ଏମିତି ରହିଲେ

ଦେଖିବାକୁ ଗଲେ ଭରତରେ ପ୍ରାୟ ଅଧିକାଂଶ ଜାଗାରେ ଡାକ୍ତରଖାନା ଖାଲିପଡ଼ିଛି। ବାରମ୍ବାର ମୋବାଇଲ୍‌ ଫୋନ୍‌ରେ ଏସ୍‌ଏମ୍‌ଏସ୍‌ ପଠାଇ ଜନସାଧାରଣଙ୍କୁ ଜଣାଇବା ପାଇଁ ବ୍ୟାକୁଳ ହେଉଛନ୍ତି ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଯେ, ସବୁକିଛି ସାଧାରଣ ଭାବେ କାର୍ଯ୍ୟ କରୁଛି ଓ ରୋଗୀ ଚାହିଁଲେ ଚିକିତ୍ସା ପାଇଁ ଆସିପାରିବେ। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। କେବଳ ମୁମ୍ବାଇ ଓ କେତୋଟି ସ୍ଥାନକୁ ଛାଡ଼ିଦେଲେ ଡାକ୍ତରମାନେ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀଙ୍କ ପ୍ରତି ଭୟଭୀତ ହୋଇ ରହିଛନ୍ତି। ବିଶେଷକରି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପ୍ରାରମ୍ଭିକ ସ୍ତରରେ ଭଲ ଉଦ୍ଦେଶ୍ୟ ରଖାଯାଇ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ସେବା ଦିଆଯାଇଥିଲା। ସେତେବେଳେ ସରକାରୀ ଏବଂ ସାମାଜିକ ସ୍ତରରେ ସେହି ଡାକ୍ତରଖାନା ବିରୋଧରେ ସମସ୍ତେ ଉଦୁରୁମତା ହୋଇ ମାତିଥିଲେ। ତା’ପରେ ପ୍ରାୟ ଅଧିକାଂଶ ଘରୋଇ ଚିକିତ୍ସାଳୟରେ ସେବା ବନ୍ଦ କରିଦିଆଯାଇଛି। ଅର୍ଥାତ୍‌ ଯେଉଁସବୁ ବାର୍ତ୍ତା ପଠାଯାଉଛି ତାହା ସବୁ ଅସତ୍ୟ ଏବଂ ରେକର୍ଡ ପାଇଁ ଉଦ୍ଦିଷ୍ଟ। ଯେଉଁ କେତୋଟି ସରକାରୀ ଓ ଘରୋଇ ଡାକ୍ତରଖାନାରେ ରୋଗୀ ସେବା କରାଯାଉଛି, ସେଗୁଡ଼ିକୁ କମ୍‌ ସଂଖ୍ୟକ ରୋଗୀ ଆସୁଛନ୍ତି। ଭାରତରେ ସ୍ବାସ୍ଥ୍ୟସେବା କର୍ମୀଙ୍କୁ ‘କରୋନା ଯୋଦ୍ଧା’ କହିବା କେତେଦୂର ଯୁକ୍ତିଯୁକ୍ତ ତାହା ଇତିହାସ କହିବ।
ଲକ୍‌ଡାଉନ୍‌ ଆରମ୍ଭରେ ପୋଲିସ କର୍ମଚାରୀଙ୍କ ଉତ୍‌ଫୁଲ୍ଲତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ସତ୍ୟ ଯେ, ଭାରତୀୟମାନେ ସାଧାରଣତଃ ଆଇନ ଭଙ୍ଗ କରିବାକୁ ପସନ୍ଦ କରିଥାନ୍ତି। ହୁଏତ ଜାତିର ଏହି ଜଘନ୍ୟ ଚରିତ୍ରକୁ ବୁଝିକରି ତାହାର ସଦୁପଯୋଗ କରିବାକୁ ଯାଇ ମହାତ୍ମା ଗାନ୍ଧୀ ୧୯୩୦ରେ ସିଭିଲ୍‌ ଡିସୋବିଡେନ୍ସ ବା ଆଇନ ଅମାନ୍ୟ ଆନ୍ଦୋଳନ କରାଇଥିଲେ। କିନ୍ତୁ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ପୋଲିସ ବାହିନୀକୁ ମିଳିଥିବା ଅସମ୍ଭବ କ୍ଷମତାର ରୂପ ଲାଠି ମାଡ଼ରେ ଦେଖିବାକୁ ମିଳିଛି। ଗୁଜରାଟ ପୋଲିସ ମାଡ଼ରେ ଓଡ଼ିଆ ଯୁବକର ମୃତ୍ୟୁଠାରୁ ଆରମ୍ଭ କରି କଟକରେ ମହିଳା ଏସ୍‌ଆଇଙ୍କ ମାଡ଼ରେ ପରିବା ବିକାଳି ଲହୁଲୁହାଣ ହେବା ଦୈନନ୍ଦିନ ବିଷୟ ହୋଇଗଲାଣି। ଏହାଦ୍ୱାରା ପୋଲିସର ନିଷ୍ଠାପରତାକୁ ସମାଲୋଚନାର କରିବାର ଉଦ୍ଦେଶ୍ୟ ନାହିଁ। ବିଚରା କନ୍‌ଷ୍ଟେବଲ, ହାବିଲଦାର, ଏଏସ୍‌ଆଇ, ଏସ୍‌ଆଇ ଥାନା ଛାଇରେ ବସି ଟଙ୍କା ଆଦାୟ କରିବା ପରିବର୍ତ୍ତେ ରାସ୍ତାରେ ଉଦୁଉଦିଆ ଖରାରେ ଛିଡ଼ାହୋଇ କଷ୍ଟ ଭୋଗିବା ସହିତ କରୋନା ଭାଇରସ୍‌ର କୋପଦୃଷ୍ଟିର ଶିକାର ହେବାର ମଧ୍ୟ ଆଶଙ୍କା ରହିଛି। ବାସ୍ତବରେ ଦେଖିବାକୁ ଗଲେ ପୋଲିସର କାର୍ଯ୍ୟକୁ ‘କରୋନା ଯୋଦ୍ଧା’ ଆଖ୍ୟା ଦିଆଯାଇପାରିବ। ସବୁ କଥାରେ ‘କମ୍ପ୍ରମାଇଜ୍‌’ କରିବାର ଦକ୍ଷତା ରଖିଥିବା ପୋଲିସ ଏବେ ଖରା ଖାଇ ହାଲିଆ ହୋଇପଡ଼ିଲେଣି। ତଳତଳିଆ ପୋଲିସ କର୍ମଚାରୀ ଅନେକ କଷ୍ଟ କରୁଥିବା ବେଳେ ଆଶ୍ଚର୍ଯ୍ୟର କଥା ଯେ, ଉଚ୍ଚପଦସ୍ଥ ଅଫିସର ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ରାଜ୍ୟବ୍ୟାପୀ କୌଣସି ଜାଗାରେ ବୁଲୁଥିବାର ଖବର ମିଳୁନାହିଁ। ଏହି ଯୋଦ୍ଧାକୁ କରୋନା ଭୟ ଘାରୁଥାଇପାରେ।
ରାଜ୍ୟର ଅଧିକାଂଶ ଜାଗାରେ ମ୍ୟୁନିସିପାଲିଟି କର୍ମଚାରୀମାନେ ନିଜର ଦାୟିତ୍ୱ ଅତି ଭଲରେ ନ ହେଲେ ମଧ୍ୟ ଭଲଭାବରେ ତୁଲାଉଥିବାର ଖବର ମିଳୁଛି। ସେମାନଙ୍କ ଜୀବନ ପ୍ରତି ବିପଦ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଅଧିକ। ଚାଇନାର ଉହାନ ସହରରୁ ମିଳୁଥିବା ଖବର ଅନୁଯାୟୀ ବର୍ଜ୍ୟବସ୍ତୁରେ ସଂକ୍ରମଣ ରହୁଥିବାର ଲକ୍ଷ୍ୟ କରାଯାଇଛି। ଆମେ ସାଧାରଣ ନାଗରିକ ମଧ୍ୟ ଏହି ସମୟରେ ନିଜ ଚରିତ୍ରକୁ ବଦଳାଇ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିନାହୁଁ।
ନିଜ ଜୀବନ ପ୍ରତି ଭୟ ଆମ ସମସ୍ତଙ୍କୁ ଥରହର କରିଦେଇଛି। କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ୍‌ ସଫଳତାର ଏକମାତ୍ର କାରଣ ହେଲା- କାଳେ ମୁଁ ମରିଯିବି କି? ଅର୍ଥାତ୍‌ ଭୟ ଯୋଗୁ ଆମେ ସମସ୍ତେ କିଛି ପରିମାଣରେ ସଂଯତ ରହିଛୁ। ନିୟମ ମାନିବାକୁ ମନ ବଳାଉ ନାହୁଁ। କୋହଳ ହେଲା ବୋଲି ଶୁଣିବା ମାତ୍ରକେ ରାସ୍ତାର ଭୁଲ୍‌ ସାଇଡ୍‌ରେ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ସବୁ ପ୍ରକାର ଅନିୟମିତତା କୁମ୍ପି ବାଣ ଭଳି ଫୁଟି ବାହାରୁଛି। ଏଇସବୁ ନକାରାତ୍ମକ ବ୍ୟବହାର ସତ୍ତ୍ୱେ ଲକ୍‌ଡାଉନ୍‌ ବା ସରକାରଙ୍କ ଦ୍ୱାରା ଘୋଷିତ ତାଲାବନ୍ଦ ଅନେକ ସକାରାତ୍ମକ ପ୍ରଭାବ ମଧ୍ୟ ପକାଇଛି। ଏହା ପ୍ରମାଣ କରିଦେଇଛି ଯେ, ବିନା କାରଣରେ ଖର୍ଚ୍ଚ ନ କରି ସର୍ବନିମ୍ନ ବ୍ୟୟରେ ମଣିଷ ବଞ୍ଚିପାରିବ। ମୋଟରସାଇକେଲ ବା ଗାଡ଼ି ନ ଚଳାଇ ଆମେ ସମସ୍ତେ ବଞ୍ଚି ରହିଛେ। ସେଥିପାଇଁ ପ୍ରଦୂଷଣ ହ୍ରାସ ପାଇଛି, ଯେଉଁଥିପାଇଁ ଭୁବନେଶ୍ୱର ଭଳି ସହରରେ ମେ’ ୧୮ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୯ ଡିଗ୍ରୀ ଭିତରେ ସୀମିତ ରହିପାରିଛି। ଗତ ଦଶନ୍ଧିକୁ ଦେଖିଲେ ଏହି ସମୟ ସୁଦ୍ଧା ସାଧାରଣତଃ ପାରଦ ୪୦ ଡିଗ୍ରୀ ଉପରକୁ ଚାଲିଯାଇଥାଏ। ସେହିପରି ଟିଟିଲାଗଡ଼, ଯେଉଁଠାରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ପହଞ୍ଚିଥାଏ, ସେଠାରେ ସର୍ବମୋଟ ୪୦.୨ ଡିଗ୍ରୀ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଆର୍କଟିକ୍‌ ଉପରେ ଓଜୋନ୍‌ ସ୍ତରରେ ଦେଖାଦେଇଥିବା ଛିଦ୍ର ଆପେ ଆପେ ବୁଜି ହୋଇଯାଇଛି। ଗଙ୍ଗା ପୁନରୁଦ୍ଧାର ଯୋଜନାରେ ସରକାର ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ସୁଫଳ ମିଳୁ ନ ଥିଲା। ଏବେ ମା’ କରୋନାଙ୍କ କରୁଣା ଯୋଗୁ ଗଙ୍ଗାମାତାଙ୍କ ଜଳ ନିର୍ମଳ ହେବାର ପରିଲକ୍ଷିତ ହୋଇଛି। ପୃଥିବୀର ବଡ଼ ବଡ଼ ସହର ରାସ୍ତାରେ ଜଙ୍ଗଲୀ ଜୀବଜନ୍ତୁ ବୁଲିବାର ଦୃଶ୍ୟ ମନକୁ ଖୁସି କରିଦେଉଛି।
ସେହିଭଳି ସରକାରୀ ତଥ୍ୟ ମିଳୁ ନ ଥିଲେ ମଧ୍ୟ ଗଣମାଧ୍ୟମ ରିପୋର୍ଟକୁ ଦେଖିଲେ ହତ୍ୟା, ଆତ୍ମହତ୍ୟା, ବଳାତ୍କାର ଭଳି ବଡ଼ ଅପରାଧ ସାମ୍ନାକୁ ଆସିନାହିଁ। ଏହାର ଅର୍ଥ ହେଲା ଅପରାଧୀମାନେ ମଧ୍ୟ ନିଜ ଜୀବନ ପ୍ରତି ସତର୍କ ହୋଇଯାଇଛନ୍ତି। ରାସ୍ତାରେ ଲୋକ କିମ୍ବା ଗାଡ଼ି ନ ଥିବାରୁ ସଡ଼କ ଦୁର୍ଘଟଣା ପ୍ରାୟ ଘଟିନାହିଁ। ଅନ୍ୟପଟେ ଘରେ ଆବଦ୍ଧ ରହୁଥିବାରୁ ଅନେକ ଘରୋଇ ହିଂସା ଓ ଅବିଚାର ବୃଦ୍ଧି ପାଉଥିବାର ଦୁଃଖଦାୟକ ଖବର ମିଳୁଛି। ଏଥିରୁ ବୁଝିବାକୁ ହେବ ଯେ ମଣିଷର ଚରିତ୍ର ବଦଳି ପାରୁନାହିଁ, କେବଳ ଭୟ ଯୋଗୁ ଅନ୍ୟାୟ ଓ ଅବିଚାର ଅନେକ ମାତ୍ରାରେ ଶିଥିଳ ହୋଇପଡ଼ିଛି।
ଶେଷରେ ଗୋଲ୍ଡମ୍ୟାନ୍‌ ସାଚ୍‌ ଅନୁମାନ ଲଗାଇଛି ଯେ, ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ଜିଡିପି ୪୫ ପ୍ରତିଶତ ଖସି ଅର୍ଥନୈତିକ ମାନ୍ଦାବସ୍ଥା ଏହି ଦେଶକୁ ତଳିତଳାନ୍ତ କରିଦେଇପାରେ। ଏଭଳି ଦୁର୍ଦ୍ଦଶା ଘଟିଥିବା ବେଳେ ମନକୁ ଏକ ପ୍ରଶ୍ନ ଆସେ। କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଶ୍ରୀମତୀ ତ୍ରୁଦୋ, ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁମୁଖରୁ ଫେରିଛନ୍ତି। ପର୍ତ୍ତୁଗାଲର ସାନ୍‌ତାନ୍‌ଦର ବ୍ୟାଙ୍କର ଅଧ୍ୟକ୍ଷ ଆଣ୍ଟୋନିଓ ଭିଏରାଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଲା। ସେହିଭଳି ଇରାନ୍‌ର ଉପରାଷ୍ଟ୍ରପତି ଓ ଅନ୍ୟ ଉଚ୍ଚପଦସ୍ଥ କର୍ମକର୍ତ୍ତା ଏହାଦ୍ୱାରା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ସ୍ପେନ୍‌ ରାଜକୁମାରୀ ମାରିଆ ଟେରେସା ରାଜପରିବାରର ସଦସ୍ୟ ଭାବେ କୋଭିଡ୍‌-୧୯ର ଶିକାର ହୋଇଛନ୍ତି। କୁହାଯାଉଛି ଏହି ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଆଗଧାଡ଼ିରେ ରହି ଜନତାଙ୍କ ସେବା କରିବାକୁ ବାହାରି ପଡ଼ିଥିଲେ। ସେହି ନିର୍ଭୀକ ଚରିତ୍ର ଯୋଗୁ ନିଜ ଦେଶବାସୀଙ୍କ ମଙ୍ଗଳ କରିବାକୁ ଯାଇ ବ୍ୟକ୍ତିଗତ କ୍ଷତି ସହିଥିଲେ।
ସୁଖର ବିଷୟ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭାରତରେ କୌଣସି ନାମୀଦାମୀ ଲୋକ ଏଭଳି ନିର୍ବୁଦ୍ଧିଆ ଜନସେବା କରିବାକୁ ବାହାରି ନାହାନ୍ତି କିମ୍ବା ନିଜେ କ୍ଷତିର ଶିକାର ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?