ଆମ ଗାଁ ଏବେ ବି ପ୍ରାସଙ୍ଗିକ

ଶକ୍ତି ପ୍ରସାଦ ଦାସ

କରୋନା ଭାଇରସର ଉପରାନ୍ତ ଦୃଶ୍ୟପଟକୁ ଆକଳନ କଲାବେଳେ, ୧୯୯୦ ଦଶକର ଅର୍ଥନୈତିକ ସଂସ୍କାର ବ୍ୟବସ୍ଥା ଓ ନୀତିଗୁଡିକର ପୁନଃ ସମୀକ୍ଷା କରିବାକୁ ହେବ। ଯେତେ କଷ୍ଟ ସହିବାକୁ ପଡୁନା କାହିଁକି, ପଛକୁ ନ ଫେରିବାର ଯୁକ୍ତି ଅନେକ ଆସିବ। କାରଣ, ତୃତୀୟ ବିଶ୍ୱର ଏକ ଦେଶ ହିସାବରେ ଭାରତ ଏହି ଅର୍ଥନୈତିକ ସଂସ୍କାରକୁ ପାଶ୍ଚାତ୍ୟ ଢଙ୍ଗରେ ଗ୍ରହଣ କରିନେବା ଛଡ଼ା ଅନ୍ୟ କିଛି ପ୍ରଶ୍ନ କରିବାର ସ୍ଥିତିରେ ନ ଥିଲା। ରାଷ୍ଟ୍ର ନିଜସ୍ବ ଭିତ୍ତିଭୂମିକୁ ହ୍ରାସକରି, ଘରୋଇ ସଂସ୍ଥା ପାଇଁ କିଛି ନିୟମ ପ୍ରଣୟନ କରି, ନିଜେ ପଛ ସିଟ୍‌କୁ ଚାଲିଯିବାକୁ ଉଚିତ ମଣିଲା।
ଗ୍ରାମାଞ୍ଚଳ ଏହି ପରିବର୍ତ୍ତନର ପ୍ରଥମ ଶିକାର ହେଲା। ଗ୍ରାମ୍ୟ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଅଣାଗଲା। କୃଷିକ୍ଷେତ୍ରକୁ ଆର୍ଥିକ ପ୍ରଗତିର ଚାଳକ ବୋଲି ଗଣାଗଲା ନାହିଁ। କୁହାଗଲା କି କୃଷିକ୍ଷେତ୍ରରେ ଉତ୍ପାଦକତା ଓ ଆୟ ବଢୁନାହିଁ। ବାସ୍ତବରେ ଭାରତ ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ ୨୦୧୭-୧୮ ବର୍ଷ ପାଇଁ ଚାଉଳର ଉତ୍ପାଦକତାର ସର୍ବଭାରତୀୟ ହାର ୨୫୮୭କେଜି ପ୍ରତି ହେକ୍ଟର ହୋଇଥିବାବେଳେ ୧୯୯୦-୯୧ରେ ସେହି ମୂଲ୍ୟ ୧୭୪୦ ଥିଲା। ସେହିପରି ଗହମର ଉତ୍ପାଦକତା ହାର ୨୦୧୭-୧୮ରେ ୩୩୭୧ ଥିବାବେଳେ, ୧୯୯୦-୯୧ରେ ସେହି ମୂଲ୍ୟ ୨୨୮୧ ଥିଲା। ଡାଲିର ହାର ୨୦୧୭-୧୮ରେ ୮୪୧ ଥିବାବେଳେ, ୧୯୯୦-୯୧ରେ ୫୭୮ ଥିଲା। ତେଣୁ, ଉତ୍ପାଦକତା କମୁଛି ବୋଲି କୁହାଯିବା ହଜମ ହେଉନାହିଁ। ବରଂ ଉପଯୁକ୍ତ ‘ସର୍ବନିମ୍ନ ସହାୟକ ମୂଲ୍ୟ’ର ଅଭାବ ଓ ଅବ୍ୟବସ୍ଥିତ ବଜାର ବ୍ୟବସ୍ଥା କାରଣରୁ କୃଷିକୁ ଏକପ୍ରକାର ଉଦ୍ୟୋଗ ଜଗତରୁ ଦୂରେଇ ଦିଆଯାଇଛି। ଫଳସ୍ବରୂପ ଦେଖାଯାଇଛି କି ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମ୍ୟ କୃଷିବଳର ବେଶ୍‌ କିଛି ବଡ଼ ଅଂଶ କୃଷି କ୍ଷେତ୍ର ଛାଡ଼ି ନିର୍ମାଣ ତଥା ଅନ୍ୟାନ୍ୟ କ୍ଷେତ୍ରକୁ ମୁହାଁଇଛନ୍ତି। ତଥ୍ୟ କହୁଛି ଯାହା ବି ଗ୍ରାମ୍ୟ ଶ୍ରମବଳ ଉପଲବ୍ଧ ଅଛି, ତା’ର ୩୪ ପ୍ରତିଶତ ଅଣ-କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଗତ କିଛିବର୍ଷ ଧରି ଶୁଦ୍ଧ ଚାଷ ଏରିଆ ୩୬.୧ ରୁ ୩୪.୧ ପ୍ରତିଶତ କମିଛି ଓ ପୂର୍ବରୁ ଚାଷ ହେଉଥିବା ଜମିସବୁ ଅନାବାଦୀ ପଡ଼ିଛି I
ଏହିପରି ଭାବରେ ଗ୍ରାମାଞ୍ଚଳଗୁଡ଼ିକ ସାର୍ବଜନୀନ ଅର୍ଥ ବିନିଯୋଗ ପାଇଁ ଆଉ ଉପଯୁକ୍ତ କାର୍ଯ୍ୟଦକ୍ଷ୍ୟ ସ୍ଥାନ ହୋଇ ରହିନାହିଁ ବୋଲି ଏକ ଧାରଣା ସୃଷ୍ଟି କରାଯାଇଛି। ଏହାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଗ୍ରାମାଞ୍ଚଳରୁ ସହରକୁ ଶ୍ରମିକ ସ୍ଥାନାନ୍ତରଣକୁ ଉତ୍ସାହିତ କରାଗଲା। ଫଳ ସ୍ବରୂପ ବଡ଼ ବଡ଼ ସହରଗୁଡ଼ିକରେ ମାଳ ମାଳ ଅସ୍ବାସ୍ଥ୍ୟକର ବସ୍ତି ଗଢ଼ିଉଠିଛି। କିଛି ସମାଜ-ବିଜ୍ଞାନୀ ପ୍ରଚାର କରିବାକୁ ଲାଗିଲେ ଯେ, ଭାରତରେ ଗାଁ ସବୁ ବିଲୁପ୍ତ ହେବାକୁ ଯାଉଛି। ଯୁକ୍ତି ହେଲା- ଗ୍ରାମ୍ୟ ଜୀବିକାର ଉତ୍ସ କୃଷି, ଯୁବକମାନଙ୍କୁ ଆକର୍ଷିତ କରିବା ପାଇଁ ଆଉ ଲାଭଜନକ ହେଉନାହିଁ। ହସ୍ତଶିଳ୍ପ କାରିଗର ଓ ମହିଳାମାନେ ରାଷ୍ଟ୍ରର ସହାୟତା ବିନା ଉଧେଇପାରିବେ ନାହିଁ। ଛାତ୍ରମାନଙ୍କୁ ଶିକ୍ଷା ଦିଆଗଲା କି ଗ୍ରାମ୍ୟ-ଜୀବିକାର ସଙ୍କୋଚନ ଏକ ବିଶ୍ୱବ୍ୟାପୀ ପ୍ରକ୍ରିୟା। ତେଣୁ ଏହା ଭାରତରେ ଅପରିହାର୍ଯ୍ୟ। ଆଧୁନିକୀକରଣର ଏହି ସାମାଜିକ ତତ୍ତ୍ୱରେ ଆମେ କିଛି ଭୁଲ୍‌ ଦେଖିଲେ ନାହିଁ। ଏପରି ଐତିହାସିକ ନିୟତିକୁ ଗ୍ରହଣ କରିନେଇ, ଇତିହାସକୁ ଏହାର ସହଜ ପଥ ବାଛି ନେବାର ପ୍ରକ୍ରିୟାକୁ ଦେଖିବା ଛଡ଼ା ଆମ ପାଇଁ ଆଉ ଅଧିକ କିଛି ଚିନ୍ତା କରିବା ସମ୍ଭବ ହେଲାନାହିଁ।
ଜୋରଜବରଦସ୍ତ ଲଦି ଦିଆଯାଇଥିବା ରୁଗ୍ଣ ଅର୍ଥନୈତିକ ଅବସ୍ଥାକୁ ଯୁଝି ନ ପାରି ଗ୍ରାମାଞ୍ଚଳର କାର୍ଯ୍ୟକ୍ଷମ ଶ୍ରମିକବର୍ଗ ସହରର ଉପଲବ୍ଧ ଆକର୍ଷଣୀୟ ରୋଜଗାର ସୁବିଧା ଦ୍ୱାରା ଲୋଭାନ୍ବିତ ହୋଇ ସହରମୁହାଁ ହେଲେ। ରାଜ୍ୟ ଅର୍ଥନୀତିକୁ କୃଷିର ଅବଦାନ କମିବାକୁ ଲାଗିଲା। ଅର୍ଥନୈତିକ ସର୍ବେକ୍ଷଣ-୨୦୧୯-୨୦ ଅନୁଯାୟୀ, ଆମ ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ରାଜ୍ୟର ସକଳ ବର୍ଦ୍ଧିତ ମୂଲ୍ୟ(ଜି.ଭି.ଏ.)ରେ ମାତ୍ର ୧୯.୯ ପ୍ରତିଶତ ଯୋଗଦାନ ଦେଉଛି। ଅପରପକ୍ଷରେ ଅବଧିକ ଶ୍ରମବଳ ସର୍ବେକ୍ଷଣ(ପି.ଏଲ୍‌.ଏଫ୍‌.ଏସ୍‌.)-୨୦୧୮ ତଥ୍ୟ ଅନୁଯାୟୀ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ରାଜ୍ୟର ସମୁଦାୟ କାର୍ଯ୍ୟବଳର ୪୮.୮ ପ୍ରତିଶତ ଲୋକଙ୍କୁ ଜୀବନ-ଜୀବିକା ଦେଉଥିବାର ଜଣାଯାଏ। ଅଧିକନ୍ତୁ, କୃଷି ଉତ୍ପାଦନ ଅନେକ କୃଷି-ଆଧାରିତ ଶିଳ୍ପ ତଥା ରାଜ୍ୟର ଅର୍ଥନୀତି ପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି I
ଏହି ପରିବର୍ତ୍ତିତ ଢାଞ୍ଚା, ସ୍ବାସ୍ଥ୍ୟ ଓ ଶିକ୍ଷା ସମେତ ପ୍ରତ୍ୟେକ କ୍ଷେତ୍ରରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସାର୍ବଜନୀନ ଆର୍ଥିକ ବିନିଯୋଗରେ ଅସମାନତାକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବାକୁ ଲାଗିଲା। ଗ୍ରାମାଞ୍ଚଳରେ ଗମ୍ଭୀର ବିନିଯୋଗକୁ ନିରୁତ୍ସାହିତ କରାଗଲା। ଗ୍ରାମାଞ୍ଚଳରେ ଅର୍ଥନୀତିର ଅବନତି ଘଟିବାରୁ, ଜନକଲ୍ୟାଣକାରୀ ରାଷ୍ଟ୍ର ହିସାବରେ ଖାଦ୍ୟ ନିରାପତ୍ତା, ସାକ୍ଷରତା ଏବଂ ରୋଗ ନିୟନ୍ତ୍ରଣ ଇତ୍ୟାଦିର ସର୍ବନିମ୍ନ ସ୍ତରର ସହାୟତା ଯୋଗାଣ ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କ ଉପରେ ସୁରକ୍ଷାର ଜାଲ ପକାଗଲା। ଗାଁ-ଗଣ୍ଡା ସବୁ ଗରିବଙ୍କ ପାଇଁ ସୁରକ୍ଷା-ଯୋଜନାର କ୍ଷେତ୍ର ହିସାବରେ ପରିଗଣିତ ହେଲେ। ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଏହି ସର୍ବନିମ୍ନ ବ୍ୟବସ୍ଥା ସହିତ ଜୀବନ ଧାରଣ କରିବାରେ ବ୍ୟସ୍ତ ରଖାଗଲା। ଘରୋଇ ଭାବରେ ପରିଚାଳିତ ସ୍ବାସ୍ଥ୍ୟସେବା ଏବଂ ବିଦ୍ୟାଳୟଗୁଡ଼ିକର ବ୍ୟବସାୟିକ ଅଭିବୃଦ୍ଧି ଘଟିଲା। ରାଷ୍ଟ୍ରର ସର୍ବନିମ୍ନ ସୁରକ୍ଷା-ଯୋଜନା ଓ ବ୍ୟବସାୟିକ ଉଦ୍ୟୋଗ ମଧ୍ୟରେ ଅଟକି ରହିଯାଇଥିବା ଗାଁଗୁଡ଼ିକ ସେମାନଙ୍କ ନିକଟରେ ଥିବା ଯତ୍‌କିଞ୍ଚତ୍ତ ଅର୍ଥନୈତିକ ଓ ବୌଦ୍ଧିକ ସମ୍ବଳକୁ ହରାଇ ବସିଲେ ଓ ଧୀରେ ଧୀରେ ଅଦୃଶ୍ୟ ହେବାକୁ ଲାଗିଲେ।
ସମ୍ପ୍ରତି ତାଲାବନ୍ଦୀ ପରିପ୍ରେକ୍ଷୀରେ ହଜାର ହଜାର ପ୍ରବାସୀ ଶ୍ରମିକ ପିଲାଛୁଆଙ୍କୁ ଧରି ଚାଲି ଚାଲି ନିଜ ଗାଁକୁ ଫେରୁଥିବାର ଚିତ୍ର ଆର୍ଥିକ ସଂସ୍କାରର ଅସମାନତାକୁ ବିଦ୍ରୂପ କରୁଥିବା ପରି ମନେହୁଏ। ସହରର ଅନୌପଚାରିକ ଅର୍ଥନୀତି ସେମାନଙ୍କୁ କୌଣସି ସୁରକ୍ଷା ପ୍ରଦାନ କଲା ନାହିଁ। ସ୍ବାସ୍ଥ୍ୟସେବାର ମହତ୍ତ୍ୱକୁ ଉପଲବ୍ଧି କରି ରାଜ୍ୟ ତଥା କେନ୍ଦ୍ର ସରକାର ଗୋଟାକୁ ଗୋଟା ହାସ୍ପାତାଳ ସ୍ଥାପନ କରିବାକୁ ଲାଗିଲେ। ସ୍ବାସ୍ଥ୍ୟ ପରୀକ୍ଷାଗାର ଠାରୁ ଆରମ୍ଭକରି ବିଭିନ୍ନ ଉପକରଣ ବିଦେଶରୁ ଆମଦାନୀ କରି ଆମ ଲୋକଙ୍କ ଧନ-ଜୀବନ ସୁରକ୍ଷିତ ରଖିବାକୁ ନିଜେ ଦାୟିତ୍ୱ ନେଲେ। ରାଷ୍ଟ୍ରୀୟ ଆପଦା ସମୟରେ ଘରୋଇ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରିପାରିଲେ ନାହିଁ। ଏହା ହିଁ ଦର୍ଶାଉଛି କି ୯୦ ଦଶକର ଅର୍ଥନୈତିକ ସଂସ୍କାର ଆଜି ଦିନରେ ଚଳିବ ନାହିଁ। ଏହାର ସମୀକ୍ଷା ଆବଶ୍ୟକ।
କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଆର୍ଥିକ ବ୍ୟବସ୍ଥାରେ ତୀକ୍ଷ୍ଣ ଓ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ବୈଶମ୍ୟ ଜଳ ଜଳ ହୋଇ ଦେଖାଯାଉଛି। ପ୍ରଚଳିତ ଢାଞ୍ଚାରେ ମହାମାରୀର ପୂର୍ବାବସ୍ଥାକୁ ଫେରିଯିବାର ଉଦ୍ୟମ ଏକ ସ୍ଥାୟୀ ବ୍ୟବସ୍ଥା ଦେଇପାରିବ ନାହିଁ। କାରଣ ଏହା ଗୋଟିଏ ପଟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଢାଞ୍ଚାଗତ ଅସନ୍ତୁଳନ ଓ ଅନ୍ୟପଟରେ ଏକପାଖିଆ ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ ଉପରେ ଗଢ଼ିଉଠିଛି। ଏହି ଦର୍ଶନରେ, ଗାଁର ସତ୍ତା ସହରରେ ବିଲୀନ ହେବା ବ୍ୟତୀତ ଅନ୍ୟ କୌଣସି ଭବିଷ୍ୟତ ନାହିଁ। ଅନ୍ତତଃପକ୍ଷେ ସହରି ଶ୍ରମିକଙ୍କ ପାଇଁ ଆମ ଗାଁ ଏବେ ବି ପ୍ରାସଙ୍ଗିକ।
କରୋନା ମହାମାରୀ ଓ ପରବର୍ତ୍ତୀ ତାଲାବନ୍ଦୀ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି, କିନ୍ତୁ ଖାଦ୍ୟ ଉତ୍ପାଦନ ଅଭାବରୁ ଅନାହାରକୁ ଆମନ୍ତ୍ରଣ କରିନାହିଁ। ତାଲାବନ୍ଦୀ ବେଳକୁ ଦେଶର ସରକାରୀ ଗୋଦାମରେ ପ୍ରାୟ ୭୭ ନିୟୁତ ଟନ୍‌ ଚାଉଳ ଓ ଗହମ ସହିତ ୨.୨୫ ନିୟୁତ ଟନ୍‌ ଡାଲି ମହଜୁଦ ଥିଲା। ଏହାର ଅବିଦିତ ନାୟକ ହେଉଛନ୍ତି ଗାଁରେ ରହୁଥିବା ସେହି ଚାଷୀକୁଳ, ଯାହାଙ୍କ ବିନା ଏହି ଶସ୍ୟ ବର୍ତ୍ତମାନ ଖାଦ୍ୟ ଶିବିରରେ ବାଣ୍ଟିବା କିମ୍ବା ରାନ୍ଧିବା ସମ୍ଭବ ହେଉ ନ ଥା’ନ୍ତା। ଫ୍ରଣ୍ଟଲାଇନ୍‌ କରୋନା ଯୋଦ୍ଧା ଭାବରେ ଅଭିହିତ ନ ହୋଇ ମଧ୍ୟ ଏହି ସଙ୍କଟ ସମୟରେ ସେମାନେ ଆମ ପେଟ ଭରିଛନ୍ତି। ପ୍ରକୃତିର ସମୟ ନିର୍ଘଣ୍ଟକୁ ଅନୁସରଣ କରି ଉତ୍ପାଦନର ପରିଚାଳନା ସହିତ ଉତ୍ପାଦର ନ୍ୟାୟିକ ମୂଲ୍ୟ ନ ପାଇଲେ ମଧ୍ୟ, ଯେପର୍ଯ୍ୟନ୍ତ ମୂଲ ଚାଷ-ଖର୍ଚ୍ଚକୁ ସମ୍ଭାଳିଛି, ଘର ଚଳାଇଛି ଓ ପରବର୍ତ୍ତୀ ଫସଲ ପାଇଁ ସାଧନ ଯୋଗାଇଛି, ଲାଭ-କ୍ଷତିର ହିସାବ ନ ରଖି ଚାଷ କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ ଆମର ଥାଳି କିମ୍ବା ତାଳି ବଜାଇବାକୁ ଅପେକ୍ଷା କରନ୍ତି ନାହିଁ। ଅତିକମ୍‌ରେ ଆମେ ସେମାନଙ୍କର ଅନୁଗ୍ରହକୁ ଫେରାଇବା ପାଇଁ ଚେଷ୍ଟା କରିପାରିବା।
ଅର୍ଥନୈତିକ କ୍ଷେତ୍ରରେ ମହାମାରୀ ଚାପକୁ ଲାଘବ କରିବା ପାଇଁ ଗ୍ରାମାଞ୍ଚଳ ଅର୍ଥନୀତିରେ କୃଷକ, କୃଷି ଶ୍ରମିକ, ଅଣ-କୃଷି ଶ୍ରମିକ ଓ ପ୍ରବାସୀ ଅର୍ଦ୍ଧ-କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ସ୍ବାର୍ଥକୁ ନେଇ କାର୍ଯ୍ୟକ୍ରମ ଆକଳନ କରିବାକୁ ହେବ। ତଥ୍ୟ କହୁଛି ଦେଶରେ ୧୪.୪୩ କୋଟି ଶ୍ରମିକ କୃଷି ଉପରେ ନିର୍ଭରଶୀଳ। ଅଣକୃଷିକାର୍ଯ୍ୟରେ ନିୟୋଜିତ ଶ୍ରମିକ ଓ ଏମ୍‌ଏସ୍‌ଏମ୍‌ଇ ସହିତ ଜଡ଼ିତ ପ୍ରବାସୀ ଶ୍ରମିକ ତାଲାବନ୍ଦୀ ଯୋଗୁଁ ରୋଜଗାର ହରାଇଛନ୍ତି। ଭାରତରେ ୧୩.୯ କୋଟି ପ୍ରବାସୀ ଶ୍ରମିକଙ୍କ ଗଣ ଘର-ଲେଉଟାଣି ସହରାଞ୍ଚଳ ସହିତ ଗ୍ରାମ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ। ଗାଁରେ ପହଞ୍ଚତ୍ବା ପରେ, ପ୍ରବାସୀ ଶ୍ରମିକମାନେ ବେକାର ଶ୍ରମବଳର ଅଂଶ ହେବେ। ସିଆଇଏମ୍‌ଇ ଆକଳନ ଅନୁଯାୟୀ ତାଲାବନ୍ଦୀ ପୂର୍ବରୁ ଦେଶରେ ବେକାରି ହାର ୨୦.୨୧ପ୍ରତିଶତ ଥିଲା, ଯାହାକୁ ଏହି ଫେରନ୍ତା ପ୍ରବାସୀ ଶ୍ରମିକ ଆହୁରି ବୃଦ୍ଧି କରିବେ। ଭୋକର ଜ୍ୱାଳା ଓ ଅନିଶ୍ଚିତତାର ଭୟକୁ ନିକଟରୁ ଦେଖିଥିବା ଏହି ସହର ଫେରନ୍ତା ଶ୍ରମିକମାନେ ସହଜରେ ସେଠାକୁ ଫେରିବାକୁ ଚାହିଁବେ ନାହିଁ।
ସମାବେଶୀ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ସରକାର ଦେଶର ଅର୍ଦ୍ଧାଧିକ ଜନସଂଖ୍ୟାକୁ ଅଣଦେଖା କରିପାରିବେ ନାହିଁ। ଗ୍ରାମ୍ୟ-ଅର୍ଥନୀତିର ସ୍ବାତନ୍ତ୍ର୍ୟକୁ ସ୍ବୀକାର କରିବାକୁ ହେବ। ଗାଁଗୁଡ଼ିକ ଜୀବିକାର ଉତ୍ସ ରୂପେ ପରିଚୟ ପାଇବାକୁ ଯୋଗ୍ୟ ଅଟନ୍ତି। ତାଲାବନ୍ଦୀ ବିଭିନ୍ନ ଶ୍ରେଣୀର କୃଷକ ଏବଂ ଶ୍ରମିକକୁ ଭିନ୍ନ ଭାବରେ ପ୍ରଭାବିତ କରିଥିବାରୁ ପୁନରୁଦ୍ଧାର ପ୍ୟାକେଜ ପ୍ରଣୟନ ସମୟରେ ଏକ ପକ୍ଷରେ ସହାନୁଭୂତିଶୀଳ ହେବା ସହିତ ସତର୍କତାମୂଳକ ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ। ସ୍ବଳ୍ପମିଆଦୀ ପ୍ୟାକେଜ୍‌ ମହାମାରୀର ତତ୍କାଳିକ କ୍ଳେଶକୁ ଦୂର କରିବ। କିନ୍ତୁ ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ନିହାତି ଜରୁରୀ।
ଏଥିପାଇଁ କୃଷିକୁ ଜୀବିକା ରୂପେ ବିଚାର କଲାବେଳେ ସମୟକ୍ରମେ ଏହାକୁ ଉଦ୍ୟୋଗର ପରିଭାଷିତ କରିବାକୁ ହେବ। ଦ୍ୱିତୀୟରେ ଗ୍ରାମ୍ୟ ଅର୍ଥନୀତିକୁ ସହରର ଶିଳ୍ପକେନ୍ଦ୍ରଗୁଡ଼ିକ ପାଇଁ ପ୍ରତିପୋଷକ ଭାବରେ ପରିକଳ୍ପନା କରାଯାଇ ପାରେ। ତୃତୀୟରେ, ଏସବୁ କାର୍ଯ୍ୟ ତୁଲାଇବା ପାଇଁ ଗାଁଗଣ୍ଡାରେ ଉପଯୁକ୍ତ ମାନବ ସମ୍ବଳର ଆବଶ୍ୟକତା ରହିଛି। ତେଣୁ, ମାନବ ସମ୍ବଳର ବିକାଶ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ଯୁଗୋପଯୋଗୀ କରିବାକୁ ରାଷ୍ଟ୍ର ନିଜେ ଆଗେଇ ଆସିବାକୁ ହେବ। ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ବିତ କରିବାକୁ ପଡ଼ିବ। ଏହି ଦିଗରେ ସମୟୋଚିତ ଓ ସୁସନ୍ତୁଳିତ ପଦକ୍ଷେପ ଉଭୟ ସହର ଓ ଗାଁର ଅର୍ଥନୀତିକୁ ଅଧିକ ସ୍ଥାୟୀ କରିବା ସହିତ ସାମ୍ପ୍ରତିକ ମହାମାରୀ ସଙ୍କଟକୁ ସାମ୍ନା କରିବାକୁ ସକ୍ଷମ ହେବ।
କରୋନା ସଙ୍କଟ ଉପରାନ୍ତେ ସାମାଜିକ ଦୂରତ୍ୱ(ବାସ୍ତବରେ ଭୌତିକ ଦୂରତ୍ୱ) ଜନ-ଜୀବନର ମୂଳମନ୍ତ୍ର ହୋଇ ରହିବ, ଯାହା କେବଳ ଗାଁରେ ହିଁ ସମ୍ଭବ, ଜନାକୀର୍ଣ୍ଣ ସହରରେ ନୁହେଁ। ଗ୍ରାମାଞ୍ଚଳକୁ କୃଷି ଆଉ ସମୁଚିତ ଶିଳ୍ପ, ଉଭୟ ଦୃଷ୍ଟିରୁ ଜୀବନ-ଜୀବିକାର ସ୍ଥଳ ରୂପେ ରୁପାନ୍ତରିତ କରାଯାଇ ପାରିଲେ, ଭାରତୀୟ ଗ୍ରାମ୍ୟ-ସମାଜର ମୌଳିକତା ବଜାୟ ରହିବା ସହିତ ସହରରେ ଅତ୍ୟଧିକ ଜନଗହଳିର ଚାପ କମିପାରନ୍ତା।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri