ହ୍ବାଟ୍ସଆପରେ ସକାଳ

ଡ. କୁଳାଙ୍ଗାର

ଯଦି ଆପଣଙ୍କର ସ୍ମାର୍ଟଫୋନଟିଏ ଅଛି ଆଉ ତାହା ଇଣ୍ଟରନେଟ ସଂଯୁକ୍ତ ତେବେ ଆପଣଙ୍କର ପ୍ରତିଟି ସକାଳ ଏବେ ଶୁଭ ସକାଳ। ଆପଣ ଯେତେ ଟେନ୍‌ସନରେ ଥାଆନ୍ତୁ, ଯେତେ ବିପଦରେ ପଡିଥାଆନ୍ତୁ ପଛକେ, ସଚେତ ଥାଆନ୍ତୁ କି ଅଚେତ, ସକାଳୁ ସକାଳୁ ଶୁଭକାମନାଯୁକ୍ତ ରଙ୍ଗିନ ଚିତ୍ର, ଗୀତ ଓ ଦୃଶ୍ୟଶ୍ରାବ୍ୟ ବାର୍ତ୍ତାମାନ ଆପଣଙ୍କର ମୋବାଇଲ ଫୋନରେ ଧସେଇ ପଶିବେ।
ଏବର ଜୀବନ ଶୈଳୀରେ ଯିଏ ଯେତେବେଳେ ଉଠିଲା, ତାଆର ସେତେବେଳେ ସକାଳ ହେଲା। ତେବେ ଅନେକେ ତ ଏବେ ରାତିସାରା ମୋବାଇଲ ଦୁନିଆରେ ବିଚରଣ କରି ଭୋରବେଳା ଅର୍ଥାତ ସକାଳ ପାଇଲେ ଶୁଅନ୍ତି, ଅତଏବ ଶୋଇଲା ପୂର୍ବରୁ ଶୁଭ ସକାଳର ବାର୍ତ୍ତାଗୁଡିକ ପଠେଇ ଦିଅନ୍ତି। ପୁଣି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ପ୍ରତିଦିନ ପ୍ରଦାନ କରୁଥିବା ଡାଟାର ବାଲାନ୍ସ ରାତି ବାରଟା ପୂର୍ବରୁ ଖତମ ହୋଇ ଯାଉଥିବାରୁ ଅନେକେ ବଳକା ଡାଟାକୁ ନଷ୍ଟ ନ କରି ତାଆର ସକାରାତ୍ମକ ଉପଯୋଗ ନିମନ୍ତେ ରାତି ଏଗାରଟାରୁ ବାରଟା ଭିତରେ ପଠେଇ ଦିଅନ୍ତି। ସକାଳୁ ସକାଳୁ ଫୁଲଚୋରି, ମନଚୋରି ଅବା ଶରୀରଚୋରି ଅର୍ଥାତ୍‌ ଯୋଗ କରିବା ପାଇଁ ଅନେକ ଶୀଘ୍ର ଶଯ୍ୟାତ୍ୟାଗ କରିଥାଆନ୍ତି। ଅତଏବ ଯଦି ଆପଣ ନିଜର ଫୋନ୍‌ଟିକୁ ଇଣ୍ଟରନେଟ ବିଯୁକ୍ତ ନ କରି ରାତିସାରା ଖୋଲା ରଖିଛନ୍ତି, ତେବେ ରାତିସାରା ଆପଣ ଆଖିଖୋଲା ରଖିବାକୁ ବାଧ୍ୟ। କାରଣ ରାତିସାରା ଶୁଭସକାଳର କାମନା ମାନେ ପହଞ୍ଚତ୍ ଆପଣଙ୍କୁ ଆକ୍ତାମାକ୍ତା କରୁଥିବେ। ଆଉ ଯଦି ଆପଣ ଭୁକ୍ତଭୋଗୀ ହୋଇଥିବେ ଅବା ଆଗୁଆ ସତର୍କ ହୋଇଥିବେ କିମ୍ବା ଆପଣଙ୍କର ସ୍ମାର୍ଟ ଦରଜାକୁ କିଳି ଦେଇଥିବେ ତେବେ ଦରଜା ଖୋଲିବା ମାତ୍ରେ ଧମାଧମ୍‌ ଶୁଭକାମନାମାନେ ସମବେତ ହେବେ।
ରାତିରେ ନାନା ଅଶୌଚ କାର୍ଯ୍ୟରେ ବ୍ୟବହୃତ ସ୍ମାର୍ଟଫୋନରେ ସକାଳୁ ସକାଳୁ ଏତେ ଦେବଦେବୀ ବିରାଜମାନ କରୁଛନ୍ତି ଯେ ନିଜେ ନିତ୍ୟକର୍ମ କରିବା ପୂର୍ବରୁ ମୋବାଇଲ ଫୋନଟାକୁ ସକାଳୁ ସକାଳୁ ଗାଧୁଆ ପାଧୁଆ କରିଦେବା ପାଇଁ ଇଚ୍ଛା ହେଉଛି। ସମସ୍ତେ କେବଳ ଦେବଦେବୀଙ୍କୁ ପଠାନ୍ତି ନାହିଁ। କେହି କେହି ସ୍ବଦେହରେ ନିଜେ ଆସିଥାଆନ୍ତି, ଅର୍ଥାତ୍‌ ନିଜର ସବୁଠାରୁ ଉତ୍ତମ ଫଟୋଟିକୁ ପଠାଇ ଥାଆନ୍ତି। ଆହୁରି ବହୁଲୋକ ଫୁଲ ଏବଂ ଫୁଲ ବଗିଚା ଆଦି ପଠାଇ ଦେଇ ଥାଆନ୍ତି। ଏମନ୍ତ ଫୁଲ ଶୁଭକାମନା ପ୍ରେରକ ମଧ୍ୟରେ ଥାଆନ୍ତି ଉଭୟ ପୁରୁଷ ଓ ନାରୀ। ନାରୀଙ୍କ ମଧ୍ୟରେ ଥାଆନ୍ତି ଉଭୟ ବୃଦ୍ଧା ଓ ଯୁବତୀ। ଅବଶ୍ୟ ଆଜିକାଲିର ପରିପାଟୀ ଓ ଚିତ୍ରୋତ୍ତୋଳନ ବ୍ୟବସ୍ଥାରେ କିଏ ବୃଦ୍ଧା କିଏ ଯୁବତୀ ବୋଲି ମନରେ ସର୍ବଦା ସନ୍ଦେହ ସୃଷ୍ଟି ହୁଏ। ତେବେ ଏ ଫୁଲ ଓ ଫୁଲ ପ୍ରେରିକାଙ୍କର ମେସେଜକୁ ଦେଖି ସନ୍ଦେହରେ ଜର୍ଜରିତ ହୁଅନ୍ତି ଆମ୍ଭ ଧର୍ମପତ୍ନୀ। ଆମର ସିନା ସହରବାସର ଦୀର୍ଘଦିନର ଅଭିଜ୍ଞତା ରହିଛି କିନ୍ତୁ ଘରଣୀ ଆମର ଓଲଟା। ସିଏ ଅଧିକ ଦିନ ଗ୍ରାମବାସୀ ରହି ନଗଦାନଗଦି ସହରକୁ ଆସିଛନ୍ତି। ଶୋଇବା ଶେଜରେ ସିଏ ମୋ ମୋବାଇଲରେ ଜନୈକ ଯୁବତୀ ପଠେଇଥିବା ଲାଲ୍‌ଗୋଲାପ ପୁଷ୍ପ ଯୁକ୍ତ ସୁପ୍ରଭାତ ବାର୍ତ୍ତାକୁ ଦେଖି ଭାବପ୍ରବଣତା, ଉତ୍ତେଜନା ଓ ସନ୍ଦେହର ମିଶ୍ରଣଯୁକ୍ତ ଚକ୍ଷୁ ନେଇ ମୋତେ ଚାହିଁଲେ?
ମୁଁ ତାଙ୍କର ଚକ୍ଷୁର ଭାଷା ବୁଝି ନ ପାରନ୍ତେ, ମୁଖକୁ ବ୍ୟବହାର କରିବାକୁ ବାଧ୍ୟ ହୋଇ ମୋବାଇଲ ପରଦା ଦେଖେଇ ପଚାରିଲେ- ସିଏ କିଏ? ମୁଁ ଟିକେ ଭଲକରି ଦେଖନ୍ତେ ପତ୍ନୀ ପଚାରିଲେ- ତମେ କ’ଣ ତାକୁ ଭଲପାଅ? କହିଲି- ନା ମ… ମୁଁ ତ ୟାକୁ ଚିହ୍ନେନା। ପତ୍ନୀ ପଚାରିଲେ- ତା’ ହେଲେ ସିଏ ତମ ନମ୍ବର କୋଉଠୁ ପାଇଲା? ଅନ୍ୟର ମଙ୍ଗଳ କାମନା ନ କରି ସକାଳୁ ସକାଳୁ କାହିଁକି ତମର ମଙ୍ଗଳ କାମନା କରିଲା? ସିଏ ତମର କିଏ ଯେ, ସକାଳୁ ସକାଳୁ ତମକୁ ମେସେଜ ପଠେଇ ବସିଲା?? କାହିଁକି ଫୁଲ ଚିତ୍ର ପଠାଇଲା? ଗଛ, ପତ୍ର, ପକ୍ଷୀ କି ଅନ୍ୟ ଫୁଲର ଚିତ୍ର ତ ପଠାଇ ପାରିଥାଆନ୍ତା! ଯଦି ବି ଗୋଲାପ ପଠେଇଲା ତେବେ ଲାଲ୍‌ ରଙ୍ଗର କାହିଁକି ପଠାଇଲା? ଏତେ ସବୁ ପ୍ରଶ୍ନକୁ ଆମ୍ଭର ସଂକ୍ଷିପ୍ତ ଢିଲା ଉତ୍ତର ପତ୍ନୀଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ପତ୍ନୀଦେବୀ ଏଥର ସନ୍ଦେହ ମୋଚନ ପାଇଁ ସେହି ନମ୍ବରରେ କଲ୍‌ କଲେ। ସେପଟୁ ଗୋଟିଏ ମଧୁର ସ୍ବର ଭାସି ଆସିଲା – ଗୁଡ୍‌ ମର୍ନିଂ ସାର୍‌!
ପତ୍ନୀଙ୍କର ପାଞ୍ଚମିନିଟ୍‌ର ଜେରା ପରେ ଜଣାପଡିଲା କି ଆମ୍ଭେ କାର୍ଯ୍ୟରତ କାର୍ଯ୍ୟାଳୟରେ ଖାଲିଥିବା ସହାୟକ ପଦବୀ ପାଇଁ ଉକ୍ତ ଯୁବତୀ ଦରଖାସ୍ତ କରିଛନ୍ତି। ଚୟନ ବ୍ୟବସ୍ଥାରେ ଆମ୍ଭକୁ ପ୍ରଭାବିତ କରି ଅନୁକମ୍ପା ହାସଲ କରିବା ପାଇଁ କୌଣସି ପ୍ରକାରେ ମୋବାଇଲ ନମ୍ବରଟି ସଂଗ୍ରହ କରି ସୁପ୍ରଭାତ କାମନା ପ୍ରେରଣ ଆରମ୍ଭ କରିଛନ୍ତି।
ଏହା ହେଉଛି ସାମୟିକ ଶୁଭ ସକାଳ ସେବା। ଯାହାର ଯାହା ପାଖରେ କିଛି କାମ ଥାଏ, ସିଏ ସେହି କାମଟି ହେବା ପର୍ଯ୍ୟନ୍ତ ତାକୁ ଏପରି ପଠାଉଥାଏ। ବିଫଳତା ପରେ ଏଥିରୁ ମୁକ୍ତି ମିଳେ। ସଫଳତା ପରେ କିଛି ଦିନ ଜାରି ରହିବାର ସମ୍ଭାବନା ଥାଏ। ଯେଉଁମାନେ ଦୀର୍ଘକାଳୀନ ସ୍ବାର୍ଥ-ସମ୍ପର୍କରେ ଥାଆନ୍ତି ସେମାନେ ନିଜର ଉପସ୍ଥିତି ଜାହିର୍‌ କରିବା ପାଇଁ ନିୟମିତ ସକାଳୁଆ ସୁମନାସ ପଠାନ୍ତି। ଉଦ୍ଦେଶ୍ୟ; ମୁଁ ଟିକେ ନଜରରେ ଥାଏ! ଅନେକ ଅବସରପ୍ରାପ୍ତ ସମୟ ସାରିବା ପାଇଁ ଏଥିରେ ନିବେଶ କରିଥାଆନ୍ତି। ଆଉ କିଛି କିଛି ତ କରିବାକୁ ନାହିଁ ତେଣୁ ଏହାକୁ କର୍ମ କରିଥାଆନ୍ତି।
ମୂଲ୍ୟହୀନ ଉପହାରରେ ଯଦି ଆପଣଙ୍କ ଘରଭର୍ତ୍ତି ହୋଇଯାଏ, ବସାଉଠା କରିବାକୁ ସ୍ଥାନ ମିଳେନା। ସେ ଅବସ୍ଥାଟି ଯାହା, ବିଶେଷ ଦିବସଗୁଡିକରେ ସ୍ମାର୍ଟଫୋନର ଅବସ୍ଥା ସେୟା। ନୂଆବର୍ଷ, ସ୍ବାଧୀନତା, ଦୀପାବଳି, ହୋଲି ଆଦି ସମୟରେ ଏକାଧିକ ଦିନ ମାତ୍ରାଧିକ ଭାର ବହନ କରି ବିଚରା ମୋବାଇଲ ଅଚଳପ୍ରାୟ ହୁଏ। ଆପଣ ଯଥେଷ୍ଟ ବାର୍ତ୍ତା ପାଉଥିବେ କିନ୍ତୁ ପଠେଇଲା ବେଳକୁ ତାହା ଏମନ୍ତ ଗତିରେ ଯାଉଥିବ କି, ଲାଗିବ ନିଜେ ଯାଇ ଏହାଠୁଁ ଚଞ୍ଚଳ ତା’ ଘର କହି ଆସିବି!
ଶୁଭବର୍ଷ, ଶୁଭପର୍ବ, ଶୁଭବାର, ଶୁଭ ଦିବସ! ଏମିତି ନାନା ଅବ୍ୟୟ ସହିତ ଯୋଡା ହୋଇ ମଧ୍ୟ ସୁମନାସ ଆସିଥାଏ। ଧରାଯାଉ ଆଜି ବାଟଓଷା, ତେବେ ହାପି ବାଟଓଷା। ଯେଉଁଦିନ କିଛିନାଇଁ ତେବେ ହାପି ଅମୁକବାର!
ଆଉ କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ସିଏ କେବଳ ସୁପ୍ରଭାତ ପଠାନ୍ତି ନାହିଁ, ତା’ ସହିତ ଏହି ଚମତ୍କାର ଲେଖାଟି ପଢନ୍ତୁ, ଏହି ମଧୁର ଗୀତଟି ଶୁଣନ୍ତୁ ଅବା ଏହି ଧମାକାଦାର୍‌ ଭିଡିଓଟି ଦେଖନ୍ତୁ କହି ଜବରଦସ୍ତ ପଠେଇ ଦିଅନ୍ତି। ଅବସ୍ଥା ଏପରି, ଯଦି ଆପଣ ସବୁଗୁଡିକୁ ସକାଳେ ପଢି, ଶୁଣି, ଦେଖିବେ, ତେବେ ସନ୍ଧ୍ୟାସୁଦ୍ଧା ଶେଷ କରି ପାରନ୍ତି।
ଆପଣ ଏପରି ଶୁଭ ସକାଳ କାମନା ପଠାଉଥାଆନ୍ତୁ କିମ୍ବା ପାଉଥାଆନ୍ତୁ, ମୁଁ ଜାଣେ ଉପରୋକ୍ତ ବର୍ଣ୍ଣନା ସହିତ ଆପଣ ଏକମତ ହେବେ। ଯେବେଠାରୁ ଅଯଥା ହ୍ବାଟ୍ସଆପ୍‌ରେ ସକାଳୁଆ ସୁମନାସ ପଠେଇବା ବନ୍ଦ୍‌ ହୋଇଯିବ ତେବେ ଯାଇ ସକାଳଟା ଶୁଭସକାଳ ହେବ!
ନରସିଂହପୁର, କଟକ
ମୋ- ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri