ଆତ୍ମନିର୍ଭର ଭରତ

ଡ. କୁଳାଙ୍ଗାର

ପ୍ରଥମରୁ କହିରଖୁଛୁ କି ଏହି ରଚନାର ଶୀର୍ଷକଟିକୁ ଯଦି ଆପଣ ଭୁଲ୍‌ରେ ଆତ୍ମନିର୍ଭର ଭାରତ ବୋଲି ପଢିଛନ୍ତି, ତେବେ ଆମର ଆଦୌ ଦୋଷ ନାହିଁ। କିନ୍ତୁ ଆପଣ ତୁରନ୍ତ ଆତ୍ମନିର୍ଭର ହୋଇଯାଇ ଆମକୁ ଗାଳି ଦେବେନି କି, ବଦ୍‌ମାସ ସାମାନ୍ୟ ଓଡ଼ିଆ ଲେଖକଟାଏ ହୋଇ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରବାଦୀ ବିଚାରକୁ ବ୍ୟଙ୍ଗ କରୁଛି!
ଅବଶ୍ୟ ଏ ରଚନାର ଉପତ୍ତ୍ତି ମଧ୍ୟ ସେଇ ବିଚାରରୁ ଆରମ୍ଭ! ତେବେ ଆମେ ଭାରତ ନୁହେଁ ବରଂ ଆମର ବନ୍ଧୁ ଭରତର ଆତ୍ମନିର୍ଭରଶୀଳତା କଥା କହିବାକୁ ଯାଉଛୁ। ଭରତ ଜଣେ ପତ୍ନୀବ୍ରତ ପତି। ଯିଏ ପତ୍ନୀଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରିଥାଏ। ସିଏ କ’ଣ କରିବ, କ’ଣ ଖାଇବ, କ’ଣ ପିନ୍ଧିବ, କୋଉଠିକୁ ଯିବ, କୋଉଠିକୁ ଯିବନି ସବୁକିଛି ପତ୍ନୀଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ନିଜେ ଚାକିରି କରିଥିଲେ ମଧ୍ୟ ପତ୍ନୀଙ୍କର ବିନା ଅନୁମତିରେ ସିଏ ଟଙ୍କାଟିଏ ଖର୍ଚ୍ଚ କରିପାରେନା।
ଭରତ ସକାଳ ଓ ସନ୍ଧ୍ୟାରେ ପତ୍ନୀଙ୍କ ବୋଲମାନି ଓ ଦିନରେ କାର୍ଯ୍ୟାଳୟର ଅଧିକାରୀଙ୍କ ବୋଲମାନି କାଯର୍‌ୟ କରିଥାଏ। ଏହାର ପ୍ରଭାବ ତା’ର ଶରୀର ଉପରେ ପଡ଼ିଛି।
ସେହି କାରଣରୁ ଭରତକୁ ସମସ୍ତେ କହନ୍ତି- ଆପଣ ନିଶ୍ଚୟ ନିତି ଯୋଗ, ପ୍ରାଣାୟାମ କରନ୍ତି, ନଚେତ୍‌ ଏମିତି ଆକାଶିଆ ଗଛ ପରି ଲହଲହକା ହୋଇଛନ୍ତି କିପରି! ତେବେ କିଏ ବା ବୁଝନ୍ତା ଭରତର ଯୋଗ ହିଁ ଭଲନାହିଁ ଏବଂ ନାକଦଣ୍ଡିରେ ପ୍ରାଣ ଥାଏ।
ନାରୀ ସଶକ୍ତୀକରଣର ପ୍ରକୃତ ଉଦାହରଣ ଯଦି କେହି ପାଇବାକୁ ଚାହାନ୍ତି ତେବେ ଭରତର ସ୍ତ୍ରୀଙ୍କୁ ଭେଟିଲେ ତାଙ୍କର ଅନୁସନ୍ଧାନ ଶେଷ ହୋଇପାରିବ। ଭରତ ତା’ର ପତ୍ନୀଙ୍କଠାରୁ ଖାଦ୍ୟଖାଏ, ଗାଳିଖାଏ, ମାଡ଼ଖାଏ। ପତ୍ନୀଙ୍କ ନିର୍ଦ୍ଦେଶରେ ଲାଞ୍ଚଖାଏ। ପତ୍ନୀଙ୍କ ବୋଲକରା ହୋଇଥିବାରୁ ନିଜ ଲୋକଙ୍କଠାରୁ ମଧ୍ୟ ନିନ୍ଦା ଓ ଅପମାନ ପାଏ। ଭରତ ତା’ ପତ୍ନୀଙ୍କୁ ଏତେ ମାନ୍ୟ କରିଥାଏ ଯେ, ତାଙ୍କ ସାହିପଡ଼ିଶାର ସ୍ତ୍ରୀଲୋକମାନେ ଭରତର ସ୍ତ୍ରୀକୁ ଈର୍ଷା କରନ୍ତି।
ଭରତ ପ୍ରତି ସେମାନଙ୍କର ଆଭିମୁଖ୍ୟ କ’ଣ ତାହା ଭରତ ଜାଣେନା। କାରଣ ପତ୍ନୀଙ୍କ ନିର୍ଦ୍ଦେଶ ମୁତାବକ ସିଏ କୌଣସି ମହିଳାଙ୍କୁ ମୁହଁ ଟେକି ଚାହେଁନା।
ଆମ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲେ ଭରତର ଭାରି ଈର୍ଷାହୁଏ।
ସିଏ ନିଜକୁ ଧିକ୍କାରେ; ପୁଅ ତୁ ବି ଯଦି ବିବାହ ପରେ ପରେ ତ୍ୱରିତ ନିଷ୍ପତ୍ତି ନେଇ ଧର୍ମପତ୍ନୀଙ୍କଠାରୁ ଦୂରେଇ ଯାଇଥାଆନ୍ତୁ ତେବେ ଆଜି ଏକଚ୍ଛତ୍ରବାଦୀ ଶାସନାଧୀନ ନ ହୋଇ ଗଣତନ୍ତ୍ରର ମଜା ନେଉଥାଆନ୍ତୁ।
ତେବେ ଛାଡନ୍ତୁ ବିଚରା ଭରତର ଭାଗ୍ୟରେ ତ କେବଳ ଦୁଃଖ ଆଉ ଦୁଃଖ ହିଁ ଲେଖା ହୋଇଛି। କରୋନା ଭୂତାଣୁର ପ୍ରାର୍ଦୁଭାବ କାରଣରୁ ତାଲାବନ୍ଦୀ ଘୋଷଣା ହେବା ପରେ ଭରତର ଦୁର୍ଦ୍ଦଶା ବହୁଗୁଣିତ ହୋଇଗଲା। କାର୍ଯ୍ୟାଳୟ ବନ୍ଦ ରହିବା କାରଣରୁ ସିଏ ଘରୁ ବାହାରିବାର ସୁଯୋଗ ହରାଇ ସମ୍ପୂର୍ଣ୍ଣ ପତ୍ନୀଙ୍କ ଆୟତ୍ତରେ ରହିଲା। ତାଲାବନ୍ଦୀ କାରଣରୁ ରୋଷେୟା, ମାଳି ଓ କାମବାଲୀ କେହି ଆସିଲେ ନାହିଁ। ସକାଳୁ ରାତି ସିଏ ଘରୋଇ କାର୍ଯ୍ୟରେ ନିୟୋଜିତ ରହିଲା। ଖଟିଖଟି ନୟାନ୍ତ ହେଲା।
ତେବେ ସବୁର ଗୋଟାଏ ସୀମା ଅଛି। ଦର୍କାର ପଡ଼ିଲେ ନିୟନ୍ତ୍ରଣ ସୀମାରେଖା ମଧ୍ୟ ଅତିକ୍ରମ କରିବାକୁ ହୁଏ। ପାକିସ୍ତାନର ବଦ୍‌ମାସୀ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟତିବ୍ୟସ୍ତ ହୋଇ ଭାରତ ଯେବେ ସୀମା ଅତିକ୍ରମ କରିଥିଲା ଓ ଯୁଦ୍ଧଜାହାଜ ପଠେଇ ପାକିସ୍ତାନ ଅଧିକୃତ ଆଜାଦ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା, ସେତେବେଳେ ଭରତ ମଧ୍ୟ ଏଥିରେ ପ୍ରଭାବିତ ହୋଇ ଦାମ୍ପତ୍ୟର ସୀମା ପାର୍‌ କରି ସମ୍ପର୍କକୁ ଧ୍ୱଂସ କରିବାକୁ ବିଚାର କରିଥିଲା। କିନ୍ତୁ ହାୟ ତା’ର ସଞ୍ଚୟର ଏଟିଏମ୍‌ ଏବଂ ଗାଡ଼ିର ଚାବି ପତ୍ନୀଦେବୀଙ୍କ ପାଖରେ ଥିବାରୁ ସିଏ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇ ପାରି ନ ଥିଲା।
ତଥାପି ସିଏ ସୁଯୋଗର ଅପେକ୍ଷାରେ ଥିଲା। ସର୍ବହରା ନ ହେଲେ ଯେପରି ବିପ୍ଲବ କରି ହୁଏନା, ବିକଳ୍ପହୀନ ନ ହେଲେ ଯେପରି ବିଦ୍ରୋହ କରି ହୁଏନା; ସେପରି ପରିସ୍ଥିତି ସୃଷ୍ଟି ହୋଇ ନ ଥିବାରୁ ସିଏ ସେହି କଷ୍ଟ ପାଇ ରହିଯାଇଥିଲା। ତାକୁ ଏଥିପାଇଁ ଉତ୍ସାହିତ କରିବା ଲାଗି କେହି ସାଥୀ ମଧ୍ୟ ନ ଥିଲେ।
ତେବେ ଟିଭିରେ ପ୍ରଧାନମନ୍ତ୍ରୀ ମହୋଦୟ ଦେଶବାସୀଙ୍କୁ ସମ୍ବୋଧିତ କରି ଯେଉଁଦିନ କହିଲେ- ପ୍ରିୟ ସାଥୀମାନେ, ଆସ ଭାରତକୁ ଆତ୍ମନିର୍ଭରଶୀଳ କରିବା! ଏହା ଶୁଣି ଭରତର ସାରା ଶରୀରରେ ଶିହରଣ ଖେଳିଗଲା। ତାକୁ ଶୁଭିଲା; ପ୍ରିୟ ସାଥୀମାନେ, ଆସ ଭରତକୁ ଆତ୍ମନିର୍ଭରଶୀଳ କରିବା!!
ବାସ୍‌, ଭରତ ତ ଏମିତି ପ୍ରେରଣା ଅପେକ୍ଷାରେ ଥିଲା।
ସିଏ ସେଇଠି, ଟିଭି ସାମ୍ନାରେ ବସି ପାଟିକଲା- ହଁ ହଁ, ମୁଁ ଆତ୍ମନିର୍ଭରଶୀଳ ହେବି! ତା’ ସ୍ତ୍ରୀ ବଡବଡ ଆଖିକରି ତାକୁ ଚାହିଁଲା ଏବଂ ପଚାରିଲା- କ’ଣ… କ’ଣ କରିବ? ସିଏ କହିଲା- ଆଜିଠୁ ମୁଁ ସ୍ବାଧୀନ! ଆଉ ତମ ସାଥିରେ ରହିବାର ନାହିଁ, ମୁଁ ଚାଲିଲି।
ଘରଣୀ ତାକୁ ତାଚ୍ଛଲ୍ୟ କରି କହିଲା- ହେ ହେ… ତମେ ପୁଣି ଏକୁଟିଆ ରହିପାରିବ? ସିଏ ଚପଲ ପିନ୍ଧୁ ପିନ୍ଧୁ କହିଲା- ନିଶ୍ଚୟ, ତମ ଦୟାରୁ ମୋତେ ରୋଷେଇବାସ, ବାସନମଜା, କପଡା ସଫା, ଇସ୍ତ୍ରୀ ଆଦି ସବୁ ଜଣା। ତେଣୁ ମୁଁ ନିଶ୍ଚୟ ଆତ୍ମନିର୍ଭରଶୀଳ ହୋଇ ରହିପାରିବି। ତା’ ସ୍ତ୍ରୀ ଏଥର ଅତ୍ୟଧିକ ଉତ୍ତେଜିତ ହୋଇ କହିଲା- ହଉ ଯାଅ ତେବେ..! ନିୟମକାନୁନ୍‌ ସବୁ ଉଠିଗଲା ନା କ’ଣ! ମୁଁ ତମକୁ ନାଲିକୋଠା ଦେଖେଇବି, ହାଁ! ଭରତ କହିଲା- ହଉ ହଉ… ମୁଁ ବି ସେମିତି ନିୟମ ମାନି ଏବେଠାରୁ ତମଠୁ ସାମାଜିକ ଦୂରତା ଅବଲମ୍ବନ କଲି!!

ମୋ- ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri