ପ୍ରଣାମ ଜେଜେବାପା

ପ୍ରକାଶ ତ୍ରିପାଠୀ
‘ବେଟା, ଗ୍ରାଣ୍ଡ୍‌ପାଙ୍କୁ ହ୍ୟାଲୋ କହିଦିଅ।’ ମମିଙ୍କଠାରୁ ସ୍ନେହବୋଳା ଆଦେଶଟିଏ ପାଇ ଚାରିବର୍ଷର ଛୁଆଟି ତା’ର ଦରୋଟି କଥାରେ ‘ହ୍ୟାଲୋ ଗ୍ରାଣ୍ଡ୍‌ପା’ କୁହନ୍ତେ, ମୁଁ ତା’ରି ଭାଷାରେ ‘ହ୍ୟାଲୋ ମାଇଁ ଡିଅର ଗ୍ରାଣ୍ଡସନ୍‌’ କହିବା ସହ ଈଶ୍ୱର କଲ୍ୟାଣ କରନ୍ତୁ ବୋଲି ଆଶୀର୍ବାଦ ପ୍ରଦାନ କଲି। ଘଟଣାଟି ଘଟିଥିଲା ଏଇ ନିକଟରେ ଯେତେବେଳେ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ଘରେ ମୁଁ ଏକ ସନ୍ଧ୍ୟାରେ ପହଞ୍ଚିଲି। ବନ୍ଧୁଙ୍କ କନ୍ୟା ପୂର୍ବରୁ ଚିହ୍ନିଥିବାରୁ ମୋତେ ପ୍ରଣାମ କରିସାରିବା ପରେ ତାଙ୍କ ଛୋଟପୁଅଟିକୁ ଉପରୋକ୍ତ ଢଙ୍ଗରେ ମୋତେ ଅଭିବାଦନ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ। ଅଜା ବୟସର ଜଣେ ମଣିଷଙ୍କୁ ଛୋଟ ଛୁଆଟିଏ ହାତଯୋଡ଼ି ପ୍ରଣାମ ବା ପାଦସ୍ପର୍ଶପୂର୍ବକ ପ୍ରଣାମକରି ଆଶୀର୍ବାଦ ଗ୍ରହଣ କରିବା ବଦଳରେ ‘ହ୍ୟାଲୋ ଗ୍ରାଣ୍ଡ୍‌ପା’ ଉଚ୍ଚାରଣ କରି ଅଭିବାଦନ ଜଣାଇବା ଅନେକ ପାଠକଙ୍କୁ ଅଡୁଆ ଲାଗିପାରେ। ମୋତେ ବି ଅସ୍ବାଭାବିକ ଲାଗିଥିଲା ଏଭଳି ପରିସ୍ଥିତିର ସାମ୍‌ନା କରିଲା ବେଳେ। କାରଣ ଏହା ଆମ ପରମ୍ପରାର ପରିପନ୍ଥୀ।
ସମବୟସ୍କ ହୁଅନ୍ତୁ, ଗୁରୁଜନ ବା ଲଘୁଜନ ହୁଅନ୍ତୁ ସମ୍ପ୍ରତି ସ୍ବାଗତ ଓ ଅଭିବାଦନ ଆଦାନପ୍ରଦାନ ହେଉଛି ଦିବସର ବିଭିନ୍ନ ମୁହୂର୍ତ୍ତଗୁଡ଼ିକୁ ନେଇ। ସକାଳ ହୋଇଥିଲେ ଗୁଡ୍‌ ମର୍ନିଂ, ଉପରବେଳା ବା ଅପରାହ୍ଣରେ ଗୁଡ୍‌ ଆଫ୍‌ଟରନୁୁନ୍‌, ସନ୍ଧ୍ୟାରେ ଗୁଡ୍‌ ଇଭିନିଂ ଓ ରାତିର ବିଦାୟ ସମୟରେ ଗୁଡ୍‌ନାଇଟ କୁହାହେଉଛି। ବର୍ତ୍ତମାନ ସମୟର ସର୍ବୋତ୍କୃଷ୍ଟ ଅଭିବାଦନର ଭାଷା ବା ଉଚ୍ଚାରଣ ଏମିତିକି ‘ଗୁଡ୍‌’କୁ ବାଦ୍‌ ଦିଆଯାଇ କେବଳ ମର୍ନିଂ, ଇଭିନିଂ ଆଦି ଉଚ୍ଚାରଣରେ ଅଭିବାଦନର ପର୍ବ ଶେଷ ହୋଇଯାଉଛି। ସମାଜର ତଥାକଥିତ ସେଲିବ୍ରିଟିମାନଙ୍କ ଅଭିବାଦନର ଦୃଶ୍ୟ ଦେଖିଲେ ମନେହୁଏ ନାହିଁ ଯେ, ଆମେ ସତରେ ଭାରତରେ ବାସ କରୁଛୁ। ଆଲିଙ୍ଗନପୂର୍ବକ ଗାଲକୁ ଗାଲ ସ୍ପର୍ଶ କରାଇ ସ୍ବାଗତ ଓ ଅଭିବାଦନ ହୋଇଛି ଆଧୁନିକ ଅଭିବାଦନର ନୂତନ ସଂସ୍କରଣ। ହ୍ୟାଲୋ, ହାଏ ହୋଇଯାଇଛି ସମ୍ଭାଷଣ ଓ ସ୍ବାଗତର ପ୍ରଥମ ଭାଷା। ଆଉ କିଛି ଚତୁର ମଣିଷ ଜଣ ଜଣଙ୍କୁ ଅଭିବାଦନ ବଦଳରେ ସମବେତ ସମସ୍ତ ସାଧୁଜନଙ୍କୁ ‘ହ୍ୟାଲୋ ଏଭ୍ରିବଡି’ ବା ‘ହାଏ ଏଭ୍ରିବଡି’ କହି ଏକାଥରକେ ଅଭିବାଦନର ପର୍ବ ଶେଷ କରିଦେଉଛନ୍ତି। ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହରେ, ସଭାସମିତିରେ ଓ ପର୍ବପର୍ବାଣିରେ ସବୁଠାରେ ପ୍ରଦର୍ଶିତ ହେଉଥିବା ଏହି ଅଭିବାଦନର ସ୍ବରୂପକୁ ଦେଖିଲେ ବୁଝିହୁଏ ନାହିଁ ଏଥିରେ ଶ୍ରଦ୍ଧା, ସମ୍ମାନ ଓ ନମ୍ରତା ରହିଛି ନା ଏହା କେବଳ ଏକ ଔପଚାରିକତା?
ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ, ଅଭିବାଦନ ଓ ସ୍ବାଗତ କରିବା ସମୟରେ ସେମାନଙ୍କୁ ପ୍ରଣାମ କରିବା, ନମସ୍କାର କରିବା ଓ ସେମାନଙ୍କ ଚରଣ ସ୍ପର୍ଶ କରିବା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ଅଂଶବିଶେଷ। ପ୍ରଣାମ ଶବ୍ଦ ଏକ ସମ୍ମାନସୂଚକ ଶବ୍ଦ ଯାହାକି ଗୁରୁଜନ, ସମ୍ପର୍କୀୟ, ବିଦ୍ୱାନ୍‌ ଓ ଗୁରୁ ଆଦିଙ୍କ କ୍ଷେତ୍ରରେ ବ୍ୟବହାର କରାଯାଏ। ପ୍ରଣାମ (ପ୍ର+ନମ୍‌+ଅ) ସଂସ୍କୃତ ଶବ୍ଦ ନମ୍‌ ଧାତୁରୁ ଆନୀତ, ଯାହାର ଅର୍ଥ ହେଲା ବିନମ୍ର ହେବା, ଗ୍ରହଣଶୀଳ ହେବା। ପ୍ରାଚୀନ ଗୁରୁକୁଳରେ ଦଣ୍ଡବତ ପ୍ରଣାମର ପ୍ରାବଧାନ ଥିଲା ଅର୍ଥାତ୍‌ ଗୁରୁଜନଙ୍କ ଆଗରେ ଦଣ୍ଡ ପରି ଶୋଇ ପଞ୍ଚାଙ୍ଗ ବା ଅଷ୍ଟାଙ୍ଗ ମାଟିରେ ସ୍ପର୍ଶକରି ପ୍ରଣାମ କରିବା। ଭାରତୀୟ ପ୍ରାଚୀନ ପରମ୍ପରା ଅନୁଯାୟୀ ଛୋଟ ପିଲାମାନଙ୍କୁ ପ୍ରଥମରୁ ପ୍ରଣାମ, ପାଦସ୍ପର୍ଶ ଆଦି ଆଚରଣ ପ୍ରଦର୍ଶନ କରିବା ପାଇଁ ଶିକ୍ଷା ଦିଆଯାଇଥାଏ। ପରିବାରର ବରିଷ୍ଠ ସଦସ୍ୟମାନଙ୍କ ଏତାଦୃଶ ଆଚରଣ ଦେଖି ଦେଖି କନିଷ୍ଠମାନେ ସେଥିରେ କ୍ରମଶଃ ଅଭ୍ୟସ୍ତ ହୋଇଯାନ୍ତି। ଜଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ପ୍ରଣାମ କରିବା ବା ମୁଣ୍ଡ ତଳେ ଲଗାଇ ପ୍ରଣାମ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ଅନେକ ଫାଇଦା ମିଳିଥାଏ। ପୂର୍ଣ୍ଣ ଶ୍ରଦ୍ଧା ସହିତ ନତମସ୍ତକ ହେବା ବା ଚରଣସ୍ପର୍ଶ କରିବା ଦ୍ୱାରା ନିଜର ବିନମ୍ରତାର ପରିପ୍ରକାଶ ହେବା ସହ ମନକୁ ଶାନ୍ତି ମିଳିଥାଏ ଓ ଅନ୍ୟକୁ ପ୍ରଭାବିତ ଓ ଆକର୍ଷିତ କରିବାର ସଫଳତା ମିଳିଥାଏ। ବହୁ ଗୁରୁଜନଙ୍କୁ ପ୍ରଣାମ କରିବା ପାଇଁ ଅଣ୍ଟା ବାରମ୍ବାର ନଇଁବା ଦ୍ୱାରା ମେରୁଦଣ୍ଡର ବ୍ୟାୟାମ ହୁଏ ଓ ପରମାୟୁ ବୃଦ୍ଧି ପାଏ। ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତି ଯଦି ତାଙ୍କର ଗୁରୁଜନଙ୍କୁ ପାଦସ୍ପର୍ଶ ପୂର୍ବକ ପ୍ରଣାମ ଜଣାନ୍ତି, ତେବେ ସେହି ଗୁରୁଜନ ଚରଣ ସ୍ପର୍ଶ କରିଥିବା ବ୍ୟକ୍ତିଙ୍କ ମସ୍ତକକୁ ସ୍ପର୍ଶକରି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ପାଦ ଓ ହାତର ଅଗ୍ରଭାଗ ନେଗେଟିଭ୍‌ ପୋଲ୍‌ ପରି ଓ ମୁଣ୍ଡ ପଜିଟିଭ୍‌ ପୋଲ୍‌ ପରି କାମ କରେ। ତେଣୁ ଗୁରୁଜନଙ୍କ ଏହି ଆଶୀର୍ବାଦ ଏକ ସକାରାତ୍ମକ ଶକ୍ତି ରୂପରେ ସେହି ବ୍ୟକ୍ତିଙ୍କ ଶରୀରରେ ପ୍ରବାହ ହୋଇଥାଏ। ଏହା ବ୍ୟକ୍ତିର ଆଧ୍ୟାତ୍ମିକ ତଥା ମାନସିକ ବିକାଶରେ ସହାୟକ ହୋଇଥାଏ। ଶାସ୍ତ୍ର କୁହେ, ଯଦି ଜଣେ ମଣିଷ ପ୍ରତ୍ୟେକ ଦିନ ଗୁରୁଜନଙ୍କୁ ଭକ୍ତିର ସହ ପ୍ରଣାମ କରେ, ତେବେ ସେ ଆୟୁ, ବିଦ୍ୟା, ଯଶ ଓ ବଳର ଅଧିକାରୀ ହୋଇଥାଏ। ପ୍ରଣାମ ଦ୍ୱାରା ମଣିଷଠାରେ ନମ୍ରତା, ଶିଷ୍ଟତା, ଧୈର୍ଯ୍ୟ ଆଦି ଈଶ୍ୱରୀୟ ଗୁଣ ବୃଦ୍ଧି ହେବା ସହ ଗର୍ବ, ଅହଂକାର ଆଦିର ବିଲୋପ ଘଟିଥାଏ। କିଛି ଗବେଷକ ମତ ରଖନ୍ତି ଯେ, ଦୁନିଆର ସବୁ ବସ୍ତୁ ଗୁରୁତ୍ୱାକର୍ଷଣ ଅର୍ଥାତ୍‌ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିରେ ଆବଦ୍ଧ। ନିଉଟନ୍‌ଙ୍କ ଏହି ନିୟମ ମଣିଷ ଶରୀର ପାଇଁ ମଧ୍ୟ ଲାଗୁ ହୋଇଥାଏ। ମଣିଷର ମସ୍ତକକୁ ଉତ୍ତର ମେରୁ ଓ ଚରଣକୁ ଦକ୍ଷିଣ ମେରୁ ଭାବେ ଗ୍ରହଣ କରାଯାଏ। ଏହା ବୁଝିବାକୁ ପଡ଼ିଥାଏ ଯେ, ଗୁରୁତ୍ୱାକର୍ଷଣର ଶକ୍ତି ବା ଚୁମ୍ବକୀୟ ଶକ୍ତି ସର୍ବଦା ଉତ୍ତରମେରୁରେ ପ୍ରବେଶ କରି ଦକ୍ଷିଣ ମେରୁକୁ ପ୍ରବାହିତ ହୁଏ। ଅର୍ଥାତ୍‌ ମଣିଷ ଶରୀରର ଉତ୍ତର ମେରୁ (ମସ୍ତକ)କୁ ସକାରାତ୍ମକ ଶକ୍ତି ପ୍ରବେଶ କରି ଦକ୍ଷିଣ ମେରୁ (ପାଦ)କୁ ପ୍ରବାହିତ ହୋଇ ସେଠାରେ ଠୁଳ ହୋଇ ରହିଥାଏ। ହାତ ଦ୍ୱାରା ଚରଣ ସ୍ପର୍ଶ କରି ସେହି ଶକ୍ତିକୁ ଗ୍ରହଣ କରିବାକୁ ଚରଣ ସ୍ପର୍ଶ ପ୍ରଣାମ କୁହାଯାଇଥାଏ। ଏହା ଏକପ୍ରକାର ସୂକ୍ଷ୍ମ ବ୍ୟାୟାମ। ଏହା ରକ୍ତ ପ୍ରବାହକୁ ତ୍ୱରାନ୍ବିତ କରିବା ସହ ମାନସିକ ସ୍ଥିରତା, ଦିବ୍ୟତା ଓ ଦୃଢ଼ତା ବୃଦ୍ଧି କରିଥାଏ।
ନମସ୍କାର ବିନୟସୂଚକ ଅଟେ। ଦୁଇହାତକୁ ଯୋଡ଼ି ବକ୍ଷସ୍ଥଳର ମଧ୍ୟଭାଗରେ ରଖି ଏକନିଷ୍ଠ ହେଲେ ତାହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଓ ଏହାକୁ ନମସ୍କାର ମୁଦ୍ରା କୁହାଯାଏ। ଦୁଇ ହାତର ପାପୁଲି ଓ ଆଙ୍ଗୁଠିରେ ଥିବା ସ୍ନାୟୁ ମସ୍ତିଷ୍କ ସହ ଯୋଡ଼ିହୋଇ ରହିଥାଏ ଓ ନମସ୍କାର ମୁଦ୍ରାରେ ଏହା ସକ୍ରିୟ ହେବା ସହ ହୃଦୟଚକ୍ରକୁ ତ୍ୱରାନ୍ବିତ କରିଥାଏ। ଏହା ମନକୁ ଶାନ୍ତି, ପ୍ରସନ୍ନତା ପ୍ରଦାନ କରିବା ସହ ହୃଦୟରେ ଦୃଢ଼ତା ଓ ନିର୍ଭୀକତା ସୃଷ୍ଟିକରେ। ଦୁଇହାତକୁ ଯୋଡ଼ି କରାଯାଉଥିବା ପ୍ରଣାମ ପରସ୍ପରକୁ ନିଜ ନିଜ ଭାବନାର ଅର୍ପଣ ଓ ପ୍ରଣତ ହେବାର ଅଭିବ୍ୟକ୍ତି ମାତ୍ର। ପ୍ରାଚୀନ ଭାରତରେ ଗୁରୁ ପରମ୍ପରା ବିଧାନ ଅନୁଯାୟୀ ଗୁରୁଙ୍କ ଚରଣ ଯୁଗଳର ଅଙ୍ଗୁଳିରୁ ପ୍ରବାହିତ ହେଉଥିବା ଶକ୍ତିକୁ ନିଜ ମସ୍ତକରେ ଧାରଣ କରିବା ଶିଷ୍ୟମାନଙ୍କର ଉଦ୍ଦେଶ୍ୟ ଥିଲା। ଏହି ଆଧ୍ୟାତ୍ମିକ ଶକ୍ତିର ପ୍ରବାହ ଦ୍ୱାରା ଶିଷ୍ୟର ଜୀବନରେ କ୍ରମଶଃ ଗୁଣାତ୍ମକ ପରିବର୍ତ୍ତନ ଆସୁଥିଲା।
ପ୍ରଣାମର ଉପକାରିତାକୁ ନେଇ ମହାଭାରତରେ ଏକ ସୁନ୍ଦର ଘଟଣାର ଅବତାରଣା କରାଯାଇଛି। ମହାଭାରତ ଯୁଦ୍ଧ ସମୟର କଥା। ରାତି ପାହିଲେ ପିତାମହ ଭୀଷ୍ମ ପଞ୍ଚୁପାଣ୍ଡବଙ୍କୁ ନାଶ କରିବେ ବୋଲି ଘୋଷଣା କରିସାରିବା ପରେ ପାଣ୍ଡବ ଶିବିରରେ ଭୟର ବାତାବରଣ ଖେଳିଯାଇଥାଏ। ଭୀଷ୍ମଙ୍କୁ କିପରି ସମ୍ମୁଖୀନ କରାଯିବ ସେଥିପାଇଁ ସମସ୍ତେ ଚିନ୍ତିତ ଥାଆନ୍ତି। ଦ୍ରୌପଦୀଙ୍କୁ ସାଥିରେ ନେଇ ସେହି ରାତିରେ କୃଷ୍ଣ ପିତାମହ ଭୀଷ୍ମଙ୍କ ଶିବିରକୁ ବାହାରିପଡ଼ିଲେ। ଭିତରକୁ ଯାଇ ପିତାମହଙ୍କୁ ପ୍ରଣାମ କରିବାକୁ ଦ୍ରୌପଦୀଙ୍କୁ ପରାମର୍ଶ ଦେଇ କୃଷ୍ଣ ବାହାରେ ଅପେକ୍ଷା କରି ରହିଲେ। ପିତାମହ ଭୀଷ୍ମଙ୍କୁ ଦ୍ରୌପଦୀ ନତମସ୍ତକ ହୋଇ ପ୍ରଣାମ କରନ୍ତେ ଭୀଷ୍ମ ଆଶୀର୍ବାଦ ପ୍ରଦାନ କରି କହିଲେ, ‘ଅଖଣ୍ଡ ସୌଭାଗ୍ୟବତୀ ଭବ’। ଶିବିରରୁ ଫେରିବା ବେଳେ ଦ୍ରୌପଦୀ ପ୍ରଣାମ କରିବାର କାରଣ ପଚାରନ୍ତେ ଭଗବାନ ଶ୍ରୀକୃଷ୍ଣ ସ୍ମିତହସି କହିଲେ- ଥରୁଟିଏ ପିତାମହଙ୍କୁ ପ୍ରଣାମ କରି ତୁମେ ତୁମର ପଞ୍ଚପତିଙ୍କ ଜୀବନଦାନ ପାଇଗଲ। ଯଦି ପ୍ରତିଦିନ ଭୀଷ୍ମ, ଧୃତରାଷ୍ଟ୍ର, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ବିଦୁର ପ୍ରମୁଖ ଗୁରୁଜନଙ୍କୁ ପ୍ରଣାମ କରିଥାନ୍ତ, ତେବେ ଆଜିର ଏ ମହାଭାରତ ଯୁଦ୍ଧର କୌଣସି ଆବଶ୍ୟକତା ପଡି ନ ଥାନ୍ତା।
ଉଗ୍ର ଆଧୁନିକତାର ବଶବର୍ତ୍ତୀ ହୋଇ ଆଜିର ମଣିଷ ସ୍ପନ୍ଦନହୀନ, ଭାବନାହୀନ ହ୍ୟାଲୋ, ହାଏ, ଗୁଡ୍‌ମର୍ନିଂ, ଗୁଡ୍‌ ଇଭିନିଂ କହି ଔପଚାରିକତା ସମ୍ପାଦନ କରୁଛି ସତ, ମାତ୍ର ଏହାଦ୍ୱାରା ସମ୍ବନ୍ଧ ମଧୁର ହେଉନାହିଁ କି ଭାବଗତ ସମ୍ପର୍କ ବୃଦ୍ଧି ହେଉନାହିଁ। ପ୍ରାଚୀନ ଭାରତୀୟ ପରମ୍ପରାର ଚରଣସ୍ପର୍ଶ ପ୍ରଣାମ, ମଥାନତ ପ୍ରଣାମ, ଦଣ୍ଡ ପ୍ରଣାମ ଓ ନମସ୍କାରର ଗୁରୁତ୍ୱକୁ ଉପଲବ୍ଧି କରି ଆଗାମୀ ପିଢ଼ିକୁ ଏଥିପାଇଁ ଆଜିଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ‘ହ୍ୟାଲୋ ଗ୍ରାଣ୍ଡ୍‌ପା’ ବଦଳରେ ‘ପ୍ରଣାମ ଜେଜେବାପା’ ଶୁଣିବାକୁ ଆମକୁ ଆଶା ରଖିବାକୁ ହେବ।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri