ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପତ୍ର

ମୋର ପ୍ରିୟ ଦେଶବାସୀ,
ଆଜକୁ ଏକ ବର୍ଷ ପୂର୍ବେ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଥିଲା। ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରଙ୍କୁ ଲଗାତର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିଲେ।
ଏହି ଅଧ୍ୟାୟ ରଚନା କରିବାରେ ଆପଣମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏଭଳି ସ୍ଥିତିରେ ଆଜିର ଏ ଦିନ ଆପଣମାନଙ୍କୁ, ଭାରତ ଓ ଭାରତୀୟ ଗଣତନ୍ତ୍ର ପ୍ରତି ଆପଣମାନଙ୍କ ନିଷ୍ଠାକୁ ପ୍ରଣାମ କରିବା ଲାଗି ମୋ ପାଇଁ ଏକ ଅବସର ଆଣିଛି।
ସାଧାରଣ ପରିସ୍ଥିତି ହୋଇଥିଲେ ମୋତେ ଆପଣମାନଙ୍କ ଗହଣକୁ ଆସି ଆପଣମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥାନ୍ତା। କିନ୍ତୁ ବିଶ୍ୱ ମହାମାରୀ କରୋନା କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେହି ପରିସ୍ଥିତିରେ ମୁଁ ଏହି ପତ୍ର ମାଧ୍ୟମରେ ଆପଣମାନଙ୍କ ଚରଣରେ ପ୍ରଣାମ କରି ଆପଣମାନଙ୍କଠାରୁ ଆଶୀର୍ବାଦ ନେବା ଲାଗି ଆସିଛି।
ବିଗତ ବର୍ଷ ସାରା ଆପଣମାନଙ୍କ ସ୍ନେହ, ଶୁଭାଶିଷ ଏବଂ ଆପଣମାନଙ୍କ ସକ୍ରିୟ ସହଯୋଗ ମୋତେ ନିରନ୍ତର ଏକ ନୂଆ ଶକ୍ତି, ପ୍ରେରଣା ପ୍ରଦାନ କରିଥିଲା। ଏହି ଅବସରରେ ଆପଣମାନେ ଗଣତନ୍ତ୍ରର ଯେଉଁ ସାମୂହିକ ଶକ୍ତିର ପ୍ରଦର୍ଶନ କଲେ ତାହା ଆଜି ସାରା ବିଶ୍ୱ ପାଇଁ ଏକ ଉଦାହରଣ ହୋଇପାରିଛି।
୨୦୧୪ ବର୍ଷରେ ଆପଣମାନେ, ଦେଶର ଜନତା, ଦେଶରେ ଏକ ବଡ଼ ପରିବର୍ତ୍ତନ ଲାଗି ଭୋଟ ଦେଇଥିଲେ। ଦେଶର ନୀତି ଓ ରୀତି ବଦଳାଇବା ପାଇଁ ଭୋଟ୍‌ ଦେଇଥିଲେ। ସେହି ପାଞ୍ଚ ବର୍ଷ ଭ୍ରଷ୍ଟାଚାର ଓ ସ୍ଥାଣୁତାର ପଙ୍କରୁ ବ୍ୟବସ୍ଥାଗୁଡ଼ିକ ଉଦ୍ଧାର ପାଇଥିବା ଦେଶବାସୀ ଦେଖିପାରିଥିଲେ। ଏହି ଅବଧିରେ ଅନ୍ତ୍ୟୋଦୟର ଭାବନା ନେଇ ଗରିବଙ୍କ ଜୀବନକୁ ସହଜ କରିବା ଲାଗି ପ୍ରଶାସନ ବଦଳୁଥିବା ଦେଶବାସୀ ଦେଖିବାକୁ ପାଇଥିଲେ।
ସେହି କାର୍ଯ୍ୟକାଳରେ ଗୋଟିଏ ପଟେ ବିଶ୍ୱରେ ଭାରତର ମାନସମ୍ମାନ ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ଆମେ ଗରିବଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସେମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେବା, ମାଗଣାରେ ବିଦ୍ୟୁତ୍‌ ସଂଯୋଗ ଦେବା, ଶୌଚାଳୟ ନିର୍ମାଣ କରିବା, ଘର ଯୋଗାଇ ଦେବା ଜରିଆରେ ସେମାନଙ୍କ ଗରିମା ବୃଦ୍ଧି କରିଥିଲୁ।
ସେହି କାର୍ଯ୍ୟକାଳ ସମୟରେ ଆମେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ କରିଥିଲୁ। ଅନ୍ୟପଟେ ୱାନ୍‌ ର଼୍ୟାଙ୍କ ୱାନ୍‌ ପେନ୍‌ସନ, ୱାନ୍‌ ନେସନ୍‌ ୱାନ୍‌ ଟ୍ୟାକ୍ସ-ଜିଏସ୍‌ଟି ସୁବିଧା ଆଣିବା ସହିତ କୃଷକମାନଙ୍କୁ ଅଧିକ ଏମ୍‌ଏସ୍‌ପି ପ୍ରଦାନ କରିବା ଲାଗି ରହିଥିବା ବହୁବର୍ଷ ପୁରୁଣା ଦାବି ପୂରଣ କରିବାର କାମ କରିଥିଲୁ।
ସେହି କାର୍ଯ୍ୟକାଳ ଦେଶର ଅନେକ ଆବଶ୍ୟକତା ପୂରଣ ଲାଗି ସମର୍ପିତ ଥିଲା।
୨୦୧୯ରେ ଆପଣମାନଙ୍କ ଆଶୀର୍ବାଦ, ଦେଶବାସୀଙ୍କ ଆଶୀର୍ବାଦ ଦେଶର ବଡ଼ ସ୍ବପ୍ନ ପୂରଣ କରିବା ଲାଗି, ଆଶାଆକାଂକ୍ଷା ପୂରଣ କରିବା ଲାଗି ଉଦ୍ଦିଷ୍ଟ ଥିଲା। ତେଣୁ ବିଗତ ଏକ ବର୍ଷରେ ନିଆଯାଇଥିବା ନିର୍ଣ୍ଣୟ ଏସବୁ ବଡ଼ ସ୍ବପ୍ନ ଦିଗରେ ଥିଲା ଉଡ଼ାଣ।
ଆଜି ଜନଗଣଙ୍କ ସହିତ ଜଡ଼ିତ ଜନମନର ଜନଶକ୍ତି, ରାଷ୍ଟ୍ରଶକ୍ତିର ଚେତନାକୁ ପ୍ରଜ୍ଜ୍ୱଳିତ କରୁଛି। ବିଗତ ଏକ ବର୍ଷ ଧରି ଦେଶ ନିରନ୍ତର ନୂଆ ସ୍ବପ୍ନ ଦେଖିଛି, ନୂଆ ସଂକଳ୍ପ ନେଇଛି ଏବଂ ଏହି ନୂଆ ସଂକଳ୍ପକୁ ସିଦ୍ଧି କରିବା ଲାଗି ନିରନ୍ତର ନିର୍ଣ୍ଣୟ ନେଇ ଆଗକୁ ପାଦ ବଢ଼ାଇଛି।
ଭାରତର ଏହି ଐତିହାସିକ ଯାତ୍ରାରେ ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତି ଖୁବ୍‌ ଭଲ ଭାବେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି। ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ମନ୍ତ୍ରକୁ ନେଇ ଆଜି ଦେଶ ସାମାଜିକ ହେଉ ଅବା ଆର୍ଥିକ, ବୈଶ୍ୱିକ ହେଉ କିମ୍ବା ଆନ୍ତରିକ ପ୍ରତ୍ୟେକ ଦିଗରେ ଆଗକୁ ବଢ଼ୁଅଛି।
ପ୍ରିୟ ସ୍ନେହୀଜନ,
ବିଗତ ଏକ ବର୍ଷ ଧରି ଦେଶରେ ଗ୍ରହଣ କରାଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ତେଣୁ ଏସବୁ ଉପଲବ୍ଧିକୁ ସ୍ମରଣ କରିବା ଅତ୍ୟନ୍ତ ସ୍ବାଭାବିକ। ରାଷ୍ଟ୍ରୀୟ ଏକତା-ଅଖଣ୍ଡତା ଲାଗି ଧାରା ୩୭୦ ଉଚ୍ଛେଦ ହେଉ, ଶହ ଶହ ବର୍ଷ ପୁରୁଣା ସଂଘର୍ଷର ସୁଖଦ ପରିଣାମ-ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉ, ଆଧୁନିକ ସାମାଜିକ ବ୍ୟବସ୍ଥାରେ ବାଧକ ସାଜିଥିବା ତିନି ତଲାକ ପ୍ରଥା ହେଉ, ଅଥବା ପୁଣି ଭାରତର କରୁଣାର ପ୍ରତୀକ ନାଗରିକତା ସଂଶୋଧନ ଆଇନ ହେଉ, ଏ ସମସ୍ତ ଉପଲବ୍ଧି ଆପଣମାନେ ସମସ୍ତେ ମନେ ରଖିଥିବେ।
ଗୋଟିଏ ପରେ ଗୋଟିଏ ଏପରି ଐତିହାସିକ ନିର୍ଣ୍ଣୟ ମଧ୍ୟରେ ଏପରି ଅନେକ ନିଷ୍ପତ୍ତି ନିଆଯାଇଛି, ପରିବର୍ତ୍ତନ ଅଣାଯାଇଛି, ଯାହା ଭାରତର ବିକାଶ ଯାତ୍ରାକୁ ନୂଆ ଗତି, ନୂଆ ଲକ୍ଷ୍ୟ ପ୍ରଦାନ କରିବା ସହିତ ଲୋକମାନଙ୍କର ଆଶାଆକାଂକ୍ଷାକୁ ପୂରଣ କରିଛି।
ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପଦବୀ ଗଠନ କରାଯାଇଛି, ସେନାରେ ସମନ୍ବୟ ବୃଦ୍ଧି କରାଯାଇଥିବା ବେଳେ ମିଶନ ଗଗନ ଯାନ ପାଇଁ ଭାରତ ନିଜ ପ୍ରସ୍ତୁତିକୁ ମଧ୍ୟ ଜୋରଦାର କରିଛି।
ଏହି ସମୟରେ ଗରିବମାନଙ୍କୁ, କୃଷକମାନଙ୍କୁ, ମହିଳା-ଯୁବକମାନଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ରହି ଆସିଛି।
ଏବେ ପିଏମ୍‌ କିଷାନ ସମ୍ମାନ ନିଧି ଅଧୀନରେ ଦେଶର ପ୍ରତ୍ୟେକ କୃଷକଙ୍କୁ ସାମିଲ କରାଯାଇସାରିଛି। ବିଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ୯କୋଟି ୫୦ ଲକ୍ଷରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା କରାଯାଇସାରିଛି।
ଦେଶର ୧୫ କୋଟିରୁ ଅଧିକ ଗ୍ରାମୀଣ ଘରକୁ ପିଇବା ଲାଗି ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ଜଳ ଜୀବନ ମିଶନ୍‌ ଆରମ୍ଭ କରାଯାଇଛି।
ଆମର ୫୦ କୋଟିରୁ ଅଧିକ ପ୍ରାଣୀସମ୍ପଦଙ୍କ ଉନ୍ନତ ସ୍ବାସ୍ଥ୍ୟ ନିମନ୍ତେ ମାଗଣା ଟିକାକରଣ ପାଇଁ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି।
ଦେଶର ଇତିହାସରେ ପ୍ରଥମ ଥର ପାଇଁ କୃଷକ, କୃଷିଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକ ସାଥୀ, ସମସ୍ତଙ୍କ ପାଇଁ ୬୦ ବର୍ଷର ଆୟୁ ପରେ ୩ ହଜାର କୋଟି ଟଙ୍କାର ନିୟମିତ ମାସିକ ପେନ୍‌ସନ ସୁବିଧା ସୁନିଶ୍ଚିତ କରାଯାଇଛି।
ମତ୍ସ୍ୟଜୀବୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ, ସେମାନଙ୍କୁ ମିଳୁଥିବା ସୁବିଧା ବଢ଼ାଇବା ଏବଂ ନୀଳ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସ୍ବତନ୍ତ୍ର ଯୋଜନା ସହିତ ଏକ ପୃଥକ ବିଭାଗ ଗଠନ କରାଯାଇଛି। ସେହିପରି ବ୍ୟବସାୟୀଙ୍କ ସମସ୍ୟା ନିର୍ଦ୍ଧାରିତ ସମୟରେ ସମାଧାନ କରିବା ଲାଗି ବ୍ୟବସାୟୀ କଲ୍ୟାଣ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀ ସହ ସମ୍ପୃକ୍ତ ପାଖାପାଖି ୭କୋଟି ମହିଳାଙ୍କୁ ଏବେ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ନିକଟରେ ସ୍ବୟଂ ସହାୟକ ଗୋଷ୍ଠୀ ଲାଗି ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ ସୀମାକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରିଦିଆଯାଇଛି।
ଆଦିବାସୀ ପିଲାମାନଙ୍କର ଶିକ୍ଷାକୁ ଧ୍ୟାନରେ ରଖି ଦେଶରେ ୪୫୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ଅଭିଯାନ ଆରମ୍ଭ କରାଯାଇଛି।
ଜନସାଧାରଣଙ୍କ ହିତ ଲାଗି ଉନ୍ନତ ଆଇନ ପ୍ରସ୍ତୁତ କରିବା ପାଇଁ ବିଗତ ବର୍ଷ ଖୁବ ଦ୍ରୁତଗତିରେ କାର୍ଯ୍ୟ ହୋଇଛି। ଆମ ସଂସଦ କାର୍ଯ୍ୟଦିବସରେ ବହୁ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗିଛି।
ଏହାର ପରିଣାମସ୍ବରୂପ ଉପଭୋକ୍ତାଙ୍କ ସୁରକ୍ଷା ହେଉ, ଚିଟ୍‌ଫଣ୍ଡ ଆଇନରେ ସଂଶୋଧନ ହେଉ, ଦିବ୍ୟାଙ୍ଗ ମହିଳା ଓ ଶିଶୁମାନଙ୍କୁ ଅଧିକ ସୁରକ୍ଷା ପ୍ରଦାନ ଆଇନ ହେଉ ଏସବୁ ଦ୍ରୁତ ଗତିରେ ପ୍ରସ୍ତୁତ ହୋଇପାରିଛି।
ସରକାରଙ୍କ ନୀତି ଏବଂ ନିର୍ଣ୍ଣୟ କାରଣରୁ ସହର ଓ ଗଁ। ମଧ୍ୟରେ ଥିବା ପାର୍ଥକ୍ୟ ଦୂର ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଗଁ।ରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରରେ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ତୁଳନାରେ ୧୦ ପ୍ରତିଶତ ଅଧିକ ହୋଇଛି।
ଦେଶ ହିତରେ ନିଆଯାଇଥିବା ଏପରି ଐତିହାସିକ କାର୍ଯ୍ୟ ଏବଂ ନିର୍ଣ୍ଣୟର ସୂଚୀ ଖୁବ ଲମ୍ବା। ଏହି ପତ୍ରରେ ସବୁକଥା ବିସ୍ତାରପୂର୍ବକ କହିବା ସମ୍ଭବ ନୁହେଁ। କିନ୍ତୁ ଏତିକି ଅବଶ୍ୟ କହିବି ଯେ ଗୋଟିଏ ବର୍ଷର କାର୍ଯ୍ୟକାଳର ପ୍ରତ୍ୟେକ ଦିନ ୨୪ ଘଣ୍ଟା ସମ୍ପୂର୍ଣ୍ଣ ସଜାଗ ରହି କାମ ହୋଇଛି, ସମ୍ବେଦନଶୀଳତାର ସହିତ କାମ ହୋଇଛି, ନିଷ୍ପତ୍ତି ନିଆଯାଇଛି।
ପ୍ରିୟ ସ୍ନେହୀଜନ,
ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସମୟରେ କରୋନା ବୈଶ୍ୱିକ ମହାମାରୀ ଭାରତକୁ ମଧ୍ୟ ଘେରିଗଲା।
ଗୋଟିଏ ପଟେ ଯେଉଁଠି ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଏବଂ ବିଶାଳ ଅର୍ଥବ୍ୟବସ୍ଥା ଥିବା ବିଶ୍ୱର ବଡ଼ ବଡ଼ ମହାଶକ୍ତି ଅଛନ୍ତି, ଅନ୍ୟପଟେ ଏତେ ବଡ଼ ଜନସଂଖ୍ୟା ଏବଂ ଅନେକ ଆହ୍ବାନରେ ଘେରି ରହିଥିବା ଆମ ଭାରତ ରହିଛି।
ଅନେକ ଲୋକ ଆଶଙ୍କା କରୁଥିଲେ ଯେ, ଯେତେବେଳେ କରୋନା ଭାରତ ଉପରେ ଆକ୍ରମଣ କରିବ, ଭାରତ ସମଗ୍ର ବିଶ୍ୱ ପାଇଁ ସଙ୍କଟ ପାଲଟିଯିବ।
କିନ୍ତୁ ଆଜି ସମସ୍ତ ଦେଶବାସୀ ଭାରତକୁ ଦେଖିବାର ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି। ଆପଣମାନେ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ ବିଶ୍ୱର ସାମର୍ଥ୍ୟବାନ ଏବଂ ସମ୍ପନ୍ନ ଦେଶଗୁଡ଼ିକ ତୁଳନାରେ ସମସ୍ତ ଭାରତବାସୀଙ୍କ ସାମୂହିକ ସାମର୍ଥ୍ୟ ତଥା କ୍ଷମତା ଅଭୂତପୂର୍ବ।
ତାଳି, ଥାଳି ବଜାଇବା ଓ ଦୀପ ଜଳାଇବାଠାରୁ ଆରମ୍ଭକରି ଭାରତୀୟ ସେନା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ ହେଉ, ଜନତା କର୍ଫ୍ୟୁ କିମ୍ବା ଦେଶବ୍ୟାପୀ ଲକ୍‌ଡାଉନ ସମୟରେ ନିଷ୍ଠାର ସହ ନିୟମ ପାଳନ କରିବା ହେଉ ଆପଣମାନେ ପ୍ରତ୍ୟେକ ଅବସରରେ ଦେଖାଇଛନ୍ତି ଯେ ଭାରତ ହିଁ ଶ୍ରେଷ୍ଠ ଭାରତର ଗ୍ୟାରେଣ୍ଟି ଅଟେ।
ନିଶ୍ଚିତ ଭାବେ ଏତେ ବଡ଼ ସଙ୍କଟ ସମୟରେ କେହି ଜଣେ ହେଲେ ଦାବି କରିପାରିବେ ନାହିଁ ଯେ କାହାରିକୁ କିଛି କଷ୍ଟ କିମ୍ବା ଅସୁବିଧା ହୋଇନାହିଁ। ଆମର ଶ୍ରମିକ ସାଥୀ, ପ୍ରବାସୀ ଶ୍ରମିକ ଭାଇ-ଭଉଣୀ, ଛୋଟ ଛୋଟ ଉଦ୍ୟୋଗରେ କାମ କରୁଥିବା କାରିଗର, ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ଲୋକମାନେ, ଉଠାଦୋକାନୀ, ଆମର ବ୍ୟବସାୟୀ ଭାଇମାନେ, ଲଘୁ ଉଦ୍ୟୋଗୀ, ଏହି ସାଥୀମାନେ ଅସୀମିତ କଷ୍ଟ ସହିଛନ୍ତି। ସେମାନଙ୍କ ସମସ୍ୟା ଦୂର କରିବା ଲାଗି ସମସ୍ତେ ମିଳିମିଶି ପ୍ରୟାସ କରୁଛନ୍ତି।
କିନ୍ତୁ ଆମ ସମସ୍ତଙ୍କୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଜୀବନରେ ହେଉଥିବା ଅସୁବିଧା, ଜୀବନ ପ୍ରତି ବିପତ୍ତିରେ ବଦଳି ନ ଯାଉ। ଏଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରତ୍ୟେକ ଦିଶା-ନିର୍ଦ୍ଦେଶକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଏ ପର୍ଯ୍ୟନ୍ତ ଯେଭଳି ଭାବେ ଆପଣମାନେ ଧୈର୍ଯ୍ୟ ଓ ଜୀବନ୍ତତାକୁ ବଜାୟ ରଖିଛନ୍ତି, ସେହିପରି ଏହାକୁ ଆଗକୁ ମଧ୍ୟ ବଜାୟ ରଖନ୍ତୁ। ଏହା ହିଁ ଏକ ବଡ଼ କାରଣରୁ ଯାହା ପାଇଁ ଭାରତ ଆଜି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅଧିକ ନିୟନ୍ତ୍ରିତ ସ୍ଥିତିରେ ରହିଛି। ଏହି ଦୀର୍ଘ ଲଢ଼େଇରେ ଆମେ ବିଜୟ ପଥରେ ଚାଲିବା ଆରମ୍ଭ କରିଛୁ ଏବଂ ବିଜୟୀ ହେବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ।
ନିକଟରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସଂଘଟିତ ଅନ୍ୟ ମହାବାତ୍ୟା ସମୟରେ ଯେଉଁ ସାହସର ସହିତ ସେଠାକାର ଲୋକମାନେ ସ୍ଥିତିର ମୁକାବିଲା କଲେ, ବାତ୍ୟାଜନିତ କ୍ଷୟକ୍ଷତିକୁ ହ୍ରାସ କରିପାରିଲେ, ତାହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଏକକ ବଡ଼ ପ୍ରେରଣା।
ପ୍ରିୟ ସ୍ନେହୀଜନ,
ବର୍ତ୍ତମାନ ପରିସ୍ଥିତିରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବା ଉଚିତ ଯେ ଭାରତ ସମେତ ଅନ୍ୟ ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା କିଭଳି ଭାବେ ସୁଧୁରିବ? କିନ୍ତୁ ଅନ୍ୟପଟେ ଏହି ବିଶ୍ୱାସ ମଧ୍ୟ ରହିଛି ଯେ ଯେପରି ଭାରତ ନିଜର ଏକତା ବଳରେ କରୋନା ମୁକାବିଲାରେ ସାରା ବିଶ୍ୱକୁ ଆଚମ୍ବିତ କରିଦେଇଛି, ସେହିପରି ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମେ ନୂଆ ଉଦାହରଣ ପ୍ରସ୍ତୁତ କରିବୁ। ୧୩୦ କୋଟି ଭାରତୀୟ ନିଜର ସାମର୍ଥ୍ୟ ବଳରେ ଆର୍ଥିକ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ଚକିତ କରିବେ ନାହିଁ ବରଂ ଅନୁପ୍ରାଣିତ ମଧ୍ୟ କରିବେ। ବର୍ତ୍ତମାନ ସମୟର ଆହ୍ବାନ ହେଉଛି ଯେ ଆମକୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ପଡ଼ିବ। ନିଜ ସାମର୍ଥ୍ୟ ବଳରେ ଚାଲିବାକୁ ହେବ ଏବଂ ଏଥିପାଇଁ ଏକମାତ୍ର ମାର୍ଗ ହେଉଛି- ଆତ୍ମନିର୍ଭର ଭାରତ।
ଏବେ ନିକଟରେ ଆତ୍ମନିର୍ଭର ଭାରତ ଅଭିଯାନ ଲାଗି ଦିଆଯାଇଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ, ଏ ଦିଗରେ ନିଆଯାଇଥିବା ଏକ ବଡ଼ ପଦକ୍ଷେପ।
ଏହି ଅଭିଯାନ ପ୍ରତ୍ୟେକ ଦେଶବାସୀଙ୍କ ଲାଗି, ଆମର କୃଷକ, ଆମ ଶ୍ରମିକ, ଆମ ଲଘୁ ଉଦ୍ୟୋଗୀ, ଆମର ଷ୍ଟାର୍ଟଅପ୍‌ ସହ ଜଡ଼ିତ ଯୁବପିଢ଼ି, ସମସ୍ତଙ୍କ ଲାଗି ନୂତନ ଅବସର ନେଇ ଆସିବ।
ଭାରତୀୟଙ୍କ ଝାଳରେ, ପରିଶ୍ରମରେ ଏବଂ ସେମାନଙ୍କ ପ୍ରତିଭା ବଳରେ ନିର୍ମିତ ସ୍ଥାନୀୟ ଉପତ୍ାଦ ବଳରେ ଭାରତ ଆମଦାନୀ ଉପରେ ନିଜର ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଆଗକୁ ବଢ଼ିବ।
ପ୍ରିୟ ସ୍ନେହୀଜନ,
ବିଗତ ୬ ବର୍ଷର ଏହି ଯାତ୍ରାରେ ଆପଣମାନେ ନିରନ୍ତର ମୋତେ ଆଶୀର୍ବାଦ ଦେଇଆସିଛନ୍ତି, ନିଜର ସ୍ନେହ ଦେଇଛନ୍ତି। ଆପଣମାନଙ୍କ ଆଶୀର୍ବାଦର ଶକ୍ତିରୁ ହିଁ ଦେଶ ବିଗତ ଏକ ବର୍ଷରେ ଐତିହାସିକ ନିର୍ଣ୍ଣୟ ନେଇଛି ଏବଂ ବିକାଶର ଅଭୂତପୂର୍ବ ଗତି ସହିତ ଆଗକୁ ବଢ଼ିଛି। ତଥାପି ମୁଁ ଜାଣିଛି ଯେ ଏବେ ଅନେକ କିଛି କରିବାକୁ ବାକି ରହିଛି। ଦେଶ ଆଗରେ ଅନେକ ଆହ୍ବାନ ରହିଛି, ସମସ୍ୟା ମଧ୍ୟ ଅନେକ ଅଛି। ମୁଁ ଦିନରାତି ପ୍ରୟାସ କରୁଛି। ମୋ ଭିତରେ ଦୁର୍ବଳତା ଥାଇପାରେ, କିନ୍ତୁ ଦେଶରେ କୌଣସି ଦୁର୍ବଳତା ନାହିଁ। ତେଣୁ ନିଜ ତୁଳନାରେ ଆପଣମାନଙ୍କ ଉପରେ, ଆପଣମାନଙ୍କ ଶକ୍ତି, ଆପଣମାନଙ୍କ ସାମର୍ଥ୍ୟ ଉପରେ ରହିଛି।
ଆପଣମାନେ ହିଁ ମୋର ସଂକଳ୍ପ ଶକ୍ତି, ଆପଣମାନଙ୍କ ସମର୍ଥନ, ଆଶୀର୍ବାଦ ଓ ସ୍ନେହ ମୋ ପ୍ରତି ରହିଛି।
ବୈଶ୍ୱିକ ମହାମାରୀ କାରଣରୁ, ଏ ସଙ୍କଟର ମୁହୂର୍ତ୍ତ ଦେଖାଦେଇଛି କିନ୍ତୁ ଆମ ଦେଶବାସୀଙ୍କ ଲାଗି ଏହା ସଙ୍କଳ୍ପର ସମୟ।
ଆମକୁ ଏହା ମଧ୍ୟ ମନେରଖିବାକୁ ହେବ ଯେ ୧୩୦ କୋଟି ଭାରତୀୟଙ୍କୁ ବର୍ତ୍ତମାନ ଏବଂ ଭବିଷ୍ୟତରେ କୌଣସି ଆପତ୍ତି କିମ୍ବା ବିପତ୍ତି ହରାଇପାରିବ ନାହିଁ। ଆମେ ନିଜେ ହିଁ ଆମର ବର୍ତ୍ତମାନ ଏବଂ ଭବିଷ୍ୟତକୁ ନିର୍ଦ୍ଧାରଣ କରିବୁ।
ଆମେ ଆଗକୁ ବଢ଼ିବୁ, ଆମେ ପ୍ରଗତିପଥରେ ଦୌଡ଼ିବୁ, ଆମେ ବିଜୟୀ ହେବୁ।
ଆମ ଶାସ୍ତ୍ରରେ କୁହାଯାଇଛି-
‘କୃତମେ ଦକ୍ଷିଣେ ହସ୍ତେ, ଜୟୋ ମେ ସବ୍ୟ ଆହିତଃ’।
ଅର୍ଥାତ୍‌ ଆମର ଗୋଟିଏ ହାତରେ କର୍ମ ଓ କର୍ତ୍ତବ୍ୟ ଅଛି ତ ଅନ୍ୟ ହାତରେ ସୁନିଶ୍ଚିତ ସଫଳତା ଅଛି।
ଦେଶର ନିରନ୍ତର ସଫଳତା ପାଇଁ ଏହି କାମନା ସହିତ ମୁଁ ଆପଣମାନଙ୍କୁ ପୁଣିଥରେ ପ୍ରଣାମ କରୁଛି।
ଆପଣମାନଙ୍କୁ ଓ ଆପଣମାନଙ୍କ ପରିବାରକୁ ମୋର ହାର୍ଦ୍ଦିକ ଶୁଭକାମନା।
ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ!!!
ଜାଗ୍ରତ ରୁହନ୍ତୁ , ସଚେତନ ରୁହନ୍ତୁ!!!
ଆପଣମାନଙ୍କର ପ୍ରଧାନ ସେବକ।
ନରେନ୍ଦ୍ର ମୋଦୀ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri