ)ରେ ପ୍ରଥମେ ଫିଲ୍ଡ ଇଞ୍ଜିନିୟର ଓ ପରେ ଷ୍ଟେଶନ୍‌ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।
୨୦୧୩ରେ ତାଙ୍କ ନିଷ୍ଠା ଓ ଏକାଗ୍ର ସାଧନାକୁ ନାସା ସ୍ବୀକୃତି ଦେଇ ୨୧ ଜଣିଆ ମହାକାଶଚାରୀଙ୍କ ମଧ୍ୟରେ ସାମିଲା କରିଥିଲା। ସେ ସ୍ପେଶ ଷ୍ଟେଶନ ସିଷ୍ଟମ୍‌, ସ୍ପେଶଓ୍ବାକ୍‌, ରୋବୋଟିକ୍ସ, ସାଇକୋଲୋଜିକାଲ ଟ୍ରେନିଂ, ପାଣି ଓ ଜଙ୍ଗଲିଆ ଅଞ୍ଚଳରେ ରହିବାର ପ୍ରଶିକ୍ଷଣ ଜୁଲାଇ ୨୦୧୫ରେ ଶେଷ କରିଥିଲେ। ଆଷ୍ଟ୍ରୋନଟ୍‌ ସ୍କଲାରଶିପ୍‌ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଆଷ୍ଟ୍ରୋନଟ୍‌ ସ୍କଲାର୍‌ ଭାବେ ସମ୍ମାନିତ କରାଯାଇଥିଲା। ୨୦୦୯ରେ ଜନ୍ସ ହପକିନ୍ସ ଯୁନିଭର୍ସିଟିରୁ ଇନ୍‌ଭେନ୍‌ସନ ଅଫ୍‌ ଦି ଇୟର ନୋମିନି ଓ ସେହି ବର୍ଷ ୟୁନାଇଟେଡ୍‌ କଂଗ୍ରେସ ଆଣ୍ଟାର୍କଟିକା ସର୍ଭିସ ମେଡାଲ ଏବଂ ୨୦୦୫, ୨୦୧୨ରେ ନାସାର ବିଭିନ୍ନ ମିଶନ୍‌ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଗ୍ରୁପ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ତାଙ୍କ କର୍ମମୟ ଜୀବନର ସ୍ବୀକୃତି।
ଟେକ୍ସାସ୍‌ରେ ତାଙ୍କ ସ୍ବାମୀ ରବର୍ଟ କୋଚଙ୍କ ସହ ରୁହନ୍ତି କ୍ରିଷ୍ଟିନା। ସେ ଯୋଗ ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହା ବ୍ୟତୀତ ପାହାଡ଼ ଚଢ଼ିବା, ନୌଚାଳନା, ରନିଂ ଓ ସାଇକେଲିଂକୁ ଭଲ ପାଆନ୍ତି। ଫଟୋଗ୍ରାଫ୍ରି ଓ ଦୂରଯାତ୍ରା ମଧ୍ୟ ତାଙ୍କର ପସନ୍ଦ। ଏସବୁ ଭିତରେ ସେ ସମାଜ ସେବାରେ ବି ସମୟ ଦେଇଥାନ୍ତି। ଫେବୃୟାରୀ, ୨୦୨୦ରେ ପୃଥିବୀକୁ ୩୨୮ ଦିନ ପରେ ଫେରିବେ। ତେବେ ମହାକାଶ ରହଣିର ରେକର୍ଡଧାରୀ କ୍ରିଷ୍ଟିନା ପୃଥିବୀକୁ ଫେରିବା ପରେ ତାଙ୍କ ଅନୁଭୂତି ସମ୍ପର୍କରେ ଜାଣିବାକୁ ବିଶ୍ୱବାସୀ ଉତ୍ସୁକତାର ସହ ଚାହିଁ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri