ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ

ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍‌ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇବାରେ ସଫଳ ହେବା ପରେ ଜନ୍ମ ନେଲା ନୂଆ ସଂକଳ୍ପ। ଏଣିକି ଆଉ ଖଟି ନୁହେଁ, ସମୟ ମିଳିଲେ ଅନ୍ୟ ପାଇଁ କିଛି କରିବାର ଇଚ୍ଛା ଉଙ୍କିମାରିଲା ସେମାନଙ୍କ ମନରେ। ସେଦିନର ସେହି ଛୋଟିଆ ପ୍ରୟାସ ଆଜି ସେମାନଙ୍କୁ ଆଦର୍ଶ ପ୍ରୟାସ ନାମରେ ଦେଇଛି ନୂଆ ପରିଚୟ। ଦେବକଲ୍ୟାଣ ମହାପାତ୍ର, ଦେବୀପ୍ରସାଦ ସାହୁ, ଦେବ ମଣ୍ଡଳ, ଦେବବ୍ରତ ପତି, ଦୀପକ ସାହୁ, ଦୀପକ ସ୍ବାଇଁ ଓ ଅମରେଶ ମଣ୍ଡଳ ପ୍ରମୁଖଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଯୁବକ ଏବେ ଆଦର୍ଶ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ପାରାଦୀପର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରନ୍ତି। ଆଉ କେତେଜଣ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି। ସମୟ ମିଳିଲେ ଅଠରବାଙ୍କୀ ଛକସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ମିଳିତ ହୋଇ ଖଟି କରନ୍ତି। ୨୦୧୧ ମସିହାରେ ଦିନେ ସେହି ଯୁବକମାନେ ଉକ୍ତ ଛକରେ ବସିଥିବାବେଳେ ଏକ ଦୁର୍ଘଟଣା ଘଟିଲା। ଏକ ଭାରିଯାନ ଧକ୍କାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରାସ୍ତାରେ ପଡି ଛଟପଟ ହେଉଥିଲେ। କେହି ତାଙ୍କୁ ଉଠାଇ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ନ ଥିଲେ। ତେବେ ଦେବୀପ୍ରସାଦ ଓ ଅମରେଶ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବିଜୁ ମେମୋରିଆଲ ହସ୍ପିଟାଲକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଓ ନିଜ ମଧ୍ୟରେ ଅର୍ଥ ଆଦାୟ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଇଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହୋଇଥିଲେ। ଏହି ଘଟଣା ଯୁବଗୋଷ୍ଠୀଙ୍କ ମନରେ ଏକ ପ୍ରକାର ଭାବାନ୍ତର ସୃଷ୍ଟି କଲା। ସେବେଠାରୁ ଚାଲିଲା ସାମାଜିକ କାର୍ଯ୍ୟ। ସେମାନଙ୍କ ସହ ଯୋଡ଼ିହେଲେ ବନ୍ଦର ଯନ୍ତ୍ରୀ ତଥା ପରିବେଶ ପ୍ରେମୀ ଅମରେଶ ନରେଶ ସାମନ୍ତ। ପାରାଦୀପର କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସେମାନେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କଲେ। ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲ ପରିସରରେ ଗଛ ଲଗାଇବା ସହ ପାଳି କରି ପାଣି ଦେଲେ ଓ ଯତ୍ନ ନେଲେ। ଧିରେ ଧିରେ ସେମାନଙ୍କ ସହ ଆହୁରି ଅନେକ ଯୁବକ ସାମିଲ ହେଲେ। ୨୦୧୨ରେ ସମସ୍ତେ ମିଶି ତିଆରି କଲେ ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ପ୍ରୟାସ। କୌଣସି ସରକାରୀ ଓ ବେସରକାରୀ ସହଯୋଗ ବିନା ସେମାନେ ଗଛ ଲଗାଇ ଚାଲିଲେ। ୭ ବର୍ଷ ମଧ୍ୟରେ ସେମାନେ ହସ୍ପିଟାଲ, ପାରାଦୀପ ଗଡ଼ ବିଦ୍ୟାଳୟ, ଡପ୍‌ଲର ରାଡ଼ାର ଓ କଲେଜ ପରିସରରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏଥିସହ ଜଙ୍ଗଲରେ ଜୀବଜନ୍ତୁ ଓ ପକ୍ଷୀଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯାଇଛି। ଖରାଦିନେ ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଉଛି। ମାନସିକ ବିକାରଗ୍ରସ୍ତଙ୍କୁ ଚିକିତ୍ସା, ପୋଷାକ ଓ ଖାଦ୍ୟ ଆଦି ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗାଉଛନ୍ତି। ଏଥିସହ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ସହାୟତା, ଛାତ୍ରୀଛାତ୍ରଙ୍କୁ ଆବଶ୍ୟକ ପାଠ୍ୟ ଉପକରଣ, ପ୍ରତିମାସ ଓ ପୂଜା ପାର୍ବଣ ବେଳେ ସଫେଇ, ବେଳାଭୂମି ସଫେଇ, ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନତା ସୃଷ୍ଟି, ଝୋଟ ବ୍ୟାଗ ବଣ୍ଟନ, ରକ୍ତଦାନ ଶିବିର, ଅଗ୍ନି ବିପନ୍ନଙ୍କୁ ସହାୟତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ, ଟ୍ରାଫିକ ସଚେତନତା ଆଦି କାର୍ଯ୍ୟ କରାଯାଉଥିବା ସଙ୍ଗଠନର ଉପଦେଷ୍ଟା ବିଷ୍ଣୁ ଚରଣ ମୁଦୁଲି କହିଛନ୍ତି। ଏଥିପାଇଁ ସଙ୍ଗଠନକୁ ପୌରପାଳିକା ପକ୍ଷରୁ ଏକାଧିଥର ସମ୍ମାନିତ କରାଯାଇଛି। କିନ୍ତୁ ଅନ୍ୟ କେଉଁଠାରୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳିନାହିଁ ବୋଲି କହିଛନ୍ତି ସଦସ୍ୟ କୈବଲ୍ୟ ସାହୁ। ତେବେ ସଙ୍ଗଠନ କାହାଠାରୁ ଆର୍ଥିକ ପ୍ରୋତ୍ସାହନ ଆଶା କରୁନାହିଁ। କାରଣ ସଦସ୍ୟମାନେ ପ୍ରତ୍ୟକ ଖର୍ଚ୍ଚ ମିଳିତ ହୋଇ ବହନ କରୁଛନ୍ତି। ଆଗାମୀ ଦିନରେ ପ୍ରଦୂଷଣମୁକ୍ତ ପାରାଦୀପ ଓ ଦୁର୍ଘଟଣା ରହିତ ରାଜପଥ ନିମନ୍ତେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ସୁଧିର ପରିଡ଼ା। ଆଜିର ଯୁବପିଢି ବିଭିନ୍ନ କାରଣରୁ ପଥଭ୍ରଷ୍ଟ ହେଉଛନ୍ତି। ଏଭଳି ସ୍ଥିତିରେ ବ୍ୟବସ୍ଥାରେ ପରିବର୍ତ୍ତନ ଲକ୍ଷ୍ୟ ରଖି ଆଗେଇ ଚାଲିଥିବା ଆଦର୍ଶ ପ୍ରୟାସର ଯୁବକମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri