ଶିକ୍ଷା ବିନା ବିକାଶ ଅସମ୍ଭବ

ଶିକ୍ଷା ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ସେଥିପାଇଁ ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତେ ବିକଶିତ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥା ଆଗରୁ ଯାହା ଥିଲା ଏବେ ବି ଠିକ୍‌ ସେମିତି ଅବହେଳିତ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଓ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ଓଡ଼ିଶା ରୂପେ ଗଢ଼ି ତୋଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ଦେଖାଯାଉଥିବା ଅବ୍ୟବସ୍ଥା ବିକଶିତ ଓଡ଼ିଶାର ରାସ୍ତାରେ କଣ୍ଟା ସଦୃଶ। ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଅର୍ଥନୈତିକ ଅଭିବୃଦ୍ଧି, ଶିଳ୍ପାୟନ, ସହରୀକରଣ, ବିଜ୍ଞାନ, କୃଷିର ବିକାଶ ସହିତ ଶିକ୍ଷା କ୍ଷେତ୍ର ଅଭିବୃଦ୍ଧି ଅପରିହାର୍ଯ୍ୟ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଉଭୟ ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷା ଅତ୍ୟନ୍ତ ସଙ୍କଟାପନ୍ନ। ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ପ୍ରାଥମିକ ଶିକ୍ଷା, ଯଦି ଏହି ଶିକ୍ଷା ପିଲାଙ୍କୁ ଠିକ୍‌ ଭାବେ ଦିଆ ନ ଯାଏ ତାହାଲେ ଶିକ୍ଷାର ମୂଳଦୁଆ ଭୁଶୁଡ଼ିବା ସ୍ବାଭାବିକ। ଆଗରୁ କଥା କଥାରେ ଲୋକମାନେ ପିଲାମାନଙ୍କୁ କୁହନ୍ତି ‘ପାଠ ପଢ଼ ନ ହେଲେ ବଡ଼ ହେଲେ ମୂର୍ଖ ହେବୁ’ କିନ୍ତୁ ଏବେ ସମୟ ଏମିତି ଆସିଛି ଯେ ପିଲା ପାଠ ପଢ଼ିଲେ ବି ମୂର୍ଖ ହେବେ। ବେଳେ ବେଳେ କୌଣସି କଥାକୁ ନେଇ ବିତର୍କ ଚାଲିଥିଲାବେଳେ କଥାକୁ ପ୍ରମାଣିତ କରିବା ପାଇଁ ବହିର ସାହାରା ନେଇଥାନ୍ତି, କାରଣ ବହି ଉପରେ ସମସ୍ତଙ୍କର ବିଶ୍ୱାସ ଥାଏ ଯେ ବହିରେ ଦିଆଯାଇଥିବା ତଥ୍ୟଟି ସତ୍ୟ। କିନ୍ତୁ ଚଳିତବର୍ଷ ରାଜ୍ୟରେ ନୂତନ ଶିକ୍ଷାନୀତି ଲାଗୁ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଣ୍ଟନ କରାଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ଥିବା ତ୍ରୁଟି ପାଇଁ ପୁଣି ଥରେ ଜାତୀୟ ସ୍ତରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମାଲୋଚନାର ଶିକାର ହୋଇଛି। ପ୍ରଶ୍ନ ଉଠେ ଯଦି ପିଲା ଏହି ବହି ପଢ଼ିବେ ତାହାଲେ ଓଡ଼ିଶା ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାରେ ପରିଣତ ହେବ ତ ?
ରାଜ୍ୟରେ ଅନେକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳୁଛି। କେଉଁଠି ଜଣିଏ ଶିକ୍ଷକ ପାଞ୍ଚଟି ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି ତ ପୁଣି କେଉଁଠି ଗୋଟିଏ ଶ୍ରେଣୀରେ ପାଞ୍ଚୋଟି ଶ୍ରେଣୀର ପିଲା ପଢୁଛନ୍ତି। ୨୦୨୫-୨୬ ଆର୍ଥିକବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍‌ଫର୍ମେଶନ ସିଷ୍ଟମ ଫର୍‌ ଏଜୁକେଶନ ପ୍ଲସ୍‌ର ରପୋର୍ଟ ଆଧାରରେ ରାଜ୍ୟର ୧୪୫୮ଟି ବିଦ୍ୟାଳୟରେ ମାତ୍ର ଜଣେ ଲେଖାଏ ଶିକ୍ଷକ ପାଠ ପଢ଼ାଉଛନ୍ତି। ରିପୋର୍ଟ ଅନୁସାରେ ୨୦୨୩ ପରଠାରୁ ରାଜ୍ୟରେ ସିଙ୍ଗଲ ଟିଚର ସ୍କୁଲ ଟ୍ରେଣ୍ଡ ବଢ଼ି ଚାଲିଛି। ୨୦୨୩-୨୪ରେ ଓଡ଼ିଶାରେ ଜଣେ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ଥିଲା ୧୦୬୫ ଏବଂ ୨୦୨୪-୨୫ ଥିଲା ୧୦୮୯। ମାତ୍ର ୨୦୨୫-୨୬ ବେଳକୁ ଏହା ୩୪ ପ୍ରତିଶତକୁ ବୃଦ୍ଧି ପାଇ ୧୪୫୮ରେ ପହଞ୍ଚିଛି, ଯାହାଦ୍ବାରା ଏହି ସବୁ ବିଦ୍ୟାଳୟରେ ପଢୁଥିବା ୬୦,୦୦୦ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୫୨ ଲକ୍ଷ ଛାତ୍ରୀଛାତ୍ର ଓଡ଼ିଆ ମିଡିୟମ ସ୍କୁଲରେ ପାଠ ପଢୁଛନ୍ତି। ମାତ୍ର ଶିକ୍ଷା ବ୍ୟବସ୍ଥାର ଏହି ଚିତ୍ର ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଟାନିନେଉଛି। ଅନେକ ସମୟରେ ସରକାରୀ ସ୍କୁଲ ଏବଂ ପ୍ରାଇଭେଟ୍‌ ସ୍କୁଲର ଶିକ୍ଷାର ଗୁଣବତ୍ତା ଓ ଭିତ୍ତିଭୂମିକୁ ନେଇ ଅନେକ ବିତର୍କ ଦେଖିବାକୁ ମିଳେ। କାହିଁକି ଅଭିଭାବକମାନେ ନିଜର ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି, ନିଜର ପ୍ରଥମ ପସନ୍ଦ ଭାବରେ ପ୍ରାଇଭେଟ୍‌ ସ୍କୁଲକୁ ଚୟନ କରୁଛନ୍ତି। ଏହାର କାରଣ ହେଉଛି ଦିଆଯାଉଥିବା ଶିକ୍ଷାର ମାନ ଉପରେ ଲୋକଙ୍କ ଭରସା ପାଉନାହିଁ। ସେହିପରି ଅନେକ ସମୟରେ ସର୍ବଭାରତୀୟ ପରୀକ୍ଷା ଏବଂ ସର୍ବଭାରତୀୟ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆ ମିଡିୟମରେ ପଢ଼ିଥିବା ଛାତ୍ରୀଛାତ୍ରମାନଙ୍କର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। କିନ୍ତୁ ଏହାର ମୂଳ କାରଣର ଉପଚାର ନିମନ୍ତେ ସେତେଟା ତତ୍ପରତା ଦେଖିବାକୁ ମିଳେନାହିଁ ।
ରାଜ୍ୟରେ ଉଚ୍ଚଶିକ୍ଷାର ଅବସ୍ଥା ଆହୁରି ସଙ୍କଟାପନ୍ନ। ଦେଖିବାକୁ ଗଲେ ରାଜ୍ୟର ପ୍ରାୟ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଆବଶ୍ୟକତାଠାରୁ କମ୍‌ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଛନ୍ତି; ଯଦ୍ଦ୍ବାରା ଶିକ୍ଷା ପ୍ରଦାନ ସହ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପରିଚାଳନାରେ ବାଧା ଉପୁଜିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୪ରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ୭୮୬ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ମାତ୍ର ତାହା ଏଯାବତ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଫଳରେ ଅଧ୍ୟାପକ ଖାଲିଥିବା କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏହାର ସମାଧାନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ କଲେଜରେ ଖାଲିଥିବା ଅଧ୍ୟାପକ ପଦବୀରେ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟରେ ଶିକ୍ଷିତ ବେକାରିଙ୍କ ସଂଖ୍ୟା ଉତ୍କଟ ଥିବାବେଳେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ଅଧ୍ୟାପକ ଆଶାୟୀଙ୍କ ସ୍ବପ୍ନକୁ ଚୂର୍‌ମାର କରିଛି। ସରକାରଙ୍କ ଏହି ବ୍ୟବସ୍ଥାକୁ ଉଚ୍ଚ ନ୍ୟାୟାଳୟ ଭର୍ତ୍ସନା କରିବା ସହିତ ଏହାର ନିଯୁକ୍ତି ଉପରେ ରହିତାଦେଶ ଲଗାଇଛନ୍ତି। ଏହାଛଡ଼ା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅଧ୍ୟାପକଙ୍କ ମରୁଡ଼ି ହେତୁ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ପ୍ରଭାବିତ ହୋଇଛି। ନିକଟରେ ୍‌ସରକାର କେଜିରୁ ପିଜି ମାଗଣା ଶିକ୍ଷାଦାନ ନିମନ୍ତେ ଘୋଷଣା କରିଛନ୍ତି, ଯାହାକି ଶିକ୍ଷାର ବିକାଶ ପାଇଁ ସ୍ବାଗତଯୋଗ୍ୟ ପଦକ୍ଷେପ। ତେଣୁ ଓଡ଼ିଶାକୁ ବିକଶିତ କରିବାକୁ ହେଲେ ଖାଲି ଶିକ୍ଷାକୁ ମାଗଣା ଘୋଷଣା କରିବା ଏବଂ ଶିକ୍ଷା ସହ ଜଡ଼ିତ ଯୋଜନା କରିଦେଲେ ହେବ ନାହିଁ ; ଏହାର ଠିକ୍‌ କାର୍ଯ୍ୟକାରିତା ଓ ଉପଯୁକ୍ତ ଭିତ୍ତିଭୂମିର ବିକାଶ ସହ ଭବିଷ୍ୟତରେ ଶିକ୍ଷା ଆଧାରରେ ଉପଯୁକ୍ତ ନିଯୁକ୍ତି ମିଳିଲେ ଏହାର ଉଦ୍ଦେଶ୍ୟ ହାସଲ ହୋଇପାରିବ। ‘ବିକଶିତ ଓଡ଼ିଶା -୨୦୩୬’ର ସଂକଳ୍ପକୁ ସାକାର କରିବାକୁ ହେଲେ ସ୍ବାସ୍ଥ୍ୟ, ଶିଳ୍ପ, ଅର୍ଥନୀତି, ବିଜ୍ଞାନ, କୃଷି ସହ ଶିକ୍ଷାର ବିକାଶ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷାର ବିକାଶ ବିନା ବିକଶିତ ଓଡ଼ିଶାର ପରିକଳ୍ପନା ଅସମ୍ଭବ।
ସୋର, ବାଲେଶ୍ୱର
ମୋ : ୬୩୭୨୩୨୧୧୦୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ…

ହ୍ବାଟ୍ସଆପ୍‌ ଗ୍ରୁପ୍‌ର ବିଷାକ୍ତ ଚିତ୍ର

ସକାଳୁ ସକାଳୁ ମୁଁ ରହିଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ ଆସିଲା, ଯାହାର ଆରମ୍ଭରେ ଲେଖାଥିଲା- ”ଦୟାକରି ଏହି ବାର୍ତ୍ତାଟି ପଢ଼ନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ,…

ସିଜିମାଳିରୁ ସିଆଙ୍ଗ

ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ଓ ଭାରତୀୟ…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

ଗ୍ରାମସଭାର ଅଧିକାର ଉପରେ ଆକ୍ରମଣ

ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର…

ପୁନର୍ବାର ଲୁଲା

ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?