ଧର୍ମଛଡ଼ା ଭୋଟରଙ୍କ କଥା

”ଓଃ! ନିର୍ବାଚନ ସରିଗଲା। ମଣିଷ ମୁକ୍ତି ପାଇଗଲା ଗଣତନ୍ତ୍ରର ଏହି ମହାପର୍ବର କୋଳାହଳରୁ।“ ଏମିତି ଏକ ଉଚ୍ଚାରଣ ଉଶ୍ୱାସ ଓ ଆଶ୍ୱସ୍ତିର। ମାସାଧିକ କାଳର ନିର୍ବାଚନ ଜନିତ କୋଳାହଳ, ଆଞ୍ଚଳିକ ସ୍ତରରୁ ଆରମ୍ଭକରି କେନ୍ଦ୍ରୀୟ ସ୍ତରର ନେତାମାନଙ୍କ ତୁହାକୁ ତୁହା ନିର୍ବାଚନୀ ସଭା, ରାଲି, ରୋଡ୍‌ ଶୋ ଓ ଘରକୁ ଘର ବୁଲି ପ୍ରାର୍ଥୀମାନଙ୍କ ନିର୍ବାଚନ ପ୍ରଚାର ଆଦି ପ୍ରତ୍ୟକ୍ଷ କରି କରି କ୍ଳାନ୍ତ ହୋଇପଡ଼ିଥିବା ସାଧାରଣ ଭୋଟରଙ୍କ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ପରିଣାମ ବାହାରିଯିବା ଥିଲା ଏକ ଆଶ୍ୱସ୍ତିର ମୁହୂର୍ତ୍ତ। ଦେଶ ଓ ରାଜ୍ୟ ଚଳାଇବା ପାଇଁ ପ୍ରତିନିଧି ଚୟନ କରିବାର ଯେଉଁ ଗୁରୁଦାୟିତ୍ୱ ନାଗରିକ ମୁଣ୍ଡରେ, ସେଇ ଦାୟିତ୍ୱ ନିର୍ବାହ କରିସାରିବା ପରେ ଆଉ କିଛିି ଦାୟିତ୍ୱ ନାହିଁ ତା’ ଉପରେ। ବାସ୍‌, ଏବେ ପୁଣି ପାଞ୍ଚବର୍ଷ ପାଇଁ ନିଘୋଡ଼ ନିଦରେ ଶୋଇଯିବାର ବେଳ।
ତେବେ ଗଣତନ୍ତ୍ରର ଗାରିମାରେ ସଦା ଗରୀୟାନ ଭାରତବର୍ଷର ନାଗରିକମାନଙ୍କ ପାଇଁ ନିର୍ବାଚନ କ’ଣ ଏକ ବୋଝ? ଏହି ବୋଝ ବୋହିବା ପାଇଁ ସେମାନେ କ’ଣ ବସ୍ତୁତଃ ବାଧ୍ୟ? ନିର୍ବାଚନ ତିଥି ଘୋଷଣା ହେବା ପରଠୁଁ ନିର୍ବାଚନ ଶେଷ ହୋଇ ସରକାର ଗଠିତ ହେଲାଯାଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତା, ସେମାନଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରୁଥିବା ଦଳୀୟ କର୍ମୀ, କୌଣସି ଦଳଭୁକ୍ତ ନ ହୋଇ କେବଳ କିଛି ସହଜଲଭ୍ୟ ଅର୍ଥ ଅର୍ଜନ କରିବା ପାଇଁ ଚୁକ୍ତିଭିତ୍ତିକ ପ୍ରଚାର କରୁଥିବା ବେକାର ଯୁବକ ତଥା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କୁ ଛାଡ଼ିଦେଲେ ଅବଶିଷ୍ଟ ଅନ୍ୟମାନେ ନିର୍ବାଚନକୁ ନେଇ ଯେମିତି ନିଃସ୍ପୃହ, ସେମିତି ନିରୁତ୍ସାହିତ। ଦଳମତ ନିର୍ବିଶେଷରେ ସବୁ ପ୍ରାର୍ଥୀଙ୍କ ମୁହଁ ସେମାନଙ୍କ ପାଇଁ ଦେଖିବାକୁ ଏକାପରି!
ସେଦିନ ଭୋଟ୍‌ ଦେଇସାରି ଭୋଟ୍‌ କକ୍ଷରୁ ବାହାରି ଆସୁଥିବା ଜଣେ ପରିଚିତ ବନ୍ଧୁଙ୍କ ମନ୍ତବ୍ୟ ଏ ପ୍ରସଙ୍ଗରେ ବେଶ୍‌ ପ୍ରଣିଧାନଯୋଗ୍ୟ। ସେ କହୁଥିଲେ, ”ଭୋଟ ଦେବା ପାଇଁ ମନରେ କୌଣସି ଉତ୍ସାହ ନ ଥିଲେ ବି ଦେଶର ଜଣେ ସଭ୍ୟ ନାଗରିକ ଭାବେ ନିଜର ଜାତୀୟ କର୍ତ୍ତବ୍ୟ ପ୍ରତି ସଚେତନ ରହି ଏଠାକୁ ଆସିବା କଥା। ମାତ୍ର ଯେଉଁଠି ଗୋଟିଏ ଚିକେନ ମିଲ୍‌, ଗ୍ଲାସେ ମଦ ଓ ଦୁଇହଜାର ଟଙ୍କାରେ ଭୋଟ କିଣାଯାଉଛି, ସେଠି ବିନା କୌଣସି ପ୍ରଲୋଭନରେ କେବଳ ନାଗରିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆମ ଭଳି ଲୋକଙ୍କ ଭୋଟର ଶକ୍ତି କେତେ ଯେ ଆମେ ମିଥ୍ୟାଚାରୀ ପ୍ରାର୍ଥୀଙ୍କୁ ପରାସ୍ତ କରି ସଦାଚାରୀ ପ୍ରାର୍ଥୀଙ୍କୁ ଜିତାଇ ଦେଇ ପାରିବୁ!“
ତାଙ୍କ କଥା ଶୁଣି ଆଉ ଜଣେ ସମବୟସ୍କ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କଥା ଯୋଡ଼ିଲେ- ”କୁହାଯାଏ ଯେ ଲୋକେ ସେଇଭଳି ସରକାର ପାଆନ୍ତି, ଯେଉଁଥିପାଇଁ କି ସେମାନେ ଯୋଗ୍ୟ। ଟଙ୍କା ନେଇ ଭୋଜିଭାତ ଖାଇ ନିଜ ଭୋଟ ବିକୁଥିବା ଅସାଧୁ ଭୋଟରଙ୍କୁ ସାଧୁ ସରକାର କେମିତି ମିଳନ୍ତା ଯେ! ଶୁଣାଯାଉଛି, ଗୋଟିଏ ଦଳ ସାରା ରାଜ୍ୟରେ ପାଞ୍ଚଶହ କୋଟି ଟଙ୍କା ବାଣ୍ଟିଛି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇବା ପାଇଁ। କେବଳ ଏତିକି ନୁହେଁ, କାଳେ ଅର୍ଥଲୋଭୀ ଭୋଟରମାନେ ଟଙ୍କା ନେଇ, ଭୋଜିଭାତ ଖାଇ ବି ଭୋଟ ଦେବେ ନାହିଁ, ସେଥିପାଇଁ ଧର୍ମଭୀରୁ ଭୋଟରମାନଙ୍କୁ ଈଶ୍ୱରଙ୍କ ଫଟୋ ଓ ଜଗନ୍ନାଥଙ୍କ ମହାପ୍ରସାଦ ଛୁଆଁଇ ନିଜ ସପକ୍ଷରେ ଭୋଟ ଦେବା ପାଇଁ ନିୟମ କରାଇ ନେଇଛନ୍ତି। ଯେଉଁଠି ଗଣତନ୍ତ୍ରର ପବିତ୍ରତା ଏମିତି ବିଷାକ୍ତ ମିଥ୍ୟାଚାର ମଧ୍ୟରେ କଳୁଷିତ, ସେଠି ନିର୍ବାଚିତ ହୋଇସାରିଲା ପରେ ପ୍ରତିନିଧି ଜଣଙ୍କ ସଦାଚାରୀ ହେବେ ବୋଲି ବିଶ୍ୱାସ କରିହେବ କି?“
ରାଜନୀତିର ମିଥ୍ୟାଚାର ମଧ୍ୟକୁ ଈଶ୍ୱରଙ୍କୁ ଟାଣି ଆଣୁଥିବା ରାଜନେତାଙ୍କ ପାଇଁ ଅନ୍ତରରେ ପ୍ରଚଣ୍ଡ ଘୃଣା ଭରି ରହିଥିଲା ଏ ଲେଖକର। ନିଜ ବାମହାତର ଅଙ୍ଗୁଳିରେ ଲଗାଯାଇଥିବା ଭୋଟ୍‌ଦାନର ସଦ୍ୟ ସନ୍ତକ କାଳିଦାଗ ଅପେକ୍ଷା ତାକୁ ଅଧିକ କଳା ଦିଶୁଥିଲା ଆମ ଗଣତନ୍ତ୍ରର ଚେହେରା। ଅତ୍ୟନ୍ତ ସନ୍ତ୍ରସ୍ତ ହୃଦୟରେ ସେ ସେଦିନ ନୀରବରେ ଫେରି ଆସିଥିଲା ଭୋଟ୍‌ଦାନ କେନ୍ଦ୍ରରୁ, ଏଇଟି ତା’ର ଶେଷ ଭୋଟ୍‌ ହୋଇଥାଉ ବୋଲି ମନରେ କାମନାକରି।
ଗଣତନ୍ତ୍ରର କର୍ଦ୍ଦମାକ୍ତ ଚେହେରା ଦେଖି ନିର୍ବାଚନ ପରିଣାମ ପ୍ରତି ନିସ୍ପୃହ ରହିବାର ଯେତିକି କାରଣ ଥିଲା, ପରିଣାମ ଘୋଷିତ ହେଲା ପରେ କେଜାଣି କାହିଁକି, ସେ କାରଣ ଉଭେଇ ଯାଇଥିଲା ଅଚାନକ। ଅର୍ଥବଳ, ବାହୁବଳ ଓ ସରକାରୀ କଳର ସମସ୍ତ ବଳକୁ ପ୍ରତିହତ କରି ପରିଣାମ ମିଳିଲା ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ସଂପୂର୍ଣ୍ଣ ଅକଳ୍ପନୀୟ, ଅବିଶ୍ୱସନୀୟ! ବିରୋଧୀଙ୍କ ପକ୍ଷରୁ ପ୍ରଚାରର ଜପାମାଳି କରାଯାଇଥିବା ଅସ୍ମିତା ଭଳି ଗୋଟିଏ ଅଦୃଶ୍ୟମାନ ଅନୁଭବର ପୁଣି ଏତେ ଶକ୍ତି! ଗୋଟିଏ ପରିବର୍ତ୍ତନର ସମ୍ଭାବନାକୁ ନେଇ ବହୁ ଲୋକଙ୍କ ଭଳି ଏ ଲେଖକ ମଧ୍ୟ ପୁଲକିତ ହେଉଥିବା ବେଳେ ତା’ର ଭେଟ ହୋଇଥିଲା ରାଜଧାନୀର ଏକ ସହରତଳି ଅଞ୍ଚଳରେ ଗ୍ୟାରେଜଟିଏ ଦେଇ ଦୁଇଚକିଆ ଯାନର ମରାମତି କରୁଥିବା ଯୁବ ମେକାନିକ ଗୋବିନ୍ଦ ସହ। ଗ୍ୟାରେଜରେ ନିଜ ସ୍କୁଟର ସଜାଡୁଥିଲା ବେଳେ କୌତୂହଳୀ ଗୋବିନ୍ଦ ଏଇ ନିଃସ୍ପୃହ ଲେଖକଙ୍କୁ ପଚାରିଲା ଦିଲ୍ଲୀରେ କିଏ ସରକାର ଗଢ଼ୁଛି ସାର୍‌?
ସରକାର ଗଢ଼ିବା ପ୍ରସଙ୍ଗରୁ କଥା ଗଡ଼ିଚାଲିଲା ଆଗକୁ ଓ ପଛକୁ। ଦିଲ୍ଲୀର ପାର୍ଲାମେଣ୍ଟ ବଦଳରେ ଆଲୋଚନା ପରିସରକୁ ଆବୋରି ବସିଲା ଗତ ନିର୍ବାଚନର ଭୋଟ୍‌ଦାନ ପ୍ରସଙ୍ଗ। ଭୋଟ୍‌ର ଗୁମର ସବୁବେଳେ ଗୁପ୍ତ ରହିବା ବିଧେୟ ବୋଲି ଜାଣିସୁଦ୍ଧା ଏ ଲେଖକ ସେଦିନ ପଚାରି ଦେଇଥିଲା ଗୋବିନ୍ଦକୁ- କାହାକୁ ଭୋଟ୍‌ ଦେଇଥିଲ? ଅତି ସହଜ ଭାବେ ଗୋବିନ୍ଦ ଉତ୍ତର ଦେଇଥିଲା- ମୋ ଭୋଟ୍‌ ପାଇଥିବା ନେତା ଏଥର ଜିତାପଟ ନେଇଛନ୍ତି ସାର୍‌। ତେବେ ସ୍ବାଭାବିକ ଭାବେ ତାକୁ ପଚରାଗଲା କାହିଁକି ତାଙ୍କ ଉପରେ ତୁମର ଏତେ ରାଗ? ହାରିଯାଇଥିବା ଲୋକ ପାଇଁ ତ ସାମାନ୍ୟ ସମବେଦନା ରହିବା କଥା।
ଏ ଲେଖକର ଏମିତି ମନ୍ତବ୍ୟରେ ଅସମ୍ଭବ ଭାବେ ଉତ୍‌କ୍ଷିପ୍ତ ହୋଇଉଠିଲା ଗୋବିନ୍ଦ। କହିଲା- ତାଙ୍କ ଭଳି ଅସାଧୁ ଲୋକ ପାଇଁ ପୁଣି ସମବେଦନା! ଗୋଟିଏ ଚିକେନ ମିଲ, ଗ୍ଲାସେ ମଦ ଓ ଟଙ୍କା ଦୁଇହଜାର ଦେଇ ସେ ମୁଣ୍ଡ କିଣି ନେବ ବୋଲି ଭାବିଥିଲା। ଭୋଜି ଖାଇଲି, ମଦ ପିଇଲି, ଟଙ୍କା ନେଇ ପକେଟ ଭରିଲି, ଜଗନ୍ନାଥଙ୍କ ତୁଳସୀ ଛୁଇଁ ତାଙ୍କ ବ୍ୟତୀତ ଆଉ କାହାକୁ ଭୋଟି ଦେବିନି ବୋଲି ନିୟମ କଲି। ମାତ୍ର ତା’ପରଦିନ ମୋ ମନଲାଖି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଦେଲି। ଗୋବିନ୍ଦର ଏହି ଅଭିନବ ସ୍ବୀକାରୋକ୍ତିରେ ମୁଗ୍ଧ ହେଲା ଏ ଲେଖକ। କହିଲା- ଇଏ ତ ଧର୍ମଛଡ଼ା କଥା। ପଇସା ନେଲ, ଭୋଜି ଖାଇଲ, ତୁଳସୀ ଛୁଇଁ ଭୋଟ ଦେବାକୁ ଶପଥ କଲ। ଅଥଚ ତାଙ୍କୁ ଭୋଟ ନ ଦେଇ ଅନ୍ୟ ଜଣଙ୍କୁ ଦେଇ ଜିତାଇ ଦେଲ! ଜଗନ୍ନାଥ ରାଗିବେନି?
ଗୋବିନ୍ଦର ଉତ୍ତର ଥିଲା ଅଧିକ ସ୍ପଷ୍ଟ, ଅଧିକ ଶାଣିତ। ଉତ୍ତର ତ ନୁହେଁ, ଉତ୍ତର ଭିତରେ ଏକ ରହସ୍ୟମୟ ପ୍ରଶ୍ନ- ମୁଁ ମୂର୍ଖ ଲୋକ ବାବୁ। ଅଧିକ ପାଠ ପଢ଼ିନାହିଁ ବୋଲି ତ ଗଁାରେ ପିଲା ଛୁଆ ଛାଡ଼ି ଏଠାରେ ଆସି ଗାଡ଼ି ସଜାଡୁଛି। ଆପଣ ଉଚ୍ଚ ଶିକ୍ଷିତ। ଆପଣ କୁହନ୍ତୁ କିଏ ଅଧିକ ଅସାଧୁ? ଜଗନ୍ନାଥ କାହା ଉପରେ ଅଧିକ ରାଗିବେ। ଆମ ଭଳି ଦୁଇହଜାର ହାତେଇ ଭୋଟ ଦେଇ ନ ଥିବା ଭୋଟର ଉପରେ ନା ତାଙ୍କ ଭଳି ଲକ୍ଷ ଲକ୍ଷ ଖର୍ଚ୍ଚ କରି ଭୋଟ କିଣୁଥିବା ପ୍ରାର୍ଥୀ ଉପରେ? କିଏ ଧର୍ମଛଡ଼ା? ତୁଳସୀ ଛୁଇଁ ନିୟମ କରିଥିବା ମୁଁ ନା ଏମିତି ମିଥ୍ୟାଚାର ମଧ୍ୟକୁ ଆମ ଜଗନ୍ନାଥଙ୍କୁ ଟାଣିଥିବା ସେଇ ପ୍ରାର୍ଥୀ।
ସେଦିନ ଗୋବିନ୍ଦର ସ୍ବରଶବ୍ଦ ଭିତରେ ଏ ଲେଖକ ଶୁଣିଥିଲା ଅସାଧୁତା ଓ ଅନାଚାର ବିରୋଧରେ ଏକ ଅଭିନବ ବିଦ୍ରୋହ। ତାକୁ ଲାଗୁଥିଲା ଏଇ ଗୋବିନ୍ଦମାନେ ହିଁ ଆମ ଗଣତନ୍ତ୍ରର ପ୍ରକୃତ ଗୌରବ। ସେଇ ମୁହୂର୍ତ୍ତରେ ତା’ ମୁହଁଟି ଦିଶୁଥିଲା ଜଗନ୍ନାଥଙ୍କ ମୁହଁଠାରୁ ଅଧିକ ଉଜ୍ଜ୍ୱଳ।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri