ଏନ୍‌କାଉଣ୍ଟର ନା ହତ୍ୟା

ଆକାର ପଟେଲ
ଅଧିକାଂଶ ପୋଲିସ ଏନ୍‌କାଉଣ୍ଟରରେ ଭାଗ ନେବାକୁ ଚାହାନ୍ତି ନାହିଁ। ସେଥିପାଇଁ ଭାରତରେ ଗୋଟିଏ ଗୋଷ୍ଠୀର ପୋଲିସ ତିଆରି ହୋଇଯାଇଛନ୍ତି, ଯେଉଁମାନଙ୍କୁ କୁହାଯାଏ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ବା ଶାର୍ପଶୁଟର। ଏଠାରେ ଦ୍ୱିତୀୟ ଶବ୍ଦଟି ଭୁଲ୍‌ଭାବେ ପ୍ରୟୋଗ କରାଯାଇଛି ଏବଂ କାହିଁକି ତାହା ଆମେ ଆଲୋଚନା କରିବା। ପ୍ରଥମେ ଆମେ ଦେଖିବା ଏନ୍‌କାଉଣ୍ଟର କାହାକୁ କହନ୍ତି। ଏହା ହେଉଛି ସରକାରଙ୍କର ଏକ କାର୍ଯ୍ୟ, ଯେଉଁଥିରେ କିଛି ଲୋକଙ୍କୁ ହାଜତ ଭିତରେ ପୂରାଇ ପରେ ମାରି ଦିଆଯାଏ। ସାଧାରଣତଃ ନିକାଞ୍ଚନ ସ୍ଥାନରେ ଏବଂ ପ୍ରାୟତଃ ରାତ୍ରିକାଳରେ ଏହା କରାଯାଏ। ହାଇଦ୍ରାବାଦରେ ଏହା ରାତ୍ରି ୩ଟାରେ କରାଯାଇଛି ଏବଂ ପୋଲିସ କହିଛି ଯେ, ସେତେବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଅପରାଧ ଘଟିଥିବା ସ୍ଥାନକୁ ନିଆଯାଇ ସେମାନେ କିଭଳି ଅପରାଧ କରିଥିଲେ ତାହାର ତଦନ୍ତ କରାଯାଉଥିଲା। ଅଳ୍ପ ଦୂରରୁ ଅଭିଯୁକ୍ତମାନଙ୍କୁ ଗୁଳି କରାଯାଏ ଏବଂ ଏହା ସାଧାରଣତଃ ପୋଷ୍ଟମର୍ଟମ୍‌ରୁ ଜଣାପଡ଼ିଥାଏ। ପୋଲିସ ଅଫିସରମାନେ ବ୍ୟବହାର କରୁଥିବା ହାତବନ୍ଧୁକଗୁଡ଼ିକ ଦୂରରୁ ଗୁଳି ମାରିବା ପାଇଁ ଉପଯୁକ୍ତ ନୁହେଁ କାରଣ ସେଗୁଡ଼ିକର ବ୍ୟାରେଲ ଛୋଟ ଏବଂ ୩୦ ଫୁଟରୁ ଅଧିକ ଦୂରରୁ ଲକ୍ଷ୍ୟଭେଦ କରିବା ଏଥିରେ ସମ୍ଭବ ହୁଏ ନାହିଁ। ସେଥିପାଇଁ ଶାର୍ପଶୁଟର ଶବ୍ଦ ପ୍ରୟୋଗ କରିବା ଭୁଲ୍‌। ସାଧାରଣତଃ ପୋଲିସ ଅଫିସର ଅଭିଯୁକ୍ତର ଦେହରେ ବନ୍ଧୁକ ଲଗାଇ ଗୁଳି କରେ କିମ୍ବା ମାଡ଼ଖାଇ ସେ ତଳେ ପଡ଼ିଥିବା ବେଳେ ତାକୁ ଗୁଳି କରେ। ସେହି ପୋଲିସ ଅଫିସରଙ୍କୁ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ କୁହାଯାଏ, ଯିଏ ନିରସ୍ତ୍ର ମଣିଷକୁ ଅଳ୍ପ ଦୂରରୁ ହତ୍ୟା କରେ। ମୁମ୍ବାଇରେ ୧୯୯୦ ଦଶକରେ ଏନ୍‌କାଉଣ୍ଟର ସଂସ୍କୃତି ଆରମ୍ଭ ହୋଇଥିଲା। ଦୟା ନାୟକ, ଯାହାଙ୍କ ଉପରେ ଅବ ତକ୍‌ ଛପନ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା, ସେ ୮୦ ଜଣଙ୍କୁ ମାରିଥିଲେ। ୨୬/୧୧ ଆକ୍ରମଣରେ ନିହତ ହୋଇଥିବା ବିଜୟ ସଲାସ୍‌କର ମଧ୍ୟ ସମାନ ସଂଖ୍ୟକ ଲୋକଙ୍କୁ ମାରିଥିଲେ। ପ୍ରଦୀପ ଶର୍ମା ୧୫୦ରୁ ଅଧିକ ଲୋକଙ୍କୁ ମାରିଥିଲେ। ଆଇନବିଶାରଦମାନେ ନିନ୍ଦାକରିବା ପରେ ଉକ୍ତ ତିନିଜଣ ଭୁଲ୍‌ କାମ କରିଥିବା ନେଇ ଅଭିଯୋଗ ହୋଇଥିଲା।
ତେବେ ପ୍ରଶ୍ନ ହେଉଛି ଅନ୍ୟ ପୋଲିସ ଅଫିସର ଏପରି କାର୍ଯ୍ୟ କରିବାକୁ କାହିଁକି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ଯଦି ଏଥିପାଇଁ ପୁରସ୍କାର ବ୍ୟବସ୍ଥା ଅଛି (ହାଇଦ୍ରାବାଦ ପୋଲିସକୁ କିପରି ହିରୋ ଭାବରେ ଚିତ୍ରଣ କରାଯାଉଛି, ତାହା ଆପଣମାନେ ଗଣମାଧ୍ୟମରୁ ଜାଣିପାରୁଥିବେ)। କାରଣ ସେମାନେ ପୋଲିସ ହେଲେ ବି ଆମ ପରି ମଣିଷ ଏବଂ ଅନ୍ୟ ମଣିଷର ଜୀବନ ନେବାକୁ ଚାହାନ୍ତି ନାହିଁ। ପାଠକମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆମେରିକୀୟ ସୈନିକ ଏସ୍‌ଏଲ୍‌ଏ ମାର୍ଶାଲ ଏହା ଉପରେ ଏକ ପୁସ୍ତକ ଲେଖିଛନ୍ତି, ଯାହାର ଶୀର୍ଷକ ହେଉଛି ମେନ୍‌ ଏଗେଁଷ୍ଟ ଫାୟାର୍‌। ମାର୍ଶାଲଙ୍କ ଥେସିସ୍‌ ଅନୁସାରେ ସୈନିକମାନେ ସାଧାରଣତଃ ପବନକୁ ବା ମାଟିକୁ ଫାୟାର କରନ୍ତି, କାରଣ ସେମାନେ ଶତ୍ରୁକୁ ମାରିବାକୁ ଚାହାନ୍ତି ନାହିଁ, ଶତ୍ରୁ ନିଜ ଉପରକୁ ଗୁଳି ମାରିଲେ ମଧ୍ୟ। ମାର୍ଶାଲ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଲେଖୁଥିଲେ କିନ୍ତୁ ଭିଏତ୍‌ନାମ ଯୁଦ୍ଧ ସମୟରେ ମଧ୍ୟ ଏହି ଅନୁଭୂତି ସମାନ ଥିଲା। ପ୍ରତି ଭିଏତ୍‌ନାମିଜ୍‌ଙ୍କ ହତ୍ୟା ପାଇଁ ଆମେରିକୀୟ ସୈନିକମାନେ ୫୦,୦୦୦ ଗୁଳିମାଡ଼ କରିଥିଲେ। ନେପୋଲିୟନଙ୍କ ଯୁଦ୍ଧ ସମୟରେ ପ୍ରୁସିଆନମାନଙ୍କ ଅଧ୍ୟୟନର ଫଳ ମଧ୍ୟ ଅନୁରୂପ ଥିଲା।
ଭାରତରେ ଗୁରୁତର ଅପରାଧ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ପ୍ରାୟ ୨୫ ପ୍ରତିଶତ। ସୁତରାଂ ୭୫ ପ୍ରତିଶତ କ୍ଷେତ୍ରରେ ପୋଲିସ ଭୁଲ୍‌ ସନ୍ଦିଗ୍ଧଙ୍କୁ ଧରିଥାଏ। ସେମାନଙ୍କୁ ଏନ୍‌କାଉଣ୍ଟରରେ ମାରିବା କେତେଦୂର ନୀତିସଙ୍ଗତ? ଅଧିକାଂଶ ପୋଲିସ ଏନ୍‌କାଉଣ୍ଟର କରିବାକୁ ଇଚ୍ଛା ନ କରିବାର ଅନ୍ୟ କାରଣ ହେଉଛି ଏହା ସିଧାସଳଖ ଏକ ହତ୍ୟା ଅପରାଧ ଏବଂ ଏଥିପାଇଁ ସେମାନେ ପରେ ଅସୁବିଧାରେ ପଡ଼ିପାରନ୍ତି। ସେଥିପାଇଁ ଆମର ଅଛନ୍ତି ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ। କୌଣସି ସଭ୍ୟ ରାଷ୍ଟ୍ରରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ନାହାନ୍ତି। ବାସ୍ତବରେ କୌଣସି ଉନ୍ନତ ଦେଶରେ ଏନ୍‌କାଉଣ୍ଟର କରି କୌଣସି ପୋଲିସ କେବେହେଲେ ବିଚାର ପ୍ରକ୍ରିୟା ଓ ଆଇନ ଜାଲରୁ ଖସିଯାଇପାରେ ନାହିଁ। ଭାରତ ହେଉଛି ଫିଲିପାଇନ୍ସ ପରି ଦେଶ ଯେଉଁଠି ପୋଲିସକୁ ଆଇନ ଭାଙ୍ଗିବାକୁ ଉତ୍ସାହିତ କରାଯାଏ ଏବଂ ହତ୍ୟା ପରି ଏକ ଅପରାଧକୁ ବୀରତା ଓ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଭାବେ ପ୍ରଦର୍ଶନ କରାଯାଏ। ବିନା ବିଚାରରେ କୌଣସି ଲୋକକୁ ହତ୍ୟା କରିବା କେବେହେଲେ ନ୍ୟାୟ ନୁହେଁ। ଯଦି ଆମେ ଅଭିଯୁକ୍ତଙ୍କୁ ସିଧା ଗୁଳି କରି ମାରିଦେବା, ତା’ହେଲେ ତଦନ୍ତ, ଜେରା, ଫୋରେନ୍ସିକ୍‌ ଟେଷ୍ଟ ଆଦିର ବ୍ୟବସ୍ଥା କାହିଁକି ରହିଛି? ଆମ ନ୍ୟାୟ ବ୍ୟବସ୍ଥାକୁ ବିଶ୍ୱ ସମୁଦାୟ କେଉଁ ଦୃଷ୍ଟିରେ ଦେଖୁଥିବ ଏଥିରୁ ସହଜରେ ଅନୁମେୟ। ସେଥିପାଇଁ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଦୁର୍ନୀତିରେ ଜଡ଼ିତ ମେହୁଲ ଚୋକ୍ସି ଭାରତରେ ତାଙ୍କୁ ମାରି ଦିଆଯାଇପାରେ ବୋଲି ଆଶଙ୍କା କରି ଭାରତକୁ ପ୍ରତ୍ୟର୍ପଣ ନ ହେବାକୁ ଯୁକ୍ତି ଦର୍ଶାଇଥିଲେ। ତାଙ୍କ ଯୁକ୍ତିକୁ ଗ୍ରହଣ କରାଯାଉ ବା ନ ଯାଉ ତାହା ଭୁଲ୍‌ ବୋଲି କହିହେବ ନାହିଁ। ନିର୍ଭୟା ମାମଲାରେ ଜଣେ ଅଭିଯୁକ୍ତ ଜେଲରେ ଫାଶୀ ଲଗାଇଦେଲେ ଏବଂ ତାଙ୍କ ଓକିଲ କହିଲେ ଯେ ତାଙ୍କୁ ମାରିଦିଆଯାଇଛି। ତାଙ୍କ ଓକିଲଙ୍କ ଅଭିଯୋଗ ସତ ବି ହୋଇପାରେ। ବର୍ତ୍ତମାନ ସାମାଜିକ କର୍ମୀମାନେ କହୁଛନ୍ତି ଯେ ହାଇଦ୍ରାବାଦରେ ବାସ୍ତବରେ ଚାରିଜଣ ଅଭିଯୁକ୍ତଙ୍କୁ ହତ୍ୟା ହିଁ କରାଯାଇଛି। ଯାହା କିଛି ଘଟିଲା ତାହା ହେଉଛି ଆମ ସଂସ୍କୃତି, ଆମ ରାଜନେତା, ଆମ ବିଚାରପତି, ଆମ ଗଣମାଧ୍ୟମ ଓ ଆମ ଜନସାଧାରଣଙ୍କ ଉପରେ ପ୍ରତିଫଳନ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri