ଏମିତି ରହିଲେ

ଦେଖିବାକୁ ଗଲେ ଭରତରେ ପ୍ରାୟ ଅଧିକାଂଶ ଜାଗାରେ ଡାକ୍ତରଖାନା ଖାଲିପଡ଼ିଛି। ବାରମ୍ବାର ମୋବାଇଲ୍‌ ଫୋନ୍‌ରେ ଏସ୍‌ଏମ୍‌ଏସ୍‌ ପଠାଇ ଜନସାଧାରଣଙ୍କୁ ଜଣାଇବା ପାଇଁ ବ୍ୟାକୁଳ ହେଉଛନ୍ତି ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଯେ, ସବୁକିଛି ସାଧାରଣ ଭାବେ କାର୍ଯ୍ୟ କରୁଛି ଓ ରୋଗୀ ଚାହିଁଲେ ଚିକିତ୍ସା ପାଇଁ ଆସିପାରିବେ। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। କେବଳ ମୁମ୍ବାଇ ଓ କେତୋଟି ସ୍ଥାନକୁ ଛାଡ଼ିଦେଲେ ଡାକ୍ତରମାନେ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀଙ୍କ ପ୍ରତି ଭୟଭୀତ ହୋଇ ରହିଛନ୍ତି। ବିଶେଷକରି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପ୍ରାରମ୍ଭିକ ସ୍ତରରେ ଭଲ ଉଦ୍ଦେଶ୍ୟ ରଖାଯାଇ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ସେବା ଦିଆଯାଇଥିଲା। ସେତେବେଳେ ସରକାରୀ ଏବଂ ସାମାଜିକ ସ୍ତରରେ ସେହି ଡାକ୍ତରଖାନା ବିରୋଧରେ ସମସ୍ତେ ଉଦୁରୁମତା ହୋଇ ମାତିଥିଲେ। ତା’ପରେ ପ୍ରାୟ ଅଧିକାଂଶ ଘରୋଇ ଚିକିତ୍ସାଳୟରେ ସେବା ବନ୍ଦ କରିଦିଆଯାଇଛି। ଅର୍ଥାତ୍‌ ଯେଉଁସବୁ ବାର୍ତ୍ତା ପଠାଯାଉଛି ତାହା ସବୁ ଅସତ୍ୟ ଏବଂ ରେକର୍ଡ ପାଇଁ ଉଦ୍ଦିଷ୍ଟ। ଯେଉଁ କେତୋଟି ସରକାରୀ ଓ ଘରୋଇ ଡାକ୍ତରଖାନାରେ ରୋଗୀ ସେବା କରାଯାଉଛି, ସେଗୁଡ଼ିକୁ କମ୍‌ ସଂଖ୍ୟକ ରୋଗୀ ଆସୁଛନ୍ତି। ଭାରତରେ ସ୍ବାସ୍ଥ୍ୟସେବା କର୍ମୀଙ୍କୁ ‘କରୋନା ଯୋଦ୍ଧା’ କହିବା କେତେଦୂର ଯୁକ୍ତିଯୁକ୍ତ ତାହା ଇତିହାସ କହିବ।
ଲକ୍‌ଡାଉନ୍‌ ଆରମ୍ଭରେ ପୋଲିସ କର୍ମଚାରୀଙ୍କ ଉତ୍‌ଫୁଲ୍ଲତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ସତ୍ୟ ଯେ, ଭାରତୀୟମାନେ ସାଧାରଣତଃ ଆଇନ ଭଙ୍ଗ କରିବାକୁ ପସନ୍ଦ କରିଥାନ୍ତି। ହୁଏତ ଜାତିର ଏହି ଜଘନ୍ୟ ଚରିତ୍ରକୁ ବୁଝିକରି ତାହାର ସଦୁପଯୋଗ କରିବାକୁ ଯାଇ ମହାତ୍ମା ଗାନ୍ଧୀ ୧୯୩୦ରେ ସିଭିଲ୍‌ ଡିସୋବିଡେନ୍ସ ବା ଆଇନ ଅମାନ୍ୟ ଆନ୍ଦୋଳନ କରାଇଥିଲେ। କିନ୍ତୁ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ପୋଲିସ ବାହିନୀକୁ ମିଳିଥିବା ଅସମ୍ଭବ କ୍ଷମତାର ରୂପ ଲାଠି ମାଡ଼ରେ ଦେଖିବାକୁ ମିଳିଛି। ଗୁଜରାଟ ପୋଲିସ ମାଡ଼ରେ ଓଡ଼ିଆ ଯୁବକର ମୃତ୍ୟୁଠାରୁ ଆରମ୍ଭ କରି କଟକରେ ମହିଳା ଏସ୍‌ଆଇଙ୍କ ମାଡ଼ରେ ପରିବା ବିକାଳି ଲହୁଲୁହାଣ ହେବା ଦୈନନ୍ଦିନ ବିଷୟ ହୋଇଗଲାଣି। ଏହାଦ୍ୱାରା ପୋଲିସର ନିଷ୍ଠାପରତାକୁ ସମାଲୋଚନାର କରିବାର ଉଦ୍ଦେଶ୍ୟ ନାହିଁ। ବିଚରା କନ୍‌ଷ୍ଟେବଲ, ହାବିଲଦାର, ଏଏସ୍‌ଆଇ, ଏସ୍‌ଆଇ ଥାନା ଛାଇରେ ବସି ଟଙ୍କା ଆଦାୟ କରିବା ପରିବର୍ତ୍ତେ ରାସ୍ତାରେ ଉଦୁଉଦିଆ ଖରାରେ ଛିଡ଼ାହୋଇ କଷ୍ଟ ଭୋଗିବା ସହିତ କରୋନା ଭାଇରସ୍‌ର କୋପଦୃଷ୍ଟିର ଶିକାର ହେବାର ମଧ୍ୟ ଆଶଙ୍କା ରହିଛି। ବାସ୍ତବରେ ଦେଖିବାକୁ ଗଲେ ପୋଲିସର କାର୍ଯ୍ୟକୁ ‘କରୋନା ଯୋଦ୍ଧା’ ଆଖ୍ୟା ଦିଆଯାଇପାରିବ। ସବୁ କଥାରେ ‘କମ୍ପ୍ରମାଇଜ୍‌’ କରିବାର ଦକ୍ଷତା ରଖିଥିବା ପୋଲିସ ଏବେ ଖରା ଖାଇ ହାଲିଆ ହୋଇପଡ଼ିଲେଣି। ତଳତଳିଆ ପୋଲିସ କର୍ମଚାରୀ ଅନେକ କଷ୍ଟ କରୁଥିବା ବେଳେ ଆଶ୍ଚର୍ଯ୍ୟର କଥା ଯେ, ଉଚ୍ଚପଦସ୍ଥ ଅଫିସର ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ରାଜ୍ୟବ୍ୟାପୀ କୌଣସି ଜାଗାରେ ବୁଲୁଥିବାର ଖବର ମିଳୁନାହିଁ। ଏହି ଯୋଦ୍ଧାକୁ କରୋନା ଭୟ ଘାରୁଥାଇପାରେ।
ରାଜ୍ୟର ଅଧିକାଂଶ ଜାଗାରେ ମ୍ୟୁନିସିପାଲିଟି କର୍ମଚାରୀମାନେ ନିଜର ଦାୟିତ୍ୱ ଅତି ଭଲରେ ନ ହେଲେ ମଧ୍ୟ ଭଲଭାବରେ ତୁଲାଉଥିବାର ଖବର ମିଳୁଛି। ସେମାନଙ୍କ ଜୀବନ ପ୍ରତି ବିପଦ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଅଧିକ। ଚାଇନାର ଉହାନ ସହରରୁ ମିଳୁଥିବା ଖବର ଅନୁଯାୟୀ ବର୍ଜ୍ୟବସ୍ତୁରେ ସଂକ୍ରମଣ ରହୁଥିବାର ଲକ୍ଷ୍ୟ କରାଯାଇଛି। ଆମେ ସାଧାରଣ ନାଗରିକ ମଧ୍ୟ ଏହି ସମୟରେ ନିଜ ଚରିତ୍ରକୁ ବଦଳାଇ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିନାହୁଁ।
ନିଜ ଜୀବନ ପ୍ରତି ଭୟ ଆମ ସମସ୍ତଙ୍କୁ ଥରହର କରିଦେଇଛି। କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ୍‌ ସଫଳତାର ଏକମାତ୍ର କାରଣ ହେଲା- କାଳେ ମୁଁ ମରିଯିବି କି? ଅର୍ଥାତ୍‌ ଭୟ ଯୋଗୁ ଆମେ ସମସ୍ତେ କିଛି ପରିମାଣରେ ସଂଯତ ରହିଛୁ। ନିୟମ ମାନିବାକୁ ମନ ବଳାଉ ନାହୁଁ। କୋହଳ ହେଲା ବୋଲି ଶୁଣିବା ମାତ୍ରକେ ରାସ୍ତାର ଭୁଲ୍‌ ସାଇଡ୍‌ରେ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ସବୁ ପ୍ରକାର ଅନିୟମିତତା କୁମ୍ପି ବାଣ ଭଳି ଫୁଟି ବାହାରୁଛି। ଏଇସବୁ ନକାରାତ୍ମକ ବ୍ୟବହାର ସତ୍ତ୍ୱେ ଲକ୍‌ଡାଉନ୍‌ ବା ସରକାରଙ୍କ ଦ୍ୱାରା ଘୋଷିତ ତାଲାବନ୍ଦ ଅନେକ ସକାରାତ୍ମକ ପ୍ରଭାବ ମଧ୍ୟ ପକାଇଛି। ଏହା ପ୍ରମାଣ କରିଦେଇଛି ଯେ, ବିନା କାରଣରେ ଖର୍ଚ୍ଚ ନ କରି ସର୍ବନିମ୍ନ ବ୍ୟୟରେ ମଣିଷ ବଞ୍ଚିପାରିବ। ମୋଟରସାଇକେଲ ବା ଗାଡ଼ି ନ ଚଳାଇ ଆମେ ସମସ୍ତେ ବଞ୍ଚି ରହିଛେ। ସେଥିପାଇଁ ପ୍ରଦୂଷଣ ହ୍ରାସ ପାଇଛି, ଯେଉଁଥିପାଇଁ ଭୁବନେଶ୍ୱର ଭଳି ସହରରେ ମେ’ ୧୮ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୯ ଡିଗ୍ରୀ ଭିତରେ ସୀମିତ ରହିପାରିଛି। ଗତ ଦଶନ୍ଧିକୁ ଦେଖିଲେ ଏହି ସମୟ ସୁଦ୍ଧା ସାଧାରଣତଃ ପାରଦ ୪୦ ଡିଗ୍ରୀ ଉପରକୁ ଚାଲିଯାଇଥାଏ। ସେହିପରି ଟିଟିଲାଗଡ଼, ଯେଉଁଠାରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ପହଞ୍ଚିଥାଏ, ସେଠାରେ ସର୍ବମୋଟ ୪୦.୨ ଡିଗ୍ରୀ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଆର୍କଟିକ୍‌ ଉପରେ ଓଜୋନ୍‌ ସ୍ତରରେ ଦେଖାଦେଇଥିବା ଛିଦ୍ର ଆପେ ଆପେ ବୁଜି ହୋଇଯାଇଛି। ଗଙ୍ଗା ପୁନରୁଦ୍ଧାର ଯୋଜନାରେ ସରକାର ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ସୁଫଳ ମିଳୁ ନ ଥିଲା। ଏବେ ମା’ କରୋନାଙ୍କ କରୁଣା ଯୋଗୁ ଗଙ୍ଗାମାତାଙ୍କ ଜଳ ନିର୍ମଳ ହେବାର ପରିଲକ୍ଷିତ ହୋଇଛି। ପୃଥିବୀର ବଡ଼ ବଡ଼ ସହର ରାସ୍ତାରେ ଜଙ୍ଗଲୀ ଜୀବଜନ୍ତୁ ବୁଲିବାର ଦୃଶ୍ୟ ମନକୁ ଖୁସି କରିଦେଉଛି।
ସେହିଭଳି ସରକାରୀ ତଥ୍ୟ ମିଳୁ ନ ଥିଲେ ମଧ୍ୟ ଗଣମାଧ୍ୟମ ରିପୋର୍ଟକୁ ଦେଖିଲେ ହତ୍ୟା, ଆତ୍ମହତ୍ୟା, ବଳାତ୍କାର ଭଳି ବଡ଼ ଅପରାଧ ସାମ୍ନାକୁ ଆସିନାହିଁ। ଏହାର ଅର୍ଥ ହେଲା ଅପରାଧୀମାନେ ମଧ୍ୟ ନିଜ ଜୀବନ ପ୍ରତି ସତର୍କ ହୋଇଯାଇଛନ୍ତି। ରାସ୍ତାରେ ଲୋକ କିମ୍ବା ଗାଡ଼ି ନ ଥିବାରୁ ସଡ଼କ ଦୁର୍ଘଟଣା ପ୍ରାୟ ଘଟିନାହିଁ। ଅନ୍ୟପଟେ ଘରେ ଆବଦ୍ଧ ରହୁଥିବାରୁ ଅନେକ ଘରୋଇ ହିଂସା ଓ ଅବିଚାର ବୃଦ୍ଧି ପାଉଥିବାର ଦୁଃଖଦାୟକ ଖବର ମିଳୁଛି। ଏଥିରୁ ବୁଝିବାକୁ ହେବ ଯେ ମଣିଷର ଚରିତ୍ର ବଦଳି ପାରୁନାହିଁ, କେବଳ ଭୟ ଯୋଗୁ ଅନ୍ୟାୟ ଓ ଅବିଚାର ଅନେକ ମାତ୍ରାରେ ଶିଥିଳ ହୋଇପଡ଼ିଛି।
ଶେଷରେ ଗୋଲ୍ଡମ୍ୟାନ୍‌ ସାଚ୍‌ ଅନୁମାନ ଲଗାଇଛି ଯେ, ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ଜିଡିପି ୪୫ ପ୍ରତିଶତ ଖସି ଅର୍ଥନୈତିକ ମାନ୍ଦାବସ୍ଥା ଏହି ଦେଶକୁ ତଳିତଳାନ୍ତ କରିଦେଇପାରେ। ଏଭଳି ଦୁର୍ଦ୍ଦଶା ଘଟିଥିବା ବେଳେ ମନକୁ ଏକ ପ୍ରଶ୍ନ ଆସେ। କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଶ୍ରୀମତୀ ତ୍ରୁଦୋ, ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁମୁଖରୁ ଫେରିଛନ୍ତି। ପର୍ତ୍ତୁଗାଲର ସାନ୍‌ତାନ୍‌ଦର ବ୍ୟାଙ୍କର ଅଧ୍ୟକ୍ଷ ଆଣ୍ଟୋନିଓ ଭିଏରାଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଲା। ସେହିଭଳି ଇରାନ୍‌ର ଉପରାଷ୍ଟ୍ରପତି ଓ ଅନ୍ୟ ଉଚ୍ଚପଦସ୍ଥ କର୍ମକର୍ତ୍ତା ଏହାଦ୍ୱାରା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ସ୍ପେନ୍‌ ରାଜକୁମାରୀ ମାରିଆ ଟେରେସା ରାଜପରିବାରର ସଦସ୍ୟ ଭାବେ କୋଭିଡ୍‌-୧୯ର ଶିକାର ହୋଇଛନ୍ତି। କୁହାଯାଉଛି ଏହି ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଆଗଧାଡ଼ିରେ ରହି ଜନତାଙ୍କ ସେବା କରିବାକୁ ବାହାରି ପଡ଼ିଥିଲେ। ସେହି ନିର୍ଭୀକ ଚରିତ୍ର ଯୋଗୁ ନିଜ ଦେଶବାସୀଙ୍କ ମଙ୍ଗଳ କରିବାକୁ ଯାଇ ବ୍ୟକ୍ତିଗତ କ୍ଷତି ସହିଥିଲେ।
ସୁଖର ବିଷୟ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭାରତରେ କୌଣସି ନାମୀଦାମୀ ଲୋକ ଏଭଳି ନିର୍ବୁଦ୍ଧିଆ ଜନସେବା କରିବାକୁ ବାହାରି ନାହାନ୍ତି କିମ୍ବା ନିଜେ କ୍ଷତିର ଶିକାର ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri