ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ ଥିଲା। ଏହି ଦାବିଗୁଡ଼ିକରୁ ମନେହୁଏ ଯେ ପ୍ରତ୍ୟେକ ଆଧୁନିକ ବୈଜ୍ଞାନିକ ଆବିଷ୍କାର ଅନେକ ହଜାର ବର୍ଷ ପୂର୍ବେ ପ୍ରାଚୀନ ଭାରତରେ ହୋଇସାରିଥିଲା।
ଏହିସବୁ ଦାବି ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ; ସମସ୍ୟା ହେଉଛି, ପ୍ରକୃତ ଐତିହାସିକ ସଫଳତାକୁ ଅତିରଞ୍ଜିତକରି କୁହାଯାଏ। ବାସ୍ତବରେ ପ୍ରାଚୀନ ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ଏବଂ ଏହି ସଫଳତାଗୁଡ଼ିକ ଐତିହାସିକ ଭାବରେ ପ୍ରମାଣିତ ଏବଂ ଇତିହାସକାରଙ୍କ ଦ୍ୱାରା ଆଦୃତ। ହେଲେ ଏହି କାହାଣୀର ଆଉ ଏକ ଦିଗ ରହିଛି। ଏହା ଦର୍ଶାଏ ଯେ, ଏକ ସଭ୍ୟତା କିଭଳିି ଚମତ୍କାର ଚିକିତ୍ସାଜ୍ଞାନ ସୃଷ୍ଟିକରିବା ପରେ ଏହାକୁ ସୃଷ୍ଟି ଓ ସଂରକ୍ଷଣ କରିଥିବା ସେହି ଲୋକଙ୍କୁ ଧୀରେ ଧୀରେ ଦୁର୍ବଳ କରିଦେଇପାରେ।
ପ୍ରାଚୀନ ଭାରତୀୟ ଚିକିତ୍ସା ବିଜ୍ଞାନର ସବୁଠାରୁ ବଡ଼ ସଫଳତା ‘ସୁଶ୍ରୁତ ସଂହିତା’ରେ ରହିଛି। ଏଥିରେ ପୁନର୍ଗଠନକାରୀ ଶଲ୍ୟଚିକିତ୍ସା ସମ୍ପର୍କରେ ଉଲ୍ଲେଖ ରହିଛି। ବିଶେଷକରି ରୋଗୀର ଗାଲରୁ ଚମଡ଼ା ନେଇ ନଷ୍ଟ ହୋଇଯାଇଥିବା ନାକର ପୁନର୍ଗଠନ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ପଦ୍ଧତିର ନିର୍ଦ୍ଦେଶଗୁଡ଼ିକ ଏତେ ବିସ୍ତୃତ ଯେ ଆଧୁନିକ ଶଲ୍ୟ ଚିକିତ୍ସକମାନେ ଏହାକୁ ବ୍ୟବହାରିକ ଏବଂ ପ୍ରଭାବଶାଳୀ ବୋଲି ସ୍ବୀକାର କରନ୍ତି।
ଏହି କୌଶଳର ଗୁରୁତ୍ୱ ବହୁ ପରେ ସ୍ପଷ୍ଟ ହୋଇଥିଲା। ୧୭୯୪ରେ ଏକ ବ୍ରିଟିଶ ପତ୍ରିକା ‘ଜେଣ୍ଟଲମ୍ୟାନ୍ସ’ରେ ପୁଣେର ଜଣେ ଭାରତୀୟ କୁମ୍ଭକାର ଏହି ପାରମ୍ପରିକ ପଦ୍ଧତରେ କରାଯାଇଥିବା ଏକ ସଫଳ ନାକ ପୁନର୍ଗଠନ ବିଷୟରେ ବର୍ଣ୍ଣନା କରାଯାଇଥିଲା। ୟୁରୋପୀୟ ଶଲ୍ୟ ଚିକିତ୍ସକମାନେ ଏହି କୌଶଳକୁ ଅଧ୍ୟୟନକରି ଏଥିରେ ସୁଧାର ଆଣିଲେ ଏବଂ ପରେ ଏହା ଆଧୁନିକ ପୁନର୍ଗଠନମୂଳକ ଶଲ୍ୟଚିକିତ୍ସାର ଅଂଶ ହୋଇଥିଲା। ବିଶ୍ୱ ଚିକିତ୍ସା ବିଜ୍ଞାନ ପ୍ରତି ଏହା ଭାରତର ପ୍ରକୃତ ଅବଦାନ। ଏହାକୁ ପ୍ରଭାବଶାଳୀ କରିବା ପାଇଁ କୌଣସି ପୁରାଣ କିମ୍ବା ଦାବିର ଆବଶ୍ୟକତା ନାହିଁ।
ସୁଶ୍ରୁତସଂହିତାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର, ମୂତ୍ରାଶୟରୁ ପଥର ଏବଂ କ୍ଷତରୁ ତୀର ବାହାରକରିବା କୌଶଳ ବିଷୟରେ ବର୍ଣ୍ଣନା ରହିଛି। ପ୍ରାଚୀନ ବିଶ୍ୱ ପାଇଁ ଏଗୁଡ଼ିକ ବଡ଼ ସଫଳତା ଥିଲା। ଆଧୁନିକ ଆନେସ୍ଥେସିଆ(ନିଶ୍ଚେତକ) ଏବଂ ସଂକ୍ରମଣ ପ୍ରତିରୋଧୀ ପଦ୍ଧତି ଆବିଷ୍କାର ପୂର୍ବରୁ ଅସ୍ତ୍ରୋପଚାର ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ଏଭଳି ଅସ୍ତ୍ରୋପଚାର ପାଇଁ ଚିକିତ୍ସକଙ୍କର ଅପାର ଦକ୍ଷତା ଏବଂ ସୂକ୍ଷ୍ମ ନିରୀକ୍ଷଣର ଆବଶ୍ୟକତା ଥିଲା। ପ୍ରାଚୀନ ଭାରତୀୟ ଶଲ୍ୟ ଚିକିତ୍ସକମାନେ ସବୁଠାରୁ ଅଭିନବ ଚିକିତ୍ସା ଚିନ୍ତାଧାରାସମ୍ପନ୍ନ ବ୍ୟକ୍ତି ଭାବରେ ସ୍ବୀକୃତି ପାଇଥିଲେ।
ସୁଶ୍ରୁତଙ୍କ ଗ୍ରନ୍ଥରେ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ମାଧ୍ୟମରେ ମାନବ ଶରୀରର ଗଠନ ବିଷୟରେ ଅଧ୍ୟୟନ କରିବାକୁ ଉତ୍ସାହିତ କରାଯାଇଥିଲା। ପ୍ରବାହିତ ଜଳରେ ମାନବ ଶରୀରକୁ ଧୀରେ ଧୀରେ ପଚିବାକୁ ଦେଇ ତାହାର ପରୀକ୍ଷା କରିବା ପାଇଁ ସୁଶ୍ରୁତ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କୋମଳ ତନ୍ତୁଗୁଡ଼ିକୁ ସାବଧାନତାର ସହ ବାହାରକରି ଭିତରର ଅଙ୍ଗଗୁଡ଼ିକୁ ଚିହ୍ନଟ କରାଯାଇପାରୁଥିଲା। ତାଙ୍କର ଉଦ୍ଦେଶ୍ୟ ଥିଲା – ଜଣେ ଚିକିତ୍ସକ କେବଳ ଶିକ୍ଷକମାନେ କହିଥିବା କଥା ଉପରେ ନିର୍ଭର କରିବା ଉଚିତ ନୁହେଁ, ବରଂ ଶରୀରକୁ ପ୍ରତ୍ୟକ୍ଷ ଭାବରେ ପର୍ଯ୍ୟବେକ୍ଷଣ କରି ଶିଖିବା ଉଚିତ। ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣର ଏହି ଗୁରୁତ୍ୱ ଏବେ ଆଧୁନିକ ଚିକିତ୍ସା ବିଜ୍ଞାନର ଏକ ମୌଳିକ ସିଦ୍ଧାନ୍ତ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଗ୍ରନ୍ଥ ‘ଚରକସଂହିତା’ ବଂଶାନୁକ୍ରମର ପ୍ରାରମ୍ଭିକ ବ୍ୟାଖ୍ୟା ପ୍ରଦାନକରେ। ଏଥିରେ ଦର୍ଶାଯାଇଥିଲା ଯେ, ପିତାମାତାଙ୍କ ସହବାସରୁ ଗର୍ଭରେ ଶିଶୁର ବିକାଶ ହୁଏ। ଏଥିରେ ମଧ୍ୟ କୁହାଯାଇଥିଲା, ଶରୀରର କୋମଳ ତନ୍ତୁଗୁଡ଼ିକ ମୁଖ୍ୟତଃ ମାତାଙ୍କଠାରୁ ଏବଂ ହାଡ଼ ଏବଂ ଦାନ୍ତ ଆଦି ଶକ୍ତ ଅଂଶ ପିତାଙ୍କଠାରୁ ଆସିଥାଏ। ଏହାକୁ ଆଧୁନିକ ଅର୍ଥରେ ଜେନେଟିକ୍ସ କୁହାଯାଇପାରିବ ନାହିଁ। ଏହା ଗ୍ରେଗର ମେଣ୍ଡେଲଙ୍କ ଆବିଷ୍କାର କିମ୍ବା ଆଧୁନିକ ଜୀବବିଜ୍ଞାନ ସହ ସମାନ ନ ଥିଲା। ତଥାପି ଅଲୌକିକ କାରଣ ପରିବର୍ତ୍ତେ ପ୍ରାକୃତିକ କାରଣ ମାଧ୍ୟମରେ ବଂଶାନୁକ୍ରମକୁ ବୁଝାଇବା ପାଇଁ ଏହା ଥିଲା ଏକ ଚିନ୍ତାଶୀଳ ପ୍ରୟାସ।
ଏତେସବୁ ସଫଳତା ସତ୍ତ୍ୱେ ଶଲ୍ୟଚିକିତ୍ସା ପରମ୍ପରା ଅଧିକ ବିକଶିତ ହୋଇ ଆଗକୁ ବଢ଼ିପାରିଲା ନାହିଁ କାହିଁକି? ସମସ୍ୟା ଭାରତୀୟଙ୍କ ବୁଦ୍ଧିମତ୍ତା କିମ୍ବା ସୃଜନଶୀଳତାର ଅଭାବ ନୁହେଁ; ବରଂ ଏହା ସମାଜରେ ଚିକିତ୍ସକ ବା ବୈଦ୍ୟଙ୍କ ପ୍ରତି ଥିବା ଦୃଷ୍ଟିକୋଣ ସହ ଜଡ଼ିତ ଥିଲା।
ଧର୍ମଶାସ୍ତ୍ର ପରମ୍ପରା ଉପରେ ଅଧ୍ୟୟନ କରିଥିବା ଗବେଷକ ପାଟ୍ରିକ ଓଲିଭେଲ ଦର୍ଶାଇଛନ୍ତି, ବ୍ରାହ୍ମଣ୍ୟ ସମାଜରେ ଚିକିତ୍ସକଙ୍କୁ ନିମ୍ନ ସ୍ଥାନ ଦିଆଯାଇଥିଲା ଏବଂ ହେୟ ମନେକରାଯାଉଥିଲା। ଏପରିକି ବ୍ରାହ୍ମଣ ଚିକିତ୍ସକଙ୍କଠାରୁ ଅନ୍ନ ଗ୍ରହଣ କରିବା କିମ୍ବା ସେମାନଙ୍କୁ କୌଣସି ରୀତିନୀତି ଭୋଜିକୁ ନିମନ୍ତ୍ରଣ କରିବାଠାରୁ ଦୂରେଇ ରହିବାକୁ ମନୁସ୍ମୃତିରେ ପରାମର୍ଶ ଦିଆଯାଇଥିଲା। ଏଭଳି ମନୋଭାବ ପଛରେ କେତେକ କାରଣ ବି ଥିଲା। ଚିକିତ୍ସକମାନେ ନିୟମିତ ଭାବରେ ଅସୁସ୍ଥ, ରକ୍ତସ୍ରାବ ହେଉଥିବା ଏବଂ ମୃତ୍ୟୁମୁଖରେ ପଡ଼ିଥିବା ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ। ଫଳରେ ସେମାନଙ୍କୁ ଧାର୍ମିକ ଦୃଷ୍ଟିକୋଣରୁ ଅଶୁଦ୍ଧ ବିବେଚନା କରାଯାଉଥିଲା। ସେମାନେ ରୋଗର ଚିକିତ୍ସାକରି ଅର୍ଥ ରୋଜଗାର କରୁଥିବାରୁ କେତେକ ଧର୍ମୀୟ ଗ୍ରନ୍ଥରେ ସେମାନଙ୍କୁ କଂସେଇ ଏବଂ ସୁଧଖୋର ମହାଜନଙ୍କ ସହ ତୁଳନା କରାଯାଇଥିଲା।
ଏହା ବ୍ୟତୀତ ଚିକିତ୍ସା ବିଜ୍ଞାନର ସମ୍ପର୍କ ଅଥର୍ବବେଦ ସହ ଥିଲା। ଏଥିରେ ରୋଗ ନିରାକରଣ ପଦ୍ଧତି ରହିଥିଲା। ହେଲେ ଏଥିରେ ଥିବା ଯାଦୁବିଦ୍ୟା ଓ ତନ୍ତ୍ରମନ୍ତ୍ର ଚିକିତ୍ସକଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି ନୂ୍ୟନ କରିଦେଇଥିଲା।
ଏହା ଏକ ବିଚିତ୍ର ବିରୋଧାଭାସ ସୃଷ୍ଟି କରିଥିଲା। ଯେଉଁ ସଭ୍ୟତା ସୁଶ୍ରୁତ ଏବଂ ଚରକଙ୍କ ଭଳି ମହାନ୍‌ ବ୍ୟକ୍ତିଙ୍କୁ ଜନ୍ମ ଦେଇଥିଲା, ସେହି ସଭ୍ୟତା ଚିକିତ୍ସକଙ୍କୁ ସାମାଜିକ ସ୍ତରରେ ନିମ୍ନ ବୋଲି ବିବେଚନା କରୁଥିଲା। ଚିକିତ୍ସା ଜ୍ଞାନକୁ ସମ୍ମାନ ଦିଆଯାଉଥିଲା, କିନ୍ତୁ ଏହାକୁ ଅଭ୍ୟାସ କରୁଥିବା ଲୋକଙ୍କୁ ପ୍ରାୟତଃ ସନ୍ଦେହ ଚକ୍ଷୁରେ ଦେଖାଯାଉଥିଲା। ରୋଗ ଭଲ କରୁଥିବା ବୈଦ୍ୟ ଆବଶ୍ୟକ ଥିଲେ, ତଥାପି ତାଙ୍କୁ ଅଶୁଦ୍ଧ ମନେ କରାଯାଉଥିଲା।
ସମୟକ୍ରମେ ଏହି ମନୋଭାବର ଗମ୍ଭୀର ପରିଣାମ ଦେଖାଦେଇଥିଲା। ସର୍ଜରି ଏକ ସମ୍ମାନଜନକ ବୌଦ୍ଧିକ ପେସା ହୋଇ ରହିବା ପରିବର୍ତ୍ତେ ନାପିତ ସମୁଦାୟ ହାତକୁ ଚାଲିଯାଇଥିଲା। ସୁଶ୍ରୁତ ଯେଉଁ ସୂକ୍ଷ୍ମ ନିରୀକ୍ଷଣ ମନୋଭାବକୁ ପ୍ରୋତ୍ସାହିତ କରିଥିଲେ, ତାହା କ୍ରମଶଃ ଦୁର୍ବଳ ହେବାକୁ ଲାଗିଲା।
ଫଳରେ ପ୍ରାଚୀନ ଭାରତୀୟ ଚିକିତ୍ସା ବିଜ୍ଞାନରେ କେବେହେଲେ ମସ୍ତିଷ୍କ, ହୃଦୟ କିମ୍ବା ରକ୍ତ ସଞ୍ଚାଳନ ବିଷୟରେ ଏକ ବିସ୍ତୃତ ଧାରଣା ବିକଶିତ ହୋଇପାରି ନ ଥିଲା। ଏହାର କାରଣ ବୌଦ୍ଧିକ ସାମର୍ଥ୍ୟର ଅଭାବ ନ ଥିଲା; ବରଂ ଚିକିତ୍ସକଙ୍କ ସାମାଜିକ ସ୍ଥିତି ସେହିଭଳି ବ୍ୟବହାରିକ ଅନୁସନ୍ଧାନକୁ ନିରୁତ୍ସାହିତ କରୁଥିଲା, ଯାହା ଚିକିତ୍ସା ବିଜ୍ଞାନର ପ୍ରଗତି ପାଇଁ ଆବଶ୍ୟକ ଥିଲା। ଦେଖିବାକୁ ଗଲେ ପ୍ରାଚୀନ ଭାରତୀୟ ଚିକିତ୍ସାବିଜ୍ଞାନର ଇତିହାସ ଏକାଧାରରେ ପ୍ରେରଣାଦାୟୀ ଏବଂ ଦୁଃଖଦାୟକ। ଏହା ଅଦ୍ଭୁତପୂର୍ବ ଶଲ୍ୟଚିକିତ୍ସା ବିକାଶ ଏବଂ ପ୍ରତ୍ୟକ୍ଷ ଗବେଷଣାକୁ ପ୍ରୋତ୍ସାହିତ କରିଥିଲା। ବିଶ୍ୱ ଚିକିତ୍ସା ବିଜ୍ଞାନ ପ୍ରତି ଏହାର ଅବଦାନ ବି ରହିଥିଲା। ହେଲେ ସେହି ସମୟରେ ସାମାଜିକ ବ୍ୟବସ୍ଥା ଚିକିତ୍ସକଙ୍କ ସ୍ଥିତିକୁ ଦୁର୍ବଳ କରିଦେବା ସହ ଚିକିତ୍ସାବିଜ୍ଞାନର ବିକାଶକୁ ଧିମା କରିଦେଇଥିଲା।

ଦେବଦତ୍ତ ପଟ୍ଟନାୟକ

-devduttofficial@gmail.com

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?