ଡଙ୍କାରୀରୁ ପୁଣି କଳାପଥର ଚୋରି

ଯାଜପୁର ଅଫିସ,୨୯। ୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡରୁ ପୁଣି ବେଆଇନ କଳାପଥର ଚୋରି ହେଉଛି। ଏହି ମର୍ମରେ ଡଙ୍କାରୀ ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ୨୧ା୧୨ା୨୦ରେ ୩ ଜଣଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜେନାପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶର ୧ ମାସରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସରକାରୀ ଭାବେ ଚିହ୍ନଟ ଲୁଟକାରୀଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇନାହିଁ। ଧର୍ମଶାଳା ତହସିଲଦାର ମଧ୍ୟ କେବଳ ଚିଠି ଲେଖି ପଦକ୍ଷେପ ସୀମିତ ରଖିଛନ୍ତି। ଏଥିରୁ ତହସିଲ, ପରିବହନ ଓ ପୋଲିସର ସହଯୋଗରେ ମୂଲ୍ୟବାନ କଳାପଥର ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ପୂର୍ବଭଳି ପୁଣି କୌଣସି ଚାପରେ ଏହି ମାମଲାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି।
ଡଙ୍କାରୀରୁ କଳାପଥର ଚୋରି ଘଟଣା ବହୁ ପୁରୁଣା। ୨୦୦୨ରୁ ୨୦୧୫ ପର୍ଯ୍ୟନ୍ତ ପରିବେଶଗତ ମଞ୍ଜୁରୀ ନ ଥାଇ ବିପୁଳ କଳାପଥର ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଲୁଟକାରୀଙ୍କ ବିରୋଧରେ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ଅତିରିକ୍ତ ରାଜସ୍ବ ଜମା କରିବାକୁ ଧର୍ମଶାଳା ତହସିଲଦାରଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ ହୋଇଥିଲା। ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା ତହସିଲଦାର ପତ୍ରସଂଖ୍ୟା ୧୮୭୮/୨୮ା୫ା୨୦୧୬ରେ ସାରୋଇ ଗ୍ରାମର ଲିଜଧାରୀ ଶ୍ରୀବାସ ଜେନାଙ୍କୁ ଉପରୋକ୍ତ ଅତିରିକ୍ତ ରାଜସ୍ବ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଧର୍ମଶାଳା ତହସିଲ ଓ ଖଣି ବିଭାଗ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ଯୁଗ୍ମ ତଦନ୍ତ ସହାୟତାରେ ପ୍ରକୃତ ରାଜସ୍ବହାନୀ ସହ ଅନ୍ୟାନ୍ୟ ସରକାରୀ କ୍ଷତିର ଆକଳନ କରିବାକୁ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶକଙ୍କୁ ଜିଲାପାଳ ସତ୍ୟ କୁମାର ମଲ୍ଲିକ ତାଙ୍କ ପତ୍ରସଂଖ୍ୟା ୫୫୪୭/୩ା୧୨ା୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ। ଖଣି ବିଭାଗ ପକ୍ଷରୁ ତକତ୍ାଳୀନ ମାଇନିଂ ଅଫିସର ଅସିତ କୁମାର ବେହେରାଙ୍କ ନେତୃତ୍ୱରେ ବୈଷୟିକ କର୍ମଚାରୀଙ୍କୁ ନେଇ ୨୦୧୬ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ଡଙ୍କାରୀ ପାହାଡର ଉତ୍ତୋଳିତ ଖାଦାନର ମାପଚୁପ୍‌ କରାଯାଇଥିଲା। ଖଣି ବିଭାଗର ପତ୍ରସଂଖ୍ୟା ୫୧୪/୧୫ା୩ା୨୦୧୬ରେ ମାପଚୁପ୍‌ର ସବିଶେଷ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ରିପୋର୍ଟରେ ୭୩,୩୮,୦୧୨.୫୦ କ୍ୟୁବିକ ମିଟର ଖନନ ହୋଇଥିବା ଦର୍ଶାଯାଇଥିଲା। ୨୦୦୨ରୁ ନଭେମ୍ବର ୨୦୧୫ ସୁଦ୍ଧା ଲିଜ୍‌ଧାରୀ ଜେନା ଡଙ୍କାରୀରୁ କଳାପଥର ଉତ୍ତୋଳନ କରୁଥିଲେ। ଏହି ସମୟ ମଧ୍ୟରେ ୧୪,୧୫,୯୯୬ କ୍ୟୁବିକ ମିଟର କଳାପଥର ଉତ୍ତୋଳନ ଉପରେ ମାତ୍ର ୬ କୋଟି ୬୪ ଲକ୍ଷ ୮୯ ହଜାର ୯୦୮ ଟଙ୍କା ରାଜସ୍ବ ବାବଦକୁ ସେ ଜମା କରିଥିଲେ। ବାକି ୫୯,୨୨,୦୧୬.୫ କ୍ୟୁବିକ ମିଟର ଖନନ ଉପରେ ରାଜସ୍ବ ଫାଙ୍କି ହୋଇଥିଲା। ଏଭଳି ଭାବେ କ୍ୟୁବିକମିଟର ପିଛା ୯୯ ଟଙ୍କା ହିସାବରେ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ୫୦ ପଇସା ରାଜସ୍ବହାନୀ ହୋଇଥିବା ଖଣି ବିଭାଗ ପକ୍ଷରୁ ଆକଳନ ହୋଇଥିଲା। ଏବେ ଏହି ମାମଲା ଧର୍ମଶାଳା ତହସିଲ କୋର୍ଟରେ ବିଚାରାଧୀନ ରହିଛି। ଏହି ସମୟରେ ମଧ୍ୟରେ ଧର୍ମଶାଳା ତହସିଲରେ ୧୭ ଜଣ ତହସିଲଦାର ଅବସ୍ଥାପିତ ହୋଇଥିଲେ। କିନ୍ତୁ ସେହି ଅଧିକାରୀମାନେ ଜାଣିଶୁଣି ଆଖିବୁଜି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ବେଆଇନ କାର୍ଯ୍ୟକୁ ସହଯୋଗ କରିଥିବା ଡଙ୍କାରୀ ସର୍କଲର ୧୦ ରାଜସ୍ବ ନୀରିକ୍ଷକଙ୍କ ସମେତ ଧର୍ମଶାଳା ତହସିଲର ୧୦ ତହସିଲଦାର ଓ ୬ ଯାଜପୁର ଉପଜିଲାପାଳଙ୍କ ନାମରେ ଗତ ୨୩ା୮ା୨୦୧୬ରେ ଓଡିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ତତ୍କାଳୀନ ଜିଲାପାଳ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ତାହା ବି ଦବି ଯାଇଛି। କୌଣସି ନ୍ୟାୟ ନ ମିଳିବାରୁ ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ସର୍ବେଶ୍ୱର ବେହୁରା ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଏନେଇ ଗତ ୪ା୧ା୨୦୧୯ରେ ଏନଜିଟିରେ ୬୦୪/୨୦୧୮ ନମ୍ବରରେ ହୋଇଥିବା ମାମଲାର ଶୁଣାଣି କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପାଖରେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ବାବଦକୁ ୧ ମାସରେ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ମାମଲା ବି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।
ଗତ କିଛି ମାସ ହେବ ଡଙ୍କାରୀ ପାହାଡରୁ ପୁଣି କଳାପଥର ଚୋରି ଚାଲିଥିବା ଡଙ୍କାରୀ ରାଜସ୍ବ ନୀରିକ୍ଷକ ମନୋଜ ସାମଲଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତଦନ୍ତ ରିପୋର୍ଟରେ ଡଙ୍କାରୀ ଗ୍ରାମର ରବି ଦାସ, ଚଢେଇଧରା ଗ୍ରାମର କୁନା ପୃଷ୍ଟି ଓ ଢେଙ୍କାନାଳ ଜିଲା ନାଜିଚୌକିଛକ ଗ୍ରାମର ସ୍ବରୂପାନନ୍ଦ ଦାସ ବେଆଇନ ଭାବେ କଳାପଥର ଉତ୍ତୋଳନ କରି ପରିବହନ କରୁଥିବା ଦର୍ଶାଯାଇଛି। ପୂର୍ବଭଳି ଏହି ଚୋରି ମାମଲାର ମାପଚୁପ କଲେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ସ୍ପଷ୍ଟ ହେବ। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି, କେତେ ଚିଠିପତ୍ର ଆଦାନପ୍ରଦାନ କରାଯାଉଛି ତାହା ମୋର ମନେ ନାହିଁ। ଏନେଇ ସେ କୌଣସି ଫଲୋଅପ୍‌ ମଧ୍ୟ କରିନାହାନ୍ତି। ଏବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri