ସହରାଞ୍ଚଳ ପଟ୍ଟାବିହୀନଙ୍କ ସମସ୍ୟା

ଅଧ୍ୟାପକ ଗୋପବନ୍ଧୁ

ଓଡ଼ିଶାରେ ୨୦୧୭ ମସିହାରେ ବସ୍ତିବାସିନ୍ଦାଙ୍କ ଥଇଥାନ ନିମିତ୍ତ ଏକ ଆଇନ ପ୍ରଣୟନ କରାଯାଇଛି, ଯାହା ଓଡ଼ିଶା ଲ୍ୟାଣ୍ଡ ରାଇଟ୍ସ ଟୁ ସ୍ଲମ୍‌ ଡୁଏଲର୍ସ ଆକ୍ଟ-୨୦୧୭ ବା ବସ୍ତି ବାସିନ୍ଦା ଆଇନ- ୨୦୧୭ ଭାବେ ପରିଚିତ। ଏହି ନିୟମ ଅନୁଯାୟୀ ରାଜ୍ୟର ବିଭିନ୍ନ ସହରର ବସ୍ତିରେ ୨୦୧୭ ପୂର୍ବରୁ ବସବାସ କରୁଥିବା ପଟ୍ଟାବିହୀନ ବାସିନ୍ଦାଙ୍କୁ ସେମାନେ ବସବାସ କରୁଥିବା ଜାଗାର ମାଲିକାନା ସ୍ବତ୍ୱ ପ୍ରଦାନ କରାଯାଉଛି। ଏହାରି ଆଧାରରେ ବସ୍ତିବାସିନ୍ଦାମାନେ ବାସସ୍ଥାନ ପ୍ରମାଣପତ୍ର ସହ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପାଇପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୁତାବକ ସେମାନେ ପକ୍କାଘର ତିଆରି ପାଇଁ ଅର୍ଥ ପାଇବାକୁ ଯୋଗ୍ୟ ହୋଇଯିବେ। ଏହାବ୍ୟତୀତ ଏହି ଆଇନ ଅନୁଯାୟୀ ବସ୍ତିଗୁଡ଼ିକର ଉନ୍ନତି ବିଶେଷକରି ରାସ୍ତା, ଡ୍ରେନ୍‌, ରାସ୍ତାରେ ବିଦ୍ୟୁତ୍‌ ଆଲୋକ, ଉନ୍ନତ ପରିମଳ ବ୍ୟବସ୍ଥା, ବିଶୁଦ୍ଧ ଜଳ ଯୋଗାଣ, ଉଦ୍ୟାନ ସ୍ଥାପନ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯିବ। ବସ୍ତିବାସିନ୍ଦା ତଥା ପଟ୍ଟାବିହୀନ ବାସିନ୍ଦାଙ୍କ ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
ଦେଶର ତଥା ରାଜ୍ୟର ବିଭିନ୍ନ ସହରରେ ପଟ୍ଟାବିହୀନ ବାସିନ୍ଦାଙ୍କୁ ଜବରଦଖଲକାରୀ ବା ଇଂରାଜୀରେ ଏନ୍‌କ୍ରୋଚର ବୋଲି କୁହାଯାଏ। ବେଳେବେଳେ ଜଣେ ଆଉ ଜଣକର ପଟ୍ଟାଭୁକ୍ତ ଜମି ବା ସମ୍ପତ୍ତିକୁ ବଳପୂର୍ବକ ମାଡ଼ିବସିଥିଲେ ତାକୁ ମଧ୍ୟ ଏହି ନାମରେ ସମ୍ବୋଧିତ କରାଯାଏ। ତେବେ ଜବର ଦଖଲକାରୀ କହିଲେ ସାଧାରଣତଃ ସରକାରୀ ଜମିରେ ବସବାସ କରୁଥିବା ବାସିନ୍ଦାଙ୍କୁ ବୁଝାଏ। ବିଶେଷକରି ସହରଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଏହା ଅଧିକ ପ୍ରୟୋଗ ହୁଏ। ସହରାଞ୍ଚଳରେ ବସବାସ କରୁଥିବା ପ୍ରାୟ ସମସ୍ତ ବସ୍ତିଲୋକ ପଟ୍ଟାବିହୀନ ବାସିନ୍ଦାର ଅନ୍ତର୍ଗତ।
ଏହା ବାଦ୍‌ ଆହୁରି କେତେ ଲୋକ ରହିଛନ୍ତି ସେମାନେ ବସ୍ତିରେ ବସବାସ କରନ୍ତି ନାହିଁ, କିନ୍ତୁ ସରକାରୀ ଜମିରେ ଘରକରି ରହିଛନ୍ତି, ସେମାନେ ମଧ୍ୟ ପଟ୍ଟାବିହୀନ ବାସିନ୍ଦାର ଅନ୍ତର୍ଗତ।
ସହରାଞ୍ଚଳରେ ପଟ୍ଟାବିହୀନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହାର ଅନେକ କାରଣ ରହିଛି। ଗାଁ ଗହଳିରେ କର୍ମନିଯୁକ୍ତିର ଘୋର ଅଭାବ ରହିଛି। ଫଳରେ ଅନେକ କୁଶଳୀ, ଅର୍ଦ୍ଧକୁଶଳୀ, ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାର ସହରକୁ ପଳାଇ ଆସିଛନ୍ତି କର୍ମସଂସ୍ଥାନ ପାଇବା ଆଶାରେ। ଏମାନେ ସହରକୁ ଆସି ପ୍ରଥମେ ବେସରକାରୀ ସଂସ୍ଥାରେ ଛୋଟ ମୋଟ ଚାକିରି କରନ୍ତି ଓ କେତେକେ ଛୋଟକାଟିଆ ବ୍ୟବସାୟ ଆରମ୍ଭ କରନ୍ତି। ବିଭିନ୍ନ ଦୋକାନରେ ସେଲ୍ସମ୍ୟାନ, ବିଭିନ୍ନ ଅନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ, ମହିଳାମାନେ ବାଈ ବା ଘରୋଇ କାର୍ଯ୍ୟରେ ସାହାଯ୍ୟକାରୀ, ଫଳଦୋକାନୀ, ଠେଲାଗାଡ଼ି ଜଳଖିଆ ଦୋକାନୀ, ସାଇକେଲ ମରାମତି ଦୋକାନୀ, ବିଭିନ୍ନ ପ୍ରକାର ମିସ୍ତ୍ରି କାମ, ଫେରିବାଲା, ସଫେଇ କର୍ମଚାରୀ, ବିଭିନ୍ନ ଅଫିସରେ ଚପରାସୀ ଚାକିରି ଇତ୍ୟାଦି କରନ୍ତି। ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥଳେ ପଟ୍ଟାଭୁକ୍ତ ଜମି କିଣି ଘର କରିବା ଏମାନଙ୍କ ପାଇଁ ସ୍ବପ୍ନ ହୋଇପଡ଼େ। ଅନ୍ୟପକ୍ଷରେ ଭଡ଼ାଘରେ ରହିବା ମଧ୍ୟ ଏମାନଙ୍କ ପାଇଁ ବ୍ୟୟ ସାପେକ୍ଷ ହୁଏ। ତେଣୁ ଏମାନେ କେଉଁ ନାଳ କଡ଼ରେ, କେନାଲ କଡ଼ରେ, ନଦୀପଠାରେ, ରାସ୍ତାକଡ଼ରେ, ଟ୍ରେନ୍‌ ଲାଇନ କଡ଼ରେ ଝୁପୁଡି ଘର କରିରହନ୍ତି। ସମୟକ୍ରମେ ଝୁପଡ଼ିଘର ଆଜବେଷ୍ଟସ୍‌ ଘରକୁ ଓ କେତେଜଣଙ୍କ ଆଜବେଷ୍ଟସ୍‌ ଘର ଛୋଟ ପକ୍କାଘରକୁ ରୂପାନ୍ତରିତ ହୁଏ। ଏହା ପ୍ରତ୍ୟେକ ସହରର ବାସ୍ତବତା। ସମସ୍ତଙ୍କ ଜ୍ଞାତସାରରେ ଏପରି ବସ୍ତି ଗଢ଼ିଉଠେ। ଏମାନଙ୍କ ନିକଟରେ ସମାଧାନର ସୂତ୍ର ନ ଥାଏ। ସମସ୍ୟା ଆଗକୁ ଗଡ଼ିଚାଲେ।
କେତେକ ଗଡ଼ଜାତିଆ ସହରରେ ବହୁ ପୁରାତନ ପଟ୍ଟାବିହୀନ ବାସିନ୍ଦାଙ୍କୁ ଦେଖିବାକୁ ମିଳେ। ଏମାନଙ୍କ ଭିତରୁ କେତେଜଣ ଅଛନ୍ତି ଯେଉଁମାନେ ସ୍ବାଧୀନତା ପୂର୍ବରୁ ସରକାରୀ ଜମିରେ ଘରକରି ରହିଛନ୍ତି। ଚାଲାକମାନେ କଳେବଳେ କୌଶଳେ ନିଜ ନାମରେ ପଟ୍ଟାକରି ନେଇଛନ୍ତି। ସରଳ ଓ ନିରୀହମାନେ ସେହିପରି ପଡ଼ି ରହିଛନ୍ତି। ଏହି ପ୍ରକ୍ରିୟା ମଧ୍ୟରେ କେତେକେ ଭାବି ନେଇଛନ୍ତି ଯେ ସରକାରୀ ଜମିରେ ଘରକରି ରହିବା ଅପରାଧ ନୁହେଁ। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକଭାବେ ଜଣକର ମୁଣ୍ଡ ଗୁଞ୍ଜିବାର ଅଧିକାର ଅଛି। ସେ ବାଧ୍ୟରେ ୨/୪ ଡେସିମିଲ ଘେରି ଘର କରିଛି ନିଜ ପିଲାଛୁଆଙ୍କ ସହ ମୁଣ୍ଡ ଗୁଞ୍ଜିବା ପାଇଁ। ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର। ତେଣୁ ଶାସକ ଓ ପ୍ରଶାସକ ଗୋଷ୍ଠୀ ତାକୁ ନିଶ୍ଚୟ ଅନୁକମ୍ପା ଦେଖାଇବେ। ଏହି ମାନସିକତାରେ କେତେଜଣ ଅଛନ୍ତି। ଆଉ କେତେକେ ଭାବନ୍ତି ଯାହା ହେବ ଦେଖାଯିବ।
କୌଣସି ଲୋକକୁ ବାସହୀନ କରିବା ମାନବିକତା ବିରୋଧୀ କାର୍ଯ୍ୟ। ଏହା ଏକ ସ୍ପର୍ଶକାତର ବିଷୟ। ବହୁମାତ୍ରାରେ ଏପରି ଲୋକଙ୍କ ଉଚ୍ଛେଦ ରାଜନୈତିକ ବିବାଦର ବିନ୍ଦୁ ହୋଇଯାଏ। ପଟ୍ଟାବିହୀନଙ୍କ ସପକ୍ଷରେ ବଳିଷ୍ଠ ଯୁକ୍ତି ହେଉଛି ସରକାର ଶିଳ୍ପାୟନ ନାମରେ ଘରୋଇ କମ୍ପାନୀଗୁଡ଼ିକୁ ହଜାର ହଜାର ଏକର ଜମି ଦେଉଥିବା ବେଳେ ପ୍ରଗତିର ମୂଳଦୁଆ ସାଜିଥିବା ଏହି ଲୋକମାନଙ୍କୁ ୨/୪ ଡେସିମିଲ ଲେଖାଏଁ ଜମି ଦେଇପାରିବେ ନାହିଁ କାହିଁକି? ଏମାନେ ପକ୍କା ଭାରତୀୟ। ସମ୍ମାନର ସହିତ ବଞ୍ଚିବାର ଅଧିକାର ଦେଶର ସମସ୍ତ ନାଗରିକର ରହିଛି। ତେଣୁ ପ୍ରତ୍ୟେକ ନାଗରିକକୁ ବାସସ୍ଥାନ ଯୋଗାଇବା ଓ ଆବଶ୍ୟକ ସୁରକ୍ଷା ଦେବା ରାଷ୍ଟ୍ରର କର୍ତ୍ତବ୍ୟ।
ପଟ୍ଟାବିହୀନ ବସ୍ତିବାସିନ୍ଦାଙ୍କ ଆଳରେ କିଛି ଜମିମାଫିଆ ବିଭିନ୍ନ ସହରରେ ଏକର ଏକର ସରକାରୀ ଜାଗାକୁ ନିଜ କବ୍‌ଜାକୁ ନେଇ ପ୍ଲଟ୍‌କରି ବିକିଚାଲିଛନ୍ତି। ଅନେକ ପଟ୍ଟାବିହୀନ ବାସିନ୍ଦା ବି ରହିଛନ୍ତି ଯେଉଁମାନଙ୍କ ଆୟତ୍ତରେ ବହୁ ସରକାରୀ ଜମି ରହିଛି। ଅନେକେ ଅଛନ୍ତି ଯେଉଁମାନେ ଘରକରି ଭଡ଼ାରେ ଲଗାଇଛନ୍ତି। ତେଣୁ ଥଇଥାନ ପାଇଁ ସମୟ ଅବଧି ନିର୍ଣ୍ଣୟ ଓ ପ୍ରକୃତ ହିତାଧିକାରୀ ଚୟନ ଜରୁରୀ ।
ବସ୍ତିବାସିନ୍ଦା ନିୟମ-୨୦୧୭ ଅନୁଯାୟୀ ପ୍ରତ୍ୟେକ ପଟ୍ଟାବୀହିନ ବାସିନ୍ଦା ପୌରାଞ୍ଚଳରେ ୪୫ ବର୍ଗମିଟର ଓ ଏନ୍‌ଏସିରେ ୬୦ ବର୍ଗମିଟର ଜାଗା ପାଇବେ। ଏହାଠାରୁ କମ୍‌ ଥିଲେ ଯେତିକି ଥିବ ସେତିକି ପାଇବେ। ଅଧିକ ଥିଲେ ବଳକା ଜମିକୁ ସରକାରଙ୍କୁ ହସ୍ତାନ୍ତର କରିବେ। ଯେଉଁ ଜମି ମାଲିକାନା ଦିଆଯାଉଛି ତାହାକୁ ପ୍ରଥମେ ଜମି ଅଧିକାର ପ୍ରମାଣପତ୍ର ବା ଏଲ୍‌ଆର୍‌ସି ବୋଲି କୁହାଯାଉଛି। ପରେ ଏହାକୁ ବଦଳାଇ ପଟ୍ଟା ପ୍ରଦାନ କରାଯାଉଛି। ଏହା ଆଧାରରେ ଅନେକେ ଲୋକ ପଟ୍ଟା ପାଇ ସାରିଲେଣି। ଆହୁରି ଅନେକେ ପାଇବା ଅପେକ୍ଷାରେ ଅଛନ୍ତି।
କେତେକ ସହରରେ ସମସ୍ୟା ହେଉଛି ଜଙ୍ଗଲ ଜମି କିସମକୁ ନେଇ। ଅନେକ ବସ୍ତି ଜଙ୍ଗଲ ଜମିରେ ଗଢ଼ିଉଠିଛି। କିସମ ବଦଳାଇବା ପାଇଁ କେନ୍ଦ୍ରର ଅନୁମତି ଲୋଡ଼ା। ତେଣୁ ଏମାନଙ୍କୁ ଏଲ୍‌ଆର୍‌ସି ଦିଆଯାଇ ପାରୁନାହିଁ। ରାଜ୍ୟ ସରକାର ତାଙ୍କୁ ଜମି ଯୋଗ୍ୟତା ପ୍ରମାଣପତ୍ର ବା ଏଲ୍‌ଇସି ପ୍ରଦାନ କରିଛନ୍ତି। ଆବଶ୍ୟକ ସ୍ଥଳେ ଏମାନଙ୍କୁ ଆଉ କୋଉ ଜାଗାରେ ଜମି ଦିଆଯାଇପାରିବ। ଏବେ ସହର ମଧ୍ୟରେ ଆଉ ଜଙ୍ଗଲ ନାହିଁ। ତେଣୁ ଜମି କିସମ ବଦଳିବା ଜରୁରୀ।
ରାଜ୍ୟର ବିଭିନ୍ନ ସହରରେ ଯେତିକି ପଟ୍ଟାବିହୀନ ବାସିନ୍ଦା ଅଛନ୍ତି ତାଙ୍କୁ ହଟାଇବା ସମ୍ଭବପର ନୁହେଁ। ଯେତେବେଳେ ନିୟମ ଠିକ୍‌ଭାବେ କାର୍ଯ୍ୟକାରୀ ହୁଏ ନାହିଁ, ସେତେବେଳେ ବେନିୟମ ନିୟମରେ ପରିଣତ ହୁଏ। ଏହି ନ୍ୟାୟରେ ସହରଗୁଡ଼ିକରେ ପଟ୍ଟାବିହୀନଙ୍କ ସଂଖ୍ୟା ବଢ଼ିଯାଇଛି। ଠିକ୍‌ ସମୟରେ ନିୟନ୍ତ୍ରଣ କରାଯାଇନାହିଁ। ତେଣୁ ସରକାରଙ୍କ ନିକଟରେ ଏକମାତ୍ର ପନ୍ଥା ଏମାନଙ୍କୁ ସର୍ବକ୍ଷମା ଦେଇ ଥଇଥାନ କରିବା। ତଦନୁଯାୟୀ ବୋଧହୁଏ ବସ୍ତିବାସିନ୍ଦା ଆଇନ-୨୦୧୭ ଆଗତ ହୋଇଛି। ଏହି ନିୟମର ପରିସୀମାକୁ ବଢ଼ାଇବାର ଆବଶ୍ୟକତା ଅନୁଭୂତ ହେଉଛି। ନିୟମ ମୁତାବକ ଦେୟମୁକ୍ତ ଜାଗା ବାଦ୍‌ ୪୫ ଡେସିମିଲ ପର୍ଯ୍ୟନ୍ତ ଅଥବା ଯେତିକି ଜାଗା ଉପରେ ଘର କରିଛନ୍ତି ସେତିକିକୁ ଦେୟଯୁକ୍ତ ଯୋଜନାର ଅନ୍ତର୍ଭୁକ୍ତ କଲେ ଏହା ଅଧିକ ଫଳପ୍ରଦ ହୁଅନ୍ତା। ଏହାଦ୍ୱାରା ଜବରଦଖଲରେ ଥିବା ସରକାରୀ ଜମିର ସୁବନ୍ଦୋବସ୍ତ ହେବା ସହ ରାଜ୍ୟ ରାଜକୋଷ ପାଇଁ ଭଲ ପରିମାଣର ଅର୍ଥ ସଂଗ୍ରହ କରାଯାଇ ପାରିବ। ଯେଉଁ ଅର୍ଥ ରାଜ୍ୟର ଅନ୍ୟ କୌଣସି ବିକାଶ କାର୍ଯ୍ୟରେ ଲାଗିପାରିବ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ,
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?