ଓଡ଼ିଶାରେ ଅନ୍‌ଲାଇନ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର

 

ଓଡି଼ଶାରେ ପ୍ରସ୍ତାବିତ ଅନ୍‌ଲାଇନ ଶିକ୍ଷା ଏକ ଉଦ୍ୟମ ନୁହେଁ ବରଂ ଶିକ୍ଷା ପାଇଁ ଏକ କ୍ଷମା ପ୍ରାର୍ଥନା। କରୋନାରୂପକ ବାଧ୍ୟବାଧକତାରେ ପଡ଼ି ଓଡ଼ିଶା ସରକାର ଏବେ ଅନ୍‌ଲାଇନ୍‌ ଶିକ୍ଷାକୁ ଆପଣେଇବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କିନ୍ତୁ ବର୍ଷ ବର୍ଷର ଅବହେଳା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଏତେ ରୁଗ୍‌ଣ ଓ ଜରାଗ୍ରସ୍ତ କରି ଦେଇଛି ଯେ ଅନ୍‌ଲାଇନ୍‌ ଶିକ୍ଷା ତା’ର ଦୋଷ ଦୁର୍ବଳତାକୁ ଖାଲି ପଦାରେ ପକାଇବ, ଶିକ୍ଷକକୁଳ ଛାତ୍ରୀଛାତ୍ରଙ୍କ ଆଗରେ ଉପହସିତ ହେବେ ଏବଂ ଛାତ୍ର ସମାଜ ବିଶେଷ ଉପକୃତ ହେବେ ନାହିଁ। ଉଚ୍ଚଶିକ୍ଷାକୁ ଉଦାହରଣ ହିସାବରେ ନେଇ ଏକଥାର ଯଥାର୍ଥତା ସାବ୍ୟସ୍ତ କରାଯାଇ ପାରେ।
ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ଗଣମାଧ୍ୟମ କରୋନା ଯୋଦ୍ଧା ହୋଇଥିଲା ବେଳେ କରୋନା କବଳିତ ଉଚ୍ଚଶିକ୍ଷାର ଯୋଦ୍ଧା ହେଲେ ଶିକ୍ଷକ। ହେଲେ କାହାନ୍ତି ଶିକ୍ଷକ? ବର୍ଷ ବର୍ଷ ଅଧ୍ୟାପକ ପଦବୀ ପୂରଣ ନ କରିବା, ଅଳ୍ପ କିଛି ପଦବୀ ପୂରଣ କଲାବେଳେ ଅବସରକ୍ରମେ ପୁଣି ତାଠୁ ବେଶି ଶୂନ୍ୟସ୍ଥାନ ସୃଷ୍ଟି ହୋଇ ଖାଲିସ୍ଥାନ ସବୁବେଳେ ପ୍ରାୟ ସମାନ ରହିବା ଓଡ଼ିଶାର ଉଚ୍ଚଶିକ୍ଷାର ବୈଶିଷ୍ଟ୍ୟ। ଓଡ଼ିଶାର ସରକାରୀ ମହାବିଦ୍ୟାଳୟରେ ପାଖାପାଖି ତିନିହଜାର ପଦବୀରୁ ଅଧାପଦବୀ ଅର୍ଥାତ ୧୫୦୦ରୁ ଊର୍ଦ୍ଧ୍ୱ ପଦବୀ ଖାଲି। ଏଣେ ଅଧ୍ୟାପକ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯାଇଛି କିନ୍ତୁ ସେହି ଯୋଗ୍ୟତା ଭିତ୍ତିରେ ନିୟମିତ ଶିକ୍ଷକ ନିିଯୁକ୍ତି ନ କରି ଖାଲି ସ୍ନାତକୋତ୍ତର ଶ୍ରେଣୀରେ ୫୫ ପ୍ରତିଶତ ମାର୍କ ରଖିଥିବା ଯୁବତୀଯୁବକଙ୍କୁ ସ୍ଥାନୀୟତା ଭିତ୍ତିରେ ଅତିଥି ଅଧ୍ୟାପକ ହିସାବରେ ନିଯୁକ୍ତି ଦେଇ ଗୁଣାତ୍ମକତା ବୃଦ୍ଧି ସକାଶେ ଘୋଷିତ ନୀତିର ବିରୁଦ୍ଧାଚରଣ କରାଯାଉଛି। ଅନେକ କଲେଜରେ ୪୦ଜଣ ସ୍ଥାନରେ ୧୦ଜଣ ଅଧ୍ୟାପକ ଥିଲାବେଳେ, ଅନେକ ବିଷୟରେ ଆଦୌ ଅଧ୍ୟାପକ ନାହାନ୍ତି। ସେ ସବୁ ବିଷୟରେ ପାଠ କିଏ ପଢ଼ାଇବେ? କଲେଜ ଯେତେବେଳେ କାର୍ଯ୍ୟକ୍ଷମ ହେବ, ଅତିଥି ଅଧ୍ୟାପକ ଆସିବେ ସେମାନେ କ’ଣ ସଙ୍ଗେ ସଙ୍ଗେ ନିଆଁକୁ ଡେଇଁ ପଡ଼ିବେ? ଅନ୍‌ଲାଇନ୍‌ ଶିକ୍ଷାଦାନ ଏକ ବିଶେଷ ଦକ୍ଷତାପୂର୍ଣ୍ଣ କାର୍ଯ୍ୟ। ଆଧୁନିକ ଯୋଗାଯୋଗ ବିଦ୍ୟା ସହ ସୁପରିଚିତ, ଆଣ୍ଡ୍ରଏଡ୍‌ ଫୋନର କୁଶଳୀ ବ୍ୟବହାର, ଇଣ୍ଟରନେଟ୍‌ର ବିଭିନ୍ନ ଠିକଣାରେ ଉପଲବ୍ଧ ସହାୟକ ପାଠ୍ୟ ସମ୍ବନ୍ଧରେ ଧାରଣା, ନିଜସ୍ବ ଅଭିରୁଚି ଓ ଅନୁପ୍ରେରଣା ଏ ପ୍ରକାର ଶିକ୍ଷାଦାନ ପାଇଁ ଏକାନ୍ତ ଆବଶ୍ୟକ। ଯେହେତୁ ଛାତ୍ରୀଛାତ୍ରମାନଙ୍କ ଅନୁପସ୍ଥିତିରେ ପାଠପଢ଼ା ହେଉଛି ତେଣୁ ଶ୍ରେଣୀ ଶିକ୍ଷକ ଅପେକ୍ଷା ଏ ପ୍ରକାର କିସମର ଶିକ୍ଷକ ଅଧିକ ସକ୍ରିୟ, ସର୍ଜ୍ଜନଶୀଳ ଓ କଳ୍ପନାପ୍ରବଣ ହେବା ଉଚିତ। ଦୁଃଖର କଥା ଉଚ୍ଚଶିକ୍ଷାରେ ଉପଲବ୍ଧ ଶିକ୍ଷକମାନଙ୍କ ମଧ୍ୟରୁ ଶତକଡ଼ା ୮୦ ପ୍ରତିଶତ ଶିକ୍ଷକ ଶ୍ରେଣୀକକ୍ଷରେ ଆଧୁନିକ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରଯୋଗରେ ଶିକ୍ଷାଦାନ କରିବାକୁ ଅସମର୍ଥ। ସେ କ୍ଷେତ୍ରରେ ଅନ୍‌ଲାଇନ୍‌ ଶିକ୍ଷାଦାନର ସ୍ଥିତି କି ପ୍ରକାର ହେବ ସହଜରେ ଅନୁମେୟ। ଯେଉଁ ଯୁବ ଅଧ୍ୟାପକମାନଙ୍କୁ ଏ ଦିଗରେ ଆଗ୍ରହାନ୍ବିତ କରି ଗଢ଼ିତୋଳି ହୁଅନ୍ତା, ସେମାନଙ୍କ ପ୍ରତିଶତ ବହୁତ କମ୍‌। ଯେଉଁ ୬୦୬ ଜଣ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା, କରୋନା ପରିପ୍ରେକ୍ଷୀରେ ତା’ର ଭବିଷ୍ୟତ କ’ଣ କେବଳ ଭଗବାନ ଜାଣନ୍ତି। ସରକାର ଏବେ ଅନ୍‌ଲାଇନ୍‌ ଶିକ୍ଷା ଓ ଇ-ଲର୍ନିଂ କାର୍ଯ୍ୟକ୍ଷମ କରିବାକୁ ଏକ କମିଟି ଗଢ଼ିଛନ୍ତି। ବହୁ କମିଟି ଗଢ଼ାଯାଇଛି କିନ୍ତୁ ଖାଲିଥିବା ଅଧ୍ୟାପକ ପଦବୀ କିପରି ପୂରଣ ହୋଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର କଲେଜମାନଙ୍କର ୨୫ବର୍ଷ ପୂର୍ବରୁ ଯେଉଁ ସୁନାମ ଥିଲା ତାହା କିପରି ଫେରିଆସିବ ସେ ବାବଦରେ କିଛି କମିଟି ନାହିଁ। ଅନ୍‌ଲାଇନ୍‌ ହେଉ ଅବା ଅଫ୍‌ଲାଇନ୍‌, ସବୁ ପ୍ରକାର ଶିକ୍ଷା ପାଇଁ ଲୋଡ଼ା ଯୋଗ୍ୟ ଶିକ୍ଷକ, ଯେଉଁମାନେ ଏକାଗ୍ର ହୋଇଥିବେ ଏବଂ ଯେଉଁମାନଙ୍କୁ କଲେଜରେ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କୁ କକ୍ଷଚ୍ୟୁତ କରାଯାଇ ନ ଥିବ।
ଅନ୍‌ଲାଇନ୍‌ ଶିକ୍ଷାଦାନର ସଫଳତା ନିର୍ଭର କରେ ତା’ ପାଇଁ ପ୍ରସ୍ତୁତ ବିଶେଷ ପାଠ୍ୟକ୍ରମ ଏବଂ ପାଠ୍ୟ, ଯାହା ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଅନୁକୂଳ। ତାହା ନ କରି ପୁରୁଣା ସିଲାବସର ଶ୍ରେଣୀକକ୍ଷ ପାଇଁ ଉଦ୍ଦିଷ୍ଟ ପାଠ୍ୟକୁ ଅନ୍‌ଲାଇନ୍‌ ଶିକ୍ଷାପାଇଁ ଟାଣିଓଟାରି ଆଣିବା ଏକ ଆତ୍ମ-ପରାଜୟୀ ପଦକ୍ଷେପ। ଅନ୍‌ଲାଇନ୍‌ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଓ ଶିକ୍ଷାପଦ୍ଧତି ଏକ ବିଶେଷ ଧରଣର ଆଧୁନିକ କାର୍ଯ୍ୟକ୍ରମ। ସେ ପାଇଁ ଆବଶ୍ୟକ କୁଶଳୀ ଶିକ୍ଷକ, ଆବଶ୍ୟକ ଭିତ୍ତିଭୂମି, ପାଠୋପଯୋଗୀ ସିଲାବସ ଏବଂ ସେ ପ୍ରକାର ଶିକ୍ଷାପାଇଁ ଆଗ୍ରହାନ୍ବିତ ଛାତ୍ରୀଛାତ୍ର। ଅନ୍‌ ହେଉ ଅବା ଅଫ୍‌ ସମସ୍ତେ ଯଦି ଯେନତେନ ପ୍ରକାରେଣ କର୍ତ୍ତବ୍ୟ ସମ୍ପାଦନ ପାଇଁ ଲାଗି ପଡ଼ନ୍ତି ସେ କ୍ଷେତ୍ରରେ ଶିକ୍ଷା ଅଶିକ୍ଷା ହୋଇ, ଅପୂର୍ଣ୍ଣାଙ୍ଗ ହୋଇ ରହିଯାଇଥିବ। ସମସ୍ତେ ଖାଲି ଖଣ୍ଡିଏ ଲେଖାଏ ପ୍ରମାଣ ପତ୍ର ଧରି ବୁଲୁଥିବେ।
ତୃତୀୟତଃ ଅନ୍‌ଲାଇନ୍‌ ଶିକ୍ଷାପାଇଁ ଉପଲବ୍ଧ ପରିବେଶ, ସୁବିଧା ସୁଯୋଗ ଓ ପ୍ରଯୁକ୍ତି ବିଦ୍ୟା। ଏପ୍ରକାର ଶିକ୍ଷା ପାଇଁ ପ୍ରଥମ ଆବଶ୍ୟକତା ସ୍ବାଭାବିକଠାରୁ ଅଧିକ ବେଗଥିବା ଇଣ୍ଟରନେଟ ଏବଂ ଆଣ୍ଡ୍ରଏଡ୍‌ ଫୋନ। ଯେହେତୁ ଶିକ୍ଷକ ତାଙ୍କ ଜାଗାରେ, ଛାତ୍ରୀଛାତ୍ରମାନେ ବିଭିନ୍ନ ଆଡ଼େ ବିକ୍ଷିପ୍ତ, ସବୁ ଜାଗାରେ ସମାନ ବେଗରେ ଇଣ୍ଟରନେଟ ସୁବିଧା ଉପଲବ୍ଧ କି? ସବୁ ଛାତ୍ରୀଛାତ୍ରଙ୍କୁ ସେ ପ୍ରକାର ଫୋନ କିଣିବାକୁ ଏବଂ ସେ ବାବଦରେ ଇଣ୍ଟରନେଟ୍‌ ବିଲ୍‌ ଖର୍ଚ୍ଚ ବହନ କରିବାକୁ ବାଧ୍ୟ କରିବା ଏକ ଅନ୍ୟାୟ ନୁହେଁ କି? ବିଶେଷତଃ ତଫସିଲଭୁକ୍ତ ଜାତି, ଉପଜାତି ଏବଂ ସମାଜର ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ? ତା’ଛଡ଼ା ମୂଳତଃ ‘ଜୁମ୍‌ ଆପ’ରେ ପଢ଼ା ଯାଉଥିବା ଏହି ଆପ୍‌ର ନିର୍ଦ୍ଦିଷ୍ଟ କିଛି ଦୁର୍ବଳତା ଅଛି, ଯାହା ଶିକ୍ଷାଦାନ ସମୟରେ ସାଧାରଣ ଶିକ୍ଷକଙ୍କୁ ବିଚଳିତ କରେ। ଏହା କଳା ବିଷୟ ପାଇଁ କିଛିଟା ସହାୟକ ହୋଇପାରେ କିନ୍ତୁ ଅନ୍ୟାନ୍ୟ ବିଷୟ ଯେଉଁଠି ବହୁତ ଲେଖାଲେଖି, ଛବି, ମାନଚିତ୍ରର କଥା ଅଛି, ସେଠି ଏହାର କିଛି ଭୂମିକା ନାହିଁ, ବିଶେଷତଃ ଯେଉଁ ରୂପରେ ଏହା ଏବେ ଚାଲିଛି।
ଅନ୍‌ଲାଇନ୍‌ ଶିକ୍ଷା କୋଚିଂ ପାଇଁ ଉପଯୋଗୀ ଏକ ଶିକ୍ଷାଦାନ ଶୈଳୀ କିନ୍ତୁ କଲେଜଗୁଡ଼ିକ କୋଚିଂ ସେଣ୍ଟର ନୁହେଁ। କଲେଜରେ ଖାଲି ପାଠପଢ଼ା ଯାଏନାହିଁ। ପିଲାମାନଙ୍କ ବ୍ୟକ୍ତିତ୍ୱର ବିକାଶ ସହିତ ସେମାନଙ୍କ ଭିତରେ ନେତୃତ୍ୱ ନେବା ଗୁଣ, ସାଂସ୍କୃତିକ, ବୌଦ୍ଧିକ, ସାମାଜିକ ଦକ୍ଷତା ଓ ଅଭିରୁଚି ଅଭିବୃଦ୍ଧି କରେଇ ଭବିଷ୍ୟତରେ ସେମାନଙ୍କୁ ଜଣେ ଜଣେ ସୁନାଗରିକ ହିସାବରେ ଗଢ଼ିବା ଗୋଟିଏ ଶିକ୍ଷାନୁଷ୍ଠାନର ଦାୟିତ୍ୱ। ଅନ୍‌ଲାଇନ୍‌ ଶିକ୍ଷା ପଛରେ ବହୁତ ପ୍ରଲୋଭନ ରହିଛି ।
ଅନେକ କିଛି ସୁବିଧାରେ, ବିନା ଦାୟିତ୍ୱରେ ହୋଇଯିବ। ପାଠପଢ଼ାର ଗୁଣବତ୍ତା ନିୟନ୍ତ୍ରଣ ଓ ପରିଚାଳନା ଅପେକ୍ଷା ସିଲାବସ ସାରିବା, ପରୀକ୍ଷା ଠିକ୍‌ ସମୟରେ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିବ। ପିଲାମାନଙ୍କ ଅନୁଷ୍ଠାନ ପ୍ରୀତି, ଗୋଷ୍ଠୀ ପ୍ରୀତି, ସମାଜ ପ୍ରତି ଉତ୍ତରଦାୟିତ୍ୱ ଭାବ ସୃଷ୍ଟି ହୋଇପାରିବ ନାହିଁ। ଏ ପ୍ରକାର ଶିକ୍ଷାଦାନରେ ପ୍ରମାଣପତ୍ର ବିତରଣ ହିଁ ମୁଖ୍ୟ କାମ ହେବ। ତେଣୁ ଏ ବାବଦରେ ଠିକ ପଦକ୍ଷେପ ନ ନେଲେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦ୍ୟାମନ୍ଦିର ନ ହୋଇ କେବଳ ପରୀକ୍ଷା କେନ୍ଦ୍ରରେ ପରିଣତ ହେବ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ୍‌, ବାଲେଶ୍ୱର
ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri