ଚାଷୀ କଥା ଶୀଘ୍ର ବୁଝ

ଇଂ. ବିଦ୍ୟାଧର ପଣ୍ଡା

ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ ଥରେ ଚାଷକାମରେ ଧୋକା ଖାଆନ୍ତି। ଏ ବର୍ଷ ଧାନକେଣ୍ଡା ଭଲ ଧରିଥିଲା, କିନ୍ତୁ ଅମଳ ହେବା ପୂର୍ବରୁ କି ପାଗ କରୁଛି କିଛି ବୁଝାପଡ଼ୁନି। ଦିନ ଯାକ ମୁଣ୍ଡଫଟା ଟାଇଁଟାଇଁଆ ଖରାରେ ଗଛପତ୍ର ଜଳିଯାଉଛି। କିନ୍ତୁ ସନ୍ଧ୍ୟାହେଲେ କୁଆଡ଼ୁ କେଜାଣି କଳାହାଣ୍ଡିଆ ମେଘ ଅନ୍ଧାର କରି କାଳବୈଶାଖୀ ମାଡ଼ି ଆସୁଛି। ବର୍ଷା ସହ ଘଡ଼ଘଡ଼ି ସାଙ୍ଗକୁ ଦଲକା ଦଲକା ପବନ ଚାଳ ଉଡ଼େଇନେଲା ପରି ଲାଗୁଛି। ମଝିରେ ମଝିରେ କୁଆପଥର ମାଡ଼ରେ ଛିଡ଼ା ହୋଇଥିବା ଧାନଗଛ ସବୁ ତଳେ ଶୋଇଗଲାଣି। ମୂଳ ଶଢ଼ି ଶଢ଼ି ଯାଉଛି, ଧାନଥୋଡ଼ରୁ ଧାନଗୁଡ଼ା ବିଲରେ ଝଡ଼ି ମାଟିରେ ମିଶିଲାଣି। ଧାନ ଅମଳକରି ବସ୍ତା ଡେରିବା କଥା ଛାଡ଼ ବିହନ ବି ଉଠିବନି। ଦୁହେଁ ସକାଳେ ହିଡ଼ମୁଣ୍ଡରେ ଘେରାଏ ବୁଲିଆସିଲେ, ଧାନଗଛଗୁଡ଼ାକୁ ଦେଖି ଆଖିରେ ଲୁହ ଜମିଯାଉଛି। ବଗୁଲୀ ବାପଘରେ ଦୁଇଭାଇଙ୍କର ବି ଏଇ ଏକା ଅବସ୍ଥା। ଦୁଇ ପରିବାର ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି। ବଗୁଲୀର ଦୁଇଭାଇ ତ ସେହି ଧାନଚାଷରେ ହାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ସିଏ ବଗଲାର ଦୁଃଖ କ’ଣ ବୁଝିବେ।
ଉପରବେଳା ବଗୁଲୀର ବଡ଼ଭାଇ ଚଗଲା ଆସି ପହଞ୍ଚି ଭଉଣୀ ଭିଣୋଇର ଦୁଃଖ କଥାଶୁଣି ତାଙ୍କ ଆଗରେ ଗୁପ୍ତ କଥାଟିଏ ପ୍ରକାଶକଲା। ବିଲରେ ସିନା ଧାନ ହୋଇନି, କିନ୍ତୁ ବଗଲା ବଡଚାଷୀ ହିସାବରେ ନିଜ ନାମ ସୋସାଇଟିରେ ପଞ୍ଜୀକରଣ କରି ପଚାଶ କୁଇଣ୍ଟାଲ ଧାନ ବିକିବ ବୋଲି ଲେଖିକି ଆସୁ। ତା’ପରେ ଦେଖାଯିବ। ବଗଲା ବିରକ୍ତ ହୋଇ କହିଲା ଧାନ ଗାୟମୋଟ ପାଞ୍ଚ କୁଇଣ୍ଟାଲ ଅମଳ ହେବ କି ନାହିଁ, ମୁଁ ଅଯଥା କାହିଁକି ଯାଇ ସେଠି ଲେଖେଇ ଲୋକହସା ହେବି? ଚଗଲା ଭିଣୋଇକୁ ବୁଝେଇଲା। ସବୁବର୍ଷ ଚାଷୀଙ୍କର ଅଭିଯୋଗ ହେଉଛି ଅଭାବୀ ବିକ୍ରି। ଅମଳ ଭଲହେଲେ ଓଡ଼ିଶା ପୁରସ୍କାର ପାଉଛି, ମରୁଡି ପଡ଼ିଲେ ବି ପୁରସ୍କାର ପାଉଛି। କାଗଜକଲମ ନଥିପତ୍ରରେ କେତେ ଅମଳ ହେଲା, କେତେ କ୍ରୟ ହେଲା ଏସବୁ ରିପୋର୍ଟ ଭଲ ହେଲେ ସରକାରଙ୍କ ସିସିଆର୍‌ ଭଲ। ଆମ ପଦ୍ମପୁରରେ ଜଣେ ପ୍ରତିବର୍ଷ ଶହେ କୁଇଣ୍ଟାଲ ଧାନ ବିକୁଛି। ସ୍ତ୍ରୀ ନାଁରେ ରାଇସ୍‌ ମିଲ୍‌ଟିଏ କରିଛି। ସେଇ ତାରି ଧାନକୁ ତାରି ମିଲ୍‌ ପାଇଁ କିଣି ଆଣୁଛି। ପ୍ରତି ବର୍ଷ ସେଇ ବସ୍ତା ନୂଆ ପୁରୁଣା ହେଉଛି। ବିଲରେ ବିହନ ପଡ଼ିବାର ନାହିଁ କି ଖଳାକୁ ଯିବାର ନାହିଁ। ଆମ ରାଜ୍ୟରେ ଏଭଳି ଧୋବ ଫରଫର ପୋଷାକପିନ୍ଧା ଚାଷୀ ଅଧିକ। ଏବେ ଯେଉଁ ଟୋକନ ସିଷ୍ଟମ୍‌ ହେଲା, ଦୁର୍ନୀତି କମିବା ପରିବର୍ତ୍ତେ ବଢିଛି। କାରଣ ଗରିବ ଚାଷୀଗୁଡା ଧାନ ଅମଳକରି ମଣ୍ଡିରେ ଅଖାପାରି ସରକାରୀ ବାବୁଙ୍କୁ ଅନିଷା କରି ବସୁଛନ୍ତି। କିଛିଦିନ ପରେ ସରକାରୀ ଅଧିକାରୀ ଆସି କହୁଛନ୍ତି ଯେ ଟାର୍ଗେଟ୍‌ ଫୁଲ୍‌। ଯେତିକି ଏ ଥାକରେ କିଣାହେବାର ଥିଲା ତାହା କିଣା ସରିଲାଣି। ବସ୍ତା ଘରକୁ ନେଇକି ପଳାଅ, ଆର ପାଳିକୁ ତୁମର କିଣାହେବ। ଚାଷୀ କହୁଛି, ଆଜ୍ଞା! ଆମ ଗାଁରୁ ତ ବସ୍ତାଏ ଧାନ ଯାଇନି। କୋଉଠୁ ଏତେଧାନ ସରକାର କିଣି ପକେଇଲେ? ନଥିପତ୍ର ଦେଖାଇ ମିଛସତ କହି ମୂର୍ଖଚାଷୀଗୁଡାଙ୍କୁ ଭୁଆଁ ବୁଲେଇବା ଭାରି ସହଜ। ସେମାନେ ତ ଜିଲା ବାହାରକୁ ଯାଇନାହାନ୍ତି। ବରଗଡ଼ ଚାଷୀଙ୍କୁ କହିବେ ବ୍ରହ୍ମପୁର ଚାଷୀଙ୍କଠାରୁ କିଣାହେଲା, ବ୍ରହ୍ମପୁର ଚାଷୀଙ୍କୁ କହିବେ ବରଗଡ଼ ଚାଷୀଙ୍କଠାରୁ କିଣିଲୁ। ତେଣୁ ତୁମେ ଯାଇ ପଚାଶ କୁଇଣ୍ଟାଲ ବିକିବ ବୋଲି ଲେଖେଇକି ଆସ।
ବଗଲା ଶାଳକ ଚଗଲାକୁ ପଚାରିଲା ପଚାଶ କୁଇଣ୍ଟାଲ ଧାନ କୋଉଠୁ ଆସିବ? ଚଗଲା ପ୍ରାଞ୍ଜଳଭାବରେ ବୁଝେଇଦେଲା ତୁମେ କେବଳ କୁଇଣ୍ଟାଲ ପିଛା ଦୁଇଶହ ଟଙ୍କା ହିସାବରେ ଦଶହଜାର ଟଙ୍କା ପାଇବ। ବାକି ସେ ମିଲ୍‌ମାଲିକ ସରକାରୀ ଅଧିକାରୀ ଓ କଣ୍ଟାକଲା ଲୋକମାନଙ୍କ କଥା ବୁଝି ତୁମ ନାଁରେ ଖାତାରେ ଚଢେଇବେ। ତୁମେ ଚେକ୍‌ ଆଣି ତୁମ ଖାତାରେ ଜମାକରିବ। ସମୁଦାୟ ଟଙ୍କାରୁ ଖାଲି ଦଶହଜାର ଟଙ୍କା କାଟି ବାକି ଟଙ୍କାର ଗୋଟାଏ ଚେକ୍‌ ଦସ୍ତଖତ କରି ସେ ମିଲ୍‌ ମାଲିକକୁ ଆଗତୁରା ଦେବାକୁ ହେବ। ଆମେ ଦୁଇଭାଇ ବି ସେମିତି ପଚାଶ କୁଇଣ୍ଟାଲ ଲେଖାଏ ବିକି ପ୍ରତିବର୍ଷ ତା’ଠାରୁ ଦଶ ଦଶହଜାର ଟଙ୍କା ନେଉଛୁ। ବଗଲା ସିନା ପାଠ ପଢିନି, କିନ୍ତୁ ଏସବୁ ଦୁର୍ନୀତି କଥା ବୁଝିପାରିଲା। ଚଗଲାକୁ କହିଲା ତେବେ ଏହି ସବୁ କାରଣ ପାଇଁ ଆମ ଚାଷୀକୁଳ ହତାଶ ହେଉଛି। ଏପରି ଦୁର୍ନୀତିଖୋର୍‌ ମିଛଚାଷୀମାନେ କାଗଜପତ୍ରରେ ମିଛିମିଛିକା ଧାନ କାରବାର କରି ଗରିବ ଚାଷୀମାନଙ୍କ ପଇସା ହଡପ୍‌ କରି ନେଉଥିବାରୁ ଚାଷୀକୁଳ ଆମ ରାଜ୍ୟରେ ଉଧୋଉନି। ଦିନକୁ ଦିନ ଚାଷୀକୂଳ ବୁଡିଯାଉଛି। ମୁଁ ନିଜେ ଜଣେ ଚାଷୀ ହୋଇ ଚାଷୀକୂଳ ପ୍ରତି ବେଇମାନ୍‌ କାମ କରିପାରିବିନି କି ତୁମକୁ ବି କରିବାକୁ ଦେବିନି। ସେ ମିଲ୍‌ ମାଲିକ ନାଁରେ ମୁଁ ଦୁର୍ନୀତି ନିବାରଣ ଅଫିସରେ ଜଣେଇବି। ଚଗଲା ରାଗିଗଲା। ଲୋକଙ୍କୁ ଆଜିକାଲି ଭଲ କହିଲେ ଭେଲ। ଘରେ ବସିବସି ଦଶହଜାର ଟଙ୍କା ଯଦି ନେବାକୁ ଗନ୍ଧଉଛି, ଥାଉ ଆମ କଥା ଆମ ପାଖରେ। କିନ୍ତୁ ତୁମେ ସେ ମିଲ୍‌ ମାଲିକ ନାଁ ଯଦି ବାହାରେ କୋଉଠି ପ୍ରଘଟ କଲ, ସିଏ କ’ଣ ସହଜେ ଛାଡିବ। ତା’ପରେ ଏମିତି ଶହ ଶହ ମିଲ୍‌ ମାଲିକ, ଦଲାଲ୍‌ ଓଡ଼ିଶାରେ ସକ୍ରିୟ ଅଛନ୍ତି, ଯେଉଁମାନେ ଚାଷ ନ କରି ପ୍ରତିବର୍ଷ ଧାନ ବିକନ୍ତି, କିଣନ୍ତି ଏବଂ ଚାଷୀଙ୍କର ପଇସା ହେର୍‌ଫେର୍‌ କରି ବଡଲୋକ ହେଉଛନ୍ତି। ଏଇ ଜଣକୁ ତୁମେ ଧରେଇ ଦେଲେ କ’ଣ ଚାଷୀମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଯେ ପର୍ଯ୍ୟନ୍ତ ସରକାର ନିଜେ ରାଜ୍ୟର ଚାଷୀମାନଙ୍କ ବିଷୟରେ ଚିନ୍ତା ନ କରି ତାଙ୍କର ନ୍ୟାଯ୍ୟପ୍ରାପ୍ୟ ଦେବାରେ ସମର୍ଥ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନଙ୍କର ଭାଗ୍ୟ ବଦଳିବନି।
ବଗଲା ଚଗଲା କଥାକୁ ମାନିଲା। କାହିଁକି ସେ ବଡଲୋକ ସାଙ୍ଗରେ ଲାଗିବ? ସବୁ ହାକିମ ହୁକୁମା ଲୋକ ତାଙ୍କ ସାଙ୍ଗରେ, ଗୋଟିଏ ଭାଡିର ପାରା ସମସ୍ତେ। ସରକାର ସବୁଆଡେ ଦୁର୍ନୀତି କରୁ ପଛେ ଆମ ଚାଷୀଙ୍କ ସହ ଦୁର୍ନୀତିଖୋର ଅଫିସରଙ୍କୁ ନ ଲଗେଇ କିଛି ଭଲଭଲ ସଚ୍ଚୋଟ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ଭଲ ହୁଅନ୍ତା। ଏ ବର୍ଷ ଟମାଟୋ ବାହାରିଲା ବେଳକୁ ତାଲାବନ୍ଦୀ ଘୋଷଣା ହେଲା ଯେ ସବୁ ବିଲରେ ପଡି ଶଢ଼ିଗଲା। ପରିବାପତ୍ର ପାଇଁ ହାଟବଜାର ବନ୍ଦ କରିଦେଲେ ଯେ ହାତବାନ୍ଧି ଘରେ ବସିବାକୁ ହେଲା। ତିନିମାସ ପାଇଁ ଯେଉଁ ଚାଉଳ ସହ ଟଙ୍କା ହଜାରେ ମିଳିଥିଲା ମାସକରେ ଖତମ୍‌। ଛୁଆଗୁଡାଙ୍କର ସ୍କୁଲ୍‌ ବନ୍ଦ। ଘରେ ରହିଲେ ଘଣ୍ଟାକୁ ଘଣ୍ଟା ଖାଲି ଭୋକଭୋକ କହି ବେଲାଏ ଲେଖା ଗିଳୁଛନ୍ତି। ଦିନକୁ ଛଅ ସାତଥର ଖାଇବାକୁ ମାଗୁଛନ୍ତି, ବହୁତ ଅସୁବିଧା। ହେଲେ ମୁଁ ମୋ’ଚାଷୀ ଭାଇମାନଙ୍କ ପ୍ରତି ଧୋକ୍କା କରିପାରିବିନି। ଭୋକ ଉପାସରେ ମରିବାର ଥିଲେ ମରିଯିବି ପଛେ ମିଛକଥା ଲେଖେଇ ସେ ଦଶହଜାର ଟଙ୍କା ମୋର ଲୋଡ଼ା ନାହିଁ। ଭଗବାନ କରନ୍ତୁ ସମସ୍ତଙ୍କ ହୃଦୟରେ ଚାଷୀକୁଳ ପ୍ରତି ଦୟାଭାବ ଆସୁ ଏବଂ ସରକାର ଏ କରୋନା କାଳରେ ଚାଷୀଙ୍କ ଫସଲ ନଷ୍ଟ କଥା ପ୍ରତି ଦୃଷ୍ଟିରଖି ହୋଇଥିବା କ୍ଷତିକୁ ଅଳ୍ପ ବହୁତ ଭରଣା କରନ୍ତୁ, ନ ହେଲେ ଋଣ ଛାଡ଼ କରନ୍ତୁ। କିଛି ନ କରି ଦାରୁବ୍ରହ୍ମ ପରି ସରକାର ଦର୍ଶକ ସାଜି ବସିରହିଲେ ଚାଷୀକୁଳ ଭାସିଯିବେ। ଏହି କରୋନା ସଙ୍କଟ କାଳରେ ଚାଷୀ ଉପରେ ଦୁଇଟି କରୁଣା କର। ପ୍ରଥମଟି କୃଷି ଏବଂ ସମବାୟ ବିଭାଗକୁ ଦୁର୍ନୀତିମୁକ୍ତ କର ଏବଂ ଚାଷୀ କଥା ଶୀଘ୍ର ବୁଝ।

ଏଲ୍‌-୧୭/୧୫, ପଞ୍ଚସଖା ନଗର, ଡୁମୁଡୁମା, ଖଣ୍ଡଗିରି, ଭୁବନେଶ୍ୱର
ମୋ-୯୪୩୯୧୨୮୦୫୦


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri