ନିଦ କାହିଁ

ରୁଦ୍ର ପ୍ରସନ୍ନ ରଥ

ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଯଦି ମଣିଷ ନିଜ ଜୀବନରେ ଆଉ କାହାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ ତାହା ହେଉଛି ନିଦ୍ରା। ମଣିଷ ଯେତେ ଧନୀ ହେଉ ବା ଗରିବ, ଭଦ୍ର ହେଉ ବା ଅଭଦ୍ର, ଶାନ୍ତ ହେଉ ବା କୁଟିଳ ଗୋଟିଏ ସୁନ୍ଦର ନିଦ ଆମ ସମସ୍ତଙ୍କର ଏକାନ୍ତ ଆବଶ୍ୟକ। ଆଉ ଜୀବନର ସର୍ବନିମ୍ନ ଆବଶ୍ୟକତା ଟିକକ ପୂରଣ କରିବା ପାଇଁ ମଣିଷ ପାରୁପର୍ଯ୍ୟନ୍ତ ଚେଷ୍ଟା କରେ। ଭଲ ଘର କରେ, ଦାମୀ ଖଟରେ ବିଦେଶୀ ଗଦି ବିଛାଏ। ବାତାନୁକୂଳିତ ଘରେ ନିଜ ଇଚ୍ଛା ଅନୁସାରେ ଆଲୁଅ ଲିଭାଇବା, ଜଳାଇବା ବ୍ୟବସ୍ଥା କରେ। ଶୋଇବା ଆଗରୁ ବହି ପଢେ। ଟିଭି ଦେଖେ। କିନ୍ତୁ ହାୟ ସମସ୍ତଙ୍କ ଭାଗ୍ୟରେ ନିଦ ନ ଥାଏ। ନିଦ୍ରାଦେବୀ ସମସ୍ତଙ୍କ ଆଖି ତଳକୁ ଓହ୍ଲାଇ ଆସନ୍ତି ନାହିଁ। ମଝି ରାତିଯାଏ କଡ଼ ଲେଉଟାଏ। ଖଟରୁ ଉଠିପଡି ଶୌଚାଳୟ ଯାଏ। ଶାନ୍ତ ରହିବାକୁ ଚେଷ୍ଟାକରେ। ଆଖି ବୁଜିକରି ନିଦ ସହ ସଂଘର୍ଷ କରେ। ହଁ ଆଉ କିଛି ସମୟ ପରେ ନିଦ ହୋଇଯିବାର ଆଶ୍ୱାସନା ନେଇ ଆଖିବୁଜେ। ପୁଣି ଉଠିପଡ଼ି ମୋବାଇଲ ଖେଳାଏ। କିନ୍ତୁ ହାୟ! ନିଦ୍ରାଦେବୀ ତାକୁ ଧରା ହିଁ ଦିଅନ୍ତି ନାହିଁ। ପାହାନ୍ତା ପହରରୁ ଉଠିପଡ଼ିଲା ବେଳକୁ ଆଖି ତଳ କଳା ପଡି ଯାଇଥାଏ। ଆଖି ଲାଲ ପଡିଥାଏ। ଘରେ ରହିବ ନା ବାହାରକୁ ବାହାରିବ ଏହି ହିସାବ କରୁ କରୁ ଦିନ ଅଧା ହୋଇଯାଏ। କେବଳ ଜଣେ ଅଧେ ନୁହେଁ ଅନେକ ଭାରତୀୟଙ୍କ ରାତି ଏବେ ବିନା ନିଦରେ କଟୁଛି। ଏ ସମସ୍ୟା ଏତେ ଭୟଙ୍କର ଯେ ବେଳକୁ ବେଳ ଏହା ଏକ ଜାତୀୟ ସମସ୍ୟା ରୂପେ ପରିଗଣିତ ହେଲାଣି। ରାତିରେ ଟିକିଏ ଶାନ୍ତିରେ ଶୋଇବା ପାଇଁ ଏବେ ଲୋକଙ୍କୁ କେତେ ଯେ କସରତ କରିବା ପାଇଁ ପଡୁଛି ତାହା କେବଳ ଅନୁଭବୀର ଅନୁଭବ ମାତ୍ର। ମଣିଷ ଭୌତିକ ଜଗତରେ ଯେତିକି ଆଗଉଛି ନିଦ ରାଇଜଠାରୁ ସେତିକି ପଛେଇ ଯାଉଛି। ଯଦି କେହି ପଚାରୁଛି କାଲି ରାତିରେ ନିଦ ହୋଇନି କି? ଆଖି କାହିଁକି ଲାଲ ପଡିଛି ତେବେ ତୁରନ୍ତ ଉତ୍ତର ଆସୁଛି, ନିଦ କାହିଁ?
ଭାରତରେ ନିଦ୍ରା ସଙ୍କଟ ଦିନକୁ ଦିନ ଘନଉଥିବା ବେଳେ ଏ ନେଇ କୌଣସି ସରକାରୀ ତଥ୍ୟ ଉପଲବ୍ଧ ନାହିଁ। ପ୍ରାୟ ପାଞ୍ଚବର୍ଷ ତଳେ ଏ ନେଇ ହୋଇଥିବା ଫିଲପ୍ସ ହେଲ୍‌ଥ କେୟାର ସର୍ଭେ ଅନୁସାରେ ଭାରତରେ ପ୍ରାୟ ୯୩% ଲୋକ ଉପଯୁକ୍ତଭାବେ ଶୋଇବାକୁ ପାଆନ୍ତି ନାହିଁ। ଏମାନେ ଆବଶ୍ୟକ ଦୈନିକ ୮ ଘଣ୍ଟା ଶୋଇବାକୁ ପାଆନ୍ତି ନାହିଁ। ପୁଣି ୭୩% ଲୋକ ରାତିରେ ଥରେରୁ ତିନି ଥର ଉଠିବାକୁ ବାଧ୍ୟ ହୁଅନ୍ତି। ଆଦୌ ଶୋଇ ନ ଥିବାରୁ ୧୧% ଲୋକ କାମରୁ ଛୁଟି ନିଅନ୍ତି ଏବଂ ୩୮% ଲୋକ ନିଜ କର୍ମସ୍ଥଳୀରେ ହିଁ ନିଜ ସହକର୍ମୀ ଶୋଇଥିବାର ଦେଖିଛନ୍ତି। ତେବେ ପାଦତଳୁ ମାଟି ଖସାଇଦେବା ପରି ତଥ୍ୟ ହେଉଛି ଯେ, ଉପଯୁକ୍ତଭାବେ ନିଦ ହେଉ ନ ଥିବାରୁ ପାଖାପାଖି ୩୩% ଭାରତୀୟ ବେଶ୍‌ ଭଲଭାବେ ଘୁଙ୍ଗୁଡି ମାରନ୍ତି। ଏହା ଏତେ ଜୋରରେ ଦୁଇଜଣ ଲୋକ କଥାବାର୍ତ୍ତା ହେଲେ ଯେତିକି ଶବ୍ଦ ଉପତ୍ନ୍ନହୁଏ ସେହିପରି କିମ୍ବା ତାହାଠାରୁ ଅଧିକ।
ଉପଭୋଗବାଦର ବୃହତ୍‌ ବୃଦ୍ଧି ଯୋଗୁ ମଣିଷ ଆଜିପାଇଁ ଚିନ୍ତାକରିବା ଛାଡି ଦେଇଛି। କାଲି କଥାକୁ ନେଇ ବେଶି ବ୍ୟସ୍ତ ହୋଇପଡୁଛି। ଆସନ୍ତାକାଲିକୁ ଭଲଭାବେ ବଞ୍ଚିବା ଚିନ୍ତାରେ ଭାବି ଭାବି ସେ ଖଟ ଉପରକୁ ଯାଉଛି ସତ ହେଲେ ଆଖିକୁ ନିଦ ଆସୁନି। ମୋବାଇଲ ଖେଳାଉ ଖେଳାଉ ନିଦ ପଳାଉଛି। ଦୋଷ ଦିଆଯାଉଛି ଖଟକୁ, ତକିଆକୁ, ଓଡ଼ଶକୁ। କିଛିବର୍ଷ ତଳେ ରାତି ନଅଟା ବେଳକୁ ନିଦ ମାଡି ଆସୁଥିଲା। ଖାଇବା ଯାଏ ଆଖି ଖୋଲି ରଖିବାକୁ ତର ରହୁ ନ ଥିଲା। ଖଟ ଉପରେ ପଡୁ ପଡୁ ହିଁ ନିଦ ଆସିଯାଉଥିଲା। ବଡିଭୋରରୁ ମଣିଷ ଉଠୁଥିଲା ସତେଜ ଆଖିରେ। କାକରଭିଜା ଘାସ, ନୂଆ କରି ଫୁଟିଥିବା ଫୁଲ, ଆଉ ପ୍ରଜାପତିକୁ ଦେଖି ଦିନ ଆରମ୍ଭ କରୁଥିଲା। ଫୁଲ ତୋଳିବା ଏବଂ ସକାଳର ପ୍ରାର୍ଥନା ଶୁଣିଲା ପରେ ଜଣାପଡୁଥିଲା ଯେ ସକାଳର ପୃଥିବୀଟା ଦିନଯାକ ପାଇଁ ଭଗବାନଙ୍କ ପାଖରେ ମୁଣ୍ଡନୁଆଇଁ କାମକୁ ଯିବାକୁ ପ୍ରସ୍ତୁତ ହେଉଛି। ହାୟ ଆଉ ବୋଧହୁଏ ସେ ସମୟ ଆସିବାର ନାହିଁ। ଏବେ ତ ଉଦିତ ସୂର୍ଯ୍ୟର ନରମ କିରଣ ଖାଇବା ପାଇଁ ଲୋକ ହିଁ ନାହାନ୍ତି। ପ୍ରାତଃଭ୍ରମଣ କରୁଥିବା କିଛି ବରିଷ୍ଠ ନାଗରିକଙ୍କୁ ଛାଡିଦେଲେ ଅନେକେ ତ ଏବେ ବି ଶୋଇବା ପାଇଁ ସଂଘର୍ଷରତ। ଉଦିତ ସୂର୍ଯ୍ୟର ରକ୍ତିମ ଆଭାକୁ ଦେଖିବ କିଏ? ବିଳମ୍ବରେ ଶୋଇବା ଏବଂ ମଧ୍ୟାହ୍ନ ବେଳକୁ ଉଠିବା ସତେ ଯେପରି ଏକ ଫ୍ୟାଶନ ପାଲଟିଲାଣି ଏବେ।
ନିଦ ନିରୁଦ୍ଦିଷ୍ଟ ହେଲା ପରେ ଏହା ଅନେକ ବିପଦକୁ ଟାଣି ଆଣୁଛି। ମୁଣ୍ଡବିନ୍ଧା, ଅଳସୁଆ ଲାଗିବା ସହ ଦେହହାତ ଘୋଳାବିନ୍ଧା ହେବା, କାମରେ ମନ ଲଗାଇବାରେ ସମର୍ଥ ନ ହେବା ତ ଆବଶ୍ୟକ ମାତ୍ରାରେ ନିଦ ନ ହେବା ଯୋଗୁ ଦେଖା ଦେଉଥିବା ସର୍ବନିମ୍ନ ବିପଦ। ତେବେ ଏହା ଏତେ ବଡ଼ ସମସ୍ୟା ହୋଇଥିବା ସତ୍ତ୍ୱେ ଭାରତୀୟମାନେ ଏ ନେଇ ଖୋଲାଖୋଲି ଭାବେ କଥା ହେବାକୁ ନାରାଜ। ବରଂ ଅନେକଙ୍କ ମତରେ କମ୍‌ ଶୋଇ କିମ୍ବା ଆଦୌ ନ ଶୋଇ କାମ କରିବାଟା ଗୋଟିଏ ବଡ଼ ବାହାଦୁରି। କେବଳ ୨% ନିଦ୍ରାହୀନତାରେ ପୀଡିତ ଭାରତୀୟ ହିଁ ଏ ନେଇ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଯାଆନ୍ତି।
ଯଦି ନିଦ ଆସୁନାହିଁ ତେବେ ଏ ନେଇ ଗୁରୁତ୍ୱର ସହ ଚିନ୍ତାକରିବାର ଆବଶ୍ୟକତା ରହିଛି। ମୋବାଇଲକୁ ଶୋଇବା ଘରୁ ବାହାର କରି ବହି ପଢିବା ପାଇଁ ଚିନ୍ତା କରିବା ଦରକାର। ପୁଣି ରାତିରେ ଶୀଘ୍ର ଖାଇଲେ ଓ ଦିନରେ କିଛି ଶାରୀରିକ ଶ୍ରମ କଲେ ନିଦ ଆସିବାରେ ବୋଧହୁଏ ବ୍ୟାଘାତ ଆସିବ ନାହିଁ। ପୁଣି ଯଦି ଏ ସବୁ ସତ୍ତ୍ୱେ ଆପଣଙ୍କୁ ନିଦ ଆସୁନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କିଏ ଜାଣେ ହୁଏତ ଏକ ରୋଗକୁ ଗୁରୁତର ହେବାକୁ ରକ୍ଷା କରିବାରେ ଆପଣଙ୍କ ଏହି ନିଷ୍ପତ୍ତି ସହାୟକ ହୋଇପାରେ।
ଧବଳଗିରି, ଯାଜପୁର ରୋଡ,
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?