ଗୁଆହାଟୀ,୫ା୫: ଆସାମ ବିଧାନସଭା ନିର୍ୱାଚନରେ ୩ ପୂର୍ୱତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପରାଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ତଥା ଏମ୍ପି ଗୌରବ ଗୋଗୋଇ, ପୂର୍ୱ ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ରହିଛନ୍ତି। ଗୌରବଙ୍କ ବାପା ତରୁଣ ଗୋଗୋଇ ଆସାମରେ ସର୍ୱାଧିକ ୧୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ଗୌରବ ଜୋରହାଟ ଆସନରୁ ଭାଜପା ବିଧାୟକ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କଠାରୁ ୨୩,୧୮୨ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।
ସେହିପରି ୨ ଥର ମୁଖ୍ୟମନ୍ତ୍ରୀ ଥିବା ହିତେଶ୍ୱର ସାଇକିଆଙ୍କ ପୁଅ ଦେବବ୍ରତ ନିଜ ପାରିବାରିକ ନିର୍ୱାଚନମଣ୍ଡଳୀ ନାଜିରାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ତୃତୀୟ ପୂର୍ୱତନ ମୁଖ୍ୟମନ୍ତ୍ରୀ ଭୂମିଧର ବର୍ମନଙ୍କ ପୁଅ ଦିଗନ୍ତ ବର୍ମନ ବରକ୍ଷେତ୍ରୀ ଆସନରେ ଭାଜପାର ନାରାୟଣ ଡେକାଙ୍କଠାରୁ ପରାଜିତ ହୋଇଛନ୍ତି।

