ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏଟିସିଏ) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବାଘଟି ପୂର୍ବରୁ ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ଠାବ ହୋଇଥିଲା ଓ ଏହାର ବୟସ ବର୍ତ୍ତମାନ ୫ ବର୍ଷ ବୟସ ହେବ ବୋଲି ଏନଟିସିଏ ସ୍ପଷ୍ଟ କରିଛି।
ଛତିଶଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା କ୍ୟାମେରା ଟ୍ରାପ ଫଟୋ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ପ୍ରମାଣର ଅଧିକ ଯାଞ୍ଚ ସହ ବାଘ ଦେହରେ ଥିବା ପଟାଦାଗର ମେଳ କରାଯିବା ପରେ ଡେବ୍ରିଗଡ଼ କର୍ତ୍ତୃପକ୍ଷ ମହାବଳ ବାଘଟିର ଗତିବିଧି ପଥକୁ ନିଶ୍ଚିତ କରିବାରେ ସକ୍ଷମ ହୋଇଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ, ମହାବଳ ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରୁ ବାହାରି ବାରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟକୁ ଚାଲି ଆସିଥିବା ଆକଳନ କରାଯାଉଛି।

