ଖୁଲଣା ଦେଈଙ୍କ ବେଲଣାକାଠି ପିଠିପୂଜା

ମାଧବ ଚନ୍ଦ୍ର ସ୍ବାଇଁ
ତିଦିନ ଚଣାଚଟା ଯୁଆଡ଼େ ଯାଇ ଥାଉନା କାହିଁକି ରାତି ଦଶଟା ବେଳକୁ ପିଇ ଦେଇ ଘରକୁ ଫେରେ। ଚଣାଚଟା ସେଇ ଗୀତଟା ”ଆହାରେ ଭଲ ମନ୍ଦ ନାଇଁ, ଯେ ସ୍ଥାନେ ଯେମନ୍ତ ମିଳଇ“ ଗାଇ ଗାଇ ପାଦ ଟଳମଳ ଅବସ୍ଥାରେ ଚାରି ପାଞ୍ଚ ଜାଗାରେ ଧକ୍କା ଖାଇଲେ ବି ଘର ଚିହ୍ନି ଆସେ। ସ୍ତ୍ରୀ ଖୁଲଣା ଦେଈର ସବୁଦିନ ଏପରି ଢକଲମ ତାମସା ଦେଖି ଦେଖି ଦିହସୁହା ହୋଇଗଲାଣି। ତଥାପି ବେଳେ ବେଳେ ରାଗରେ ବେଲଣାକାଠିରେ ସ୍ବାମୀ ଚଣାଚଟାର ପିଠି ପୂଜା କରି ସାରି ଭୋ ଭୋ ହୋଇ କାନ୍ଦେ। ମହିଳା ମଣ୍ଡଳ ମଦ ବିରୋଧୀ ଠେଙ୍ଗା ବାହିନୀରେ ଯୋଗ ଦେଇଛି ସିନା, ଚଣାଚଟାର ନାଲି ଆଖି ଓ ଗାଳିଗୁଲଜ ବେଳେ ବେଳେ ଖୁଲଣାକୁ ପାଟି ଚୁପ କରି ରହିବାକୁ ବାଧ୍ୟ କରେ।
ରାତି ଏଗାରଟା ହେଲାଣି ଚଣାଚଟା ଘରକୁ ଫେରିନି। ଏପଟ ସେପଟ ହୋଇ ପଡ଼ୋଶୀ ଦିନା ମା’କୁ ପଚାରିବାରୁ ସେ କହିଲା, ବଉଳ! ଆଜି ଆମର ପ୍ରାଣନାଥ ବି ଆସି ନାହାନ୍ତି। ଆସୁ ଆସୁ ରାତି ବାରଟା ଗୋଟେ ହେବ ବୋଲି ଖବର ଦେଇଛନ୍ତି।
ଖୁଲଣା ପଚାରିଲା-ବଉଳ ଆଜି କ’ଣ କିଏ ପାର୍ଟି ଦେଉଛି କି। ଦିନା ମା’ କହିଲା- ମଦ ଭେଣ୍ଡର ଚଇନ ଆଜି ପାର୍ଟି ଦେଉଛି। ଯେତେ ଯେଉଁଠି ମଦୁଆ ଅଛନ୍ତି, ସମସ୍ତଙ୍କୁ ସେ ନିମନ୍ତ୍ରଣ କରିଛି। ନାଚ ଗୀତ ହେବ, ବାଜା ବାଣ ଫୁଟିବ। ମଟନ୍‌ ବିରିୟାନୀ ସାଙ୍ଗକୁ ଚାଖଣା। ଯିଏ ଯେତେ ପିଇପାରିବ, ନାଚି ପାରିବ ତାକୁ ଆଜି ପୁରସ୍କାର ମିଳିବ। ଏ ପୁରସ୍କାର ଲୋଭରେ ବଉଳ ତୁମ ସ୍ବାମୀ ଓ ମୋ ସ୍ବାମୀ ଆହୁରି ଚାରି ପାଞ୍ଚଜଣଙ୍କୁ ସାଙ୍ଗରେ ଧରି ଯାଇଛନ୍ତି। ତୁ ଘରକୁ ଯାଆ। ଆଜି କବାଟ ବନ୍ଦ କରିଦେବୁ। ଜମା ଖୋଲିବୁ ନାହିଁ। ମୁଁ ବି ଖୋଲିବି ନାହିଁ। ଆଜି ଖାଲି ବ୍ୟାଟିଂ ଚାଲିବ।
ରାତି ସାଢ଼େ ଗୋଟାଏ। ହଠାତ୍‌ ବୁଲା କୁକୁରଗୁଡ଼ାକ ଭୋ ଭୋ ହୋଇ ରଡି ଛାଡ଼ିଲେ। ଖୁଲଣା ଦେଈର ନିଦ ଭାଙ୍ଗିଗଲା। କବାଟ ଖୋଲିଲା ବେଳକୁ ଖୁଲଣା ଦେଈ ଦେଖିଲେ ପତି ମଦନାଗର କୁକୁରଙ୍କ ମେଳରେ ବ୍ରେକ୍‌ ଡ୍ୟାନ୍ସ କରି କରି ଆସୁଛନ୍ତି। ମୁଣ୍ଡରେ ଗୋଟାଏ ମଦ କମ୍ପାନୀର ଟୋପି। କାନ୍ଧରେ ଗୋଟାଏ ଗାମୁଛା। ଟୋପି ଗାମୁଛା ସାଙ୍ଗକୁ ଖଣ୍ଡ ଖଣ୍ଡିଆ ଗୀତ ଶୁଣି ଖୁଲଣା ରକ୍ତ ଚାଉଳ ଚୋବାଇ ରହିଥାଏ। ଘର ଭିତରକୁ ପ୍ରବେଶ କଲାମାତ୍ରେ ଖୁଲଣା ଦେଈ ବେଲଣା କାଠିରେ ତିନି ଚାରି ପାହାର ଦେଉ ଦେଉ ଚଣାଚଟା ନାଟକୀୟ ଠାଣିରେ ଡାଏଲଗ୍‌ ମାରି କହିଲା- ତୋର ଆଉ କୌଣସି ଚାଲ୍‌ କାମ ଦେବନି ପ୍ରିୟେ। ଆଜିଠାରୁ ମୁଁ ମନ୍‌ କି ରାଜା। ବେଶି ନବରଙ୍ଗ ଦେଖେଇଲେ ବଜେଇଦେବି ବାଜା।
ଖୁଲଣା ଦେଈ ପ୍ରକୃତ ରହସ୍ୟଟା ଜାଣିବା ପାଇଁ କହିଲେ- କ’ଣ ହୋଇଛି କି? ତମର କ’ଣ ଲଟେରି ଉଠିଛିକି। ଚଣାଚଟା କହିଲା ଲଟେରି ଉଠିବ, ଉଠିବ। ଚନ୍ଦ୍ର ଯାନ ପରି ଉଠିବ। ସବୁ ମଦୁଆଙ୍କ ଭାଗ୍ୟ ଖୋଲିଗଲା ଜାଣ। ମଦ ଭେଣ୍ଡର ଯେତେ ଅଧିକ ମଦ ବିକିବ, ସେତେ ପୁରସ୍କାର ସିଏ ପାଇବ ବୋଲି ସରକାର ବାହାଦୁର ଘୋଷଣା କରିବା ପରେ ମଦୁଆମାନେ ଏବେ ମଦ ଭେଣ୍ଡରର ଜୁଆଁଇ କୁଣିଆ। ହେ ଶୁଣ। ମୋ କଥାକୁ ଟିକିଏ ଭଲରେ କାନରେ ନବ। କାଲିଠାରୁ ମହିଳାମାନେ ଯଦି ମଦ ବିରୋଧୀ ଆନ୍ଦୋଳନ କରନ୍ତି, ତୁ ସେ ଠେଙ୍ଗା ନେଇ ଆଉ ତାଙ୍କ ସାଙ୍ଗରେ ଯିବୁ ନାହିଁ। ସେ ଠେଙ୍ଗାଟାକୁ ମୁଁ ଚୁଲିରେ ଜାଳିଦେବି ନଚେତ ସେ ଠେଙ୍ଗାଟା ପାଖରେ ରଖିବି, ଆମ ଠେଙ୍ଗା ବାହିନୀ ପାଇଁ କାମ ଦେବ।
ଖୁଲଣା ପଚାରିଲା- ତୁମ ମଦୁଆମାନଙ୍କର ଠେଙ୍ଗା ବାହିନୀ କ’ଣ। ମଦ ଭେଣ୍ଡର ନିର୍ଦ୍ଦେଶ ଦେଇଛନ୍ତି- ଯଦି ଏଣିକି ମହିଳା ମଣ୍ଡଳ ଠେଙ୍ଗା ବାହିନୀ ମଦ ଦୋକାନ ଭାଙ୍ଗିବେ କିମ୍ବା ମଦ ଭେଣ୍ଡରକୁ ବିଜୁଳି ଖୁଣ୍ଟରେ ବାନ୍ଧି ପିଟିବେ, ତେବେ ଆମ ଠେଙ୍ଗା ବାହିନୀ କାମ ଦେଖାଇବ। ନିଜ ନିଜ ସ୍ତ୍ରୀକୁ ସ୍ବାମୀମାନେ ସମ୍ଭାଳିବେ। ଆଗାମୀ ଦଶହରା ବେଳକୁ ତୁମମାନଙ୍କ ପାଇଁ ଶାଢ଼ି, ଚୁଡି, ବିନ୍ଦି ମଦ ଭେଣ୍ଡର ଆମ ହାତରେ ଦେବେ। ଦଶହରା ଖର୍ଚ୍ଚ ଦେବେ। ଆମେ ସାଙ୍ଗ ହୋଇ ବୁଲିବା। ବୁଝିଲୁ ଖୁଲଣା ଆଜି ମୁଁ ଆଉ କିଛି ଖାଇବି ନାହିଁ। ପେଟେ ବିରିୟାନୀ ଠୁଙ୍କି କି ଆସିଛି। ଏକଥା କହି ସାରିବା ପରେ ଚଣାଚଟା ଭକ ଭକ କରି ବାନ୍ତି କରି ବେହୋସ ହୋଇ ଶୋଇଗଲା। ଖୁଲଣା ଭାବିଲା ଏଇଟା ହେଉଛି ମାହେନ୍ଦ୍ର ବେଳା। ଆଜି ଯାହା ପିଠି ପୂଜା ହେବ, କାଲିଠାରୁ ସବୁ ବନ୍ଦ। ଏହା କହି ବେଲଣାକାଠିରେ ଦୁଇ ଚାରି ପାହାର ଦେଇ ଭୋ ଭୋ କାନ୍ଦି କାନ୍ଦି ଖୁଲଣା କହିଲା- ଯିଏ ଉଜାଡ଼ୁଛି ସଂସାର ତାକୁ ମିଳୁଛି ପୁରସ୍କାର। ଅଜବ ରାଇଜ ଗଜବ ନୀତି, କାହାକୁ କହିବା କିଏ ଶୁଣିବ।
ଶୈଳନିବାସ, ଏଫ-୧୮୦, ସେକ୍ଟର-୭, ସିଡିଏ, କଟକ,
ମୋ-୯୪୩୭୧୪୬୩୬୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri